ବିଦେଶରୁ ରୋଜଗାର ଆଣିବାକୁ ହେବ

ଡ. ପ୍ରମୋଦ କୁମାର ପଣ୍ଡା

ପାଠକ ବନ୍ଧୁ! ପ୍ରସଙ୍ଗଟି ନିଶ୍ଚୟ ଆପଣଙ୍କୁ ଅଡ଼ୁଆ ଲାଗୁଥିବ। ମାତ୍ର ଏହା ଓଡ଼ିଶା ଓ ଓଡ଼ିଆଙ୍କ ପାଇଁ ଅତ୍ୟନ୍ତ ପ୍ରାସଙ୍ଗିକ ମନେହୁଏ। କିଛି ଦିନ ତଳେ ଏକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ପ୍ରକାଶିତ ହୋଇଛି। ତାହା ହେଲା ବିଦେଶରୁ ଆମ ଦେଶକୁ ଆସୁଥିବା ଧନରାଶିରେ କେଉଁ ରାଜ୍ୟର ଭାଗୀଦାରି କେତେ। ଏଠାରେ ବିଦେଶରୁ ବିଭିନ୍ନ ରାଜ୍ୟକୁ ଆସୁଥିବା ପୁଞ୍ଜି ବିନିଯୋଗ କଥା ଉଠୁନାହିଁ। ବରଂ ଆମ ଦେଶର ବିଭିନ୍ନ ରାଜ୍ୟର ଲୋକେ ବିଦେଶକୁ ଚାକିରି, ବ୍ୟବସାୟ ଇତ୍ୟାଦି ପାଇଁ ଯାଉଛନ୍ତି ଓ ସେମାନେ ନିଜ ରାଜ୍ୟକୁ ପଠାଉଥିବା ଟଙ୍କାର ହିସାବ ଏଠାରେ ଦିଆଯାଇଛି। ପରିସଂଖ୍ୟାନକୁ ତର୍ଜମା କଲେ ଜଣାଯିବ ଯେ, ପ୍ରତିବର୍ଷ ଆମ ଦେଶକୁ ୮୭ ବିଲିୟନ ଆମେରିକୀୟ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୬.୬ ଲକ୍ଷ କୋଟି ଟଙ୍କା ବିଦେଶରୁ ଆସିଥାଏ। ଏହାର ସିଂହଭାଗ ଅର୍ଥାତ୍‌ ୧୯ ପ୍ରତିଶତ କେରଳକୁ ଆସିଥିବା ବେଳେ ୧୬.୭ ପ୍ରତିଶତ ମହାରାଷ୍ଟ୍ରକୁ, ୧୫ ପ୍ରତିଶତ କର୍ନାଟକ ଓ ୮ ପ୍ରତିଶତ ତାମିଲନାଡୁକୁ ଆସିଥାଏ। ଏଥିରେ ଆମର ଭାଗୀଦାରି ମାତ୍ର ୦.୪ ପ୍ରତିଶତ। ଆମର ପଡ଼ୋଶୀ ଆନ୍ଧ୍ରପ୍ରଦେଶକୁ ଦେଶର ୪.୦ ପ୍ରତିଶତ ରୋଜଗାର ଆସୁଥିବାବେଳେ ପଶ୍ଚିମବଙ୍ଗକୁ ୨.୫ ପ୍ରତିଶତ ଓ ବିହାରକୁ ୧.୩ ପ୍ରତିଶତ ବିଦେଶୀ ରୋଜଗାର ଆସେ। ବଡ଼ ଦୁଃଖ ଲାଗେ ଆମର ଏ ଦୟନୀୟ ସ୍ଥିତି ଦେଖି।
ବାହାରୁ ମୋଟା ଅଙ୍କର ରୋଜଗାର ଆସିଲେ ରାଜ୍ୟର ପ୍ରଗତି ହେବା ସୁନିଶ୍ଚିତ। ଆମର ଏକ ସୁନ୍ଦର ଜନୋକ୍ତି ଅଛି, ଯାହା ଅନ୍ୟ କୌଣସି ରାଜ୍ୟରେ ଶୁଣିବାକୁ ମିଳେ ନାହିଁ। ତାହା ହେଉଛି- ଟଙ୍କାକ ପଛେ ବାରଣା ହେଉ, ଯାଇ ଆସି ପୁଅ ସିଆଣିଆ ହେଉ। ଅର୍ଥାତ୍‌ ପଇସା ଖର୍ଚ୍ଚ ହେଲେ ମଧ୍ୟ ପିଲା ବାହାରକୁ ଯାଇ ଚାଲାକ ଚତୁର ବା ବୁଦ୍ଧିମାନ୍‌ ହେବା ସର୍ବଦା ଶ୍ରେୟସ୍କର। ଆଜି ଆପଣ ଯେଉଁ ଈର୍ଷା, ପରଶ୍ରୀକାତରତା ଓ କଙ୍କଡ଼ାଗୁଣ ଓଡ଼ିଆମାନଙ୍କ ପାଖରେ ଭରପୂର ଥିବାର ଅନୁଭବ କରୁଛନ୍ତି, ତା’ର ମୁଖ୍ୟ କାରଣ ହେଲା ଏକ୍ସପୋଜରର ଅଭାବ। ଯେତେବେଳେ ମନୁଷ୍ୟର କର୍ମକ୍ଷେତ୍ର ଓ ଚିନ୍ତା ଚେତନା ସଂକୀର୍ଣ୍ଣ ହୋଇଯାଏ, ସେତେବେଳେ ସେ ଊର୍ଦ୍ଧ୍ୱଗାମୀ ପରିବର୍ତ୍ତେ ନିମ୍ନଗାମୀ ହୋଇଯାଏ ଓ ପଶୁ୍‌ପ୍ରବୃତ୍ତି ଲାଭ ବା ଆଚରଣ କରେ, ଯାହାକି ଆମ ଓଡ଼ିଆଙ୍କଠାରେ ଦେଖିବାକୁ ମିଳିଛି।
ପଞ୍ଚଦଶ ଶତାବ୍ଦୀ ପରଠାରୁ ଯେତେବେଳେ ଏ ଜାତି ତା’ର ସାଧୀନତା ହରାଇଲା, ବିଭିନ୍ନ ବାହ୍ୟଶତ୍ରୁ ଯଥା ମୋଗଲ, ମରାଠା ଓ ଇଂରେଜ ଆମକୁ ବିଭିନ୍ନ ରୂପେ ଶୋଷଣ କରିବାକୁ ଲାଗିଲେ। ଲଗାତାର ପ୍ରାକୃତିକ ବିପର୍ଯ୍ୟୟ ଓ ମାତ୍ରାଧିକ ଶୋଷଣ ଆମକୁ ଦରିଦ୍ର କରି ସମାଜରେ ଠିଆ କଲା। ଅଭାବରୁ ଆମର ସ୍ବଭାବ ନଷ୍ଟ ହୋଇଗଲା। ସେଥିପାଇଁ ତ ଶାସ୍ତ୍ରରେ ଉଲ୍ଲେଖ ଅଛି, ଅଭାବେ ସ୍ବଭାବ ନଷ୍ଟ ଓ ବୁଭୁକ୍ଷିତ କିଂ ନ କରୋତି ପାପମ୍‌। ତାହା ଶତପ୍ରତିଶତ ଓଡ଼ିଆଙ୍କ କ୍ଷେତ୍ରରେ ପ୍ରତିଫଳିତ ହୋଇଛି। ସେବେଠୁ ଓଡ଼ିଆ ତା’ର ଜାତୀୟ ଚରିତ୍ର ହରାଇ ଈର୍ଷା, ଦ୍ୱେଷ ଓ ପରଶ୍ରୀକାତରତାର ବଶବର୍ତ୍ତୀ ହୋଇ ନିଜ ଭାଇର ପ୍ରଗତିକୁ ସହିପାରୁ ନାହିଁ। ଅତୀତରେ ଏ ଜାତି ଏପରି ନ ଥିଲା। ଏ ଜାତି ପରିଶ୍ରମୀ, ସାହସୀ, ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ସମ୍ପନ୍ନ ଦୂରଦ୍ରଷ୍ଟା ହିସାବରେ ନିଜକୁ ପରିଚିତ କରାଇ ପାରିଥିଲା। ସେ କଳିଙ୍ଗର ପରାକ୍ରମ ହେଉ କିମ୍ବା କଳିଙ୍ଗ ଯୁଦ୍ଧରେ ଦେଶପ୍ରେମର ପ୍ରାଣବଳି, ସବୁକିଛି ଆମ ପୂର୍ବ ପୁରୁଷଙ୍କ ବୀର ଓ ଶୌର୍ଯ୍ୟର ପ୍ରତୀକ। କମ୍ପାସ୍‌ ଉଦ୍ଭାବନର ଶହ ଶହ ବର୍ଷ ପୂର୍ବରୁ ଭାରତର ସର୍ବପ୍ରଥମ ଜାତି ହିସାବରେ କାଠ ବୋଇତରେ ପାଲ ବାନ୍ଧି ଅତଳ ସମୁଦ୍ରରେ ଯାତ୍ରା କରିବା ଏହା କଳିଙ୍ଗ ବୀରଙ୍କ ବୀରତ୍ୱର ନିଦର୍ଶନ ନୁହେଁ ତ ଆଉ କ’ଣ? ପୁରାତନ ଭାରତରେ କଳିଙ୍ଗରେ ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରି ପୃଥିବୀର ବିଭିନ୍ନ କୋଣର ବିଦ୍ୟାର୍ଥୀଙ୍କୁ ବିଦ୍ୟାଦାନ କରିବା, କଳିଙ୍ଗବାସୀଙ୍କ ଦୂରଦୃଷ୍ଟି ନୁହେଁ ତ ଆଉ କ’ଣ ହୋଇପାରେ! ପୁରାତନ ଓ ମଧ୍ୟଯୁଗରେ ଉତ୍କର୍ଷତା ଲାଭ କରି ବିଶ୍ୱସ୍ତରୀୟ ଶ୍ରୀଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର ଓ ଲିଙ୍ଗରାଜ ମନ୍ଦିର ନିର୍ମାଣ ଆମ ବୈଜ୍ଞାନିକ କଳା ନିଖୁଣତାର ନମୁନା ନୁହେଁ କି? ମାତ୍ର ସବୁଠୁ ଦୟନୀୟ ଅବସ୍ଥା ହୋଇଛି ଇଂରେଜ ଶାସନ ଅଧୀନରେ ୧୮୬୬ରେ ଘଟିଥିବା ନଅଙ୍କ ଦୁର୍ଭିକ୍ଷ ସମୟରେ। ସେତେବେଳେ ଲେକ୍ଷ ଲକ୍ଷ ଲୋକଙ୍କ ଜୀବନହାନି ଓଡ଼ିଆ ପୁଅର ମେରୁଦଣ୍ଡକୁ ଦୋହଲାଇ ଦେଲା। ତଥାପି ମଧ୍ୟ ଏ ଜାତି ମାଗଣାଖିଆ ବା ଛତରଖିଆ ହେବ ନାହିଁ ବୋଲି ପଣ କଲା ଓ ବ୍ରିଟିଶ୍‌ ସରକାରଙ୍କ ମାଗଣା ଅନ୍ନଛତ୍ରକୁ ପତ୍ୟାଖ୍ୟାନ କଲା। ମାତ୍ର ସେହି ଓଡ଼ିଆ ପୁଅ ତା’ର ପୂର୍ବପୁରୁଷଙ୍କ ଗତଗୌରବକୁ ଭୁଲିଯାଇ ଆଜି ଦରିଦ୍ର ହେବା ପାଇଁ ପ୍ରତିଯୋଗିତା କରୁଛି ଓ ପାଞ୍ଚଟଙ୍କା ଭାତ ଡାଲମା ପାଇଁ ଲମ୍ବା ଲାଇନ୍‌ ଲଗାଉଛି। ମଦ ପାଇଁ ନିଜ ଗଣତାନ୍ତ୍ରିକ ଅଧିକାର ବିକ୍ରି କରୁଛି। ଟଙ୍କିକିଆ ଚାଉଳ ପାଇ ନିଜ ଜୀବନକୁ ଧନ୍ୟ ମନେକରୁଛି।
ଚିନ୍ତା କଲେ ଆତ୍ମଗ୍ଳାନିରେ ଓଡ଼ିଆ ପୁଅର ମୁଣ୍ଡ ନଇଁଯାଏ। ଆଜି ସମଗ୍ର ଭାରତରେ ଓଡ଼ିଶା ଏକ ଶ୍ରମିକ ଯୋଗାଣକାରୀ ଦରିଦ୍ର ରାଜ୍ୟ ହିସାବରେ ନିଜର ନୂତନ ପରିଚୟ ସୃଷ୍ଟି କରିଛି। ପଞ୍ଜାବୀ, ମାରୁଆଡ଼ି, ଗୁଜରାଟୀ, କେରଳୀ ପ୍ରଭୃତି ପୃଥିବୀର ବିଭିନ୍ନ କୋଣ ଅନୁକୋଣରେ ଖେଳିଯାଉଥିବା ବେଳେ, ଓଡ଼ିଆ ପଡ଼ୋଶୀ ରାଜ୍ୟରେ ବେପାର କରିବାକୁ ସାହସ ଜୁଟାଇ ପାରୁ ନାହିଁ। ସେ ବିଶ୍ୱରେ ଏକ ବଡ଼ ଖାଉଟି ବଜାର ଧରି ଉଭା ହୋଇଛି। ଆମ ସମସ୍ତଙ୍କ ଶିରା ଆଉ ଧମନୀରେ ମହାମେଘବାହନ କଳିଙ୍ଗାଧିପତି ଐର ଖାରବେଳଙ୍କ ରକ୍ତ ପ୍ରବାହିତ ହେଉଛି। ଆମ ଦ୍ୱାରା ସବୁକିଛି ସମ୍ଭବ। ଆସନ୍ତୁ ଚାକିରି ଓ ବେପାର ପାଇଁ ବିଶ୍ୱର ବିଭିନ୍ନ କୋଣକୁ ମାଡ଼ିଯିବା। ଆମ ପାଖରେ ଶହ ଶହ ପ୍ରକାର ସୁସ୍ବାଦୁ ଖାଦ୍ୟ ଭଣ୍ଡାର ଅଛି । ଆମ ପାଖରେ ସୂକ୍ଷ୍ମାତିସୂକ୍ଷ୍ମ ବସ୍ତ୍ର ଅଛି, ଆମ ପାଖରେ ସୁନ୍ଦର ହସ୍ତଶିଳ୍ପ ଅଛି, ଆମ ପାଖରେ ଅଛି ନାନା କୃଷିଜାତ ଦ୍ରବ୍ୟ । ଆମର କାରିଗରି, ଆମର ପାଣି ପାଇପ୍‌ ମିସ୍ତ୍ରି, ଆମର ଶିଳ୍ପୀକୁଳ, ଆମର ଚିତ୍ରକାର, ନୃତ୍ୟଶିଳ୍ପୀ ପ୍ରମୁଖ ବିଶ୍ୱରେ ଅନନ୍ୟ। ଆସନ୍ତୁ, ସଂକୀର୍ଣ୍ଣତାରୁ ଊର୍ଦ୍ଧ୍ୱକୁ ଯାଇ ବିଭିନ୍ନ ଦେଶ ଓ ରାଜ୍ୟକୁ ଯିବା ବେପାର ବାଣିଜ୍ୟ କରିବା ପାଇଁ । ଆମେ ଉତ୍ତମ ସଂସ୍କୃତି ସହିତ ମାନବତାର ମହାମନ୍ତ୍ର ପ୍ରଚାର କରିବା । ଏହା ଦ୍ୱାରା ଆମେ ଆମର ବେରୋଜଗାରୀକୁ ହଟାଇବା, ଦାରିଦ୍ର୍ୟ ଦୂର କରିବା ଓ ଆମର ଐତିହ୍ୟକୁ ପ୍ରଚାର କରିବା।
ଯେଉଁ ଓଡ଼ିଆ ଭାଇମାନେ ବିଭିନ୍ନ କାର୍ଯ୍ୟ ପାଇଁ ବିଦେଶକୁ ଯାଇଛନ୍ତି, ସେମାନଙ୍କର ଏକ ଗୁରୁଦାୟିତ୍ୱ ରହିଛି ଓଡ଼ିଶା ପାଇଁ। ଅଧିକାଂଶ ଭାଇ ଓଡ଼ିଶା ଫେରି ଆମର ସମାଜ ବ୍ୟବସ୍ଥାକୁ ସମାଲୋଚନା କରୁଥିବା ଦେଖାଯାଏ। ସେମାନଙ୍କ ସମାଲୋଚନାର ଯଥାର୍ଥତା ବି ଅଛି। ମାତ୍ର ସମାଲୋଚନାରେ ସୀମିତ ନ ରହି କିପରି ମାତ୍ରାଧିକ ଓଡ଼ିଆ ବିଦେଶରେ ବିଭିନ୍ନ କାମଧନ୍ଦାରେ ନିୟୋଜିତ ହେବେ, ତା’ର ବ୍ୟବସ୍ଥା କରିବା ଆବଶ୍ୟକ। ଓଡ଼ିଶାର ଉତ୍ପାଦିତ ଦ୍ରବ୍ୟ, ଖାଦ୍ୟ ଓ ସଂସ୍କୃତି କିପରି ବିଶ୍ୱସ୍ତରରେ ଆଦୃତି ଲାଭ କରିବ, ସେ ବିଷୟରେ କାର୍ଯ୍ୟ କରିବା ଉଚିତ। ପଞ୍ଜାବୀ, ଗୁଜରାଟୀ, ମାରୁଆଡ଼ୀ, ବଙ୍ଗାଳୀ ଓ ଦକ୍ଷିଣ ଭାରତୀୟ ସମ୍ପ୍ରଦାୟର ପ୍ରବଳ ଜାତିପ୍ରେମ ବା ଭାଷା ପ୍ରୀତି ଯୋଗୁଁ ଆଜି ସେମାନେ ବିଶ୍ୱ ମାନଚିତ୍ରରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ଆମକୁ ମଧ୍ୟ ସେପରି କରିବାକୁ ପଡିବ। ନ ହେଲେ ପ୍ରାକୃତିକ ସମ୍ପଦଭରା ଓଡ଼ିଶାରେ ଗରିବ ଓଡ଼ିଆଙ୍କୁ ଅନ୍ୟମାନଙ୍କର ଦୟାକୁ ଆଶ୍ରୟ କରି ବଞ୍ଚତ୍ବାକୁ ପଡୁଥିବ। ପୃଥିବୀର ବିଭିନ୍ନ ଦେଶରେ ଭ୍ରମଣ କରି ଅଭିଜ୍ଞତା ସଂପନ୍ନ ହେବା ଓ ନିଜକୁ ଊର୍ଦ୍ଧ୍ୱମୁଖୀ କରି ଓଡ଼ିଆ ଚିନ୍ତା ଚେତନାକୁ ଆହୁରି ବ୍ୟାପକ କରିବାକୁ ପଡ଼ିବ। ଏଥିପାଇଁ ଆସନ୍ତୁ ସମସ୍ତେ ମିଶି ବ୍ୟାପକ ଜନସଚେତନତା ସୃଷ୍ଟି କରିବା ଓ ବିଭିନ୍ନ ପ୍ରୋତ୍ସାହନ ଯୋଜନା ମାଧ୍ୟମରେ ଆମର ଯୁବା ପିଢ଼ିଙ୍କୁ ବିଦେଶରେ ବିଭିନ୍ନ କାମଧନ୍ଦା ଓ ବେପାର ବଣିଜ କରିବା ପାଇଁ ସୁଯୋଗ ସୃଷ୍ଟି କରି ଦାରିଦ୍ର୍ୟ ମାନଚିତ୍ରରୁ ସବୁଦିନ ପାଇଁ କାଢ଼ିନେବା।
ପ୍ରଧାନ ବୈଜ୍ଞାନିକ
ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ
(ଭାରତ ସରକାର), ଭୁବନେଶ୍ୱର
ମୋ: ୮୯୧୭୪୨୬୪୪୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri