ଜଳବାୟୁ ପରିବର୍ତ୍ତନର ମୁକାବିଲା ସକାଶେ ସରକାର ଏବଂ ବିଭିନ୍ନ ସଙ୍ଗଠନ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଏହି କ୍ରମରେ ବ୍ୟକ୍ତିଗତ ସ୍ତରରେ ଅନେକେ ପ୍ରଚେଷ୍ଟା କରୁଛନ୍ତି, ଯେଉଁମାନଙ୍କ ମଧ୍ୟରେ ରହିଛନ୍ତି ୩୯ ବର୍ଷ ବୟସ୍କ ଚଞ୍ଚଳ କନ୍ଓ୍ବର ସିଂ। ଜଳବାୟୁ ପରିବର୍ତ୍ତନଜନିତ ପ୍ରଭାବକୁ ଲକ୍ଷ୍ୟକରି ସେ ସମ୍ପର୍କରେ ଲୋକଙ୍କୁ ଚଞ୍ଚଳ ଏକ ନିଆରା ଢଙ୍ଗରେ ସଚେତନ କରିଛନ୍ତି। ଏଥିପାଇଁ ସେ ସାଇକେଲରେ ଯାତ୍ରାକରି ଲୋକଙ୍କ ନିକଟରେ ପହଞ୍ଚତ୍ପାରିଛନ୍ତି। ଏହି ସାଇକେଲ ଯାତ୍ରା ସେ ୨୮ ଅଗଷ୍ଟ ୨୦୨୨ରେ ଆରମ୍ଭ କରିଥିଲେ। ୪ ବର୍ଷରୁ ଊର୍ଦ୍ଧ୍ୱ ସାଇକେଲ ଯାତ୍ରା କରିବା ପରେ ସେ ଚଳିତବର୍ଷ ଫେବୃଆରୀରେ ଶେଷ କରିଥିଲେ। ଏହି କଷ୍ଟକର ସାଇକେଲ ଯାତ୍ରାରେ ସର୍ବନିମ୍ନ ଆବଶ୍ୟକତାକୁ ନେଇ ସେ ଜୀବନ ବିତାଉଥିଲେ। ତଥାପି ଭାରତର ପ୍ରାୟ ସବୁ ରାଜ୍ୟକୁ ଯାଇପାରିଛନ୍ତି। ସେ ମୋଟ ୨୦,୩୯୭ କି.ମି. ସାଇକେଲରେ ଯାତ୍ରାକରି ସ୍କୁଲ ଓ କଲେଜଗୁଡ଼ିକର ପିଲାମାନଙ୍କ ନିକଟରେ ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ସୁରକ୍ଷା ସମ୍ପର୍କିତ ସଚେତନ ବାର୍ତ୍ତା ପହଞ୍ଚାଇଛନ୍ତି। ଏହାସହ ସରକାରଙ୍କ ଦ୍ୱାରା ପରିଚାଳିତ ପରିବେଶ କାର୍ଯ୍ୟକ୍ରମରେ ଜଡ଼ିତ କର୍ମଚାରୀ ଏବଂ ପରିବେଶବିତ୍ଙ୍କୁ ସାକ୍ଷାତ୍ କରିବା ସହ ଜଳବାୟୁ ସମସ୍ୟା ଉପରେ ଆଲୋଚନା କରିଛନ୍ତି।

