Posted inଫୁରସତ

ଜେଜେବାପାଙ୍କ ୫ ପଇସା ଥିଲା ମୋ ପ୍ରକୃତ ରୋଜଗାର: ମମତା

ପୁରୀ ଜିଲା ନିମାପଡ଼ାର ଅଣ୍ଢିଆଶାସନ ଗାଁରେ ମୋ ଜନ୍ମ। ନନା(ବାପା) ଯେହେତୁ ରାଉରକେଲାରେ ଚାକିରି କରୁଥିଲେ ତେଣୁ ମୋ ପାଠପଢ଼ା ସେଠାରେ ହୋଇଥିଲା। ଆର୍‌.ଇ.ସି. କ୍ୟାମ୍ପସ୍‌ ହାଇସ୍କୁଲ୍‌ରୁ ମାଟ୍ରିକ୍‌ ଓ ଏସ୍‌.କେ ଡି.ଏ.ଭି. ସରକାରୀ ମହିଳା ମହାବିଦ୍ୟାଳୟରୁ ଆଇ.ଏସ୍‌ସି. ସାରିବା ପରେ ରେଭେନ୍‌ଶାରେ ଗଣିତ ସମ୍ମାନ ରଖି ବି.ଏସ୍‌ସି. ଆଉ ତା’ପରେ ରିଜିଓନାଲ୍‌ ଇଞ୍ଜିନିୟରିଂ କଲେଜରୁ ଏମ୍‌.ଏସ୍‌ସି. ପଢ଼ା ସାରିଥିଲି। ତା’ସହିତ କମ୍ପ୍ୟୁଟର୍‌ରେ ପି.ଜି. ଡିପ୍ଲୋମା କୋର୍ସ ବି କରିଥିଲି। ଅଧ୍ୟାପିକା ଚାକିରି କରିବାକୁ ଇଚ୍ଛା ହେବାରୁ ବାପାଙ୍କୁ ଜଣାଇଲି। ହେଲେ ବାପା କହିଲେ, ‘ଚାକିରି କରି ଟଙ୍କା ରୋଜଗାର କରିବାଟା ବଡ଼ କଥା ନୁହେଁ। ମୁଖ୍ୟ କଥା ହେଉଛି ତୁ କେଉଁ କାମ କରିପାରିବୁ ଆଉ ସେଥିରେ କେତେ ସଫଳ ହୋଇପାରିବୁ। ତେଣୁ ନିଜକୁ ପ୍ରଥମେ ପ୍ରମାଣ କରିବାକୁ ଚେଷ୍ଟା କର’। ସେଥିପାଇଁ ମୁଁ ପ୍ରଥମେ ଏମ୍‌.ଜି.ଏମ୍‌. ଇଂଲିଶ ମିଡିୟମ୍‌ ସ୍କୁଲ୍‌ରେ ଶିକ୍ଷକତା କଲି, ସେ ପୁଣି ମାଗଣାରେ। ଦେଖିଲି ମୋ ପାଠପଢ଼ାକୁ ପିଲାମାନେ ଭଲ ବୁଝୁଛନ୍ତି, ଆଉ ପରୀକ୍ଷାରେ ଭଲ କରିପାରୁଛନ୍ତି। କେବଳ ଛୋଟପିଲା ନୁହେଁ ଯୁକ୍ତ ୨, ଯୁକ୍ତ ୩ ବିଜ୍ଞାନ ପଢୁଥିବା କଲେଜ ପିଲାମାନେ ବି ଅନେକ ସମୟରେ ମୋଠାରୁ ପାଠ ବୁଝିକି ଯାଇ ପରୀକ୍ଷାରେ ଭଲ ମାର୍କ ରଖୁଥିଲେ। ବାସ୍‌ ତା’ପରେ ମୋ ଭିତରେ ଆତ୍ମବିଶ୍ୱାସ ଆସିଥିଲା ଯେ, ମୁଁ ଅଧ୍ୟାପିକାର ଦାୟିତ୍ୱକୁ ମଧ୍ୟ ସୁଚାରୁରୂପେ ତୁଲାଇପାରିବି। ହେଲେ ମୋ କପାଳରେ ହୁଏତ ଚାକିରି କରିବାଟା ଲେଖା ନ ଥିଲା। କାରଣ ମୋ ବାହାଘର ହଠାତ୍‌ ଠିକ୍‌ ହୋଇଗଲା। ଶାଶୁଘର ବାଲେଶ୍ୱରରେ ହୋଇଥିଲେ ହେଁ ସ୍ବାମୀ ଯେହେତୁ ଦିଲ୍ଲୀରେ ରହି ବ୍ୟବସାୟ କରୁଥିଲେ, ତେଣୁ ମୋତେ ଦିଲ୍ଲୀରେ ଯାଇ ରହିବାକୁ ପଡ଼ିଲା। ତା’ପରେ ପୁଅ ଜନ୍ମ ନେଲା। ସାଂସାରିକ ଜଞ୍ଜାଳ ଭିତରେ ଧୀରେ ଧୀରେ ବାନ୍ଧି ହୋଇଗଲି। ପୁଅକୁ ୩ ବର୍ଷ ହେବା ପରେ ସ୍ବାମୀ ଦିଲ୍ଲୀ ବ୍ୟବସାୟକୁ ବନ୍ଦ କରି ବାଲେଶ୍ୱରରେ ଅଟୋ ମୋବାଇଲ୍‌ ବ୍ୟବସାୟ ଆରମ୍ଭ କଲେ, ଯାହାର ଡାଇରେକ୍ଟର ଭାବେ ଦାୟିତ୍ୱ ମୋତେ ବୁଝିବାକୁ ଦେଲେ। ଦୀର୍ଘ ୨୦ ବର୍ଷ ଏହି ଦାୟିତ୍ୱ ସମ୍ଭାଳିଥିଲି। ତା’ପରେ ମୋ ଶାଶୁ ମୋତେ ଏକ ନୂଆ ଦାୟିତ୍ୱ ଦେଲେ। ଶାଶୁ ଡା.ରାଧା ଦେବୀ ଓ ଶ୍ୱଶୁର ଡ.ଶ୍ୟାମସୁନ୍ଦର ମହାପାତ୍ରଙ୍କ ମିଳିତ ପ୍ରଚେଷ୍ଟାରେ ୧୯୬୧ ମସିହାରୁ ‘ଯୁଗନାରୀ’ ନାମରେ ଏକ ମାସିକ ନାରୀ ପତ୍ରିକା ପ୍ରକାଶ ପାଇଆସୁଥିଲା, ଯାହା ପରବର୍ତ୍ତୀ ସମୟରେ ଆର୍‌ଏନ୍‌ଆଇ ରେଜିଷ୍ଟ୍ରେଶନ ପାଇ ‘ଯୁଗଶ୍ରୀ ଯୁଗନାରୀ’ ନାମରେ ନାମିତ ହୋଇଥିଲା। ଆଉ ଯାହାର ପ୍ରକାଶିକା ଓ ସମ୍ପାଦିକା ଥିଲେ ମୋ ଶାଶୁ। ଦେହ ଖରାପ ହେବାରୁ ୨୦୦୫ରେ ସେ ମୋତେ ପ୍ରକାଶିକା ଓ କାର୍ଯ୍ୟକାରୀ ସମ୍ପାଦିକାର ଦାୟିତ୍ୱ ଦେଲେ। ୨୦୦୮ ମେ ୩୧ରେ ଏହି ମହୀୟସୀ ନାରୀଙ୍କର ଦେହାନ୍ତ ହେବା ପରେ ଜୁନ୍‌ରୁ ମୁଁ ଏହି ପତ୍ରିକାର ସମ୍ପାଦିକା ଦାୟିତ୍ୱ ମଧ୍ୟ ତୁଲାଉଅଛି। ପ୍ରତିଭା ସମ୍ପନ୍ନ ମହିଳାମାନଙ୍କର ସଫଳତାର କାହାଣୀକୁ ପାଠକଙ୍କ ନିକଟରେ ପହଞ୍ଚାଇବା ସହ ବିବିଧ ଦିଗରେ ସେମାନଙ୍କର କିପରି ଜ୍ଞାନବୃଦ୍ଧି ହୋଇପାରିବ, ତାହା ହେଉଛି ଏହି ପ୍ରତିକାର ମୂଳ ଲକ୍ଷ୍ୟ। ପତ୍ରିକାର ସମ୍ପୂର୍ଣ୍ଣ ଦାୟିତ୍ୱ ବୁଝିବା ସହ ୨୦୧୦ ମସିହାରୁ ‘ଜାଗୃତି’ ନାମରେ ଏକ ମାନବସେବା ଅନୁଷ୍ଠାନ ପ୍ରତିଷ୍ଠା କରି ଅନେକ ସମାଜମଙ୍ଗଳ କାମରେ ମଧ୍ୟ ନିଜକୁ ସାମିଲ କରିପାରିଛି। ଏଥିସହିତ ନୀତିଦିନ ସମାଜରେ ଘଟୁଥିବା ବିଭିନ୍ନ ଘଟଣାବଳୀ ତଥା ଲିଙ୍ଗଗତ ଭେଦଭାବକୁ ନେଇ ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ଅନେକ ସେମିନାର୍‌ ପ୍ରେଜେଣ୍ଟେଶନ କରି ବହୁ ସମ୍ମାନିତ ଓ ପ୍ରଶଂସିତ ମଧ୍ୟ ହୋଇଛି। ତେବେ ମୁଖ୍ୟ କଥା ହେଉଛି, ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଦାୟିତ୍ୱ ନେଇ ହୁଏତ ମୁଁ ଅନେକ ସମ୍ମାନ ପାଇବା ସହ ରୋଜଗାର କରିଥାଇପାରେ, କିନ୍ତୁ ପିଲାଦିନେ ମୋ ଜେଜେବାପାଙ୍କଠାରୁ ସ୍ନେହରେ ପାଉଥିବା ମାତ୍ର ୫ ପଇସାର ମୂଲ୍ୟ ଆଗରେ ଏସବୁ କିଛି ଫିକା ଲାଗେ। ରାଉରକେଲାରେ ଥିଲାବେଳେ ଜେଜେବାପା ଯେତେବେଳେ ବି ଆସନ୍ତି, ମୋତେ ୫ ପଇସା ଦେଇଥାନ୍ତି। କାରଣ ମୁଁ ସେତେବେଳେ କେବଳ ୫ ପଇସାକୁ ଭଲ ଭାବେ ଚିହ୍ନିଥାଏ। ଆଉ ଯେତେ ପଇସା ଦେଲେ ବି ନିଏ ନାହିଁ। ଆଉ ତାଙ୍କଠାରୁ ପାଉଥିବା ସବୁ ୫ ପଇସାକୁ ମୁଁ ମୋ ମାଟିଘଡିରେ ସାଇତି ରଖେ। ଦୁର୍ଭାଗ୍ୟ ଖୁବ୍‌ କମ୍‌ ଦିନ ଭିତରେ ମୋ ଜେଜେବାପା ଆରପାରିକୁ ଚାଲିଗଲେ। ତାଙ୍କ ମୃତ୍ୟୁ ପରେ ମୁଁ ତାଙ୍କୁ ବହୁତ ଝୁରି ଥିଲି। ସମସ୍ତେ କହୁଥିଲେ ସେ କୁଆଡ଼େ ଆକାଶରେ ତାରା ହୋଇଯାଇଛନ୍ତି। ତେଣୁ ଦିନେ ମନଦୁଃଖରେ ମୋ ବୋଉଙ୍କୁ ନେଇ ସେହି ୫ ପଇସା ଭର୍ତ୍ତି ହୋଇଥିବା ମାଟିଘଡ଼ିକୁ ଦେଇଦେଲି ଆଉ କହିଲି, ମୋ ଜେଜେବାପା ତ ମୋ ପାଖେ ନାହାନ୍ତି ୟାକୁ ରଖି ଆଉ କ’ଣ କରିବି। ସତରେ ସେହି ୫ ପଇସା ହିଁ ଥିଲା ମୋର ପ୍ରଥମ ଆଉ ପ୍ରକୃତ ରୋଜଗାର।
-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏକମାତ୍ର ନଦୀ, ଯାହାର ବାଲିରୁ ମିଳେ ସୁନା! ଓଡ଼ିଶାରେ ବି ବୋହୁଛି…

ନୂଆଦିଲ୍‌ଲୀ,୨୬।୯: ଭାରତରେ ନଦୀଗୁଡ଼ିକୁ କେବଳ ଜଳର ଉତ୍ସ ଭାବେ ଗ୍ରହଣ କରାଯାଏ ନାହିଁ, ବରଂ ଦେଶର ଅର୍ଥନୀତି ଏବଂ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ଏଗୁଡ଼ିକର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?