ନେହେରୁ ବନାମ ପଟେଲ

ଆମେ ଆଉ ଏକ ନିର୍ବାଚନ ପ୍ରକ୍ରିୟାର ମଝିରେ ରହିଛୁ ଏବଂ ଏହା ମଧ୍ୟକୁ ନେହେରୁ ବାନମ ପଟେଲ ପ୍ରସଙ୍ଗ ଫେରିଛି। କିଛି ସପ୍ତାହ ପୂର୍ବରୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଏକ ଭାଷଣ ଖବରର ଶୀର୍ଷକ ଭାବେ ପ୍ରକାଶ ପାଇଥିଲା। ଶୀର୍ଷକର ଭାବାର୍ଥ ଥିଲା ଏହିପରି-ସର୍ଦ୍ଦାର ପଟେଲ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ ଅନେକ ସମସ୍ୟା ଉପୁଜି ନ ଥାନ୍ତା ବୋଲି ଶାହା କହିଥିଲେ। ଏହିପରି ଭାବେ ସର୍ଦ୍ଦାର ପଟେଲ ଓ ସୁଭାଷ ବୋଷ କଂଗ୍ରେସଠାରୁ ଭିନ୍ନ ବୋଲି ଦର୍ଶାଇବା ସହ କଂଗ୍ରେସ ପ୍ରତି ଘୃଣା ମନୋଭାବର ଏକ ପିଢି ସୃଷ୍ଟି କରିବା ପାଇଁ ଶାସକ ଦଳ ପ୍ରୟାସ ଜାରି ରଖିଛି। ଜବାହରଲାଲ ନେହେରୁଙ୍କ ପରିବର୍ତ୍ତେ ପଟେଲ ପ୍ରଧାନମନ୍ତ୍ରୀ ହୋଇଥିଲେ କ’ଣ ହୋଇଥାନ୍ତା? ବିଶେଷକରି ଗୁଜରାଟରେ ଏହି ପ୍ରତିତଥ୍ୟାମତ୍କ ଭାବନା କେବେ ବି ହଟିବ ନାହିଁ। ଗୁଜରାଟରେ ନେହେରୁଙ୍କ ତୁଳନାରେ ପଟେଲଙ୍କୁ ଜଣେ ଅଧିକ ସମର୍ଥ, ଜାତୀୟତାବାଦୀ ନେତା ଭାବେ ବିବେଚନା କରାଯାଏ। ନେହେରୁ ନୁହନ୍ତି, ପଟେଲ ହିଁ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ ଭଲ ହୋଇଥାଆନ୍ତା-ଏଭଳି ଦୃଷ୍ଟିକୋଣ ପଛରେ ତିନୋଟି ଅବଧାରଣାକୁ ବିଚାରକୁ ନିଆଯାଉ। ପ୍ରଥମରେ ପଟେଲ ଏଭଳି ବ୍ୟବସ୍ଥାକୁ ନାପସନ୍ଦ କରିଥିଲେ। ଦ୍ୱିତୀୟରେ ନେହେରୁ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ଗାନ୍ଧିଜୀ ଜିଦି ଧରି ପଟେଲଙ୍କୁ ନିରାଶ କରିଥିଲେ। ତୃତୀୟରେ ପଟେଲ ବାସ୍ତବରେ ସ୍ବାଧୀନ ଭାରତର ପ୍ରାଥମିକ ପର୍ଯ୍ୟାୟରେ ନେତୃତ୍ୱ ନେଇଥିଲେ ଅନେକ କିଛି ଭିନ୍ନ ହୋଇପାରିଥାଆନ୍ତା। କିନ୍ତୁ କେମିତି ଏହା ହୋଇଥାଆନ୍ତା ତାହା ଅସ୍ପଷ୍ଟ ରହିଛି। ବିଶ୍ୱାସ ରହିଛି ଯେ, ପଟେଲ ପାକିସ୍ତାନ ସହ ସମସ୍ୟା ସମାଧାନର ବାଟ ବାହାର କରିପାରିଥାଆନ୍ତେ ଏବଂ କଶ୍ମୀର ସମସ୍ୟା ରହି ନ ଥାନ୍ତା। କିନ୍ତୁ ଏଭଳି ଧାରଣା ଭୁଲ୍‌। ଜାଣିବା ଦରକାର, କଶ୍ମୀର ସମସ୍ୟା ଇସ୍‌ଲାମବାଦରେ ହିଁ ରହିଛି, ଶ୍ରୀନଗରରେ ନୁହେଁ। ଆମେ ପାକିସ୍ତାନ ସହ ଯେକୌଣସି ଉପାଦେୟ ବୁଝାମଣାରେ ପହଞ୍ଚିପାରିଥିଲୁ ଏପରି କି ୧୯୭୨ ଶିମ୍‌ଲା ରାଜିନାମା କରିଥିଲୁ, ତଥାପି ଶ୍ରୀନଗରରେ ସମସ୍ୟା ରହିଗଲା। ପଟେଲଙ୍କୁ ନେଇ ଉଠୁଥିବା ପ୍ରଶ୍ନ ମୂଲ୍ୟହୀନ। ନେହେରୁ ବନାମ ପଟେଲ ବିତର୍କ ଏବଂ ସର୍ଦ୍ଦାର ପ୍ରଧାନମନ୍ତ୍ରୀ ହୋଇଥିଲେ କ’ଣ ହୋଇଥାଆନ୍ତା ଭଳି ପ୍ରଶ୍ନର ବାସ୍ତବତା କେତେ ତାହା ବିଚାର କରିବା। ଭାରତର ପ୍ରଥମ ସାଧାରଣ ନିର୍ବାଚନ ପୂର୍ବରୁ ଡିସେମ୍ବର ୧୯୫୦ରେ ପଟେଲଙ୍କ ଦେହାନ୍ତ ଘଟିଲା। ଯଦି ସେ ପ୍ରଧାନମନ୍ତ୍ରୀ ହୋଇଥା’ନ୍ତେ କୌଣସି ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟିକୋଣରୁ ଅଧିକ ଦିନ ଦେଶକୁ ପ୍ରଭାବିତ କରିବାକୁ ସକ୍ଷମ ହୋଇ ନ ଥାନ୍ତେ। ସେତେବେଳକୁ ପଟେଲଙ୍କ ବୟସ ୭୫ ଏବଂ ନେହେରୁ ତାଙ୍କଠାରୁ ୧୫ ବର୍ଷ ସାନ ଥିଲେ। ଜିନ୍ନା ଏବଂ ଗାନ୍ଧିଜୀଙ୍କ ତୁଳନାରେ ପଟେଲ ଥିଲେ ତାଙ୍କ ପୂର୍ବପିଢିର ନେତା। ହେଲେ ଜିନ୍ନା ଓ ଗାନ୍ଧିଜୀଙ୍କ ସହ ସେ ସ୍ବାଧୀନତା ପ୍ରାପ୍ତି ପରେ ପରେ ଦେହତ୍ୟାଗ କରିଥିଲେ। ଗାନ୍ଧିଜୀଙ୍କର ଜାନୁୟାରୀ ୧୯୪୮ରେ ଏବଂ ଜିନ୍ନାଙ୍କର ସେହି ବର୍ଷ ସେପ୍ଟେମ୍ବରରେ ମୃତ୍ୟୁ ହୋଇଥିଲା। ପଟେଲଙ୍କ ମୃତ୍ୟୁ ହଠାତ୍‌ ହୋଇ ନ ଥିଲା। ମୃତ୍ୟୁ ପୂର୍ବରୁ କିଛି ଦିନ ତାଙ୍କ ଦେହ ଖରାପ ରହିଥିଲା। ସ୍ବାଧୀନତାର ୭ ମାସ ଏବଂ ଗାନ୍ଧିଜୀଙ୍କ ହତ୍ୟାର ୨ ମାସ ପରେ ମାର୍ଚ୍ଚ ୧୯୪୮ରେ ପଟେଲ ହୃଦ୍‌ଘାତରେ ଆକ୍ରାନ୍ତ ହୋଇଥିଲେ ଓ ତା’ପରଠାରୁ ତାଙ୍କ ସ୍ବାସ୍ଥ୍ୟରେ ଅବନତି ଘଟିଥିଲା।
ଗଡ଼ଜାତ ରାଜ୍ୟଗୁଡ଼ିକୁ କେନ୍ଦ୍ର ସହ ମିଶାଇବା ଥିଲା ପଟେଲଙ୍କ ଶ୍ରେଷ୍ଠ ସଫଳତା। ବାସ୍ତବରେ ସ୍ବାଧୀନତା ପୂର୍ବରୁ ଏବଂ ୧୯୪୭ ପର୍ଯ୍ୟନ୍ତ ମାସଗୁଡ଼ିକରେ ଅଧିକାଂଶ ଗଡ଼ଜାତ ରାଜ୍ୟ ମିଶ୍ରଣ ହୋଇଥିଲା। କିନ୍ତୁ ଇଂରେଜ ଦେଶ ଛାଡ଼ିଗଲାପରେ ଜୁନାଗଡ଼, ହାଇଦ୍ରାବାଦ ଏବଂ ଜମ୍ମୁ-କଶ୍ମୀର ବାହାରେ ରହିଗଲା। ସ୍ବାଧୀନତା ପୂର୍ବରୁ ଅନେକାଂଶରେ ପଟେଲ ବହୁତ ଭଲ କାମ କରିଥିଲେ। ଏଣୁ ସ୍ବାଧୀନତା ପ୍ରାପ୍ତି ପରେ ତାଙ୍କୁ କୌଣସି ସ୍ଥିତିରେ କାଳ୍ପନିକ ଭାବେ ସ୍ଥାନିତ କରିବାର ମାନେ କିଛି ନାହିଁ। ପଟେଲ କିଛି ନିଆରା କାର୍ଯ୍ୟ କରିଥାଆନ୍ତେ ଯାହା ପୂର୍ବରୁ ଗାନ୍ଧିଜୀ ଏବଂ ନେହେରୁ କରିପାରି ନ ଥିଲେ ବୋଲି ଦାବି କରାଯାଉଛି। ଏଥିରୁ କ’ଣ ବୁଝାପଡ଼ୁଛି? ମୋ ମତରେ, ଏଭଳି ମାନସିକତା ଏବେ ଦେଶରେ ପ୍ରତୀୟମାନ ଏକ ଦୃଢ ହିନ୍ଦୁତ୍ୱ, ଅଧିକ ମୁସଲମାନ ବିରୋଧୀ ଜାତୀୟତାବାଦ ଭାବନାର ପ୍ରତ୍ୟାଶାକୁ ସୂଚାଉଛି। ଦେଶ ଏହି ପ୍ରକାର ହେବା ଉଚିତ ବୋଲି କେତେଜଣ ପଟେଲଙ୍କ ଦୃଷ୍ଟିକୋଣକୁ ପରିବର୍ତ୍ତନ କରୁଛନ୍ତି। ପ୍ରକୃତରେ ସେମାନେ ପଟେଲଙ୍କୁ ଭୁଲ୍‌ ବୁଝିଛନ୍ତି। ରଫିକ୍‌ ଜାକାରିଆ ତାଙ୍କ ପୁସ୍ତକ ‘ସର୍ଦ୍ଦାର ପଟେଲ ଆଣ୍ଡ୍‌ ଇଣ୍ଡିଆନ୍‌ ମୁସଲିମ୍‌ସ’ରେ ପଟେଲଙ୍କ ସାର୍ବଭୌମବାଦ ବିଷୟରେ ଦର୍ଶାଇଛନ୍ତି। ବ୍ୟବସ୍ଥାପକ ସଭାରେ ହିନ୍ଦୁଙ୍କ ପ୍ରତି ପଟେଲଙ୍କ ବାର୍ତ୍ତା ଥିଲା, ‘ସଂଖ୍ୟାଧିକ ଭାବେ ଆମକୁ ଭାବିବାକୁ ହେବ ଯେ ସଂଖ୍ୟାଲଘୁମାନେ କ’ଣ ଅନୁଭବ କରୁଛନ୍ତି ଏବଂ ଚିନ୍ତା କରିବାକୁ ପଡ଼ିବ ଯେ, ସେମାନଙ୍କୁ ଯେଭଳି ବ୍ୟବହାର କରାଯାଉଛି ଯଦି ସେଭଳି ଆମକୁ କରାଯାଆନ୍ତା ତେବେ ଆମେ କିଭଳି ଅନୁଭବ କରିଥାଆନ୍ତେ।’ଜାକାରିଆଙ୍କ ଅନୁଯାୟୀ ସଂଖ୍ୟାଲଘୁଙ୍କୁ ପ୍ରଚାର ପାଇଁ ଓ ସେମାନଙ୍କ ସଂସ୍ଥା ଚଳାଇବା ଲାଗି ଅଧିକାର ପ୍ରଦାନ କରିବା ଥିଲା ପଟେଲଙ୍କର ପ୍ରଭାବଶାଳୀ କାର୍ଯ୍ୟ। କିନ୍ତୁ ତାଙ୍କର ଏପ୍ରକାର କାର୍ଯ୍ୟକୁ ବିଚାରକୁ ନେଉନାହଁୁ। ଏହା ସତ୍ୟ ଯେ, ବିଭାଜନ ପରେ ମୁସଲିମାନଙ୍କ ପ୍ରତି ପଟେଲଙ୍କ ଏଭଳି ମନୋଭାବ ସନ୍ଦେହ ଦୃଷ୍ଟିରେ ଥିଲେ ବି ସେ ଏଭଳି ଭାବାବେଗରୁ ଊର୍ଦ୍ଧ୍ୱରେ ନିଜକୁ ରଖିବାକୁ ସକ୍ଷମ ହୋଇଥିଲେ। ବି.ଆର୍‌. ଆମ୍ବେଡକରଙ୍କ ଇଚ୍ଛା ବିରୋଧରେ ସେ ବ୍ୟବସ୍ଥାପକ ସଭାରେ ଭାରତରେ ପୃଥକ୍‌ ନିର୍ବାଚନ କ୍ଷେତ୍ର ଦାବିକୁ ପ୍ରତ୍ୟାହର କରିବା ଲାଗି ମୁସଲମାନ ନେତାମାନଙ୍କୁ ସୁଯୋଗ ଦେଇଥିଲେ। ପଟେଲଙ୍କ ଏଭଳି ପ୍ରସ୍ତାବ ମୁସଲମାନମାନଙ୍କୁ ବିଚ୍ଛିନ୍ନତାବାଦ ଅଭିଯୋଗରୁ ମୁକ୍ତ କରିଥିଲା।
ପଟେଲଙ୍କ ସମ୍ପର୍କରେ ଗାନ୍ଧିଜୀ କହିଛନ୍ତି ଯେ, ‘ମୁଁ ସର୍ଦ୍ଦାରଙ୍କୁ ଜାଣେ… ତାଙ୍କ କାର୍ଯ୍ୟ ପଦ୍ଧତି ଏବଂ ହିନ୍ଦୁ-ମୁସଲମାନଙ୍କ ମୂଳ ସମସ୍ୟା ସହ ଅନ୍ୟ ସମସ୍ୟାଗୁଡ଼ିକ ପ୍ରତି ତାଙ୍କ ଦୃଷ୍ଟିକୋଣ ଓ ସମାଧାନ କରିବାର ମନୋଭାବକୁ ବି ଜାଣେ; ଯାହା ପଣ୍ଡିତ ଓ ମୋ ଠାରୁ ନିଆରା। କିନ୍ତୁ ଏହାକୁ ମୁସଲମାନ ବିରୋଧୀ ଭାବେ ବର୍ଣ୍ଣନା କରିବା ହିଁ ସତ୍ୟର ଉପହାସ। ସମସ୍ତଙ୍କୁ ଧରି ରଖିବାରେ ସର୍ଦ୍ଦାରଙ୍କ ହୃଦୟ ଖୁବ୍‌ ବ୍ୟାପକ।’ ଏହା ସତ୍ୟ ଏବଂ ପ୍ରଚାରରେ ବାରମ୍ବାର ଦୋହରାଯିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା…

ଜୀବନ ନଦୀର ଦୁଇ କୂଳ

ଶ୍ରଦ୍ଧାବାନ୍‌ ଲଭ୍ୟତେ ଜ୍ଞାନମ୍‌ ଓ ସଂଶୟାତ୍ମା ବିନଶ୍ୟତି’ର ମହତ୍ତ୍ୱ ହୃଦୟଙ୍ଗମ କରିବା ଉଚିତ। ଜ୍ଞାନ ପାଇଁ ସଂଶୟହୀନତା ଓ ଶ୍ରଦ୍ଧା ଉଭୟ ଆବଶ୍ୟକ, ଠିକ୍‌ ଯେପରି ଆଲୋକ…

ରଣନୀତିରୁ ଲାଭ

ଆମେରିକା ପୃଥିବୀର ଯେ କୌଣସି ସ୍ଥାନରେ ସାମରିକ ଆକ୍ରମଣ କରିବାକୁ ସକ୍ଷମ। ଏହାସହ ଅନ୍ୟ ଦେଶ ଉପରେ କ୍ଷତିକାରକ ଟାରିଫ୍‌ ଓ ପ୍ରତିବନ୍ଧକ ଲଗାଇବା ଏବଂ ସହଯୋଗୀଙ୍କ…

ରତନପୁରର ରାବଣ

ଛତିଶଗଡ଼ ବିଳାସପୁର ନିକଟରେ ଥିବା ରତନଗଡ଼ ବା ରତନପୁର ଦୁର୍ଗ ଏକଦା ମଧ୍ୟପ୍ରଦେଶର ଏକ ଅଂଶ ଥିଲା। ଏହି ଦୁର୍ଗରେ ରାବଣର ଏକ ବିରଳ ତଥା ଚମତ୍କାର…

ଏଇ ଭାରତରେ

ସ୍ବାବଲମ୍ବୀ ଓ ସଶକ୍ତୀକରଣର ଉଦାହରଣ ପାଲଟିଛନ୍ତି ମହାରାଷ୍ଟ୍ରର ଜୟଶ୍ରୀ ଗୋର୍ଖା ମାଳୀ। ଜୟଶ୍ରୀଙ୍କ ବୟସ ୪୭। ସେ ଧାରାଶିବ ଜିଲା ଟେର୍‌ ଗାଁରେ ଜୈବିକ ପଦ୍ଧତିରେ ୧.୫…

ଅଦୃଶ୍ୟ ସମାଜ

ସମାଜରେ ଲୋକେ ଏକତ୍ର ବସବାସ କରିବା ସହ ପରସ୍ପର ଭିତରେ ପାରମ୍ପରିକ ପ୍ରଥା, ସଂସ୍କୃତି, ସାମାଜିକ ବିଧି, ନିୟମ ଏବଂ ସାମାଜିକ ଭାବର ଆଦାନ ପ୍ରଦାନ କରିଥାନ୍ତି।…

ଭାରତ-ଇଟାଲୀ ସମ୍ପର୍କ: ଭାରତ-ଭୂମଧ୍ୟସାଗର କ୍ଷେତ୍ର ପାଇଁ ଏକ ରଣନୀତିକ ଭାଗୀଦାରି

ଭାରତ ଓ ଇଟାଲୀ ମଧ୍ୟରେ ସମ୍ପର୍କ ଏବେ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚତ୍ଛି। ଗତ କିଛି ବର୍ଷ ମଧ୍ୟରେ ଦୁଇ ଦେଶ ଭିତରେ ସମ୍ପର୍କ ଅଭୂତପୂର୍ବ ଗତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri