ପୁରୁଷୋତ୍ତମପୁର,୨୯ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲ ଅଞ୍ଚଳରେ ଲଗାଣ ବର୍ଷା ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିଦେଇଛି। ଗତ ୩ ଦିନ ହେବ କ୍ରମାଗତ ଭାବେ ଲାଗିରହିଥିବା ପ୍ରବଳ ବର୍ଷା ଫଳରେ ଅଞ୍ଚଳର ନଦୀନାଳ ଫୁଲିଉଠିଛି ଏବଂ ବହୁ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଛି। ଏହାର ପ୍ରଭାବରେ ପୁରୁଷୋତ୍ତମପୁର ସହର ସମେତ ଆସୁଲି, ହାଣ୍ଡିଘର, ପ୍ରତାପପୁର, ଜଳେଶ୍ୱରଖଣ୍ଡି ଆଦି ବିଭିନ୍ନ ଗ୍ରାମରେ ବର୍ଷା ଓ ବନ୍ୟା ପାଣି ପଶିଯାଇ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।
ଘରଦ୍ୱାର ଏବଂ ରାସ୍ତାଘାଟରେ ଅଣ୍ଟାଏ ପାଣି ଜମି ରହିଥିବାରୁ ଲୋକେ ନାନା ହଇରାଣ ହରକତ ହେଉଛନ୍ତି। ବହୁ ଲୋକଙ୍କ ଘର ଭିତରକୁ ପାଣି ପଶିଯିବାରୁ ସେମାନଙ୍କର ଖାଦ୍ୟପେୟ ଏବଂ ଦୈନନ୍ଦିନ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଜଳମଗ୍ନ ରାସ୍ତାଘାଟ ଯୋଗୁ ପୁରୁଷୋତ୍ତମପୁର ସହର ସହ ବିଭିନ୍ନ ଗ୍ରାମାଞ୍ଚଳର ଯାତାୟାତ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି। ସାଧାରଣ ଲୋକେ ଘରୁ ବାହାରିବା ଅସମ୍ଭବ ହୋଇପଡ଼ିଛି।
ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ବିଶେଷ ଭାବେ ପ୍ରଭାବିତ ହୋଇଥିବା ହାଣ୍ଡିଘର ଗ୍ରାମରେ ଅଗ୍ନିଶମ ବାହିନୀ ପକ୍ଷରୁ ବୋଟ୍ ମାଧ୍ୟମରେ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରିରହିଛି। ପାଣିରେ ଘେରି ରହିଥିବା ଅସହାୟ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।
ସ୍ଥାନୀୟ ପ୍ରଶାସନ ପକ୍ଷରୁ ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ଉପରେ କ୍ରମାଗତ ନଜର ରଖାଯାଇଛି। ଲଗାଣ ବର୍ଷା ଯାହାକି ଆଗକୁ ମଧ୍ୟ ଜାରି ରହିପାରେ, ତାହାକୁ ନେଇ ସାଧାରଣରେ ଆଶଙ୍କା ଦେଖାଦେଇଛି। ପ୍ରଭାବିତ ଲୋକଙ୍କୁ ଶୁଖିଲା ଖାଦ୍ୟ ଓ ଜରୁରୀ ସହାୟତା ଯାଗାଇଦେବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।

