ନାସାର ମଙ୍ଗଳ ମିଶନ

ଡ. ନରେନ୍ଦ୍ର ସେଠୀ

ମହାକାଶକୁ ତନ୍ନତନ୍ନ କରି ଖୋଜିବାର ଲାଳସା ମଣିଷକୁ ବାରମ୍ବାର ଚନ୍ଦ୍ର ଓ ମଙ୍ଗଳ ପରି ଗ୍ରହ ଉପଗ୍ରହ ଆଡ଼କୁ ଆକର୍ଷିତ କରିଛି; ଯୋଉଥିପାଇଁ ପୃଥିବୀର ଅନେକ ଦେଶର ବୈଜ୍ଞାନିକମାନେ ମଙ୍ଗଳ କିମ୍ବା ଚନ୍ଦ୍ର ଉପରେ ଏପର୍ଯ୍ୟନ୍ତ ଗବେଷଣା ଜାରି ରଖିଛନ୍ତି। ନିକଟରେ ଆମ ଦେଶର ମହାକାଶ ସଂସ୍ଥା ମଧ୍ୟ ଚନ୍ଦ୍ରଯାନ ମିଶନ କରି ଅନେକ ପ୍ରଶଂସାର ପାତ୍ର ହୋଇଥିଲା। ତେବେ ଏହି ବିଜ୍ଞାନ ପ୍ରତିଯୋଗିତାରେ ସବୁଠୁ ଆଗରେ ଅଛି ଆମେରିକାର ମହାକାଶ ସଂସ୍ଥା ନାସା। ଷାଠିଏ ବର୍ଷ ପୂର୍ବେ ଚନ୍ଦ୍ର ପୃଷ୍ଠରେ ମଣିଷକୁ ଅବତରଣ କରେଇ ଇତିହାସ ସୃଷ୍ଟି କରିଥିବା ନାସା ପୁଣି ଆଉ ଏକ ଇତିହାସ ତିଆରି କରିଛି। ଏଥର ନାସାର ଲକ୍ଷ୍ୟରେ ଅଛି ଲୋହିତ ଗ୍ରହ ମଙ୍ଗଳ। ଫେବୃୟାରୀ ୧୮ ତାରିଖ ଦିନ ପୂର୍ବ ପ୍ରେରିତ ରୋଭରକୁ ସଫଳତାର ସହ ମଙ୍ଗଳ ଉପରେ ଅବତରଣ କରାଇ ପାରିଛି। ନାସାର ମାର୍ସ ଏକ୍ସପ୍ଲୋରେଶନ ରୋଭର ମିଶନ ମଣିଷର ମଙ୍ଗଳ ଗ୍ରହକୁ ଅଧିକ ଜାଣିବାର ଜିଜ୍ଞାସାକୁ ପୂରଣ କରିବାରେ ସହାୟକ ହେବ। ଅନେକ ଅତ୍ୟାଧୁନିକ ଯନ୍ତ୍ରପାତି ଓ ଗବେଷଣା ଉପକରଣକୁ ନେଇ ଆମେରିକୀୟ ମହାକାଶ ଗବେଷଣା ଦ୍ୱାରା ପ୍ରେରିତ ଏହି ରୋଭର ୩୦ ଜୁଲାଇ ୨୦୨୦ରେ ଛଡ଼ା ଯାଇଥିଲା। ଏହି ଅତି ବ୍ୟୟବହୁଳ ରୋଭର ନିରାପଦରେ ମଙ୍ଗଳ ଗ୍ରହରେ ଅବତରଣ କଲା। ନାସା ତୃତୀୟ ଥର ପାଇଁ ଏହି ବିରଳ କୃତିତ୍ୱ ହାସଲ କରିଛି। ସୂଚନାଯୋଗ୍ୟ ଯେ, ଲୋହିତ ଗ୍ରହ ମଙ୍ଗଳ ପୃଥିବୀଠାରୁ ପ୍ରାୟ କୋଡ଼ିଏ କୋଟି କିଲୋମିଟର ଦୂରରେ ଅବସ୍ଥିତ। ଆଲୋକ ବେଗରେ ରେଡିଓ ତରଙ୍ଗ ପୃଥିବୀରୁ ମଙ୍ଗଳ ପର୍ଯ୍ୟନ୍ତ ଯିବା ପାଇଁ ୧୧ ମିନିଟ ସମୟ ଲାଗେ। ଅର୍ଥାତ୍‌ ମଙ୍ଗଳ ପକ୍ଷରୁ କୌଣସି ସୂଚନା ପାଇବା ଓ ପଠେଇବା ଭିତରେ ଅତି କମ୍‌ରେ ଏଗାର ମିନିଟ୍‌ ସମୟ ଲାଗିଯାଏ।
ମଣିଷ କ’ଣ ପାଇଁ ମଙ୍ଗଳ ପ୍ରତି ଏତେ ଅହେତୁକ ଉତ୍କଣ୍ଠା ପ୍ରକାଶ କରିଛି ? ଏହାର ପ୍ରଥମ କାରଣ ହେଲା ଭବିଷ୍ୟତରେ ମଣିଷ ପାଇଁ ଏକ ବିକଳ୍ପ ଜନବସତିର ସମ୍ଭାବନା। ଏଥିପାଇଁ ଏହି ରୋଭର ପ୍ରଥମେ ପାଣିର ସନ୍ଧାନ କରିବ । ଲୋହିତ ଗ୍ରହର ଚିତ୍ରକୁ ନିରୀକ୍ଷଣ କଲେ ସେଥିରେ ଅନେକ ଶୁଖି ଯାଇଥିବା ନଦୀ ସ୍ପଷ୍ଟ ବାରି ହୋଇଯାଏ। ତେଣୁ ହୁଏତ ସେଠି ପ୍ରବାହିତ ହେଉଥିବା ଜଳ ଥିଲା ଓ ସେତେବେଳେ କୌଣସି ଜୀବନ ଜାତିର ଅଭ୍ୟୁଦୟ ହୋଇଥିଲା; ଯାହା ଏବେ ସୁଦୀର୍ଘ ଶୁଖିଲା ନଦୀ ଅବବାହିକା ଭଳି ମନେହେଉଛି। ତେଣୁ ନାସାର ଏହି ରୋଭରର ଆଉ ଏକ କାମ ହେଲା ସେଇ ଶୁଖିଲା ନଦୀ ପରି ଦିଶୁଥିବା ଜାଗାକୁ ଯାଇ ନିରୀକ୍ଷଣ କରିବା। ଅବତରଣ ପରେ ପରେ ଏହି ରୋଭର ନାସାର କଣ୍ଟ୍ରୋଲ ରୁମ୍‌ ସହିତ ସିଧାସଳଖ ବାର୍ତ୍ତା କରିବ ଓ ଧୀରେ ଧୀରେ ଚାଲିବା ଆରମ୍ଭ କରି ସେଠାକାର ଚିତ୍ର ସିଧାସଳଖ ପୃଥିବୀକୁ ପ୍ରେରଣ କରିବ; ଯୋଉଥିପାଇଁ ଏଥିରେ ଏକ ଅତି ଆଧୁନିକ ମଷ୍ଟକ୍ୟାମ କ୍ୟାମେରା ଲାଗିଛି। ଏହା ଦୂରରେ ଥିବା ଜିନିଷକୁ ଜୁମ୍‌ କରି ମଧ୍ୟ ଦେଖାଇବାରେ ସକ୍ଷମ ହେବ। ଏହା ରୋଭରର ଆଖି ସଦୃଶ, ଯାହା ସବୁ ଜିନିଷକୁ ଦେଖିବା ସଙ୍ଗେ ସଙ୍ଗେ ଫଟୋ ଉଠାଇଥାଏ। ତା’ ଛଡ଼ା ଆଖପାଖ ତାପମାତ୍ରା, ଆର୍ଦ୍ରତା, ପବନର ବେଗ ଏବଂ ବାୟୁମଣ୍ଡଳରେ ଥିବା କଣିକାଗୁଡ଼ିକର ଆକାର ମାପିବା ପାଇଁ ଏହି ରୋଭରରେ ଏକ ପାଣିପାଗ ଉପକରଣ ଲାଗିଛି। ଏଥିରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ ହେଲା ମୋକ୍ସି ବା ସ୍ଥାନୀୟ ଅମ୍ଳଜାନ ଉପକରଣ ପରୀକ୍ଷାଗାର; ଯାହା ଭବିଷ୍ୟତରେ ମାନବ ମିଶନ ପାଇଁ ଦରକାର ପଡୁଥିବା ଅମ୍ଳଜାନ ଲାଗି ସହାୟକ ହେବ। ଏହା ମଙ୍ଗଳ ଗ୍ରହର ବାୟୁମଣ୍ଡଳରୁ ଅମ୍ଳଜାନ ପ୍ରସ୍ତୁତ କରିବ। ଏହାଛଡ଼ା ଅନେକ ଉପକରଣ ଅଛି, ଯାହା ମଙ୍ଗଳ ଗ୍ରହର ମାଟିକୁ ତତ୍‌କ୍ଷଣାତ୍‌ ପରୀକ୍ଷା କରି ସେଥିରେ ଥିବା ଲବଣ ଓ ଅନ୍ୟାନ୍ୟ ତଥ୍ୟ ପ୍ରଦାନ କରିବ। ସର୍ବମୋଟ ଏଥିରେ ଅଠରଟି କ୍ୟାମେରା, ସାତଟି ଅତ୍ୟାଧୁନିକ ଯନ୍ତ୍ରପାତି ଓ ଦୁଇଟି ମାଇକ୍ରୋଫୋନ ଅଛି।
ରୋଭର ନିଜ ପାଖରେ ଏକ ଛୋଟିଆ ହେଲିକପ୍ଟର ରଖିଛି; ଯାହା ପୃଥିବୀ ବାହାରେ ଅନ୍ୟ ଗ୍ରହରେ ଉଡ଼ି ପାରୁଥିବା ପ୍ରଥମ ଉଡ଼ାଣ କରୁଥିବା ଯନ୍ତ୍ର ହେବ। ଏହା ଦିନକୁ ପାଞ୍ଚ ଥର ଉଡ଼ାଣ କରି ବିଭିନ୍ନ ତଥ୍ୟ ନାସା କଣ୍ଟ୍ରୋଲ ରୁମ୍‌କୁ ପଠେଇବ। ଏହି ମିଶନ ମଙ୍ଗଳ ଗ୍ରହରେ ଜୀବନର ସନ୍ଧାନ କରିବା ପାଇଁ ପଥର ଭିତରେ ସୁରକ୍ଷିତ ଥିବା ଜୀବାଶ୍ମଗୁଡ଼ିକର ମଧ୍ୟ ସନ୍ଧାନ କରିବବ। ସେଠାକାର ମାଟି, ପଥର ଇତ୍ୟାଦିର ନମୁନା ସଂଗ୍ରହ କରିବ । ଏହି ମିଶନ ପ୍ରାୟ ଅଢ଼େଇ ବର୍ଷ ପର୍ଯ୍ୟନ୍ତ କାମ କରିପାରିବ। ଏକ ଛୋଟ କାର୍‌ ଆକାରର ଏହି ରୋଭରର ଓଜନ ହେଲା ଏକ ଟନ୍‌ ଓ ଏଥିରେ ଟିଟାନିୟମ ଟାୟାର ଥିବା ଛ’ଟି ଆଲୁମିନିୟମ ଚକ ଅଛି। ଆଉ ଗୋଟିଏ ଜାଣିବା କଥା ହେଲା ଉକ୍ତ ରୋଭରର ନାମ ପରସିଭିରେନ୍ସ ରଖାଯାଇଥିଲା, ଯାହା ସ୍କୁଲ ପିଲାମାନଙ୍କ ଦ୍ୱାରା ଏକ ନାମକରଣ ପ୍ରତିଯୋଗିତା କରିବା ପରେ ସପ୍ତମ ଶ୍ରେଣୀର ଜଣେ ଛାତ୍ର ଦ୍ୱାରା ନାମିତ କରାଯାଇଥିଲା। ମଙ୍ଗଳ ଗ୍ରହରେ ସଫଳତାର ସହ ଅବତରଣ କରେଇ ଭବିଷ୍ୟତରେ ମାନବ ମିଶନ କରିବାର ଆଶାକୁ ନାସା ଅଣ୍ଟା ଭିଡ଼ିଛି। ଏହା ମାନବ ଇତିହାସର ଏକ ବିରଳ କୃତି କହିଲେ ଭୁଲ୍‌ ହେବନି।

ବୈଜ୍ଞାନିକ ଅଧିକାରୀ, ଭାବା ପରମାଣୁ ଗବେଷଣା କେନ୍ଦ୍ର, ପରିବେଶ ନିରୀକ୍ଷଣ ପରୀକ୍ଷାଗାର, ଯାଦୁଗୁଡା, ପୂର୍ବ ସିଂଭୁମି,
ଝାଡ଼ଖଣ୍ଡ, ମୋ-୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri