ସ୍ବାଭିମାନର ଅନନ୍ୟ ଆଭା

ମାଟିର ସୁକନ୍ୟା ନନ୍ଦିନୀ ଶତପଥୀ। ନାରୀ ଅସ୍ମିତାର ଏକ ତେଜୋଦୀପ୍ତ ସ୍ବର। ତାଙ୍କ ଦେଶପ୍ରେମ, ନିର୍ଭୀକତା, ସାହସିକତା ଓ ବେସାଲିସପଣକୁ ନେଇ ଗଢ଼ିଉଠିଛି ଅନେକ କଥା, କାହାଣୀ ଓ କିମ୍ବଦନ୍ତୀ। ୧୯୪୨ ଭାରତଛାଡ଼ ଆନ୍ଦୋଳନବେଳେ ସେ ଥିଲେ କଟକ ପ୍ରାକ୍ଟିସିଂ ସ୍କୁଲର ସପ୍ତମ ଶ୍ରେଣୀର ଛାତ୍ରୀ। ଦିନେ ଶ୍ରେଣୀଗୃହରେ ପ୍ରଧାନଶିକ୍ଷକ ମହମ୍ମଦ ଅଲ୍ଲି ଗଣିତ ପଢ଼ାଉଥିବାବେଳେ ସ୍କୁଲ ରାସ୍ତା ଦେଇ ଆସିଲା ସତ୍ୟାଗ୍ରହୀମାନଙ୍କ ବିରାଟ ପଟୁଆର। ସେମାନଙ୍କ ମୁହଁରୁ ଭାସିଆସୁଥିବା ଭାରତମାତା କି ଜୟଧ୍ୱନି ନନ୍ଦିନୀଙ୍କୁ ଏମିତି ମନ୍ତ୍ରମୁଗ୍ଧ କରିଦେଲା ଯେ ସେ ଶ୍ରେଣୀଗୃହ ଛାଡ଼ି ବାହାରକୁ ଧାଇଁଲେ ଏବଂ ପାଚେରି ଡେଇଁ ସାମିଲ ହୋଇଗଲେ ସତ୍ୟାଗ୍ରହ ଶୋଭାଯାତ୍ରାରେ। ୧୯୪୬ ମସିହା ଡିସେମ୍ବର ୧୮ ତାରିଖର ଘଟଣା। ସେଦିନ ରେଭେନ୍‌ଶା କଲେଜରେ ଆୟୋଜିତ କ୍ରୀଡ଼ା ଉତ୍ସବରେ ଅତିଥି ଥିଲେ ରାଜ୍ୟପାଳ ସି.ଏ. ଦ୍ବିବେଦୀ ଓ ନବକୃଷ୍ଣ ଚୋଧୁରୀ। ସେମାନଙ୍କ ଆଗରେ ୟୁନିୟନ ଜ୍ୟାକ୍‌କୁ ଓହ୍ଲାଇଦେଇ ତ୍ରିରଙ୍ଗା ଉଡ଼ାଇଥିଲେ ଛାତ୍ରସଂଘର ନେତ୍ରୀ ନନ୍ଦିନୀ ଶତପଥୀ। ୧୯୫୧ ମସିହାରେ ଛାତ୍ରୀଛାତ୍ରଙ୍କ ମାସିକ ଦେୟବୃଦ୍ଧି ପ୍ରତିବାଦରେ ସାରା ରାଜ୍ୟରେ ଯେଉଁ ଆନ୍ଦୋଳନ ହୋଇଥିଲା ରେଭେନ୍‌ଶା କଲେଜ ଥିଲା ତା’ର କେନ୍ଦ୍ର, ଯେଉଁଠି ସେତେବେଳେ ବସୁଥିଲା ଓଡ଼ିଶା ବିଧାନସଭା। ଆନ୍ଦୋଳନର ନେତୃତ୍ୱ ନେଉଥିଲେ ଏମ୍‌ଏ ଶ୍ରେଣୀର ଛାତ୍ରୀ ତଥା ଛାତ୍ରସଂଘର ତତ୍କାଳୀନ ସମ୍ପାଦିକା ନନ୍ଦିନୀ ଶତପଥୀ। ସଂଘର ଦାବି ପ୍ରତି ସରକାର କର୍ଣ୍ଣପାତ ନ କରିବାରୁ କଲେଜ ଫାଟକ ଆଗରେ ଚାଲିଲା ବିକ୍ଷୋଭ ଓ ଧାରଣା। ପିଲାମାନଙ୍କୁ ବୁଝାଇବା ପାଇଁ(୧୯ା୭ା୧୯୫୨) ଧାରଣାସ୍ଥଳକୁ ଆସିଲେ ନିଜେ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ। ମାତ୍ର ନନ୍ଦିନୀଙ୍କର ସେହି ଗୋଟିଏ ଜିଦ୍‌ ଛାତ୍ରସଂଘର ଦାବି ସରକାର ନ ମାନିବା ପର୍ଯ୍ୟନ୍ତ ହଟିବନାହିଁ ଧାରଣା। ମୁଖ୍ୟମନ୍ତ୍ରୀ ବିରକ୍ତ ହୋଇ ଚାଲିଯିବା ପରେ ଧାରଣାରେ ବସିଥିବା ପିଲାଙ୍କ ଉପରେ ଚାଲିଲା ପାଣିମାଡ଼। ପ୍ରବଳ ପାଣିମାଡ଼ରେ ଆକ୍ତାମାକ୍ତା ହୋଇ ନନ୍ଦିନୀଦେବୀ ରାସ୍ତା ଉପରେ ପଡ଼ିଯିବାରୁ ତାଙ୍କୁ ଚିକିତ୍ସା ପାଇଁ ନିଆଗଲା ଡାକ୍ତରଖାନା। ସେଠାରୁ ଆରୋଗ୍ୟ ଲାଭକରି ଘରକୁ ଫେରିବା ପୂର୍ବରୁ ସରକାର ମାନିନେଇ ସାରିଥିଲେ ପିଲାଙ୍କ ଦାବି। ଲାଲବାହାଦୁର ଶାସ୍ତ୍ରୀଙ୍କ ମୃତ୍ୟୁ (୧୧ା୧ା୧୯୬୬) ପରେ ପ୍ରଧାନମନ୍ତ୍ରୀ ପଦକୁ ନେଇ ମୋରାରଜୀ ଦେଶାଇ ଓ ଇନ୍ଦିରା ଗାନ୍ଧୀଙ୍କ ମଧ୍ୟରେ ଚାଲିଲା ଟଣାଓଟରା। ଏହାକୁ କେନ୍ଦ୍ରକରି ଜାତୀୟ କଂଗ୍ରେସର ଗୋଷ୍ଠୀବିବାଦ ବଢ଼ିଲା ଓ ତା’ର ପ୍ରଭାବ ପଡ଼ିଲା ଓଡ଼ିଶା ରାଜନୀତିରେ। ସେତେବେଳେ ବିଜୁ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ସର୍ବମାନ୍ୟ ନେତା। ମୋରାରଜୀ ଦେଶାଇଙ୍କୁ ସେ ପ୍ରଧାନମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁଥିଲେ ଏବଂ ଏହି ମର୍ମରେ ଓଡ଼ିଶାର ସାଂସଦମାନଙ୍କ ଏକ ବୈଠକ ଡାକିଥିଲେ ନିଜ ଦିଲ୍ଲୀସ୍ଥିତ ବାସଭବନରେ। ଏଠାରେ ବିଜୁବାବୁଙ୍କ ପରାମର୍ଶ ମାନି ଅନ୍ୟ ସମସ୍ତ ସାଂସଦ ମୋରାରଜୀ ଦେଶାଇଙ୍କୁ ସମର୍ଥନ କରିବାକୁ ରାଜି ହୋଇଥିବାବେଳେ ଦ୍ବିମତ ହୋଇଥିଲେ ଏକମାତ୍ର ନନ୍ଦିନୀ ଶତପଥୀ। ମୋରାରଜୀଙ୍କ ସପକ୍ଷରେ ମନେଇବା ପାଇଁ ପରଦିନ ବିଜୁବାବୁ ନିଜେ ପହଞ୍ଚିଲେ ନନ୍ଦିନୀଙ୍କ ଘରେ। ମାତ୍ର ନନ୍ଦିନୀଙ୍କ ସ୍ପଷ୍ଟ ଉତ୍ତର ଥିଲା- ଆପଣଙ୍କୁ ଆଘାତ ଦେବା ମୋର ଉଦ୍ଦେଶ୍ୟ ନୁହେଁ, କିନ୍ତୁ ଏଇଟା ମୋର ସ୍ବାଭିମାନର ପ୍ରଶ୍ନ। ଓଡ଼ିଶାର ଅନ୍ୟ ସବୁ ସାଂସଦ ଆପଣଙ୍କ ନିଷ୍ପତ୍ତିକୁ ମାନିନେବା ପରେ ବାକି ଜଣକ ପାଇଁ ଆପଣ ଏତେ ବିବ୍ରତ କାହିଁକି ? ନନ୍ଦିନୀଙ୍କ ଦୃଢ଼ ନିଷ୍ପତ୍ତି ଆଗରେ ହାର୍‌ ମାନି ସେଦିନ ବିରକ୍ତିଭରା ଗମ୍ଭୀର ଭାବ ନେଇ ଫେରିଯିବାକୁ ବାଧ୍ୟ ହୋଇଥିଲେ ବିଜୁବାବୁ।
ସତୁରି ଦଶକରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲା ଓ ଓଡ଼ିଶାର କୋରାପୁଟ ଜିଲାରେ ବଢ଼ିଚାଲିଥାଏ ମାଓବାଦୀଙ୍କ ପ୍ରାଦୁର୍ଭାବ। ଦୃଢ଼ହସ୍ତରେ ଏହାକୁ ଦମନ ପାଇଁ ମୁଖ୍ୟମନ୍ତ୍ରୀ ନନ୍ଦିନୀଦେବୀଙ୍କ ଉପରେ ବଢୁଥାଏ ଚାପ। ପିଲାଟି ଦିନରୁ ଦୁର୍ବଳର ପକ୍ଷନେଇ ଲଢ଼ିଆସିଥିବା ନନ୍ଦିନୀଦେବୀ ଜାଣିଥିଲେ ମାଓବାଦୀଙ୍କ ମଧ୍ୟରୁ ଅଧିକାଂଶ ନିରୀହ ଆଦିବାସୀ,ଯେଉଁମାନେ ଅକଥନୀୟ ଅନ୍ୟାୟ ଅତ୍ୟାଚାରର ପ୍ରତିବାଦ କରିବାକୁ ଯାଇ ବାଧ୍ୟହୋଇ ବାଛିନେଇଛନ୍ତି ହିଂସାର ମାର୍ଗ। ତେଣୁ ମାଓବାଦୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ପରିବର୍ତ୍ତେ ଆଲୋଚନା ମାଧ୍ୟମରେ ସେମାନଙ୍କୁ ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ପାଇଁ ସେ ଆରମ୍ଭକଲେ ପ୍ରୟାସ। ପ୍ରଶାସନ ପ୍ରତି ଅନାସ୍ଥା ଭାବ ଯୋଗୁ ସେମାନେ ଆଲୋଚନା ପାଇଁ ଆସିବାକୁ ରାଜି ନ ହେବାରୁ ମୁଖ୍ୟମନ୍ତ୍ରୀ ନିଜେ ସେମାନଙ୍କ ପାଖକୁ ଯିବାକୁ ଘୋଷଣାକଲେ,ଯାହା ଶୁଣି ପ୍ରମାଦ ଗଣିଲେ ତମାମ ସୁରକ୍ଷା ଅଧିକାରୀ। ସେମାନଙ୍କ କହିବା କଥା ଥିଲା ମାଓବାଦୀମାନେ ମଣିଷ ନୁହନ୍ତି, ନରରାକ୍ଷସ। ସେମାନେ କଥାର ଜବାବ କଥାରେ ଦିଅନ୍ତି ନାହିଁ, ଦିଅନ୍ତି ଗୁଳିରେ। ଅଫିସରମାନେ ଏମିତି ଅନେକ ପ୍ରକାର ଭୟ ଦେଖାଇ ସେମାନଙ୍କ ପାଖକୁ ନ ଯିବା ପାଇଁ ଯେତେ ଅନୁରୋଧ କଲେ ବି ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଥିଲା ଅପରିବର୍ତ୍ତନୀୟ। ପାହାଡ଼ ଭଳି ଦୃଢ଼ ମନୋବଳ ନେଇ ଅଫିସରମାନଙ୍କ ଉଦ୍ଦେଶ୍ୟରେ କହିଥିଲେ- ଯେଉଁ ମୃତ୍ୟୁ ସଦାସର୍ବଦା ଆମ ପାଖେପାଖେ ଜଗି ରହିଛି,ତାକୁ ପୁଣି ଏତେ ଭୟ କାହିଁକି? ବ୍ୟର୍ଥଗଲା ସହଯୋଗୀଙ୍କ ଅନୁରୋଧ। ସୁରକ୍ଷା ବାହିନୀକୁ ସାଙ୍ଗରେ ନ ନେଇ ଏକୁଟିଆ ମାଓବାଦୀ ଆଡ୍ଡାରେ ପହଞ୍ଚିଲେ ନିର୍ଭୀକା ନନ୍ଦିନୀ। ଜଙ୍ଗଲ ଭିତରେ ସଭା ବସାଇ ସମସ୍ତଙ୍କୁ ସମ୍ବୋଧନକରି କହିଲେ, ତୁମମାନଙ୍କ ସମସ୍ୟା ସମ୍ପର୍କରେ ମୁଁ ଅବଗତ ଓ ତା’ର ସମାଧାନ ମୋର ଲକ୍ଷ୍ୟ। ମନେରଖ, ହିଂସା ସମାଧାନର ପନ୍ଥା ନୁହେଁ, ତାହା କେବଳ ବିକାଶର ବାଧକ ଓ ମଣିଷର ଶତ୍ରୁ। ତେଣୁ ମୁଖ୍ୟସ୍ରୋତକୁ ଫେରିଯିବା ପାଇଁ ତୁମେମାନେ ନିଜର ଦାବି ଉପସ୍ଥାପନକର, ଯାହା ମାନି ନେବା ପାଇଁ ସରକାର ପ୍ରସ୍ତୁତ। ସେମାନେ ଏକ ସ୍ବରରେ କହିଲେ, ବେଠିପ୍ରଥା ଉଚ୍ଛେଦ ଆମର ଦାବି। ତାଙ୍କ କଥାରେ ସେଦିନ ମୁଖ୍ୟମନ୍ତ୍ରୀ ଏକମତ ହେଲେ ଏବଂ ତଦନୁଯାୟୀ ସେମାନଙ୍କ ବିକାଶ ପାଇଁ ପ୍ରସ୍ତୁତ ହେଲା ଯୋଜନା। ସମାଜର ପ୍ରଭାବଶାଳୀ ବର୍ଗର ବିରୋଧ ସତ୍ତ୍ବେ କାର୍ଯ୍ୟକାରୀ ହେଲା ଭୂସଂସ୍କାର ଓ ମହାଜନୀ ବ୍ୟବସ୍ଥା ଉଚ୍ଛେଦ ଆଇନ।
କଲିକତାର ଏକ ସମ୍ବାଦପତ୍ରରେ ଓଡ଼ିଆଙ୍କ ସମ୍ପର୍କରେ ପ୍ରକାଶ ପାଇଥିବା କିଛି ଅରୁଚିକର ମନ୍ତବ୍ୟକୁ ନେଇ ସେଠାରେ ଓଡ଼ିଆ ଓ ବଙ୍ଗାଳୀଙ୍କ ଭିତରେ ସୃଷ୍ଟିହୋଇଥିଲା ବିବାଦ। ଓଡ଼ିଶାରେ ତା’ର ପ୍ରଭାବ ପଡ଼ିବାରୁ ପୁରୀରେ ବଙ୍ଗାଳୀ ଯାତ୍ରୀମାନଙ୍କ ଉପରେ ଆରମ୍ଭ ହେଲା ଆକ୍ରମଣ। ଏହାକୁ ଦୃଷ୍ଟିରେ ରଖି ଓ ବିଶେଷକରି ମହିଳାମାନଙ୍କ ସୁରକ୍ଷିତ ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ସେମାନଙ୍କୁ ପଶ୍ଚିମବଙ୍ଗ ପଠାଇଦିଆଗଲା ସ୍ବତନ୍ତ୍ର ରେଳଗାଡ଼ିରେ। ମାତ୍ର ଖୋର୍ଦ୍ଧା ଷ୍ଟେଶନରେ କେତେଜଣ ଲୋକ ରେଳ ଭିତରେ ପଶି ମହିଳାମାନଙ୍କ ପ୍ରତି ଅସଦାଚରଣ କରିବାରୁ ପୋଲିସ ସେମାନଙ୍କୁ ବାଧାଦେଲା ଏବଂ ଘଟଣା ଏତେ ଉଗ୍ରରୂପ ନେଲା ଯେ ଗୁଳିଚାଳନା କରିବାକୁ ବାଧ୍ୟହେଲା ପୋଲିସ। ଏଥିରେ କେତେଜଣ ଲୋକ ଆହତ ହେବା ସହ ୩ଜଣ ପ୍ରାଣ ହରାଇଲେ ଘଟଣାସ୍ଥଳରେ। ତା’ର ପ୍ରତିବାଦରେ ମୁଖ୍ୟମନ୍ତ୍ରୀଙ୍କ ଘର ଆଗରେ ଚାଲିଲା ବିକ୍ଷୋଭ ଓ ନାରାବାଜି। ବିକ୍ଷୋଭକାରୀଙ୍କ ସାମ୍ନା କରିବାପାଇଁ ବିନା ପୋଲିସ ସହାୟତାରେ ଘରୁ ବାହାରି ଆସିଲେ ମୁଖ୍ୟମନ୍ତ୍ରୀ ନନ୍ଦିନୀଦେବୀ। ଲୋକେ ତାଙ୍କୁ ଘେରିଯାଇ ପଚାରିଲେ ଯେଉଁ ୩ଜଣ ଲୋକ ମଲେ ସେଥିପାଇଁ ଦାୟୀ କିଏ? ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଥିଲା- ଜଣେ ମହିଳାର ଇଜ୍ଜତ ରକ୍ଷା କରିବାପାଇଁ ୩ଜଣ କାହିଁକି,୩ଶହ ଲୋକଙ୍କୁ ମାରିଦେବା ଲାଗି ଆଦେଶ ଦେବାରେ ମୋର ଆପତ୍ତି ନାହିଁ। ଲୋକେ ପ୍ରଶ୍ନକଲେ- ପଡ଼ୋଶୀ ରାଜ୍ୟରେ ଓଡ଼ିଆଙ୍କ ଉପରେ ହେଉଥିବା ଆକ୍ରମଣ ସମ୍ପର୍କରେ ଜାଣି ସୁଦ୍ଧା ଆପଣ ଏକଥା କହୁଛନ୍ତି କେମିତି? ଉତ୍ତର ଦେବାକୁ ଯାଇ ସେ କହିଥିଲେ – ପଡ଼ୋଶୀ ରାଜ୍ୟର ଶାସନ ବ୍ୟବସ୍ଥା ବିଗିଡ଼ିଯିବାର ଅର୍ଥ ନୁହେଁ ଯେ ତା’ର ପ୍ରତିବାଦ କରିବାକୁ ଯାଇ ନିଜ ରାଜ୍ୟର ଆଇନ ଶୃଙ୍ଖଳାକୁ ବିପର୍ଯ୍ୟସ୍ତ କରିଦେବା। ଆଉ କିଛି ପଚାରିବା ପାଇଁ ଭାଷା ନ ପାଇ ନରମିଯାଇଥିଲେ ବିକ୍ଷୋଭକାରୀ।
ନିଜର ଏହି ନିର୍ଭୀକତା ବଳରେ ଆଗାମୀ ପିଢ଼ି ପାଇଁ ଆଗ୍ନେୟ ଆହ୍ବାନ ସୃଷ୍ଟି କରିଥିବା ଏହି ବହ୍ନିକନ୍ୟାଙ୍କର ମହାପ୍ରୟାଣ ହୋଇଥିଲା ୨୦୦୬ ଅଗଷ୍ଟ ଆଜି ତାରିଖରେ। ଜୀବନକୁ ତିଳତିଳକରି ଜଳାଇ ଯିଏ ବୁର୍ଜୁଆ ଭୂଖଣ୍ଡରେ ସାମ୍ୟବାଦର ମଶାଲ ଦେଖାଇଥିଲେ, ତାଙ୍କ ମହନୀୟ କାର୍ଯ୍ୟଧାରା ଓ ଗରିମାମୟ ବ୍ୟକ୍ତିତ୍ୱର ମହାର୍ଘ ବାସ୍ନା ଆଜି ବି ମହକୁଛି ଆମ ଚତୁର୍ଦ୍ଦିଗରେ।

ଡ.ପ୍ରଫୁଲ୍ଲ କୁମାର ସାହୁ

ଅବସରପ୍ରାପ୍ତ ଅଧ୍ୟକ୍ଷ,
ବିଜୁ ପଟ୍ଟନାୟକ ନଗର, ଭଦ୍ରକ
ମୋ: ୬୩୭୧୬୪୨୪୬୪

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri