ଦାରିଙ୍ଗବାଡ଼ି, ୩/୧୦ (ଅରୁଣ ସାହୁ): କନ୍ଧମାଳ ଏମ୍ପି ସୁକାନ୍ତ କୁମାର ପାଣିଗ୍ରାହୀ ତାଙ୍କ ପ୍ରତିନିଧି ମଣ୍ଡଳ ପାଇଁ ଜିଲା ପ୍ରଶାସନକୁ ନାମ ତାଲିକା ପଠାଇଥିବା ଜଣାପଡ଼ିଛି। ସେ ଜିଲାର ଦାରିଙ୍ଗବାଡ଼ି ଏବଂ ତୁମୁଡ଼ିବନ୍ଧ ବ୍ଲକ ପାଇଁ ପ୍ରତିନିଧି ଭାବେ ମନୋନୀତ ବ୍ୟକ୍ତିମାନଙ୍କର ବ୍ଲକୱାରୀ ସୁପାରିସ ତାଲିକା ସହ ସେମାନଙ୍କ ବିଭାଗ ସମ୍ବନ୍ଧୀୟ ଦାୟିତ୍ୱ ନେଇ ଚିଠି ପଠାଇଛନ୍ତି।
ଏହି କ୍ରମରେ ଦାରିଙ୍ଗବାଡ଼ି ବ୍ଲକର ସମସ୍ତ ବିଭାଗ ପାଇଁ ବିଷ୍ଣୁ ଚରଣ ପ୍ରଧାନଙ୍କ ନାମ ସୁପାରିସ କରାଯାଇଥିବା ବେଳେ ଶିକ୍ଷା ବିଭାଗର ପ୍ରତିନିଧି ଭାବେ ହରେନ କୁମାର ସାହୁ, ସ୍ୱାସ୍ଥ୍ୟ ବିଭାଗ ପାଇଁ ସୁବାଷ ଚନ୍ଦ୍ର ସାହୁ, କଳା, ସଂସ୍କୃତି ଓ କ୍ରୀଡ଼ା ଦାୟିତ୍ୱ ପାଇଁ ରୁଦ୍ର ମାଧବ ସାହୁ, କୃଷି ବିଭାଗ ଦାୟିତ୍ୱରେ ବ୍ରାହ୍ମଣୀଗାଁର ଶ୍ୟାମ ମହାକୁଡ଼, ମତ୍ସ୍ୟ ଓ କୃଷି ଉଦ୍ୟାନ ଦାୟିତ୍ୱରେ ବିରଞ୍ଚି ନାରାୟଣ ସାହୁ, ପରିବେଶ ଓ ଜଙ୍ଗଲ ଦାୟିତ୍ୱରେ ମିନକେତନ ସାହୁ, ପର୍ଯ୍ୟଟନ ଉନ୍ନୟନ ବିଭାଗ ପାଇଁ ପ୍ରଭାକର ସାହୁ ଏବଂ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ପ୍ରତିନିଧି ଭାବେ ଅରୁଣ ପ୍ରଧାନଙ୍କ ନାମକୁ ଏମ୍ପି ସୁପାରିସ କରିଛନ୍ତି।
ଚିଠିରେ ଏମ୍ପି ଉଲ୍ଲେଖ କରିଛନ୍ତି ଯେ, ମନୋନୀତ ପ୍ରତିନିଧିମାନେ ତାଙ୍କ ପକ୍ଷରୁ ପ୍ରାସଙ୍ଗିକ ବୈଠକ ଏବଂ ସରକାରୀ ଆଲୋଚନାରେ ଯୋଗଦେବା ପାଇଁ ସମ୍ପୃକ୍ତ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରିବେ। ଏଥିସହ ନିଜ ଅଞ୍ଚଳର ଜନସାଧାରଣଙ୍କ ଆବଶ୍ୟକତା, ଅଭିଯୋଗ ଏବଂ ବିକାଶମୂଳକ ଆବଶ୍ୟକତା ସମ୍ବନ୍ଧୀୟ ବିଷୟଗୁଡ଼ିକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟିକୁ ଆଣିବେ।
ପ୍ରଭାବଶାଳୀ ଜନସେବା ଏବଂ ସ୍ଥାନୀୟ ସମସ୍ୟାର ସମୟୋଚିତ ସମାଧାନ ପାଇଁ ମନୋନୀତ ପ୍ରତିନିଧିମାନଙ୍କୁ ଆବଶ୍ୟକୀୟ ସହଯୋଗ ପ୍ରଦାନ କରିବା ସହ ଏପରି ସମନ୍ୱୟକୁ ସହଜ କରିବା ପାଇଁ ସମ୍ପୃକ୍ତ ବିଡିଓ ଓ ବିଭାଗୀୟ ଅଧିକାରୀମାନଙ୍କୁ ଉପଯୁକ୍ତ ନିର୍ଦ୍ଦେଶ ଜାରି କରିବାକୁ କନ୍ଧମାଳ ଜିଲାପାଳ ବେଦଭୂଷଣଙ୍କୁ ଚିଠି ମାଧ୍ୟମରେ ଏମ୍ପି ଅନୁରୋଧ କରିଥିବା ଜଣାପଡ଼ିଛି।
ଏମ୍ପି ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ତାଙ୍କ କାର୍ଯ୍ୟାଳୟରୁ ପରବର୍ତ୍ତୀ ଯୋଗାଯୋଗ ମାଧ୍ୟମରେ ବାତିଲ ନକରାଯିବା ପର୍ଯ୍ୟନ୍ତ ଏହି ମନୋନୟନ ବଳବତ୍ତର ରହିବ।
ପ୍ରକାଶ ଥାଉକି, ଏମ୍ପି ପାଣିଗ୍ରାହୀ ଏହି ପ୍ରତିନିଧି ଦାୟିତ୍ୱ ପାଇଁ ନାମ ସୁପାରିସ କରିବା ପରେ ପ୍ରତିନିଧି ମଣ୍ଡଳକୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଇଛି। ସେହିପରି ଏହି ଦାୟିତ୍ୱ ମିଳିଥିବା କିଛି ପ୍ରତିନିଧି ଭାଜପାର ବରିଷ୍ଠ କର୍ମକର୍ତ୍ତା ଭାବେ ନିଜ ଦାୟିତ୍ୱ ସମ୍ପାଦନ କରିଥିବା ଜଣାପଡ଼ିଛି।

