ସିମ୍ପାଜି ଗବେଷିକା

ଖେଳରେ ମାତି ରହିବା ସକାଶେ ମାତାପିତା ସାଧାରଣତଃ ପିଲାଙ୍କୁ ଟେଡି ବିୟର ବା ଭାଲୁ କଣ୍ଢେଇ ଦେଇଥାଆନ୍ତି। କିନ୍ତୁ ଛୁଆଟିଏ ଥିବା ବେଳେ ବାପା ତାଙ୍କୁ ସିମ୍ପାଜି କଣ୍ଢେଇ ବା ବଣମଣିଷର ଚିତ୍ରସଂଲଗ୍ନ ଖେଳଣା ‘ଜୁବ୍‌ଲି’ ଉପହାର ଦେଇଥିଲେ। ସେତିକିରେ ସନ୍ତୁଷ୍ଟ ହୋଇ ଜୁବ୍‌ଲି ସହ ଖେଳିବା ଆରମ୍ଭ କରିଥିବା ଶିଶୁକନ୍ୟା ଜେନ୍‌ ଗୁଡ୍‌ଅଲ୍‌ ବିଶ୍ୱର ଅନ୍ୟତମ ପ୍ରକୃତି ବିଜ୍ଞାନୀ ପାଲଟି ଯାଇଛନ୍ତି। ସିମ୍ପାଜିଙ୍କ ଉପରେ ଦୀର୍ଘବର୍ଷର ଗବେଷଣା ଓ ଅନୁଧ୍ୟାନ କରି ସେ ଯେଉଁ ତଥ୍ୟ ବିଶ୍ୱବାସୀଙ୍କ ଆଗରେ ଉପସ୍ଥାପିତ କରିଛନ୍ତି, ତାହା ଆଗାମୀ ପିଢ଼ି ପାଇଁ ବୃହତ୍‌ ଦସ୍ତାବିଜ୍‌ରେ ପରିଣତ ହୋଇଛି। ସେହି ଦିଗରେ ଜୀବନବ୍ୟାପୀ କାର୍ଯ୍ୟ ଲାଗି ସେ ୨୦୨୧ ଟେମ୍ପଲଟନ୍‌ ପୁରସ୍କାର ପାଇବାକୁ ଯୋଗ୍ୟ ହୋଇଛନ୍ତି। ପ୍ରକୃତି ସହ ମାନବଜାତି ଓ ତାହାର ଉଦ୍ଦେଶ୍ୟ ସଂକ୍ରାନ୍ତ ରହସ୍ୟକୁ ଉନ୍ମୋଚନ କରି ଜନହିତକର କାର୍ଯ୍ୟରେ ମନୋନିବେଶ କରୁଥିବା ବ୍ୟକ୍ତିଙ୍କୁ ପ୍ରତିବର୍ଷ ଏହି ସମ୍ମାନ ପ୍ରଦାନ କରାଯାଇ ଆସୁଛି। ଉଲ୍ଲେଖଯୋଗ୍ୟ ଯେ, ଆମେରିକା ଜନ୍ମିତ ବ୍ରିଟିଶ ନିବେଶକାରୀ, ଟେମ୍ପଲଟନ୍‌ ଗ୍ରୋଥ୍‌ ଫଣ୍ଡ୍‌ର ପ୍ରବର୍ତ୍ତକ ତଥା ଜନହିତକାରୀ ଜନ୍‌ ଟେମ୍ପଲ୍‌ଟନ୍‌ଙ୍କ ଦ୍ୱାରା ପ୍ରତିଷ୍ଠିତ ପୁରସ୍କାର ୧୯୭୩ ମସିହାରେ ପ୍ରଥମେ ସେବାର ମୂର୍ତ୍ତିମନ୍ତ ପ୍ରତୀକ ମଦର ଟେରେସାଙ୍କୁ ପ୍ରଦାନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହାର ପରିସର ବୃଦ୍ଧି ପାଇ ଗବେଷଣା କିମ୍ବା ଆଧ୍ୟାତ୍ମିକ ବାସ୍ତବତା ଆଡ଼କୁ ଯାଇ ନୂଆ ଚିନ୍ତା ସୃଷ୍ଟି କରିପାରୁଥିବା ବ୍ୟକ୍ତିବିଶେଷଙ୍କୁ ପ୍ରଦାନ କରାଯାଇଆସୁଛି। ଏହି ପୁରସ୍କାର ଲାଗି ଅର୍ଥରାଶି ୧.୧ ମିଲିୟନ ପାଉଣ୍ଡ୍‌ ଷ୍ଟର୍ଲିଂ ରଖାଯାଇଛି। ପଶୁଙ୍କ ବୁଦ୍ଧି ଓ ମାନବଜାତି ସହ ସମ୍ପର୍କ ଉପରେ ଜେନ୍‌ ଅଧ୍ୟୟନ କରି ଆସିଛନ୍ତି। ୧୯୬୦ ଦଶକରେ ତାଞ୍ଜାନିଆର ସିମ୍ପାଜିଙ୍କଠାରୁ ତାଙ୍କ ଗବେଷଣା ଜୀବନ ଆରମ୍ଭ ହୋଇଥିଲା।
ଲଣ୍ଡନର ହାମ୍ପଷ୍ଟିଡ୍‌ଠାରେ ୧୯୩୪ରେ ଭାଲେରି ଜେନ୍‌ ମୋରିସ୍‌ ଗୁଡ୍‌ଅଲ୍‌ ଜନ୍ମଗ୍ରହଣ କରିଥିଲେ। ପିତା ଥିଲେ ବ୍ୟବସାୟୀ ମୋର୍ଟିମେର୍‌ ହର୍ବର୍ଟ ମୋରିସ୍‌-ଗୁଡ୍‌ଅଲ୍‌ ଓ ମାତା ଔପନ୍ୟାସିକା ମାର୍ଗାରେଟ୍‌ ମାଇଁଫାନ୍‌ଓ୍ବି ଯୋଶେଫ୍‌। ପରିବାର ବୋର୍ଣ୍ଣେମାଉଥ୍‌କୁ ଯିବା ପରେ ସେଠାକାର ଏକ ସ୍କୁଲରେ ଜେନ୍‌ ଗୁଡ୍‌ଅଲ୍‌ଙ୍କ ପଢ଼ା ଆରମ୍ଭ ହୋଇଥିଲା। ପିଲାଟି ବେଳେ ପିତା ଉପହାର ଦେଇଥିବା ଜୁବ୍‌ଲିକୁ ନେଇ ତାଙ୍କ ମନରେ ସର୍ବଦା ଅନେକ ପ୍ରଶ୍ନ ଉଙ୍କିମାରୁଥାଏ। ୧୯୫୭ରେ କେନିୟା ହାଏଲାଣ୍ଡ୍‌ରେ ଥିବା ତାଙ୍କ ବନ୍ଧୁଙ୍କ ଫାର୍ମକୁ ସେ ବୁଲିଯାଇଥିଲେ। ସେହିଠାରେ ସେ ପ୍ରାଣୀମାନଙ୍କ ପ୍ରେମରେ ପଡ଼ିଯାଇଥିଲେ ଓ ସେକ୍ରେଟାରି ଭାବେ କାର୍ଯ୍ୟ କରିଥିଲେ। ତେବେ ସିମ୍ପାଜି ଉପରେ ଗବେଷଣା କରିବା ତାଙ୍କ ମୂଳଲକ୍ଷ୍ୟ ଥିବାରୁ ସେହି ସୁଯୋଗ ଅପେକ୍ଷାରେ ଥିଲେ। ଶେଷରେ ତାଙ୍କୁ ତାଞ୍ଜାନିଆର ଓଲ୍‌ଡୁଭାଏ ଜର୍ଜ ଅଞ୍ଚଳରେ ଥିବା ସିମ୍ପାଜି ଉପରେ କାମ କରିବାର ସ୍ବାଧୀନ ଦାୟିତ୍ୱ ମିଳିଥିଲା। ଜେନ୍‌ ଏଭଳି ଏକ କ୍ଷେତ୍ରରେ ଗବେଷଣା କ୍ୟାରିୟର ବାଛିିବା ଦିଗରେ ତାଙ୍କ ମାତା ତାଙ୍କୁ ପୂର୍ଣ୍ଣ ସହାୟତା କରିଥିଲେ। ୧୯୫୮ରେ ତାଙ୍କୁ ପୁଣି ଲଣ୍ଡନ ଫେରିଆସି ପଢ଼ା ଜାରି ରଖିବାକୁ କୁହାଯାଇଥିଲା। ପରେ ସେ ତାଞ୍ଜାନିଆ ଯାଇ ସିମ୍ପାଜିଙ୍କ ବୁଦ୍ଧି ଓ ମଣିଷ ସହ ସମ୍ପର୍କକୁ ତନ୍ନତନ୍ନ କରି ଅଧ୍ୟୟନ କରିଥିଲେ। ସେତେବେଳେ ଏହି ଦିଗ ଉପରେ କେବଳ ପୁରୁଷମାନେ ଗବେଷଣା କରୁଥିଲେ। ଜେନ୍‌ ସେହି ଚିନ୍ତାଧାରା ଭାଙ୍ଗି ଯେତେବେଳେ ଆଗକୁ ବଢ଼ିଚାଲିଲେ ପରିବର୍ତ୍ତୀ ସମୟରେ ଝିଅମାନେ ତାଙ୍କ ପଦାଙ୍କ ଅନୁସରଣ କରିଥିଲେ। ସୂଚନା ଦିଆଯାଇପାରେ ଯେ, ୧୯୬୨ ବେଳକୁ ସିମ୍ପାଜି ଉପରେ ପୂର୍ଣ୍ଣ ଗବେଷଣା କରିବା ଲାଗି ପାଠ ଯଥେଷ୍ଟ ନ ଥିବାରୁ ସେ କେମ୍ପ୍ରିଜ୍‌ର ନ୍ୟୁନ୍‌ହାମ୍‌ କଲେଜକୁ ଗଲେ ଓ ସେଠାରୁ ବିଏ ଡିଗ୍ରୀ ଅର୍ଜନ କରିଥିଲେ। ପରବର୍ତ୍ତୀ ସମୟରେ କେମ୍ପ୍ରିଜ୍‌ର ଡାରଓ୍ବିନ୍‌ କଲେଜରୁ ଇଥୋଲେଜି (ଲୋକନୀତି ଶାସ୍ତ୍ର)ରେ ପିଏଚ୍‌ଡି କରିଥିଲେ।
ଦୀର୍ଘ ୬୦ ବର୍ଷ ସିମ୍ପାଜିଙ୍କ ଉପରେ ଅଧ୍ୟୟନ କରିଥିବା ଜେନ୍‌ଙ୍କର ଅନ୍ୟତମ ପ୍ରିୟ ପ୍ରାଣୀ କୁକୁର। ପଶୁ ଓ ମଣିଷର ସମ୍ବନ୍ଧ ଉପରେ ଗବେଷଣା କରିଥିବା ଜେନ୍‌ଙ୍କ ଦୁର୍ବଳତା ଆଧ୍ୟାତ୍ମିକତା ଆଡ଼କୁ ଅନେକ ଢଳିଛି। ଖ୍ରୀଷ୍ଟିଆନ୍‌ ପରିବାରରେ ଜନ୍ମିତ ଜେନ୍‌ ରାତିରେ ଥିଓସୋଫି ବା ବ୍ରହ୍ମବିଦ୍ୟା ଉପରେ ଅନର୍ଗଳ ବକ୍ତୃତା ଦେଇ ଅସଂଖ୍ୟ ପ୍ରଶଂସକ ମଧ୍ୟ ସାଉଁଟିଛନ୍ତି। ତାଙ୍କ ସାମଗ୍ରିକ ଜୀବନକୁ ଅନୁଧ୍ୟାନ କରି ଟେମ୍ପଲ୍‌ଟନ୍‌ ପୁରସ୍କାର ଲାଗି ତାଙ୍କ ନାମ ମନୋନୀତ କରିଯାଇଥିବା ବିଚାରକମଣ୍ଡଳୀ କହିଛନ୍ତି।

-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

ତଥ୍ୟ ଅସୁରକ୍ଷିତ

ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ବାରମ୍ବାର ଅପବ୍ୟବହାର କରାଯାଉଥିବାରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ହୋଇଆସୁଛି। ବିଶେଷକରି ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିଥିବାରୁ ତଥ୍ୟକୁ ନେଇ ସର୍ବଦା…

ଏଇ ଭାରତରେ

ଉତ୍ତରାଖଣ୍ଡର ଦୁର୍ଗମ ପାହାଡ଼ିଆ ଅଞ୍ଚଳର ପିଲାମାନେ ସ୍କୁଲ ଯାଉ ନ ଥିବା ଲକ୍ଷ୍ୟ କରିଥିଲେ ଶ୍ରେୟା ରାଓ୍ବତ। ସ୍କୁଲ ବେଶି ଦୂରରେ ଥିବାରୁ, ଜଳବାୟୁ ଜନିତ ବିପର୍ଯ୍ୟୟ…

ପ୍ରଶ୍ନ ଏକ, ଉତ୍ତର ଅନେକ

ରାଜ୍ୟର ରାଜା ପାତ୍ର-ମନ୍ତ୍ରୀମାନଙ୍କ ସହ ରାଜଉଆସ ପରିସରରେ ଥିବା ପୋଖରୀ କୂଳରେ ବସି ରାଜ୍ୟର ହାଲ୍‌ଚାଲ୍‌ ବିଷୟରେ ଆଲୋଚନା କରୁଥାଆନ୍ତି। ସମସ୍ତ ପଦାଧିକାରୀ ନିଜ ନିଜର ପାରିବାପଣିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri