ନିରପେକ୍ଷତା ଆଶା ବୃଥା

ଭାରତୀୟ ନ୍ୟାୟପାଳିକା ଉଚ୍ଚମାନ ବଜାୟ ରଖିଚାଲିଛି ଓ ଏହା ଉପରେ ଲୋକଙ୍କ ବିଶ୍ୱାସ ରହିଛି ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି। ସମ୍ବିଧାନ ଦିବସର ସମାପନ ଉତ୍ସବରେ ୨୭ ନଭେମ୍ବରରେ ଉଦ୍‌ବୋଧନ ଦେଇ ରାଷ୍ଟ୍ରପତି ଆହୁରି କହିଛନ୍ତି, ବିଚାରପତିଙ୍କୁ ବିଚାରପତି ଚୟନ କରିବା ଲାଗି ଥିବା କଲେଜିୟମ୍‌ ବ୍ୟବସ୍ଥା ପରିବର୍ତ୍ତେ ଚୟନ ପ୍ରକ୍ରିୟାରେ ସଂସ୍କାର ଅଣାଯିବା ଆବଶ୍ୟକ। ସର୍ବଭାରତୀୟ ପରୀକ୍ଷା ମାଧ୍ୟମରେ ତୃଣମୂଳ ସ୍ତରର ବିଚାରପତିଙ୍କୁ ନିଯୁକ୍ତ କରାଯିବା ଦରକାର ବୋଲି ରାଷ୍ଟ୍ରପତି କହିଛନ୍ତି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିବା ଜାତୀୟ ନ୍ୟାୟିକ ନିଯୁକ୍ତି ଆୟୋଗ (ଏନ୍‌ଜେଏସି)କୁ ସୁପ୍ରିମକୋର୍ଟ ୬ ବର୍ଷ ତଳେ ବାତିଲ କରିଦେଇଥିଲେ। ଏବେ ରାଷ୍ଟ୍ରପତି କଲେଜିୟମ୍‌ ବ୍ୟବସ୍ଥା ବଦଳରେ ଏନ୍‌ଜେଏସି ଦ୍ୱାରା ନ୍ୟାୟପାଳିକାରେ ସ୍ବାଧୀନତା ଅଧିକ ରହିବ ବୋଲି ଯେଉଁ ବାଟ ଦେଖାଇଛନ୍ତି, ତାହା କେତେଦୂର ଗ୍ରହଣୀୟ ହେବ କହିହେଉ ନାହିଁ। କାରଣ ଖୋଦ୍‌ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜେ କୌଣସି ପରୀକ୍ଷାର ସମ୍ମୁଖୀନ ହୋଇ ନ ଥିବା ସତ୍ତ୍ୱେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଆସୀନ ହୋଇପାରିଛନ୍ତି। ରାମନାଥ କୋବିନ୍ଦଙ୍କ ଇତିହାସ ଦେଖିଲେ ଦେଶର ସାମୂହିକ ଉନ୍ନତି ପାଇଁ ତାଙ୍କର କୌଣସ ଅବଦାନ ଥିବାର ଦୃଷ୍ଟାନ୍ତ ମିଳିବ ନାହିଁ। କେବଳ ଏକ ରାଜନୈତିକ ଓ ଧାର୍ମିକ ବିଶ୍ୱାସ ପୋଷଣ କରୁଥିବା ହେତୁ ତାଙ୍କୁ ଏହି ପଦବୀ ମିଳିପାରିଥିଲା। ସେଥିପାଇଁ ତାଙ୍କର ନୈତିକ ଅଧିକାର ଏଭଳି ମନ୍ତବ୍ୟ ଦେବା ପଛରେ ଅଛି ବୋଲି ବିଶ୍ୱାସ ହେଉନାହିଁ।
ଏହା ସତ୍ୟ ଯେ, ଭାରତରେ ଏକ ନିର୍ଦ୍ଦିଷ୍ଟ ନ୍ୟାୟିକ ଗୋଷ୍ଠୀ ସମ୍ପୂର୍ଣ୍ଣ ନ୍ୟାୟପାଳିକାକୁ ନିଜ ହାତକୁ ନେଇଯିବାରେ ସକ୍ଷମ ହୋଇ ସାରିଛନ୍ତି। ନିକଟ ଅତୀତର ଘଟଣାବଳୀ ଉପରେ ଦୃଷ୍ଟି ପକାଇଲେ ତାହା ସ୍ପଷ୍ଟ ବୁଝିହେଉଛି। ଏନ୍‌ଜେଏସି ଏକ ପ୍ରସ୍ତାବିତ ସଂସ୍ଥା, ଯାହାର ବିଚାରପତି, ନ୍ୟାୟିକ ଅଧିକାରୀ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଓକିଲଙ୍କ ନିଯୁକ୍ତି ଓ ବଦଳି ଉପରେ ନିଷ୍ପତ୍ତି ନେବାର ବ୍ୟବସ୍ଥା ରହିଛି। ଏହି କମିଶନ ପ୍ରତିଷ୍ଠା ଲାଗି ସମ୍ବିଧାନର ୯୯ତମ ସଂଶୋଧନ ଅଣାଯାଇଥିଲା। ୧୩ ଅଗଷ୍ଟ ୨୦୧୪ରେ ଏ ସଂକ୍ରାନ୍ତ ସଂଶୋଧନ ଆଇନ ଲୋକ ସଭାରେ ଓ ୧୪ ଅଗଷ୍ଟରେ ରାଜ୍ୟ ସଭାରେ ଗୃହୀତ ହୋଇଥିଲା। ଫଳରେ ଆଶା କରାଯାଉଥିଲା ବିଚାରପତିଙ୍କ ଦ୍ୱାରା ବିଚାରପତି ଚୟନ ନ ହୋଇ ଏନ୍‌ଜେଏସି ମାଧ୍ୟମରେ ନିଯୁକ୍ତ ହେବେ। ଏପରି କି ଏନ୍‌ଜେଏସି ବିଲ୍‌ ଓ ସମ୍ବିଧାନ ସଂଶୋଧନ ବିଲ୍‌ ୧୬ଟି ରାଜ୍ୟର ବିଧାନସଭା ଦ୍ୱାରା ଅନୁମୋଦିତ ହୋଇଥିଲା। ଶେଷରେ ରାଷ୍ଟ୍ରପତି ସେଥିରେ ମୋହର ମାରିଥିଲେ। ଫଳରେ ୧୩ ଏପ୍ରିଲ ୨୦୧୫ରେ ଏନ୍‌ଜେଏସି ଆଇନ ଓ ସମ୍ବିଧାନ ସଂଶୋଧନ ଆଇନ କାର୍ଯ୍ୟକ୍ଷମ ହେଲା ବୋଲି କୁହାଯାଇଥିଲା। ହେଲେ ୧୬ ଅକ୍ଟୋବର ୨୦୧୫ରେ ୫ ଜଣିଆ ସାମ୍ବିଧାନିକ ପୀଠ ଏନ୍‌ଜେଏସିକୁ ରଦ୍ଦ କରିଦେଇ କଲେଜିୟମ୍‌ ବ୍ୟବସ୍ଥା ଜାରି ରହିବ ବୋଲି ରାୟ ଶୁଣାଇଥିଲେ। ଏଥିରେ ୪ ଜଣ ବିଚାରପତି କଲେଜିୟମ୍‌ ବ୍ୟବସ୍ଥାକୁ ସମର୍ଥନ କରିଥିଲେ। ତେବେ ସବୁକିଛି ସଂଖ୍ୟା ଖେଳରେ ଜିତିବା ହୋଇଯାଉଥିବାରୁ ଏନ୍‌ଜେଏସି ଅତୀତ ହୋଇ ପୁରୁଣା ପାଛିଆରେ ପଡ଼ିରହିଛି।
ଉପରଠାଉରିଆ ଭାବେ ଦେଖିଲେ ଏନ୍‌ଜେଏସି ଏକ ଉତ୍ତମ ବ୍ୟବସ୍ଥା, ଯାହାଦ୍ୱାରା ନ୍ୟାୟପାଳିକାରେ ସଂସ୍କାର ଅଣାଯାଇ ପାରିଥାଆନ୍ତା। କିନ୍ତୁ ଭାରତରେ ଏକ ବିରାଟ ସମସ୍ୟା ଏହିଭଳି କାର୍ଯ୍ୟକୁ ଭଣ୍ଡୁର କରିଦେଇଥାଏ। ଯେକୌଣସି ମହିଳା, ପଛୁଆବର୍ଗ, ସଂଖ୍ୟାଲଘୁ ଭଳି ମାନଦଣ୍ଡକୁ ଅତି ସହଜରେ ସରକାରୀ ଦଳ ପୂରଣ କରିଦେଇଥାଏ। ସେଭଳି ବ୍ୟକ୍ତିଙ୍କୁ ବସାଇ ସରକାରରେ ଥିବା ନେତାମାନେ ନିଜ ପସନ୍ଦର ନ୍ୟାୟାଧୀଶମାନଙ୍କୁ ନିଯୁକ୍ତି ଓ ପଦୋନ୍ନତି ଦେଇପାରିବେ। କାରଣ ଏହି ଦେଶରେ କ୍ୱଚିତ ଲୋକଙ୍କର ସ୍ବାଧୀନ ଚିନ୍ତାଧାରା ଦେଖାଦିଏ। ଯେଉଁମାନେ ସ୍ବାଧୀନ ଚିନ୍ତାଧାରାର ପରିଚୟ ଦିଅନ୍ତି, ସେମାନେ ଦେଶଦ୍ରୋହୀର ଆଖ୍ୟା ଲାଭ କରନ୍ତି। ସେଥିପାଇଁ ଏନ୍‌ଜେଏସି ଭଳି ବ୍ୟବସ୍ଥାରେ କେବଳ ସରକାରଙ୍କୁ ସମର୍ଥନ କରୁଥିବା ଦେଶପ୍ରେମୀମାନେ ସିଲେକ୍‌ଶନ ବୋର୍ଡରେ ସ୍ଥାନ ପାଇଯାଇପାରିବେ। ଅପରପକ୍ଷରେ ଚୟନରେ ତ୍ରୁଟି ଘଟିଲେ ମଧ୍ୟ ବିବେଚିତ ବ୍ୟକ୍ତି ତା’ର ସୁଧାର କରେ ନାହିଁ। ଉଦାହରଣ ସ୍ବରୂପ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କେତେକ ବିଚାରପତିଙ୍କୁ ନିଜ ଇଚ୍ଛାରେ ବାଛି ପଦୋନ୍ନତି ଦେଇଥିଲେ। ନିର୍ବାଚନରେ ପରାଜୟ ଘଟିବା ପରେ ପ୍ରକାଶିତ ଫଳାଫଳ ବିରୋଧରେ ଟ୍ରମ୍ପ୍‌ ଯେଉଁ ମାମଲା ଦାୟର କଲେ ସେଥିରେ ତାଙ୍କ ଦ୍ୱାରା ଲାଭବାନ୍‌ ହୋଇଥିବା ବିଚାରପତିମାନେ ଶୁଣାଣିରୁ ଓହରିଗଲେ। ତାହା ଦ୍ୱାରା ସେହି ବିଚାରପତିମାନେ ନିଜର ଓ ଆମେରିକାର ବିଚାର ବିଭାଗର ସମ୍ମାନକୁ ରକ୍ଷା କରିପାରିଲେ। ଭାରତରେ ବଡ଼ ଆସନରେ ବସିଥିବା ବ୍ୟକ୍ତିଙ୍କଠାରୁ ନିରପେକ୍ଷତା ଆଶା କରିବା ବୃଥା। ସେଥିପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନୀତିବାଣୀକୁ ଯୁକ୍ତିଯୁକ୍ତ ବୋଲି କୁହାଯାଇପାରିବ ନାହିଁ। ତାଙ୍କର ଏହି ବାର୍ତ୍ତାରୁ ଏକ ଷଡ଼ଯନ୍ତ୍ରର ଆଭାସ ମିଳୁଛି। ହୁଏତ ରାଷ୍ଟ୍ରପତିଙ୍କ ମାଧ୍ୟମରେ ପୁନର୍ବାର ନ୍ୟାୟପାଳିକାରେ ରାଜନୈତିକ ହସ୍ତକ୍ଷେପ ଚିନ୍ତା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?