ନାସାର ମଙ୍ଗଳ ମିଶନ

ଡ. ନରେନ୍ଦ୍ର ସେଠୀ

ମହାକାଶକୁ ତନ୍ନତନ୍ନ କରି ଖୋଜିବାର ଲାଳସା ମଣିଷକୁ ବାରମ୍ବାର ଚନ୍ଦ୍ର ଓ ମଙ୍ଗଳ ପରି ଗ୍ରହ ଉପଗ୍ରହ ଆଡ଼କୁ ଆକର୍ଷିତ କରିଛି; ଯୋଉଥିପାଇଁ ପୃଥିବୀର ଅନେକ ଦେଶର ବୈଜ୍ଞାନିକମାନେ ମଙ୍ଗଳ କିମ୍ବା ଚନ୍ଦ୍ର ଉପରେ ଏପର୍ଯ୍ୟନ୍ତ ଗବେଷଣା ଜାରି ରଖିଛନ୍ତି। ନିକଟରେ ଆମ ଦେଶର ମହାକାଶ ସଂସ୍ଥା ମଧ୍ୟ ଚନ୍ଦ୍ରଯାନ ମିଶନ କରି ଅନେକ ପ୍ରଶଂସାର ପାତ୍ର ହୋଇଥିଲା। ତେବେ ଏହି ବିଜ୍ଞାନ ପ୍ରତିଯୋଗିତାରେ ସବୁଠୁ ଆଗରେ ଅଛି ଆମେରିକାର ମହାକାଶ ସଂସ୍ଥା ନାସା। ଷାଠିଏ ବର୍ଷ ପୂର୍ବେ ଚନ୍ଦ୍ର ପୃଷ୍ଠରେ ମଣିଷକୁ ଅବତରଣ କରେଇ ଇତିହାସ ସୃଷ୍ଟି କରିଥିବା ନାସା ପୁଣି ଆଉ ଏକ ଇତିହାସ ତିଆରି କରିଛି। ଏଥର ନାସାର ଲକ୍ଷ୍ୟରେ ଅଛି ଲୋହିତ ଗ୍ରହ ମଙ୍ଗଳ। ଫେବୃୟାରୀ ୧୮ ତାରିଖ ଦିନ ପୂର୍ବ ପ୍ରେରିତ ରୋଭରକୁ ସଫଳତାର ସହ ମଙ୍ଗଳ ଉପରେ ଅବତରଣ କରାଇ ପାରିଛି। ନାସାର ମାର୍ସ ଏକ୍ସପ୍ଲୋରେଶନ ରୋଭର ମିଶନ ମଣିଷର ମଙ୍ଗଳ ଗ୍ରହକୁ ଅଧିକ ଜାଣିବାର ଜିଜ୍ଞାସାକୁ ପୂରଣ କରିବାରେ ସହାୟକ ହେବ। ଅନେକ ଅତ୍ୟାଧୁନିକ ଯନ୍ତ୍ରପାତି ଓ ଗବେଷଣା ଉପକରଣକୁ ନେଇ ଆମେରିକୀୟ ମହାକାଶ ଗବେଷଣା ଦ୍ୱାରା ପ୍ରେରିତ ଏହି ରୋଭର ୩୦ ଜୁଲାଇ ୨୦୨୦ରେ ଛଡ଼ା ଯାଇଥିଲା। ଏହି ଅତି ବ୍ୟୟବହୁଳ ରୋଭର ନିରାପଦରେ ମଙ୍ଗଳ ଗ୍ରହରେ ଅବତରଣ କଲା। ନାସା ତୃତୀୟ ଥର ପାଇଁ ଏହି ବିରଳ କୃତିତ୍ୱ ହାସଲ କରିଛି। ସୂଚନାଯୋଗ୍ୟ ଯେ, ଲୋହିତ ଗ୍ରହ ମଙ୍ଗଳ ପୃଥିବୀଠାରୁ ପ୍ରାୟ କୋଡ଼ିଏ କୋଟି କିଲୋମିଟର ଦୂରରେ ଅବସ୍ଥିତ। ଆଲୋକ ବେଗରେ ରେଡିଓ ତରଙ୍ଗ ପୃଥିବୀରୁ ମଙ୍ଗଳ ପର୍ଯ୍ୟନ୍ତ ଯିବା ପାଇଁ ୧୧ ମିନିଟ ସମୟ ଲାଗେ। ଅର୍ଥାତ୍‌ ମଙ୍ଗଳ ପକ୍ଷରୁ କୌଣସି ସୂଚନା ପାଇବା ଓ ପଠେଇବା ଭିତରେ ଅତି କମ୍‌ରେ ଏଗାର ମିନିଟ୍‌ ସମୟ ଲାଗିଯାଏ।
ମଣିଷ କ’ଣ ପାଇଁ ମଙ୍ଗଳ ପ୍ରତି ଏତେ ଅହେତୁକ ଉତ୍କଣ୍ଠା ପ୍ରକାଶ କରିଛି ? ଏହାର ପ୍ରଥମ କାରଣ ହେଲା ଭବିଷ୍ୟତରେ ମଣିଷ ପାଇଁ ଏକ ବିକଳ୍ପ ଜନବସତିର ସମ୍ଭାବନା। ଏଥିପାଇଁ ଏହି ରୋଭର ପ୍ରଥମେ ପାଣିର ସନ୍ଧାନ କରିବ । ଲୋହିତ ଗ୍ରହର ଚିତ୍ରକୁ ନିରୀକ୍ଷଣ କଲେ ସେଥିରେ ଅନେକ ଶୁଖି ଯାଇଥିବା ନଦୀ ସ୍ପଷ୍ଟ ବାରି ହୋଇଯାଏ। ତେଣୁ ହୁଏତ ସେଠି ପ୍ରବାହିତ ହେଉଥିବା ଜଳ ଥିଲା ଓ ସେତେବେଳେ କୌଣସି ଜୀବନ ଜାତିର ଅଭ୍ୟୁଦୟ ହୋଇଥିଲା; ଯାହା ଏବେ ସୁଦୀର୍ଘ ଶୁଖିଲା ନଦୀ ଅବବାହିକା ଭଳି ମନେହେଉଛି। ତେଣୁ ନାସାର ଏହି ରୋଭରର ଆଉ ଏକ କାମ ହେଲା ସେଇ ଶୁଖିଲା ନଦୀ ପରି ଦିଶୁଥିବା ଜାଗାକୁ ଯାଇ ନିରୀକ୍ଷଣ କରିବା। ଅବତରଣ ପରେ ପରେ ଏହି ରୋଭର ନାସାର କଣ୍ଟ୍ରୋଲ ରୁମ୍‌ ସହିତ ସିଧାସଳଖ ବାର୍ତ୍ତା କରିବ ଓ ଧୀରେ ଧୀରେ ଚାଲିବା ଆରମ୍ଭ କରି ସେଠାକାର ଚିତ୍ର ସିଧାସଳଖ ପୃଥିବୀକୁ ପ୍ରେରଣ କରିବ; ଯୋଉଥିପାଇଁ ଏଥିରେ ଏକ ଅତି ଆଧୁନିକ ମଷ୍ଟକ୍ୟାମ କ୍ୟାମେରା ଲାଗିଛି। ଏହା ଦୂରରେ ଥିବା ଜିନିଷକୁ ଜୁମ୍‌ କରି ମଧ୍ୟ ଦେଖାଇବାରେ ସକ୍ଷମ ହେବ। ଏହା ରୋଭରର ଆଖି ସଦୃଶ, ଯାହା ସବୁ ଜିନିଷକୁ ଦେଖିବା ସଙ୍ଗେ ସଙ୍ଗେ ଫଟୋ ଉଠାଇଥାଏ। ତା’ ଛଡ଼ା ଆଖପାଖ ତାପମାତ୍ରା, ଆର୍ଦ୍ରତା, ପବନର ବେଗ ଏବଂ ବାୟୁମଣ୍ଡଳରେ ଥିବା କଣିକାଗୁଡ଼ିକର ଆକାର ମାପିବା ପାଇଁ ଏହି ରୋଭରରେ ଏକ ପାଣିପାଗ ଉପକରଣ ଲାଗିଛି। ଏଥିରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ ହେଲା ମୋକ୍ସି ବା ସ୍ଥାନୀୟ ଅମ୍ଳଜାନ ଉପକରଣ ପରୀକ୍ଷାଗାର; ଯାହା ଭବିଷ୍ୟତରେ ମାନବ ମିଶନ ପାଇଁ ଦରକାର ପଡୁଥିବା ଅମ୍ଳଜାନ ଲାଗି ସହାୟକ ହେବ। ଏହା ମଙ୍ଗଳ ଗ୍ରହର ବାୟୁମଣ୍ଡଳରୁ ଅମ୍ଳଜାନ ପ୍ରସ୍ତୁତ କରିବ। ଏହାଛଡ଼ା ଅନେକ ଉପକରଣ ଅଛି, ଯାହା ମଙ୍ଗଳ ଗ୍ରହର ମାଟିକୁ ତତ୍‌କ୍ଷଣାତ୍‌ ପରୀକ୍ଷା କରି ସେଥିରେ ଥିବା ଲବଣ ଓ ଅନ୍ୟାନ୍ୟ ତଥ୍ୟ ପ୍ରଦାନ କରିବ। ସର୍ବମୋଟ ଏଥିରେ ଅଠରଟି କ୍ୟାମେରା, ସାତଟି ଅତ୍ୟାଧୁନିକ ଯନ୍ତ୍ରପାତି ଓ ଦୁଇଟି ମାଇକ୍ରୋଫୋନ ଅଛି।
ରୋଭର ନିଜ ପାଖରେ ଏକ ଛୋଟିଆ ହେଲିକପ୍ଟର ରଖିଛି; ଯାହା ପୃଥିବୀ ବାହାରେ ଅନ୍ୟ ଗ୍ରହରେ ଉଡ଼ି ପାରୁଥିବା ପ୍ରଥମ ଉଡ଼ାଣ କରୁଥିବା ଯନ୍ତ୍ର ହେବ। ଏହା ଦିନକୁ ପାଞ୍ଚ ଥର ଉଡ଼ାଣ କରି ବିଭିନ୍ନ ତଥ୍ୟ ନାସା କଣ୍ଟ୍ରୋଲ ରୁମ୍‌କୁ ପଠେଇବ। ଏହି ମିଶନ ମଙ୍ଗଳ ଗ୍ରହରେ ଜୀବନର ସନ୍ଧାନ କରିବା ପାଇଁ ପଥର ଭିତରେ ସୁରକ୍ଷିତ ଥିବା ଜୀବାଶ୍ମଗୁଡ଼ିକର ମଧ୍ୟ ସନ୍ଧାନ କରିବବ। ସେଠାକାର ମାଟି, ପଥର ଇତ୍ୟାଦିର ନମୁନା ସଂଗ୍ରହ କରିବ । ଏହି ମିଶନ ପ୍ରାୟ ଅଢ଼େଇ ବର୍ଷ ପର୍ଯ୍ୟନ୍ତ କାମ କରିପାରିବ। ଏକ ଛୋଟ କାର୍‌ ଆକାରର ଏହି ରୋଭରର ଓଜନ ହେଲା ଏକ ଟନ୍‌ ଓ ଏଥିରେ ଟିଟାନିୟମ ଟାୟାର ଥିବା ଛ’ଟି ଆଲୁମିନିୟମ ଚକ ଅଛି। ଆଉ ଗୋଟିଏ ଜାଣିବା କଥା ହେଲା ଉକ୍ତ ରୋଭରର ନାମ ପରସିଭିରେନ୍ସ ରଖାଯାଇଥିଲା, ଯାହା ସ୍କୁଲ ପିଲାମାନଙ୍କ ଦ୍ୱାରା ଏକ ନାମକରଣ ପ୍ରତିଯୋଗିତା କରିବା ପରେ ସପ୍ତମ ଶ୍ରେଣୀର ଜଣେ ଛାତ୍ର ଦ୍ୱାରା ନାମିତ କରାଯାଇଥିଲା। ମଙ୍ଗଳ ଗ୍ରହରେ ସଫଳତାର ସହ ଅବତରଣ କରେଇ ଭବିଷ୍ୟତରେ ମାନବ ମିଶନ କରିବାର ଆଶାକୁ ନାସା ଅଣ୍ଟା ଭିଡ଼ିଛି। ଏହା ମାନବ ଇତିହାସର ଏକ ବିରଳ କୃତି କହିଲେ ଭୁଲ୍‌ ହେବନି।

ବୈଜ୍ଞାନିକ ଅଧିକାରୀ, ଭାବା ପରମାଣୁ ଗବେଷଣା କେନ୍ଦ୍ର, ପରିବେଶ ନିରୀକ୍ଷଣ ପରୀକ୍ଷାଗାର, ଯାଦୁଗୁଡା, ପୂର୍ବ ସିଂଭୁମି,
ଝାଡ଼ଖଣ୍ଡ, ମୋ-୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?