ନୂଆଦିଲ୍ଲୀ,୨୯।୧୦: ଭାରତୀୟ ରେଳବାଇ ଏବେ କୋରିୟର କମ୍ପାନୀଗୁଡ଼ିକ ଭଳି ଘରୁ ପାର୍ସଲ ସଂଗ୍ରହ କରିବା ଏବଂ ତାହାକୁ ସିଧାସଳଖ ଆପଣଙ୍କ ଦିଆଯାଇଥିବା ଠିକଣାରେ ପହଞ୍ଚାଇବା ପାଇଁ ପ୍ରସ୍ତୁତି କରୁଛି। ଗ୍ରାହକମାନେ ରେଳବାଇର ମୋବାଇଲ ଆପ ମାଧ୍ୟମରେ ବୁକିଂ ଏବଂ ଅନଲାଇନ ପେମେଣ୍ଟ କରିପାରିବେ। ଏହା ଘରୋଇ କୋରିୟର କମ୍ପାନୀଗୁଡ଼ିକ ତୁଳନାରେ ବହୁତ ଶସ୍ତା ହେବ। ଏହାଦ୍ୱାରା କ୍ଷୁଦ୍ର ବ୍ୟବସାୟୀ ଏବଂ ଅନଲାଇନ କ୍ରେତାମାନେ ମଧ୍ୟ ଲାଭବାନ ହେବେ। ଆପଣଙ୍କୁ ଆଉ ରେଳ ଷ୍ଟେସନକୁ ଯାଇ ସାମଗ୍ରୀ ବୁକିଂ କରିବା କିମ୍ୱା ତାହାକୁ ନେବା-ଆଣିବା କରିବାର ଝଞ୍ଜଟ ସହିବାକୁ ପଡ଼ିବ ନାହିଁ। ରେଳବାଇ ଘରୁ ହିଁ ଆପଣଙ୍କ ପାର୍ସଲ ପିକ-ଅପ କରି ର୍ନିଦ୍ଦିଷ୍ଟ ସମୟ ମଧ୍ୟରେ ପହଞ୍ଚାଇବ।
ଏହି ଯୋଜନାର ପାଇଲଟ ପ୍ରୋଜେକ୍ଟ ସଫଳ ହୋଇଛି। ଏବେ ଏହି ସେବା ଦିଲ୍ଲୀ, ମୁମ୍ୱାଇ ସମେତ ଦେଶର ଆଠଟି ସହରରେ ଆରମ୍ଭ ହେବ। ଏଥିରେ କୋଲକାତା, ଚେନ୍ନାଇ, ଅହମଦାବାଦ, ହାଇଦ୍ରାବାଦ, ବେଙ୍ଗାଲୁରୁ ଏବଂ ପୁଣେ ମଧ୍ୟ ସାମିଲ ରହିଛି। ରେଳବାଇ ଏଥିପାଇଁ “ରେଲ ପାର୍ସଲ ଆପ – ଘରୁ ଘର ପର୍ଯ୍ୟନ୍ତ” ପ୍ରସ୍ତୁତ କରିଛି। ଏହାକୁ ଘରୋଇ କୁରିୟର କମ୍ପାନୀଗୁଡ଼ିକର ଅନଲାଇନ ପ୍ଲାଟଫର୍ମ ଭଳି ଡିଜାଇନ କରାଯାଇଛି। ଏହା ଗ୍ରାହକମାନଙ୍କୁ ସିଧାସଳଖ ସାମଗ୍ରୀ ପରିବହନ କରୁଥିବା କମ୍ପାନୀଗୁଡ଼ିକ ସହିତ ଯୋଡ଼ିବ। ଗ୍ରାହକମାନେ ଆପ ମାଧ୍ୟମରେ ହିଁ ବୁକିଂ କରି ଅନଲାଇନ ଦେୟ ପ୍ରଦାନ କରିପାରିବେ। ଫଳରେ ପାର୍ସଲ ଧରି ଷ୍ଟେସନକୁ ଯିବା କିମ୍ୱା ପୁରୁଣା ପଦ୍ଧତିରେ ଫର୍ମ ପୂରଣ କରିବାର ଝମେଲା ରହିବ ନାହିଁ।
ରେଳ ପାର୍ସଲର ଏହି ସୁବିଧାରେ କମ୍ପାନୀଗୁଡ଼ିକ ପ୍ରଥମେ ଗ୍ରାହକଙ୍କ ଘରୁ ସାମଗ୍ରୀ ସଂଗ୍ରହ କରିବେ ଏବଂ ବୁକିଂ ହୋଇଥିବା ରେଳ ଷ୍ଟେସନକୁ ନେବେ। ସେଠାରୁ ରେଳବାଇ ଟ୍ରେନ ମାଧ୍ୟମରେ ସାମଗ୍ରୀକୁ ଗନ୍ତବ୍ୟ ଷ୍ଟେସନ ପର୍ଯ୍ୟନ୍ତ ପହଞ୍ଚାଇବ। ଏହା ପରେ ସେହି ଷ୍ଟେସନରୁ ଅନ୍ୟ ଏକ କୁରିୟର କମ୍ପାନୀ ସାମଗ୍ରୀକୁ ର୍ନିଦ୍ଦିଷ୍ଟ ଠିକଣାରେ ଡେଲିଭର କରିବ। ଉଦାହରଣ ସୱରୂପ, ଯଦି ଆପଣ ଦିଲ୍ଲୀରୁ କାନପୁର ପାଇଁ ସାମଗ୍ରୀ ବୁକ କରିଛନ୍ତି, ତେବେ କମ୍ପାନୀ ଆପଣଙ୍କ ଘରୁ ସାମଗ୍ରୀ ନେଇ ନୂଆଦିଲ୍ଲୀ ରେଳ ଷ୍ଟେସନକୁ ଆଣିବ। ସେଠାରୁ ଟ୍ରେନ ଯୋଗେ ସାମଗ୍ରୀ କାନପୁରରେ ପହଞ୍ଚିବ। କାନପୁରରେ କମ୍ପାନୀ ସେଠାରୁ ର୍ନିଦ୍ଦିଷ୍ଟ ଠିକଣାରେ ତାହାକୁ ପହଞ୍ଚାଇବ। ଲଜିଷ୍ଟିକ୍ସ କମ୍ପାନୀ ଗ୍ରାହକଙ୍କ ସାମଗ୍ରୀର ପ୍ୟାକେଜିଂ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଯତ୍ନ ମଧ୍ୟ ନେବ।
ପାର୍ସଲ ବୁକିଂ ୧୫ ଦିନ ପୂର୍ୱରୁ କରିବାକୁ ହେବ। ଟ୍ରେନ ଛାଡ଼ିବାର ୧୫ ଦିନ ପୂର୍ୱରୁ ଏହି ବୁକିଂ ପ୍ରକ୍ରିୟା ଆରମ୍ଭ ହେବ। ଗ୍ରାହକମାନେ ଟ୍ରେନ ଛାଡ଼ିବାର ୨୪ ଘଣ୍ଟା ପୂର୍ୱ ପର୍ଯ୍ୟନ୍ତ ବୁକିଂ କରିପାରିବେ। ସେହିପରି ଲଜିଷ୍ଟିକ୍ସ କମ୍ପାନୀକୁ ଟ୍ରେନ ଛାଡ଼ିବାର ଗୋଟିଏ ଘଣ୍ଟା ପୂର୍ୱରୁ ରେଳ କର୍ମଚାରୀଙ୍କୁ ପାର୍ସଲ ହସ୍ତାନ୍ତର କରିବାକୁ ପଡ଼ିବ।

