ଭୁବନେଶ୍ୱର,୨୨।୯(ସୁନିତ୍ ମିଶ୍ର): ଓଡ଼ିଶାରେ ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ପ୍ରକ୍ରିୟା ଶେଷ ହେବା ପରେ ଭୋଟର ତାଲିକାରୁ ମୋଟ ୨୦ ଲକ୍ଷ ୫୭ ହଜାର ୩୩୪ ଭୋଟରଙ୍କ ନାମ ବାଦ୍ ଦିଆଯାଇଛି। ସୋମବାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିବା ଅବସରରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଆର୍. ଏସ୍. ଗୋପାଳନ ଏହି ସୂଚନା ଦେଇଛନ୍ତି। ବର୍ତ୍ତମାନ ରାଜ୍ୟରେ ନୂଆ ୨ ଲକ୍ଷ ୯୦ ହଜାର ୪୯୭ ଭୋଟରଙ୍କୁ ମିଶାଇ ମୋଟ ଭୋଟରଙ୍କ ସଂଖ୍ୟା ୩ କୋଟି ୧୬ ଲକ୍ଷ ୩୨ ହଜାର ୭୫୪ରେ ପହଞ୍ଚିଛି, ଯେଉଁଥିରେ ୧,୬୧,୩୦,୩୧୯ ଜଣ ପୁରୁଷ ଭୋଟର, ୧,୫୪,୯୯,୬୬୧ ଜଣ ମହିଳା ଭୋଟର ଏବଂ ୨,୭୭୪ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି।
ମେ’ ୩୦ରୁ ଦୁଇଟି ପର୍ଯ୍ୟାୟରେ ଆରମ୍ଭ ହୋଇଥିବା ଏହି ବିଶେଷ ସଂଶୋଧନ ପ୍ରକ୍ରିୟା ପୂର୍ବରୁ ରାଜ୍ୟରେ ମୋଟ ୩ କୋଟି ୩୩ ଲକ୍ଷ ୯୯ ହଜାର ୫୯୧ ଭୋଟର ଥିଲେ। ଗଣନା ପର୍ଯ୍ୟାୟ (ମେ’ ୩୦ରୁ ଜୁନ ୨୮) ମଧ୍ୟରେ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲ୍ଓ)ମାନଙ୍କ ଦ୍ୱାରା ବଣ୍ଟାଯାଇଥିବା ଫର୍ମଗୁଡ଼ିକ ମଧ୍ୟରୁ ୩,୧୩,୮୭,୦୩୪ ଜଣ (୯୩.୯୭%) ଭୋଟର ଫର୍ମ ପୂରଣ କରି ଜମା କରିଥିଲେ। ବାକି ୨୦ ଲକ୍ଷ ୧୨ ହଜାର ୫୫୭ ଜଣ ଭୋଟରଙ୍କ ଗଣନା ଫର୍ମ ନ ମିଳିବାରୁ ଜୁଲାଇ ୫ରେ ପ୍ରକାଶିତ ଚିଠା ଭୋଟର ତାଲିକାରୁ ସେମାନଙ୍କ ନାମ ବାଦ୍ ପଡ଼ିଥିଲା। ଚିଠା ତାଲିକାରେ ଥିବା ୩.୧୩ କୋଟି ଭୋଟରଙ୍କ ମଧ୍ୟରୁ ୩ କୋଟି ଭୋଟର ନିଜର କିମ୍ବା ବଂଶଗତ ବିବରଣୀ ସହ ମ୍ୟାପ ହୋଇଥିବା ବେଳେ ୧୨.୯୮ ଲକ୍ଷ ଭୋଟରଙ୍କ ମ୍ୟାପିଂ ହୋଇପାରି ନ ଥିଲା। ଏହି ମ୍ୟାପ ହୋଇ ନ ଥିବା ଭୋଟର ଏବଂ ତଥ୍ୟରେ ତ୍ରୁଟି ଥିବା ୪୫.୩୭ ଲକ୍ଷ ଭୋଟରଙ୍କୁ ନିର୍ବାଚନ କମିଶନଙ୍କ ପକ୍ଷରୁ ଯାଞ୍ଚ ନୋଟିସ ଜାରି କରାଯାଇଥିଲା। ଦାବି ଓ ଆପତ୍ତି ଶୁଣାଣି ପରେ ୪୪,୭୭୭ ଜଣ ଅଯୋଗ୍ୟ ଭୋଟରଙ୍କ ନାମ ବାଦ୍ ଦିଆଯିବା ସହ ୨ ଲକ୍ଷ ୯୦ ହଜାର ୪୯୭ ନୂତନ ଭୋଟରଙ୍କ ନାମ ଯୋଡ଼ାଯାଇଛି। ସମୀକ୍ଷା ଓ ପୁନର୍ଗଠନ ପରେ ରାଜ୍ୟରେ ମୋଟ ପୋଲିଂ ଷ୍ଟେଶନ ସଂଖ୍ୟା ୪୫,୨୫୦ ହୋଇଥିବା ସିଇଓ ସୂଚନା ଦେଇଛନ୍ତି।

