ବିଶ୍ବାସ ମୂଳେ ଏ ଜଗତ

ଡ.ପ୍ରଫୁଲ୍ଲ କୁମାର ସାହୁ

 

ଆହାର ସଂସ୍ଥାନଠାରୁ ଆରମ୍ଭକରି ମାଟି, ପାଣି, ପବନ, ଗଛବୃଛ, ନଦନଦୀ, ବଣପାହାଡ଼, କୀଟପତଙ୍ଗ, ଜୀବଜନ୍ତୁ ଆଦି ନାନାପ୍ରକାର ଆବଶ୍ୟକ ଉପାଦାନ ସଜଡ଼ା ହୋଇ ରହିଛି ଏକ ବ୍ୟବସ୍ଥିତ ଢଙ୍ଗରେ। କିଏ ସଜାଡ଼ି ରଖିଛି ଏତେସବୁ ଉପାଦାନ? ଏସବୁ ତିଆରି କରିବା କ’ଣ ମଣିଷ ପକ୍ଷରେ ସମ୍ଭବ। ଯୁଗଯୁଗର ସାଧନା ପରେ ମଣିଷ ତାକୁ ବୁଝିବାକୁ ସକ୍ଷମ ହୋଇପାରୁନି ଅର୍ଥ ଏହାର ସୃଷ୍ଟି ପଛରେ ରହିଛି କେଉଁ ଏକ ଅଦୃଶ୍ୟ ଶକ୍ତିର ହାତ। ଏହି ଭାବ ଓ ଭାବନା ହିଁ ଆଧ୍ୟାତ୍ମିକତା, ଯେଉଁଠୁ ଜନ୍ମନେଲା ଈଶ୍ବର ବିଶ୍ବାସ। ଏହାକୁ ଅଧିକ ପରିପୁଷ୍ଟ କଲା ବିଭୀଷିକାମୟ ପ୍ରକୃତିର ପ୍ରକୋପ ପ୍ରତି ଭୟ ଓ ସମର୍ପଣ ଭାବ। ଈଶ୍ବରଙ୍କୁ ପୂଜାକଲେ ସୁଫଳ ନଚେତ କୁଫଳ ପ୍ରାପ୍ତିର ଧାରଣା ଈଶ୍ବରବାଦକୁ ଉଜ୍ଜୀବିତ କରି ରଖିଲା ଏବଂ ଈଶ୍ବର ପାଲଟିଗଲେ ମଣିଷର ଆଶା ଭରସାର ପ୍ରତୀକ। ଏ ସବୁ ସତ୍ତ୍ବେ ବି ଈଶ୍ବରଙ୍କ ଅସ୍ତିତ୍ୱକୁ ନେଇ ସମ୍ପୂର୍ଣ୍ଣ ସନ୍ଦେହମୁକ୍ତ ହୋଇପାରୁନି ମଣିଷର ମନ। ଶାସ୍ତ୍ର କହେ ଈଶ୍ବର ସର୍ବଶକ୍ତିମାନ ଓ ସକଳ କ୍ରିୟାର କାରକ। ଏହି ଆଧ୍ୟାତ୍ମିକ ବିଶ୍ବାସକୁ ନେଇ ସେ ମନ୍ଦିର ଯାଉଛି ଏବଂ ଭଲରେ ମନ୍ଦରେ ଈଶ୍ବରଙ୍କୁ ଡାକୁଛି, ହେଲେ ବେଳେବେଳେ ତା ଭାବ ରାଜ୍ୟକୁ ବିଭ୍ରାନ୍ତ କରି ଦେଉଛି ଅନେକ ଅସମାହିତ ପ୍ରଶ୍ନ। ଏହି ମର୍ମରେ ଖୁବ୍‌ ପ୍ରାସଙ୍ଗିକ ମନେହୁଏ ନିମ୍ନୋକ୍ତ ରୋଚକ କାହାଣୀ।
ତୀର୍ଥାଟନରେ ବାହାରିଥିବା ଜଣେ ସନ୍ନ୍ୟାସୀ ତଥା ଶାସ୍ତ୍ରଜ୍ଞ ପଣ୍ତିତ ବାଟରେ କିଛିଦିନ ପାଇଁ ଅଟକିଗଲେ ଗୋଟିଏ ଗାଁ ମନ୍ଦିର ପରିସରରେ। ଦିନେ ସେ ଗାଁର ଅନେକ ଲୋକ ଏକତ୍ରିତ ହୋଇ ମନ୍ଦିର ପରିସରରେ ପହଞ୍ଚିଲେ ଏବଂ ଜାଣିବାକୁ ଚାହିଁଲେ ଈଶ୍ୱରଙ୍କ ଅସ୍ତିତ୍ୱ ସମ୍ପର୍କରେ। ଉତ୍ତର ଦେବା ପରିବର୍ତ୍ତେ ସନ୍ନ୍ୟାସୀ ସେମାନଙ୍କୁ ପ୍ରଶ୍ନକଲେ- ଈଶ୍ୱରଙ୍କ ପାଖରେ ତୁମର କାମ କ’ଣ? ତମେମାନେ ଈଶ୍ବରଙ୍କ ଅସ୍ତିତ୍ୱକୁ ନେଇ ଏତେ ବ୍ୟାକୁଳ କାହିଁକି। ମଣିଷ ଯଦି ନିଷ୍ଠାର ସହ ଈଶ୍ବରଙ୍କୁ ଖୋଜୁଥାଆନ୍ତା, ତେବେ ଆଜି ଏମିତି ନ ଥାନ୍ତା ଦୁନିଆର ରୂପ। ତେଣୁ ତୁମେମାନେ ଈଶ୍ୱରଙ୍କୁ ଖୋଜିବା ପରିବର୍ତ୍ତେ ନିଜ କାମ ଉପରେ ଧ୍ୟାନ ଦେବା ଉଚିତ। ସନ୍ନ୍ୟାସୀଙ୍କର ଏଭଳି ଉତ୍ତରରେ ଆଦୌ ସନ୍ତୁଷ୍ଟ ହୋଇପାରିଲେନି ଲୋକେ। ସେମାନେ ଉତ୍ତର ପାଇଁ ବାରମ୍ବାର ଅନୁରୋଧ କଲେ। ଏହାସତ୍ତ୍ବେ ସନ୍ନ୍ୟାସୀ ଏଣେତେଣେ କଥା ବୁଲେଇବାରୁ ଜଣେ କହିଲେ-ଆପଣ ଉତ୍ତର ଦେବାରେ ଯେତେ ବିଳମ୍ବ କଲେ ବି ଆମେ ଏଠି ବସିରହିବାକୁ ପ୍ରସ୍ତୁତ। କାରଣ ଆଜି ରବିବାର ହୋଇଥିବାରୁ ଆମ ହାତରେ ପ୍ରଚୁର ସମୟ ଅଛି। ତେଣୁ ଆମେ ଧୈର୍ଯ୍ୟର ସହ ଅପେକ୍ଷା କରି ରହିବୁ ଆପଣଙ୍କଠାରୁ ଉତ୍ତର ପାଇବା ପର୍ଯ୍ୟନ୍ତ। ସାଧୁ କହିଲେ ଆଜି ହାତରେ ସମୟ ଥିବାରୁ ଈଶ୍ବରଙ୍କ କଥା ଶୁଣିବା ପାଇଁ ବ୍ୟଗ୍ରତା ବଢ଼ିଛି। ମୁଁ ଜାଣେ ମଣିଷ ଫାଙ୍କା ସମୟ ପାଇଲେ ଈଶ୍ବରଙ୍କୁ ଖୋଜେ। ଠିକ୍‌ ଅଛି ଈଶ୍ବରଙ୍କ ବିଷୟରେ ଜାଣିବା ପାଇଁ ଯଦି ଏତେ ଆଗ୍ରହୀ, ତେବେ କହିଲ ଦେଖି- ତମେ ଈଶ୍ବରଙ୍କୁ ମାନ କି ନାହଁ? ସମ୍ମିଳିତ ସ୍ବରରେ ଉତ୍ତର ଆସିଲା- ହଁ। ସାଧୁ କହିଲେ, ତେବେ କଥା ସରିଲା। ତମେ ଈଶ୍ବରଙ୍କ ସମ୍ବନ୍ଧରେ ଜାଣିଛ ବୋଲି ତ ତାଙ୍କୁ ମାନୁଛ। ମୁଁ ଆଉ ସେ ସମ୍ପର୍କରେ ଅଧିକ କ’ଣ କହିବି! ଏତକ କହି ସେଦିନର ଚର୍ଚ୍ଚାକୁ ବିରାମ ଦେଲେ ସନ୍ନ୍ୟାସୀ। ଲୋକେ ଫେରିଗଲେ ନିରାଶହୋଇ। ହେଲେ ଗଲାବେଳେ କୁହାକୁହି ହେଲେ ସାଧୁଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେମାନେ ଈଶ୍ବରଙ୍କୁ ଜାଣିଛନ୍ତି ବୋଲି କହିବା ହୁଏତ ଠିକ୍‌ ହେଲାନି। କିନ୍ତୁ ଜାଣିବା ଓ ବିଶ୍ବାସ କରିବା ଭିତରେ ଅନେକ ପାର୍ଥକ୍ୟ ରହିଛି। ତେଣୁ ସେମାନେ ଆଉ ଥରେ ସାଧୁଙ୍କୁ ଭେଟିବା ପାଇଁ ନିଷ୍ପତ୍ତି ନେଲେ।
କିଛିଦିନ ପରେ ସେଇ ଏକା ପ୍ରଶ୍ନ ନେଇ ପୁଣି ଏକାଠି ହେଲେ ମନ୍ଦିର ପ୍ରାଙ୍ଗଣରେ। ସନ୍ନ୍ୟାସୀ କହିଲେ, ତମେମାନେ ତ ଈଶ୍ୱରଙ୍କୁ ଜାଣିଛ ବୋଲି କହି ସାରିଛ। ଆଜି ପୁଣି କାହିଁକି ସେ ପ୍ରଶ୍ନ? ଲୋକେ କହିଲେ, ଆମେ ନୁହେଁ ଆଜ୍ଞା, ଯିଏ ଜାଣିଛନ୍ତି ବୋଲି ସେଦିନ କହିଥିଲେ, ସେମାନେ ସବୁ ଆରସାହି ଲୋକ। ସନ୍ନ୍ୟାସୀ ହସିଲେ ଓ ଭାବିଲେ ଈଶ୍ୱରଙ୍କୁ ଖୋଜୁଥିବା ଲୋକ ବି ମିଛ କହିପାରେ ଏବଂ ନିଜ କଥାକୁ ବି ସେ ବଦଳାଇପାରେ। ତଥାପି ମନକଥା ମନରେ ରଖି ସାଧୁ ପଚାରିଲେ, ଈଶ୍ବର କ’ଣ ସତରେ ଅଛନ୍ତି? ଲୋକେ ଚଟାପଟ ଉତ୍ତର ଦେଲେ ନା। ଆମେ ଈଶ୍ବରଙ୍କୁ ଜାଣୁନା କି ମାନୁନା। ସାଧୁ କହିଲେ, କଥା ଏଇଠୁ ସରିଲା। ତମେମାନେ ଯାହାକୁ ମାନୁନାହଁ, ତାଙ୍କ ବିଷୟରେ ମୁଁ କ’ଣ କହିବି? ବିଶେଷକରି ଯାହାକୁ ତୁମେ ଜାଣିନାହଁ, ତାକୁ ଖୋଜିବାର କୌଣସି ଆବଶ୍ୟକତା ନାହିଁ? ପୁଣି ଥରେ ଅଡୁଆରେ ପଡ଼ିଲେ ଗ୍ରାମବାସୀ। ସେଦିନ ବି ସାଧୁଙ୍କ ପାଖରୁ ଉତ୍ତର ନ ପାଇ ଫେରିଲେ ଉଦାସ ମନରେ। କିଛି ଦିନ ଅନ୍ତରରେ ଏକ ପୂର୍ବ ପ୍ରସ୍ତୁତି ନେଇ ସେମାନେ ପୁଣି ଥରେ ମନ୍ଦିରରେ ଏକାଠି ହେଲେ ଉତ୍ତର ପ୍ରତ୍ୟାଶାରେ। ସେମାନଙ୍କୁ ଦେଖି ସନ୍ନ୍ୟାସୀ କହିଲେ -ମୁଁ ଭାବୁଛି ଇତିମଧ୍ୟରେ ଈଶ୍ୱରଙ୍କ ଅସ୍ତିତ୍ୱକୁ ନେଇ ତମେମାନେ ଠିକ୍‌ ଉତ୍ତର ପାଇସାରିଛ ଏବଂ ତମ ଚେତନା ସ୍ତରରେ ଆସିସାରିଛି ଅନେକ କିଛି ପରିବର୍ତ୍ତନ। ଏଥର କୁହ ତମେମାନେ ଈଶ୍ବରଙ୍କ ଅସ୍ତିତ୍ୱକୁ ମାନୁଛ କି ନାହିଁ? ଯୋଜନା ଅନୁସାରେ ଅଧାଲୋକ କହିଲେ- ହଁ, ଈଶ୍ୱର ଅଛନ୍ତି ଏବଂ ଆମେ ତାଙ୍କୁ ମାନୁଛୁ। ଆଉ ଅଧାଲୋକ କହିଲେ-ଆମେ ଈଶ୍ୱରଙ୍କୁ ଜାଣିନାହୁଁ। ମାନିବୁ କେମିତି? ଉଭୟ ପକ୍ଷର କଥା ଶୁଣି ସାଧୁ କହିଲେ, ମୋର ଦାୟିତ୍ୱ ଏବେ ସରିଲା। ଭାବୁଥିଲି କ’ଣ କହି ତମମାନଙ୍କ ସନ୍ଦେହ ଦୂର କରିବି। ଯାହାହେଉ ସେହିମାନେ ମୋର ଚିନ୍ତା ଦୂରକଲେ, ଯେଉଁମାନେ ଈଶ୍ବରଙ୍କୁ ଜାଣିଛନ୍ତି ବୋଲି କହିଲେ। ଅର୍ଥାତ୍‌ ତମମାନଙ୍କ ଭିତରୁ ପ୍ରାୟତଃ ଅର୍ଦ୍ଧାଧିକ ଲୋକ ଈଶ୍ବରଙ୍କୁ ଜାଣିଥିବାରୁ ସେମାନେ ସହଜରେ ଦୂର କରିପାରିବେ ଅନ୍ୟମାନଙ୍କ ସନ୍ଦେହ। ସାଧୁଙ୍କ କଥାଶୁଣି ବିଷଣ୍ଣ ହୋଇଗଲା ଲୋକଙ୍କ ମୁହଁ। ଅର୍ଥାତ୍‌ ସେମାନେ ପୁଣିଥରେ ଛନ୍ଦି ହୋଇ ପଡ଼ିଲେ ନିଜ ଜାଲରେ। ସେମାନେ ପରସ୍ପରର ମୁହଁକୁ ଅନାଅନି ହୋଇ ମନ୍ଦିର ଛାଡ଼ିବା ପୂର୍ବରୁ ମହାଭାରତର ଏକ ପ୍ରସଙ୍ଗ ଅବତାରଣା କଲେ ସାଧୁ।
କୁରୁକ୍ଷେତ୍ରରେ କୌରବ ପାଣ୍ଡବଙ୍କ ମଧ୍ୟରେ ଯୁଦ୍ଧର ଅଷ୍ଟମ ଦିବସ। ଆଗାମୀ କାଲିର ଯୁଦ୍ଧରେ ପାଣ୍ଡବ ପାଞ୍ଚଭାଇଙ୍କୁ ବିନାଶ କରିବାକୁ ପ୍ରତିଜ୍ଞା କଲେ ପିତାମହ ଭୀଷ୍ମ। ଶ୍ରୀକୃଷ୍ଣ ଜାଣିଥିଲେ ଭୀଷ୍ମଙ୍କ ପାଖରେ ଅଛି ପାଣ୍ଡବଙ୍କୁ ନିଧନ କରିବାର ଅମୋଘ ଅସ୍ତ୍ର। ତେଣୁ ତାଙ୍କ ମନକୁ ଆଚ୍ଛନ୍ନ କଲା ପାଣ୍ଡବଙ୍କ ସୁରକ୍ଷା ଚିନ୍ତା। ରାତି ଅଧରେ ଭାବିଲେ ପିତାମହଙ୍କ ପ୍ରତିଜ୍ଞାକୁ ନେଇ ନିଶ୍ଚୟ ଦୁଶ୍ଚିନ୍ତାରେ ଥିବେ ନିଜର ପ୍ରିୟସଖା ଅର୍ଜୁନ। ଏହି ସମୟରେ ସଖା ପାଖରେ ପହଞ୍ଚି ଧୈର୍ଯ୍ୟ ଓ ଆଶ୍ବାସନା ଦେବା ତାଙ୍କର କର୍ତ୍ତବ୍ୟ। ତେଣୁ ସେହି ନିଶାର୍ଦ୍ଧରେ ସେ ପହଞ୍ଚତ୍ଗଲେ ପାଣ୍ଡବ ଶିବିରରେ। ସେତେବେଳକୁ ଗଭୀର ନିଦ୍ରାମଗ୍ନ ଥିଲେ ସଖା ଅର୍ଜୁନ। ତାଙ୍କ ନିଦ୍ରାଭଗ୍ନ କରି ପଚାରିଲେ, ଭୀଷ୍ମଙ୍କ ପ୍ରତିଜ୍ଞା କଥା ଜାଣି ସୁଦ୍ଧା ଏଭଳି ଦୁଃସମୟରେ ତମେ ନିଶ୍ଚିନ୍ତରେ ନିଦ୍ରା ଯାଇପାରିଲ କିପରି? ଅର୍ଜୁନ ଉତ୍ତର ଦେଲେ- ଆମ ପାଇଁ ଅହରହ ଚିନ୍ତା କରୁଥିବା ଚିନ୍ତାମଣି ପରା ଜାଗ୍ରତ। ମୋର ଆଉ ଚିନ୍ତା କରିବାର କ’ଣ କାରଣ?
ସୁତରାଂ ଅର୍ଜୁନଙ୍କର ଏହି ଆସ୍ଥାରେ ଆଶ୍ରିତ ଈଶ୍ବରଙ୍କ ଅସ୍ତିତ୍ୱ। ଯେଉଁଠି ଦୁର୍ବଳ ପଡ଼ିଯାଏ ଆସ୍ଥା, ସେଇଠି ଉଠେ ଈଶ୍ବରଙ୍କ ଅସ୍ତିତ୍ୱକୁ ନେଇ ପ୍ରଶ୍ନ। ମାତ୍ର ଖୋଜିବାର ବ୍ୟାକୁଳତା ନ ଥିଲେ ମିଳେନି ଜିଜ୍ଞାସାର ଯଥାର୍ଥ ଉତ୍ତର।
ଅବସରପ୍ରାପ୍ତ ଅଧ୍ୟକ୍ଷ,
ବିଜୁ ପଟ୍ଟନାୟକ ନଗର, ଭଦ୍ରକ
ମୋ: ୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?