ପୁରୀ,୨୭ା୭: ଆଜି ଘୋଷଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରିବିଜେ। ନୀଳକନ୍ଦରକୁ ବିଜେ କରିବେ ନୀଳାଦ୍ରିନାଥ। ଗୋଟି ପହଣ୍ଡିରେ ଶ୍ରୀମନ୍ଦିର ରତ୍ନବେଦିକୁ ବିଜେ କରିବେ ଦାରୁବିଗ୍ରହ। ଏଥିସହ ଚଳିତବର୍ଷର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଶେଷ ହେବ। ସେହିପରି ନୀଳାଦ୍ରିବିଜେ ପରେ ମଙ୍ଗଳବାରଠାରୁ ପୁଣି ଶ୍ରୀମନ୍ଦିର ଚଳଚଞ୍ଚଳ ହୋଇଉଠିବ ଓ ଭକ୍ତମାନେ ନୀଳାଚଳ ଅବଢ଼ା ପାଇପାରିବେ।
ପ୍ରଥମେ ମହାଜନ ସେବକମାନେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥରୁ ଶ୍ରୀରାମକୃଷ୍ଣ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରୁ ଶ୍ରୀମଦନମୋହନଙ୍କୁ ଶ୍ରୀମନ୍ଦିରକୁ ବିଜେ କରାଇବେ। ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରୁ ଚକ୍ରରାଜ ସୁଦର୍ଶନ, ତାଳଧ୍ୱଜ ରଥରୁ ପ୍ରଭୁ ବଳଭଦ୍ର ଶ୍ରୀମନ୍ଦିରକୁ ବିଜେ କରିବେ।
ଏହାପରେ ଦେବୀ ସୁଭଦ୍ରା ଓ ଶେଷରେ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ହେବ। ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ହେବା ମାତ୍ରେ ମହାଲକ୍ଷ୍ମୀ ଭେଟମଣ୍ଡପକୁ ବିଜେ କରିବେ। ଭିତରସ୍ଥ ମହାପାତ୍ର ଭେଟମଣ୍ଡପରେ ମହାଲକ୍ଷ୍ମୀ ଏବଂ ମହାପ୍ରଭୁଙ୍କ ଭେଟ କରାଇବେ। ସେଠାରେ ବନ୍ଦାପନା ନୀତି ହେବ। ନବଦିନାତ୍ମକ ଯାତ୍ରାରେ ମହାଲକ୍ଷ୍ମୀଙ୍କୁ ମହାପ୍ରଭୁ ସାଥିରେ ନେଇ ନ ଥିବାରୁ ସେ ଅଭିମାନ କରି ରହିଛନ୍ତି।
ତେଣୁ ମହାପ୍ରଭୁ ପହଣ୍ଡି ହୋଇ ସିଂହଦ୍ୱାର ନିକଟରେ ପହଞ୍ଚିବା ମାତ୍ରେ ମହାଲକ୍ଷ୍ମୀ ସିଂହଦ୍ୱାର କବାଟ ବନ୍ଦ କରିଦେବେ। ପରେ ସେ କବାଟ ଖୋଲିଲେ ମହାପ୍ରଭୁ ଶ୍ରୀମନ୍ଦିର ପରିସରକୁ ବିଜେ କରିବେ। ମାତ୍ର ମହାଲକ୍ଷ୍ମୀ ଜୟବିଜୟ ଦ୍ୱାର ବନ୍ଦ କରିଦେବେ। ଠାକୁର ଠାକୁରାଣୀଙ୍କ ମଧ୍ୟରେ ବଚନିକା ହେବ। ଏହାକୁ ଲକ୍ଷ୍ମୀ-ନାରାୟଣ ବଚନିକା ବୋଲି କୁହାଯାଏ। ନୀତି ସରିବା ପରେ ଭଣ୍ଡାରଘର ନିକଟରେ ମହାପ୍ରଭୁ ଏବଂ ମହାଲକ୍ଷ୍ମୀଙ୍କ ବିବାହ ଗଇଁଠାଳ ଫିଟିବ। ମହାପ୍ରଭୁ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ରସଗୋଲା ଦେବେ। ଅନ୍ୟାନ୍ୟ ନୀତି ଶେଷ ପରେ ରତ୍ନସିଂହାସନକୁ ମହାପ୍ରଭୁ ବିଜେ କରିବେ।

