ହସ-ବିଷ

ହରେକୃଷ୍ଣ ଦାସ

 

ବୁଦ୍ଧଦେବ କାଳେ କହିଥିଲେ ଯେ, କାହାକୁ ଦାନ କରିବା ପାଇଁ ଆମ ପାଖରେ ଥିବା ସବୁଠୁ ବଡ଼ ସମ୍ପଦ ହେଉଛି ଆମର ହସ। ତେବେ ସମସ୍ୟା ହେଲା ଯେ ଅନେକ ମନଜିଣା ସ୍ମିତହାସ୍ୟ ତଳେ ଲୁଚିଥିବା ବିଷାକ୍ତ ମନକୁ ସହଜରେ ପଢ଼ିହୁଏନି କି ସବୁ କପଟ ଭାବନାକୁ ଠଉରେଇ ହୁଏନି। ତେଣୁ ଜଣକର ହସ ହସ ମୁହଁର ନିରୀହତାର ଭ୍ରମରେ ଭଳି ନ ଯାଇ ମନେରଖିବା ଉଚିତ ଯେ ମୁହଁରେ ଚମତ୍କାର ହସ ଖେଳାଉଥିବା ଲୋକଟା ସଇତାନ ବି ହୋଇଥାଇପାରେ (one may smile and smile and be a villain)। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏ ପ୍ରକାର ଲୋକମାନେ ନିଜ ମିଛରେ ଭରପୂର ହୃଦୟକୁ ଲୁଚେଇବା ପାଇଁ ନିଜର ‘ମିଛମୁହଁ’ଟେ ବ୍ୟବହାର କରିଥାଆନ୍ତି। ନିଜର ମିଛ ସାମାଜିକ ପରିଚୟକୁ ବଜାୟ ରଖିବାର ଅହଂକାର ଯୋଗୁ ଏମାନେ ନିଜ ସମ୍ପର୍କିତ ବାସ୍ତବତାକୁ ଲୁଚେଇ ରଖିବାକୁ ଯଥା ସମ୍ଭବ ପ୍ରୟାସ କରନ୍ତି। ଫଳରେ, ଅନେକଙ୍କ ପାଖରେ ଏମିତିକି ନିଜ ପରିବାର ଓ ବନ୍ଧୁବର୍ଗଙ୍କ ପାଖରେ ଏମାନଙ୍କ ଅସଲ ଚେହେରା ଅନାବିଷ୍କୃତ ହୋଇ ରହିଯାଏ। ଯେହେତୁ ମନର ଭାବନା ଓ ଗଠନକୁ ଜଣକର ମୁହଁ ଦେଖି ଠିକ୍‌ ଭାବେ ପଢ଼ିବା ପାଇଁ କୌଣସି ବ୍ୟବସ୍ଥା ନାହିଁ, ଏମାନଙ୍କର ଭଣ୍ଡାମି ସହଜରେ ଧରା ପଡେନି। ଇଏ ଏମିତି ଗୋଟେ ବ୍ୟାଧି ଯାହା ଆମ ପାରିବାରିକ ଓ ସାମାଜିକ ଜୀବନକୁ ଯଥେଷ୍ଟ ଅଶାନ୍ତ କରିଦେଉଛି।
ସେଦିନ ଅସ୍ବାଭାବିକ ଭାବେ ବିବ୍ରତ ଦିଶୁଥିବା ପତ୍ନୀଙ୍କୁ ବ୍ୟସ୍ତ ହେବାର କାରଣ ପଚାରିବାରୁ ସେ କହିଲେ, ‘ଆଜି ସାରେ ତାଙ୍କ ଘରକୁ ଯିବାପାଇଁ ଆମ କଲୋନୀର ମିଲିର ମା’ ବହୁତ ବାଧ୍ୟ କରି ଡାକିଛି। ଅନେକ ଥର ବାହାନା କଲାପରେ ଏଥର ମନା କରିପାରିଲିନି।’ ହସିଦେଇ କହିଲି, ‘ଏଥିରେ ପୁଣି ବ୍ୟସ୍ତ ହେବାର କ’ଣ ଅଛି? ସେ ତ ଜଣେ ବେଶ୍‌ ଭଦ୍ର ମହିଳା। ମୋତେ ଯେତେବେଳେ ବି ଦେଖନ୍ତି, ହସିଦେଇ ନମସ୍କାର କରି ମୁହଁ ତଳକୁ କରି ଆଡ଼େଇ ହୋଇ ଚାଲିଯାଆନ୍ତି।’ ‘ହୁଁ, ଭଦ୍ର ମହିଳା ନା ଆଉ କିଛି! କେବଳ ଚୁଗୁଲି କରିବା ଛଡା ତା’ର ଆଉ କିଛି କାମ ନାହିଁ। ସଂସାରଯାକର ସମସ୍ତଙ୍କ ଘରର ଛିଦ୍ର ସଂଗ୍ରହ କରିବା ତା’ର ଏକମାତ୍ର କାମ।’ ମୁଁ ପଚାରିଲି, ‘ତମ ନାଁରେ କ’ଣ ଚୁଗୁଲି କରୁଚି?’ ‘ମୋ ନାଁରେ ନୁହେଁ ମ, ତା’ର କୋଉ ବନ୍ଧୁବାନ୍ଧବ, ସମ୍ପର୍କୀୟଙ୍କ ଘରର ଗୁମର କଥା ସେ ନ ଜାଣିଛି ଭଲା। ଦିନେ କହିଲା, ‘ଜାଣିଛ ନାନୀ, ମୋ ବଡ଼ ଭଉଣୀର ବୋହୂଟା ଭାରି ମୁହଁଖୋର। ପ୍ରତି କଥାରେ ମୁହେଁ ମୁହେଁ ଜବାବ ଦିଏ ଯେ କାହାକୁ ବି ଛାଡେନି। ଥରେ ତାକୁ ତା’ ଶ୍ବଶୁର କ’ଣ ଟିକେ କହିଲେ ବୋଲି ତାଙ୍କ ସାମ୍ନାରେ ଯାହା ତ ଗାରୁଗାରୁ ହେଲା, ମୋ ଆଗରେ ଆସି କହିଲା କ’ଣ ନା ତାକୁ ଆଉ ଥରେ କିଛି କହିଲେ ସେ ତା’ ଶାଶୁ ଶ୍ବଶୁରଙ୍କୁ ଜୋତାରେ ପିଟିବ। ଏମାନଙ୍କ ପାଖରେ ରହିବନି ବୋଲି ସେ ତା’ ସ୍ବାମୀକୁ ମନେଇ ଦୂରରେ ରହୁଛି ପରା।…ମୋ ମାମୁପୁଅ ଭାଇର ଘର ଅବସ୍ଥା ବହୁତ ଖରାପ। ତା’ ବୋହୂ ଉପରେ ତା’ର ଖରାପ ନଜର। ସେମାନଙ୍କ ପାଖକୁ ଭାଇ କାହିଁକି ଏତେଥର ଯାଉଛି ବୋଲି ପୁଅବୋହୂଙ୍କ ଭିତରେ ସବୁବେଳେ ଭୀଷଣ ଝଗଡା।…ଖାଲି କ’ଣ ସେତିକି! ମୋ ଭିଣୋଇଙ୍କର ବି କାହା ସହ କାଳେ କିଛି ସମ୍ପର୍କ ଅଛି ବୋଲି ମୋ ଭଉଣୀ ତାଙ୍କୁ ସନ୍ଦେହ କରି କୁଆଡ଼େ ବି ଏକୁଟିଆ ଛାଡିବାକୁ ଚାହେଁନି।’ ମଜା କଥା ହେଲା ଯେ ଯୋଉ ଭାଇ ଭଉଣୀଙ୍କ ବିରୋଧରେ ସେ ଏତେ ବିଷୋଦ୍‌ଗାର କରୁଛି, ସେମାନଙ୍କ ସହ ଆତ୍ମୀୟତା ଦେଖେଇବାକୁ ପ୍ରାୟ ପ୍ରତିଦିନ ଫୋନରେ ଗପୁଛି। ସେଇ ଭାଇ, ଭଉଣୀ ଓ ତା’ର ପୁଅ ବୋହୂଙ୍କ ଆଖିରେ କି ଅନ୍ଧପୁଟୁଳି ବାନ୍ଧି ଦେଇଛି ଯେ ସେମାନେ ଏହାର ହସ ତଳର ବିଷ ତ ଦେଖିପାରୁ ନାହାନ୍ତି, ବରଂ ସେମାନଙ୍କ ଭିତରେ ଏକ ବିଚିତ୍ର ପ୍ରକାରର ମଧୁର ସମ୍ପର୍କ ଅଛି। ତା’ର ସବୁବେଳେ ଏମିତି ପରଘର ବିଷୟରେ ଚର୍ଚ୍ଚା ବୋଲି ତାକୁ ଦେଖିଲା ମାତ୍ରେ ମତେ ଭୟ ଲାଗେ ଯେ କାଳେ ମୋ ବିଷୟରେ ବି କୋଉଠି ଚୁଗୁଲି କରୁଥିବ!
ହଁ, ତା’ ବି ଅବଶ୍ୟ ହେବା ସମ୍ଭବ। ଅଧିକାଂଶ ଲୋକଙ୍କର ଚରିତ୍ର ଏମିତି। ମଧୁର ହସ ହସି, ମିଠାମିଠା କଥା କହି ଆମ ପଛପଟେ ଆମ ବିରୋଧରେ ବିଷୋଦ୍‌ଗାର କରିବାକୁ ଅନେକ ଲୋକ ଭଲପାଆନ୍ତି। ନିଜ ଜୀବନ ଅପେକ୍ଷା ଏମାନେ ଅନ୍ୟମାନଙ୍କ ଜୀବନ ବିଷୟରେ ବେଶି ଆଗ୍ରହ ଦେଖାନ୍ତି, ତା’ ପୁଣି ଅନ୍ୟମାନଙ୍କ ବିରୋଧରେ ଚର୍ଚ୍ଚା କରିବାର ଆଗ୍ରହ। ଏମାନଙ୍କ ସାଙ୍ଗସାଥୀ, ସମ୍ପର୍କୀୟ ତଥା ପରିଚିତ ଲୋକମାନେ ଦୁଃଖ କଷ୍ଟରେ ଅଛନ୍ତି ବୋଲି ଜାଣିଲେ ହିଁ ଏମାନେ ଖୁବ୍‌ ଖୁସି ହୁଅନ୍ତି। ସେଇଥିପାଇଁ ଅନ୍ୟମାନଙ୍କ ବିରୋଧରେ ତଥ୍ୟ ସଂଗ୍ରହ କରୁଥାଆନ୍ତି। ନିଜର ଭଲ ଘରଦ୍ବାର, ଗାଡି, ବ୍ୟାଙ୍କ ବାଲାନ୍ସ ଯେତେ ଥିଲେ ବି ଅନ୍ୟମାନଙ୍କର ଏଇସବୁ ଜିନିଷ ସହ ତୁଳନା କରି ହିଁ ଏମାନେ ସୁଖ ବା ଦୁଃଖ ଅନୁଭବ କରନ୍ତି। ଏମିତିଆ ବିଷାକ୍ତ ଲୋକଙ୍କଠାରୁ ସମ୍ପୂର୍ଣ୍ଣ ଦୂରେଇ ରହିବା ଉଚିତ। ନ ହେଲେ ତମେ ନିଜେ ବି କେତେବେଳେ ଫସିଯାଇପାର। ମନେରଖ ଯେ- ପାବକୋ ଲୌହ ସଂସର୍ଗାତ୍‌ ମୁଦ୍‌ଗରୈରଭର୍ଯ୍ୟତେ। ଅର୍ଥାତ, କେବଳ ଲୁହା ସଂସର୍ଗରେ ଆସିବା ଯୋଗୁ ହିଁ ଅଗ୍ନି ଦେବଙ୍କୁ ମଧ୍ୟ ପ୍ରହାର ସହିବାକୁ ପଡ଼ିଥାଏ।
‘ତା’ର କିଛି କାମ ନାହିଁ ତ, ଦିନଯାକ ଘରେ ଖାଲି ବସୁଛି। ତେଣୁ ତା ସଇତାନ ମୁଣ୍ଡଟା ଏ ପ୍ରକାରେ ଖେଳଉଛି। ‘ବିଷଣ୍ଣ ବଦନରେ କହିଲେ ପତ୍ନୀ।’ ଏତିକି ବେଳେ ଝିଅ ଧାଇଁ ଆସି କହିଲା, ‘ମାମା, ମିଲି ଘରକୁ ତୁ ଆଜି ଯାଆନା। ତାଙ୍କ ଘରକୁ ବୋଧେ କିଏ ଆସିଛନ୍ତି ଯେ ଆଣ୍ଟି କାହା ସହ ଖୁବ୍‌ ଜୋରରେ ପାଟିତୁଣ୍ଡ କରୁଛନ୍ତି। ମତେ ଡର ଲାଗୁଛି।’ ଝିଅକୁ କୋଳେଇ ନେଇ ପତ୍ନୀ କହିଲେ, ବ୍ୟସ୍ତ ହୁଅନା, ମୋର ତାଙ୍କ ଘରକୁ ଯିବା ସବୁଦିନ ପାଇଁ ବନ୍ଦ।’
ଅଧ୍ୟାପକ, ଇଂରାଜୀ ବିଭାଗ
ନିଆଳି କଲେଜ, କଟକ
ମୋ: ୯୮୬୧୩୪୫୬୫୮


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri