ଆମ ବିଦ୍ୟାଳୟ ହାଲଚାଲ

ଅକ୍ଷୟ କୁମାର ମିଶ୍ର

 

ଅଳ୍ପ ଦିନ ତଳେ ଊଣାଅଧିକେ ସବୁ ଖବରକାଗଜରେ ଆମ ଗଣତନ୍ତ୍ରର ଏକ ବିକଳ ଦୃଶ୍ୟ ସମ୍ପର୍କିତ ଖବର ପ୍ରକାଶ ପାଇଥିଲା। ଖବରଟି ହେଲା, ଏତେଦିନ ଧରି ଯେଉଁ ଗାଁକୁ ବିଜୁଳି ଆଲୁଅ ଯାଇନଥିଲା, ରାଷ୍ଟ୍ରପତି ପ୍ରାର୍ଥୀ ହେବାମାତ୍ରେ ରାତାରାତି ସେହି ଗାଁକୁ ବିଦ୍ୟୁତ୍‌ ସଂଯୋଗ ହୋଇଗଲା।
ବିଧାୟକ, ମନ୍ତ୍ରୀ, ରାଜ୍ୟପାଳ ଥିବା ବେଳେ ଏହା ଘଟିଲା ନାହିଁ। କିନ୍ତୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ ପୂର୍ବରୁ ଅନ୍ଧାର ହଟିଲା। ଆଲୁଅ ଜଳିଲା। ଯା’ହେଉ ରାଷ୍ଟ୍ରପତି ପଦବୀର କରିସ୍ମା ରାଜ୍ୟବାସୀ ଅନୁଭବ କଲେ। ଠିକ୍‌ ଏହି ସମୟରେ ଆଉ ଏକ ଘଟଣା ସମ୍ପର୍କରେ ରାଜ୍ୟବାସୀ ଅବଗତ ହେବା ଉଚିତ। ଅବଶ୍ୟ ଏମିତି ଖବର ଦୈନନ୍ଦିନ ଖବରକାଗଜ ପୃଷ୍ଠା ମଣ୍ଡନ କରୁଛି। କେଉଁଠି ସାତଟି ଶ୍ରେଣୀକୁ ଦୁଇଜଣ ଶିକ୍ଷକ, କେଉଁଠି ଜଣେ ଶିକ୍ଷକରେ ଚାଲିଛି ପାଞ୍ଚଟି ଶ୍ରେଣୀ। ହେଲେ ଏମିତି ଏକ ବିଦ୍ୟାଳୟ କଥା ଆଲୋଚନା କରିବା, ଯାହା ଯାହିତାଇ ଏକ ବିଦ୍ୟାଳୟ ନୁହେଁ। ଏକ ଐତିହ୍ୟସମ୍ପନ୍ନ ବିଦ୍ୟାଳୟ, ଯେଉଁଠି ଆମ ଦେଶର ଚତୁର୍ଥ ରାଷ୍ଟ୍ରପତି ଭି. ଭି. ଗିରି ଅଧ୍ୟୟନ କରିଥିଲେ। ବିଶିଷ୍ଟ ବୈଜ୍ଞାନିକ ପଦ୍ମବିଭୂଷଣ ଏସ୍‌. ଆର. ରାଓ ଛାତ୍ର ଥିଲେ। ବିଦ୍ୟାଳୟର ନାମ କେ. ସି. ହାଇସ୍କୁଲ, ବ୍ରହ୍ମପୁର। ଗଞ୍ଜାମ ଜିଲା। ୧୮୫୬ରେ ପ୍ରତିଷ୍ଠିତ ସର୍ବପୁରାତନ ଏହି ବିଦ୍ୟାଳୟ ଅବସ୍ଥା କଥା ଆଜି ଭାବିଲେ ନିଜକୁ ବିଶ୍ୱାସ କରି ହେବ ନାହିଁ। ଆମ ସଂସ୍କୃତି ହେଉଛି ପୂଜ୍ୟପୂଜାର ସଂସ୍କୃତି। ଯେଉଁ ଗଁା ଅବା ସହରରେ ମହାମନୀଷୀମାନେ ଜନ୍ମ ଗ୍ରହଣ କରିଥିଲେ, ସେହି ମାଟି ଆମ ପାଇଁ ତୀର୍ଥକ୍ଷେତ୍ର। ସେମାନେ ଅଧ୍ୟୟନ କରିଥିବା ବିଦ୍ୟାଳୟଟିକୁ ଏକ ଆଦର୍ଶ ବିଦ୍ୟାଳୟ ରୂପେ ଗଢ଼ି ତୋଳିବାକୁ ଆମ ଭିତରେ ଥାଏ ପ୍ରଚୁର ପ୍ରବଣତା। କିନ୍ତୁ ଏଠାରେ ବ୍ୟତିକ୍ରମ। ରାଷ୍ଟ୍ରପତି ଅଧ୍ୟୟନ କରିଥିବା ବିଦ୍ୟାଳୟଟି ଏକ ମଡେଲ ସ୍କୁଲ ହେବା ତ ଦୂରର କଥା, ନିଜର ପୂର୍ବ ଗୌରବକୁ ମନେପକାଇବା ପାଇଁ ତା’ ନିକଟରେ ଆଉ କେହି ନାହାନ୍ତି। ଜଣେ ଜଣେ କରି ସମସ୍ତ ଶିକ୍ଷକ ସେଠାରୁ ଅବସର ନେଇ ଯାଇଛନ୍ତି। ଅନ୍ୟ ବିଦ୍ୟାଳୟରୁ ଦୁଇ ଜଣ ଶିକ୍ଷକଙ୍କୁ ଡେପୁଟେସନରେ ଦେଇ ବିଦ୍ୟାଳୟର ସ୍ଥିତି ରକ୍ଷା ନିମନ୍ତେ ଉଦ୍ୟମ ଚାଲିଛି। ସବୁଠାରୁ ବିଡ଼ମ୍ବନା ହେଉଛି ସେହି ବିଦ୍ୟାଳୟ ପରିସରରେ ଚାଲିଛି ଏକ ଘରୋଇ ଇଂଲିଶ୍‌ ମାଧ୍ୟମ ବିଦ୍ୟାଳୟ।
ଏ ଅବସ୍ଥା କାହିଁକି? ୧୬୬ ବର୍ଷର ଗୋଟିଏ ପୁରୁଣା ସ୍କୁଲରେ ଶିକ୍ଷକ ନାହାନ୍ତି ଏ କଥା କ’ଣ ବିଶାସଯୋଗ୍ୟ? ପାଠକେ କହିବେ ସରକାର ତ ହଜାର ହଜାର ଶିକ୍ଷକ ନିଯୁକ୍ତି ଦେଉଛନ୍ତି, ଏ ବିଦ୍ୟାଳୟ ଭାଗରେ କ’ଣ ଜଣେ ବି ପଡୁନି? ହଁ, କଥାଟି ସତ। କେବଳ ଏହି ବିଦ୍ୟାଳୟ ନୁହେଁ, ରାଜ୍ୟରେ ଏମିତି ୬୪୮ଟି ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଅଛି, ଯେଉଁଠି ସରକାର ଆଜକୁ ୩୦ ବର୍ଷ ହେଲା କୌଣସି ଶିକ୍ଷକ ନିଯୁକ୍ତ କରନ୍ତି ନାହିଁ। ୧୯୯୨ରେ ଶେଷ ଥର ପାଇଁ ସିଲେକ୍ସନ ବୋର୍ଡ ଜରିଆରେ ଏହି ଧରଣର ବିଦ୍ୟାଳୟଗୁଡ଼କରେ ଶିକ୍ଷକ ନିଯୁକ୍ତି ହୋଇଥିଲା। ସୂଚନାଯୋଗ୍ୟ, ସେ ସମୟରେ ଅଳ୍ପ କେତୋଟି ପୁରୁଣା ସରକାରୀ ବିଦ୍ୟାଳୟକୁ ଛାଡ଼ିଦେଲେ ଅବଶିଷ୍ଟ ବିଦ୍ୟାଳୟ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଥିଲା। ୧୯୯୪ ଜୁନ ୭ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସାହସିକ ପଦକ୍ଷେପ ଯୋଗୁ ୨,୯୨୯ଟି ଉଚ୍ଚ ବିଦ୍ୟାଳୟ ସରକାରୀ ଘୋଷିତ ହେଲା। କିନ୍ତୁ ୪୮ଟି ବିଦ୍ୟାଳୟ ଏଥିରୁ ବାଦ୍‌ପଡ଼ିଲେ ସେମାନଙ୍କ ପରିଚାଳନା କମିଟିର ଅନିଚ୍ଛା କାରଣରୁ। ସେହି ବର୍ଷ ଜୁନ ୧ ତାରିଖ ଦିନ ଅର୍ଥାତ୍‌ ସାତ ଦିନ ପୂର୍ବରୁ ସେହି ସମାନ ସରକାର ୬୧୦ଟି ଉଚ୍ଚ ବିଦ୍ୟାଳୟକୁ ପୂର୍ଣ୍ଣଅନୁଦାନ ଦେଲେ। ନ୍ୟାୟତଃ ଏମାନେ ସେତେବେଳେ ସରକାରୀ ଘୋଷଣା ହେବା କଥା, ତାହା ହେଲାନାହିଁ। ପରବର୍ତ୍ତୀ ସମୟରେ ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ଯୋଗୁ ଏମାନଙ୍କ ମଧ୍ୟରୁ ୮ଟି ବିଦ୍ୟାଳୟକୁ ସରକାର ବାଧ୍ୟ ହେଲେ ସରକାରୀ ଘୋଷଣା କରିବାକୁ। ନ୍ୟାୟାଳୟକୁ ସମ୍ମାନ ଜଣାଇ ସରକାର ସମାନ ସ୍ଥିତିରେ ଥିବା ସମସ୍ତ ବିଦ୍ୟାଳୟକୁ ସରକାରୀ କରିବା ଉଚିତ ଥିଲା। ତାହା ତ ହେଲାନାହିଁ, ପରନ୍ତୁ ଯେଉଁ ସିଲେକ୍ସନ ବୋର୍ଡ ଜରିଆରେ ଏହିସବୁ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ନିଯୁକ୍ତି ହେଉଥିଲା, ତାକୁ ୧୯୯୭ରେ ଭାଙ୍ଗି ଦିଆଗଲା। ଆପଣା ହସ୍ତେ ଜିହ୍ବାଛେଦି, କେ ଅଛି ତାର ପ୍ରତିବାଦୀ। ସରକାର ଜାଣିଶୁଣି ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଉପରେ ପୂର୍ଣ୍ଣଚ୍ଛେଦ ଟାଣିଦେଲେ। କହିବାକୁ ଗଲେ, ଏହି ବିଦ୍ୟାଳୟଗୁଡ଼ିକ ପାଇଁ ଅଘୋଷିତ ମୃତ୍ୟୁର ପରଓ୍ବାନା ଧରାଇ ଦିଆଗଲା।
୨୦୦୪ରୁ ପ୍ରାଥମିକ ବିଦ୍ୟାଳୟ ପାଇଁ ଶିକ୍ଷା ସହାୟକ ଓ ମାଧ୍ୟମିକ ବିଦ୍ୟାଳୟ ନିମନ୍ତେ ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେଲା। କିନ୍ତୁ ଅନୁଦାନପ୍ରାପ୍ତ ବିଦ୍ୟାଳୟ କଥା ସରକାର ସମ୍ପୂର୍ଣ୍ଣ ଭୁଲିଗଲେ। ଏମିତି ଅବସ୍ଥା ହେଲାଣି, ଆଉ ଦୁଇ ତିନି ବର୍ଷ ଯଦି ସରକାର ଆଖି ବୁଜିଦେବେ, ଏମାନଙ୍କ ଭିତରୁ ଅଧିକାଂଶ ବିଦ୍ୟାଳୟ ଆପଣାଛାଏଁ ବନ୍ଦ ହୋଇଯିବ। ଏଥିସହିତ ଆହୁରି ୨୬୦୮ଟି ଉଚ୍ଚ ବିଦ୍ୟାଳୟ ରାଜ୍ୟରେ ଅଛି, ଯେଉଁଗୁଡ଼ିକୁ ସରକାର ୨୦୦୪ରେ ଓ ପରବର୍ତ୍ତୀ ସମୟରେ ବ୍ଲକ ଗ୍ରାଣ୍ଟ ଦେଇଛନ୍ତି ଏବଂ ଯେଉଁଗୁଡ଼ିକୁ ସରକାର ଏବେ ଆଉ ଏକ ଭିନ୍ନ ନାମ ଦେଇ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ବୋଲି କହୁଛନ୍ତି ସେମାନଙ୍କ ସତ୍ତା ମଧ୍ୟ ଲୁପ୍ତ ହେବ। ଅର୍ଥାତ୍‌ ପାଖାପାଖି ଅର୍ଦ୍ଧେକ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତିକୁ ନେଇ ସରକାର ସମ୍ପୂର୍ଣ୍ଣ ନୀରବ। ଏହି ଅଳ୍ପ ଦିନ ତଳେ ବିଧାନସଭାରେ କିଛି ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବିଭାଗୀୟ ମନ୍ତ୍ରୀ ଯାହା କହିଲେ ଆମକୁ ତାଜୁବ କଲା। ମନ୍ତ୍ରୀଙ୍କ ମତରେ ଏହି ସମସ୍ତ ବିଦ୍ୟାଳୟରେ ପାଠପଢ଼ାରେ ଅସୁବିଧା ନହେବା ପାଇଁ ସରକାର ଅତିଥି ଶିକ୍ଷକ ନିଯୁକ୍ତି ଦେଉଛନ୍ତି। ଏହା ଅର୍ଦ୍ଧସତ୍ୟ। ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ସରକାର ଅତିଥି ଶିକ୍ଷକ ଭାବରେ ବିଭିନ୍ନ ବିଦ୍ୟାଳୟରେ ନିଯୁକ୍ତି ଦିଅନ୍ତି ଏହା ସତ୍ୟ। କିନ୍ତୁ ବର୍ଷରେ କେତେମାସ ଏହି ନିଯୁକ୍ତି ଦିଆଯାଏ ଏକଥା ସରକାର କହିବା ଆବଶ୍ୟକ। ଏହା ଦ୍ୱାରା ନିୟମିତ ଶିକ୍ଷାଦାନ ଯେ ଅସମ୍ଭବ, ଏକଥା ଆଜିଯାଏ ସରକାର ବୁଝିବାକୁ ପ୍ରସ୍ତୁତ ନୁହନ୍ତି।
ଏବେ ଆସନ୍ତୁ ଏହି ସମସ୍ତ ବିଦ୍ୟାଳୟର ଇତିହାସ ସମ୍ପର୍କରେ ଜାଣିବା। ୧୯୫୦ ବେଳକୁ ଆମ ରାଜ୍ୟରେ ମାତ୍ର ୧୦୬ଟି ମାଧ୍ୟମିକ ବିଦ୍ୟାଳୟ ଥିଲା। ଏହି କେତୋଟି ହାତଗଣତି ବିଦ୍ୟାଳୟକୁ ନେଇ ଶିକ୍ଷାର ପ୍ରସାର ଆଦୌ ସମ୍ଭବ ନଥିଲା। ସେତେବେଳେ ଅର୍ଥନୈତିଜ ଭାବେ ଏକ ଦୁର୍ବଳ ରାଜ୍ୟର ସରକାର ଚିନ୍ତା କରିଥିଲେ। ଶିକ୍ଷାର ପ୍ରସାର ପାଇଁ ରାଜ୍ୟବାସୀଙ୍କ ସହଯୋଗ ଲୋଡ଼ା। ଏଣୁ ୧୯୫୨ ମସିହାରେ ସରକାର ଏକ ଆଇନ କରିଥିଲେ, ଯେଉଁଥିରେ ସରକାର ଆହ୍ବାନ ଦେଲେ ରାଜ୍ୟବାସୀ ଚାହିଁଲେ ନିଜ ନିଜ ଅଞ୍ଚଳରେ ବିଦ୍ୟାଳୟ ଖୋଲିପାରିବେ। ତାହାହିଁ ହେଲା। ରାଜ୍ୟର ଶିକ୍ଷାନୁରାଗୀମାନେ ଜାଗା, ଜମି, ଅର୍ଥ, ଶ୍ରମ ଓ ସମୟ ଦେଇ ବିଦ୍ୟାଳୟ ଗଢ଼ିଲେ। ଆଜି ଆମେ ଯେଉଁ ୨୯୨୯ ସରକାରୀ ବିଦ୍ୟାଳୟ, ୬୪୮ଟି ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟ, ୨୬୦୮ଟି ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଏବଂ ଏଯାଏଁ ଆଦୌ ଅନୁଦାନ ପାଇନଥିବା ୧୯୪ଟି ଉଚ୍ଚ ବିଦ୍ୟାଳୟ ଦେଖୁଛନ୍ତି ଏସବୁ ରାଜ୍ୟବାସୀ ଗଢ଼ିଛନ୍ତି, ସରକାର ସ୍ବୀକୃତି ଦେଇଛନ୍ତି। ଫଳରେ ଶିକ୍ଷାର ପ୍ରସାର ଘଟିଛି। କିନ୍ତୁ ସମ୍ପ୍ରତି ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକର ଅବସ୍ଥା କ’ଣ ହେବାକୁ ଯାଉଛି, ତାହା ସହଜରେ ବୁଝିହେବ ଯଦି ଗଞ୍ଜାମ ଜିଲାରେ ଅବସ୍ଥିତ କେ. ସି. ହାଇସ୍କୁଲକୁ ଥରେ ପରିଦର୍ଶନରେ ଯିବା।ଯଦି ସରକାର ଆନ୍ତରିକତାର ସହ ଚାହୁଁଥା’ନ୍ତି ସାର୍ବଜନୀନ ଶିକ୍ଷାର ବିକାଶ, ତେବେ ଏହି ବିଦ୍ୟାଳୟଗୁଡ଼ିକୁ ବଞ୍ଚାଇ ରଖିବା ଆବଶ୍ୟକ। ଏଥିପାଇଁ ସରକାରଙ୍କୁ ଦୁଇଟି ରାସ୍ତା ମଧ୍ୟରୁ ଗୋଟିକୁ ବାଛିବାକୁ ପଡ଼ିବ। (୧) ଏ ସମସ୍ତ ବିଦ୍ୟାଳୟକୁ ସରକାରୀ ଘୋଷଣା, (୨) ନୂତନ ନିୟମ ଆଣି ଖାଲି ପଡ଼ିଥିବା ପଦବୀ ପୂରଣ।
ପ୍ରାକ୍ତନ ଯୁଗ୍ମ ସାଧାରଣ ସମ୍ପାଦକ, ଓଷ୍ଟା
ମୋ: ୭୦୦୮୦୭୩୫୯୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri