ପ୍ରତିବାଦରେ ଉପହାସ

ବିଶ୍ୱବିଖ୍ୟାତ ଔପନ୍ୟାସିକ ଚେକୋସ୍ଲୋଭାକିଆର ମିଲାନ କୁଣ୍ଡେରା ଅନେକ ବର୍ଷ ପୂର୍ବେ କହିଥିଲେ- ଯେତେବେଳେ କ୍ଷମତାରେ ଥିବା ଶକ୍ତିଶାଳୀ ଲୋକଙ୍କୁ ଦେଖି ସାଧାରଣ ନାଗରିକ ଉପହାସ କରିଥାନ୍ତି, ସେତେବେଳେ ବୁଝିବାକୁ ହେବ ଯେ ସେହି ଶାସନର ଅନ୍ତ ଆସିଯାଇଛି।
ଭାରତରେ ଦେଖାଯାଉଛି କୌଣସି ପ୍ରସଙ୍ଗକୁ ନେଇ ପ୍ରତିବାଦ କିମ୍ବା ଆନ୍ଦୋଳନ ଘଟି ବିରାଟ ରାଜନୈତିକ ରୂପ ନ ନେବା ଯାଏ ସରକାର ଘୁଞ୍ଚୁ ନାହାନ୍ତି। ଏନ୍‌ଇଇଟି ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନ ୨୫ ଜୁଲାଇରେ ଇସ୍ତଫା ଦେବା ପରେ ଉପରଲିଖିତ ଅନୁମାନ ସିଦ୍ଧ ହେଲା। କକ୍‌ରୋଚ ଜନତା ପାର୍ଟି (ସିଜେପି) ୩୬ ଦିନ ଧରି ନୂଆଦିଲ୍ଲୀର ଯନ୍ତରମନ୍ତରରେ ବିପ୍ଳବାତ୍ମକ ଆନ୍ଦୋଳନ କରି ନ ଥିଲେ କେନ୍ଦ୍ର ସରକାର ଯୁବଶକ୍ତି ଆଗରେ ମୁଣ୍ଡ ନୁଆଁଇ ନ ଥାଆନ୍ତେ। ଛାତ୍ର ଓ ଯୁବ ଆନ୍ଦୋଳନକାରୀ ହକ୍‌ ପାଇଁ ରାସ୍ତାକୁ ଓହ୍ଲାଇଲା ପରେ ଭାରତରେ ସାଧାରଣରେ ଗୋଟେ ପ୍ରାଥମିକ ପ୍ରତିକ୍ରିୟା ହୋଇଥିଲା ଯେ, ଏ ଦେଶ ନେପାଳ ନୁହେଁ। କିନ୍ତୁ ଯୁବଶକ୍ତି ଯେ ସର୍ବଦା ପରିବର୍ତ୍ତନର ସଙ୍କେତ ଦେଇଥାଆନ୍ତି ତାହା ଧର୍ମେନ୍ଦ୍ରଙ୍କ ଇସ୍ତଫା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଦାବିକୁ ସରକାର ମାନି ନେବା ପରେ ଦେଶବ୍ୟାପୀ ଉତ୍ସାହ ଜନ୍ମିଛି। ମନେହେଉଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ଭାଜପା ସରକାର ସମସ୍ତଙ୍କୁ ଦଳିଚକଟି ଶାସନ ଗାଦିରେ ସ୍ଥାୟୀ ହୋଇ ବସିରହିବେ। ଏହି ଦେଶର ଶିକ୍ଷିତ ପିଲାମାନେ ସେଭଳି ଭ୍ରାନ୍ତ ଧାରଣାକୁ ଧୂଳିସାତ୍‌ କରିଦେଲେ। ଦୀର୍ଘବର୍ଷ କ୍ଷମତାରେ ରହିଲା ପରେ ଶାସକ ବର୍ଗ ଚାହିଁଥାଆନ୍ତି ସବୁକିଛି ଚାପି ଦେଇହେବ। ସେଥିପାଇଁ ବହୁ ଅନ୍ୟାୟ, ଅନୀତି ଓ ଦୁର୍ନୀତି ଲୋକଲୋଚନକୁ ଆସି ନ ଥାଏ। ଯୁବଶକ୍ତି ମାତିଲେ ଯେ ବଡ଼ ଓଲଟପାଲଟ କରିଦିଅନ୍ତି, ସମ୍ଭବତଃ ତାହା ବର୍ତ୍ତମାନର କେନ୍ଦ୍ର ସରକାରଙ୍କ ମଙ୍ଗ ଧରିଥିବା ବ୍ୟକ୍ତିମାନେ ପ୍ରତ୍ୟକ୍ଷ ଅନୁଭବ କରିଥିବେ।
କେନ୍ଦ୍ରରେ ଦୀର୍ଘ ୧୨ ବର୍ଷ ଧରି ସରକାରରେ ରହିଆସିଥିବା ଭାଜପା ଧର୍ମ, ଜାତିକୁ ନେଇ ଖୁବ୍‌ ରାଜନୀତି କଲା। ପରେ ନାଗରିକ ଓ ଭୋଟରଙ୍କ ସଂଜ୍ଞା ନିରୂପଣ ପାଇଁ ଯଥାକ୍ରମେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଓ ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଆଣି ନିର୍ବାଚନରେ ସଫଳତା ହାସଲ କଲା। ଡିଲିମିଟେଶନ ବା ସୀମା ପୁନଃନିର୍ଦ୍ଧାରଣ କରି ଉତ୍ତର ଭାରତରୁ ଲୋକ ସଭାକୁ ଅଧିକ ଆସନ କରାଇଦେବା ଲାଗି ପ୍ରଚେଷ୍ଟା ଆରମ୍ଭ କରିଛନ୍ତି। ବିବାଦ, ବିଭାଜନ, ମତଭେଦ ସୃଷ୍ଟି କରି ଅଧିକ ସମୟ ଗାଦିରେ କିଭଳି ବସିହେବ ସେହି ଫନ୍ଦିଫିକରରେ ମାତିବା ଦ୍ୱାରା ଶୀର୍ଷ ନେତୃତ୍ୱ ଦେଶର ବ୍ୟବସ୍ଥାଗତ ଉନ୍ନତି ଓ ସଂସ୍କାରକୁ ପଛରେ ପକାଇଦେଲେ। ଦେଶବାସୀଙ୍କ ଆଗରେ ଗୋଟେ ବ୍ୟାଖ୍ୟାନ ସୃଷ୍ଟି କରାଗଲା ସ୍ଥିର ସରକାର ହିଁ ବିକାଶ ଦେଇପାରିବ। ଏପରିକି କେନ୍ଦ୍ର-ରାଜ୍ୟ ସମ୍ପର୍କ ବୃଦ୍ଧି କେବଳ ଡବଲ ଇଞ୍ଜିନ ସରକାର ଦ୍ୱାରା ସମ୍ଭବ ବୋଲି ସ୍ଲୋଗାନ ଦିଆଗଲା। ‘ଗୋଠ ମାତିଲେ ଖଣ୍ଡିଆ ମାତେ’ ନ୍ୟାୟରେ ଅନେକ ନାଗରିକ ନେତାଙ୍କ କଥାରେ ଭଳିଯାଇ ସେହିମାନଙ୍କୁ ବାରମ୍ବାର ଭୋଟ ଦେବାରେ ଲାଗିଲେ। ସେହି ଧରଣର ନାଗରିକ ବୁଝିବାରେ ଅକ୍ଷମ ଥିଲେ ଯେ, ଦେଶର ସ୍ଥିରତା ଓ ବ୍ୟବସ୍ଥାଗତ ଉନ୍ନତି କୌଣସି ରାଜନୈତିକ ଦଳର ସ୍ଥିରତାକୁ ବୁଝାଏ ନାହିଁ। ଏହି ସମୟରେ ଶାସକବର୍ଗ ଶିକ୍ଷା, ସ୍ବାସ୍ଥ୍ୟଠାରୁ ଆରମ୍ଭ କରି ଅନ୍ୟାନ୍ୟ ମୌଳିକ ଭିତ୍ତିଭୂମିରେ ଉନ୍ନତି ଆଣିବାକୁ ଏକରକମ ପାସୋରି ଗଲେ। ଅନେକ ଲକ୍ଷ ଯୁବତୀଯୁବକ କର୍ମସଂସ୍ଥାନ ନ ପାଇବା, ସାଧାରଣ କୃଷକର ଉନ୍ନତି ନ ହେବା, ଦେଶର ବହୁ ଭିତ୍ତିଭୂମି ବିକାଶର ଦାୟିତ୍ୱ ହାତଗଣତି ଘରୋଇ କମ୍ପାନୀ ଉପରେ ସଅଁପି ଦିଆଯିବା ବିଷୟ ଦେଶବାସୀ ଜାଣିବାକୁ ପାଉଥିଲେ ମଧ୍ୟ ଜାକିଜୁକି ହୋଇ ରହୁଥିଲେ। ଫଳରେ ସରକାର ଜନସାଧାରଣଙ୍କ ଭାବନା ସହ ଖେଳିବାକୁ ଆରମ୍ଭ କରିଥିଲେ। ମାତ୍ର ଦେଶ ରାଜଧାନୀର ଛାତି ଉପରେ ଯୁବବର୍ଗଙ୍କ ଆନ୍ଦୋଳନ ବର୍ତ୍ତମାନ ସବୁକିଛି ଦୋହଲାଇ ଦେଲା। ଯେଉଁ ଉତ୍ତର ଭାରତକୁ ଅସ୍ତ୍ର କରି ବର୍ତ୍ତମାନର କେନ୍ଦ୍ର ସରକାର ନିର୍ବାଚନ ଜିତି କ୍ଷମତା ଆରୋହଣର ସ୍ବପ୍ନ ଦେଖିଥିଲେ, ସେହି ହିନ୍ଦୀଭାଷୀ ଅଞ୍ଚଳରୁ ହିଁ ବିରୋଧର ସ୍ବର ତୀବ୍ର ହୋଇଥିବା ଲକ୍ଷ୍ୟ କରାଯାଇଛି। ସେଥିପାଇଁ ଡିଲିମିଟେଶନ କରାଯାଇ ଉତ୍ତର ଭାରତରେ ଲୋକ ସଭା ଆସନ ବୃଦ୍ଧି ପାଇଲେ ତାହା ମୋଦି ଓ ତାଙ୍କ ଦଳକୁ କେତେଦୂର ସହାୟକ ହେବ ଏବେ କହିବା ସହଜ ନୁହେଁ।
ଏଠାରେ ସ୍ମରଣ କରାଯାଇପାରେ ଯେ, ୟୁପିଏ ସରକାର ଅମଳରେ ହୋଇଥିବା ବହୁ ଦୁର୍ନୀତି ଓ ଆର୍ଥିକ ଅନିୟମିତତା ନେଇ ଅନେକ ସମାଲୋଚନା ହୋଇଥିଲା। କିନ୍ତୁ ୨୦୧୨ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ଘଟଣା ପରେ ଦେଶବ୍ୟାପୀ ଯେଉଁ ଯୁବ ପ୍ରତିବାଦ ଦେଖାଦେଇଥିଲା ସେବେଠାରୁ କଂଗ୍ରେସ ଓ ତା’ର ସହଯୋଗୀମାନେ ପୁନଃ କ୍ଷମତାକୁ ଫେରିପାରୁନାହାନ୍ତି। ଏହାର ଏକମାତ୍ର କାରଣ ହେଲା ଯୁବବର୍ଗ ସେତେବେଳେ ରାସ୍ତାକୁ ଓହ୍ଲାଇ ସେମାନଙ୍କ ଶକ୍ତି ପ୍ରଦର୍ଶନ କରିବା ସହ ଦେଶବାସୀଙ୍କ ବିବେକକୁ ଦୋହଲାଇ ଦେଇଥିଲେ। ଏବର ସ୍ଥିତି ଦେଖିଲେ ଦୀର୍ଘ ୧୨ ବର୍ଷର କେନ୍ଦ୍ର ସରକାରଙ୍କ ଅହଂକାରକୁ ଯୁବ ଆନ୍ଦୋଳନକାରୀମାନେ ଅତି ସହଜରେ ଭାଙ୍ଗିଦେଲେ। ଭାଜପାର ଚାଲ୍‌ଗୁଡ଼ିକୁ ସମସ୍ତେ ଜାଣିଗଲେଣି। ପ୍ରତିବାଦ କରୁଥିବା ପିଲାମାନେ ପ୍ରଥମେ ଚାଇନା, ତା’ପରେ ଆମେରିକା ଓ ଶେଷରେ ପାକିସ୍ତାନଠାରୁ ସାହାଯ୍ୟ ପାଇଛନ୍ତି ବୋଲି କୁହାଗଲା। କୃଷକ ଆନ୍ଦୋଳନ ବେଳେ ଶିଖ୍‌ମାନଙ୍କୁ ଯେଉଁଭଳି ଖଲିସ୍ତାନୀ ଆଖ୍ୟା ଦିଆଯାଇଥିଲା, ଏବେ ସେହିଭଳି ଦେଶର ଯୁବଶକ୍ତିକୁ ଦେଶବିରୋଧୀ ବୋଲି ନାମ ଦେବାର ଚେଷ୍ଟା କରାଯାଇଥିଲା। ସରକାର ତାଙ୍କ ପୋଲିସ ଓ ସାଦା ପୋଷାକଧାରୀ ଗୁଣ୍ଡା ପଠାଇ ପିଲାମାନଙ୍କୁ ନିର୍ମମ ମାଡ଼ ମାରି ଦମନ କରିବାକୁ ଚେଷ୍ଟା କଲେ। ପ୍ରତିବାଦ କରୁଥିବା ଝିଅପୁଅ ଅନେକ ହଜାର ସଂଖ୍ୟକ ଭିଡିଓ ଉଠାଇ ପୋଲିସର ଅତ୍ୟାଚାରକୁ ଯେଉଁଭଳି ସାମାଜିକ ଗଣମାଧ୍ୟମରେ ପକାଇଲେ ତାହା ସାଧାରଣ ଭାରତୀୟଙ୍କୁ ବ୍ୟଥିତ କଲା। ଅବଶ୍ୟ ଓଡ଼ିଶାବାସୀ ଏହିଭଳି ଜାତୀୟ ପରିବର୍ତ୍ତନଠାରୁ ସର୍ବଦା ଦୂରେଇ ରହିଥାନ୍ତି ଏବଂ ସେଥିପାଇଁ କଷ୍ଟ ମଧ୍ୟ ପାଇଆସୁଛନ୍ତି। ଏହି ଯୁବଗୋଷ୍ଠୀ ପାଖରେ କୌଣସି ଟେଲିଭିଜନ ଭଳି ପାରମ୍ପରିକ ଗଣମାଧ୍ୟମ ପହଞ୍ଚେ ନାହିଁ ବୋଲି ଖୋଦ୍‌ ପ୍ରଧାନମନ୍ତ୍ରୀ ମୋଦି ବୁଝିପାରିଲେ। ବାଧ୍ୟହୋଇ, ପିଲାଙ୍କ ଭଳି, ସେଲ୍‌ଫି ଭାବେ ନିଜର ବକ୍ତବ୍ୟ ଇନ୍‌ଷ୍ଟାଗ୍ରାମରେ ଦେବାକୁ ମୋଦି ବାଧ୍ୟ ହେଲେ। ଗୋଟିଏପଟେ ପ୍ରଧାନମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ପ୍ରମାଣ କରିଦେଲା ଯେ, ଟେଲିଭିଜନ ଗଣମାଧ୍ୟମର ଭାରତରେ ପତନ ଆରମ୍ଭ ହୋଇଗଲା। ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କୁ ଯେଉଁ ଅତ୍ୟଧିକ ମାତ୍ରାରେ କୌତୂହଳପୂର୍ଣ୍ଣ ମନ୍ତବ୍ୟ ଦେଇ ଦେଶର ପିଲାମାନେ ଥଟ୍ଟା ତାମସା କରିବାକୁ ଆରମ୍ଭ କଲେ ସେଥିରେ ସରକାର ବିଚଳିତ ହୋଇ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ସହ ଅନ୍ୟ ସବୁ ଦାବି ମାନିନେଲେ।
ଯୁବପିଢ଼ିର ସଫଳତାକୁ ଖୋଲାମନରେ ସ୍ବୀକାର କରିବା ଦରକାର। ଅନ୍ୟପଟେ ଅବସୋସ ରହୁଛି ଏକ ଗଣତାନ୍ତ୍ରିକ ଦେଶରେ ଆମ ପିଲାମାନଙ୍କୁ ଆମେ କାହିଁକି ରାସ୍ତାକୁ ଯିବା ପାଇଁ ସବୁବେଳେ ବାଧ୍ୟ କରୁଛେ। ଯଦି ପ୍ରତ୍ୟେକ ୫ ବର୍ଷରେ ଶାସକ ଦଳର ପରିବର୍ତ୍ତନ ଘଟୁଥାନ୍ତା, ତେବେ ନୀତି ସହିତ ନେତାର ପରିବର୍ତ୍ତନ ଘଟୁଥାନ୍ତା। ତା’ହେଲେ ଗଣତନ୍ତ୍ର ଓ ନ୍ୟାୟ ବ୍ୟବସ୍ଥା ସୁରକ୍ଷିତ ରହିପାରନ୍ତା। ଯେତେବେଳେ ଗୋଟେ ସରକାର ନିଜ ନାଗରିକଙ୍କୁ ଯେନତେନ ପ୍ରକାରେଣ ଦମନ କରିବାକୁ ଲାଗିବ, ସେତେବେଳେ ବୁଝିଯିବା ଦରକାର ଯେ ବ୍ୟବସ୍ଥା ବିଗିଡ଼ିଗଲାଣି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…

ଭୁବନେଶ୍ୱର,୧୦ା୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୟୁଏଇର ପର୍ଯ୍ୟଟନ ମନ୍ତ୍ରୀ ତଥା ଅନ୍ତର୍ଜାତୀୟ ବିନିଯୋଗ ପରିଷଦର ଅଧ୍ୟକ୍ଷ ଅବ୍‌ଦୁଲ୍ଲା ବିନ ତୌକ ଅଲ ମାରିଙ୍କ ସହ ବୈଠକ…

WHOରୁ ଇସ୍ତଫା ଦେଲେ ଶେଖ୍‌ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…

ଢାକା,୧୦ା୯: ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ଝିଅ ସାଇମା ଓ୍ବାଜେଦ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO)ର ଦକ୍ଷିଣ-ପୂର୍ବ ଏସିଆ କ୍ଷେତ୍ରୀୟ ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି।…

ସଂଗଠନରେ ବଡ଼ ଅଦଳବଦଳ: ୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା: ଓଡ଼ିଶାର ଏହି ନେତାଙ୍କୁ ମିଳିଲା…

ନୂଆଦିଲ୍ଲୀ,୧୦।୯: ଭାରତୀୟ ଜନତା ପାର୍ଟି (ଭାଜପା) ସଂଗଠନକୁ ଆହୁରି ସୁଦୃଢ଼ କରିବା ପାଇଁ ୭ଟି ମୋର୍ଚ୍ଚାର ପ୍ରଭାରୀଙ୍କ ନାମ ଘୋଷଣା କରିଛି। ଏଥିରେ ଓଡ଼ିଶାର ବରିଷ୍ଠ ନେତା…

ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୧୦।୯: ପ୍ରଜ୍ଞା (PRAGYA)ର କାର୍ଯ୍ୟ ଏବେ ବିଦ୍ୟୁତ ଉତ୍ପାଦନ କରିବା ନୁହେଁ। ଏହା ଏକ ପ୍ରକାରର ପରୀକ୍ଷଣ ଯନ୍ତ୍ର (ଟେଷ୍ଟ ମେସିନ), ଯାହା ଉପରେ କମ୍ପାନୀ କ୍ରମାଗତ…

ଯୁକ୍ତ୨ରେ ଯୋଡ଼ିହେଲା ୨ ନୂଆ ଧନ୍ଦାମୂଳକ ପାଠ୍ୟକ୍ରମ

ଭୁବନେଶ୍ୱର,୧୦ା୯(ସୁଚିସ୍ମିତା ସାହୁ): ରାଜ୍ୟର ଯୁକ୍ତ୨ ଶିକ୍ଷା ବ୍ୟବସ୍ଥାରେ ଛାତ୍ରୀଛାତ୍ରଙ୍କ ପାଇଁ ଆଉ ଦୁଇଟି ନୂଆ ଧନ୍ଦାମୂଳକ ପାଠ୍ୟକ୍ରମ ସାମିଲ କରାଯାଇଛି। ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ…

୬ଷ୍ଠ ଶ୍ରେଣୀ ପିଲାଙ୍କୁ ତ୍ରିଭାଷା ନୀତିରେ କୋହଳ କର : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୦।୯: ସିବିଏସ୍‌ଇର ତ୍ରିଭାଷା ନୀତିକୁ ନେଇ ଚାଲିଥିବା ମାମଲାରେ ସୁପ୍ରିମକୋର୍ଟ ଚଳିତ ଶିକ୍ଷାବର୍ଷ ପାଇଁ ୬ଷ୍ଠ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ଏହି ନୀତିରୁ ବାଦ୍‌ ଦେବାକୁ ବିଚାର…

୧୧,୯୩୩ ଛୁଇଁବ ଡାକ୍ତର ସଂଖ୍ୟା, ଖୁବ୍‌ଶୀଘ୍ର ୮୨୨ ଡାକ୍ତରଙ୍କୁ ମୁଖ୍ୟମନ୍ତ୍ରୀ ବାଣ୍ଟିବେ ନିଯୁକ୍ତିପତ୍ର

ଭୁବନେଶ୍ୱର୧୦,ା୯(ରବିନାରାୟଣ ଜେନା): ରାଜ୍ୟରେ ରୋଗୀସେବାକୁ ତ୍ୱରାନ୍ୱିତ କରିବା ଦିଗରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନିଯୁକ୍ତିର ନିହାତି ଆବଶ୍ୟକତା ରହିଛି। ଅନେକ ସମୟରେ ଡାକ୍ତରଙ୍କ ଅଭାବକୁ ନେଇ ବିରୋଧୀଙ୍କ…

ମାର୍ବଲ୍ ମନ୍ଦିରର ଉତ୍ଥାନ

ମାର୍ୱଲ ମନ୍ଦିରଗୁଡ଼ିକୁ ଦେଖିଲେ ପ୍ରଥମେ ଏହା ଚାରିପାଖର ପରିବେଶ ନଜରକୁ ଆସେ। ଭିକ୍ଟୋରିଆନ୍‌ ଶୈଳୀର ଲନ୍‌, ମୋଗଲ ଆମୋଦପ୍ରମୋଦ ବଗିଚାର ଭ୍ରମ ସୃଷ୍ଟି କରୁଥିବା ଝରଣା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri