ଭାରତରେ କେବଳ ଜଣେ କୃଷ୍ଣ ନାହାନ୍ତି, ଅନେକ କୃଷ୍ଣ ଅଛନ୍ତି। ପ୍ରତ୍ୟେକ ଅଞ୍ଚଳ, ଭାଷା, ସାମାଜିକ ବର୍ଗ ଓ ଐତିହାସିକ ସମୟର ଦୃଷ୍ଟିକୋଣ କୃଷ୍ଣଙ୍କ ସ୍ବରୂପ ଓ ମହତ୍ତ୍ୱକୁ ଉପସ୍ଥାପନ କରିଛି। ମଧ୍ୟଯୁଗୀୟ ଭକ୍ତମାର୍ଗର ସନ୍ଥମାନେ କୃଷ୍ଣଙ୍କୁ ପୂଜାକରିବା ସହ କବିତା, ସଙ୍ଗୀତ, ଦର୍ଶନ, ନାଟକ ଏବଂ ରୀତିନୀତି ମାଧ୍ୟମରେ ତାଙ୍କୁ ନୂଆ ରୂପ ଦେଇଥିଲେ। କୃଷ୍ଣଙ୍କର ବିଭିନ୍ନ ସ୍ବରୂପ ସେହି ସମୟର ସ୍ଥାନୀୟ ସାମାଜିକ ଚିନ୍ତା, ରାଜନୈତିକ ଚାପ, ଜାତିଗତ ବୁଝାମଣା, ଲିଙ୍ଗଗତ ଆଦର୍ଶ ଏବଂ ଆଧ୍ୟାତ୍ମିକ ଆକାଂକ୍ଷାକୁ ପ୍ରତିଫଳିତକରେ । ମହାରାଷ୍ଟ୍ରରେ ଚକ୍ରଧର ସ୍ବାମୀ (୧୧୯୪-୧୨୭୪ ଖ୍ରୀଷ୍ଟାବ୍ଦ) ବୋଧହୁଏ କୃଷ୍ଣଙ୍କର ସବୁଠାରୁ ସରଳ ଓ ନିରାଡ଼ମ୍ବର ସ୍ବରୂପ ଉପସ୍ଥାପନ କରିଥିଲେ। ମହାନୁଭାବ ବା ମାନୋଭବ ପରମ୍ପରାର ପ୍ରତିଷ୍ଠାତା ଏହି ହିନ୍ଦୁ ଦାର୍ଶନିକ ଲୋକପ୍ରିୟ ଭକ୍ତିର ଚପଳ ଓ ପ୍ରେମମୟ କୃଷ୍ଣଙ୍କୁ ସ୍ବୀକାରକରି ନ ଥିଲେ। ସ୍ବାମୀଙ୍କ ଦୃଷ୍ଟିରେ କୃଷ୍ଣ ଥିଲେ ଐତିହାସିକ ମାନବ ଅବତାର, ସିଦ୍ଧ ଯୋଗୀ ଏବଂ କଠୋର ନୈତିକ ଆଦର୍ଶର ଦେବତା। ଏହାସହ ସେ ରାଧା, ଗୋପୀ ଏବଂ ରାସଲୀଳାକୁ ମୂଳ ଧାର୍ମିକ ଶିକ୍ଷାର ବିକୃତି ବୋଲି କହି ପ୍ରତ୍ୟାଖ୍ୟାନ କରିଥିଲେ। ଏହି ଦୃଷ୍ଟିକୋଣରେ କୃଷ୍ଣ ଥିଲେ ଜଣେ ଗମ୍ଭୀର ଓ ଶୃଙ୍ଖଳିତ ଦେବତା। ତାଙ୍କ ପ୍ରତି ଭକ୍ତିର ଅର୍ଥ ଥିଲା ଆଜ୍ଞାବହତା, ନୈତିକ କଠୋରତା, ବ୍ରହ୍ମଚର୍ଯ୍ୟ ଏବଂ ମାନସିକ ସଂଯମ। ରାଜନୈତିକ ଅସ୍ଥିରତା ଏବଂ ସାମାଜିକ ପରିବର୍ତ୍ତନ ସମୟରେ ତ୍ୟାଗ, ଇଚ୍ଛା ଉପରେ ନିୟନ୍ତ୍ରଣ ଏବଂ ଆଭ୍ୟନ୍ତରୀଣ ଶୃଙ୍ଖଳାକୁ ଗୁରୁତ୍ୱ ଦେଉଥିବା ଏକ ସମୁଦାୟ ପାଇଁ କୃଷ୍ଣଙ୍କର ଏହି ରୂପ ସମ୍ପୂର୍ଣ୍ଣ ଉପଯୁକ୍ତ ଥିଲା।
ଏହାର ଗୋଟିଏ ପିଢ଼ି ପରେ ମରାଠୀ ସନ୍ଥ-କବି ଦ୍ୟାନେଶ୍ୱର(ଜ୍ଞାନେଶ୍ୱର ଭାବେ ଜଣାଶୁଣା)(୧୨୭୫-୧୨୯୬ ଖ୍ରୀଷ୍ଟାବ୍ଦ) କୃଷ୍ଣଙ୍କୁ ସମ୍ପୂର୍ଣ୍ଣ ଭିନ୍ନ ରୂପରେ ପରିକଳ୍ପନା କରିଥିଲେ। ‘ଜ୍ଞାନେଶ୍ୱରୀ’ ପୁସ୍ତକରେ କୃଷ୍ଣ ବ୍ରହ୍ମାଣ୍ଡ ଚେତନା ଏବଂ ଜଣେ ସରଳ ମାର୍ଗଦର୍ଶକ ସାଜିଛନ୍ତି। ସେ ମଧ୍ୟ ଅନ୍ତରଙ୍ଗ ସାଥୀ ଏବଂ ଆଧ୍ୟାତ୍ମିକ ତତ୍ତ୍ୱ ଭାବେ ନିଜକୁ ପ୍ରତିପାଦିତ କରିଛନ୍ତି। ଏଠାରେ ସଗୁଣ (ସାକାର) ଏବଂ ନିର୍ଗୁୁଣ (ନିରାକାର) ମଧ୍ୟରେ ପ୍ରଭେଦ ନାହିଁ। କୃଷ୍ଣଙ୍କ ଏହି ସ୍ବରୂପ କଠୋର ନିୟମ ଅପେକ୍ଷା ଆଧ୍ୟାତ୍ମିକ ଅନୁଭୂତି ଓ କାବ୍ୟମୟ ଦର୍ଶନକୁ ଅଧିକ ଗୁରୁତ୍ୱ ଦେଉଥିବା ଏକ ସଂସାରକୁ ପ୍ରତିଫଳିତ କରେ।
ଆସାମରେ ଶ୍ରୀମନ୍ତ ଶଙ୍କରଦେବ (ଖ୍ରୀଷ୍ଟାବ୍ଦ ୧୪୪୯-୧୫୬୮) କୃଷ୍ଣଙ୍କୁ ସାର୍ବଭୌମତ୍ୱ ଏବଂ ନୈତିକ ଶୃଙ୍ଖଳାର ପ୍ରତୀକ ଭାବେ ଗଢ଼ିଥିଲେ। ଏହି ପ୍ରତିଭାସମ୍ପନ୍ନ ସନ୍ଥଙ୍କ ‘ଏକ-ଶରଣ-ନାମ-ଧର୍ମ’ ମାର୍ଗ ଏକମାତ୍ର ସର୍ବୋଚ୍ଚ ଭଗବାନ୍ଙ୍କ ନିକଟରେ ଆତ୍ମସମର୍ପଣ ଉପରେ ଗୁରୁତ୍ୱ ଦେଇଥିଲା। ଏଠାରେ କୃଷ୍ଣ ମୁଖ୍ୟତଃ ବିଷ୍ଣୁ-ନାରାୟଣ, ଅର୍ଥାତ୍ ବ୍ରହ୍ମାଣ୍ଡର ଶାସକ ଏବଂ ସୃଷ୍ଟିକର୍ତ୍ତା। ରାଧା ଏଠାରେ ଗୌଣ ଏବଂ ରାସଲୀଳା ସଂଯମପୂର୍ଣ୍ଣ। ଏହି ପରମ୍ପରାର ଲକ୍ଷ୍ୟ ହେଉଛି ନୈତିକ ଶୃଙ୍ଖଳା ଏବଂ ସାମାଜିକ ସଂସ୍କାର। ଶଙ୍କରଦେବଙ୍କ କୃଷ୍ଣ ବିଶେଷକରି ମଠ, ନାଟକ, ସଙ୍ଗୀତ ଏବଂ ନୃତ୍ୟ ମାଧ୍ୟମରେ ଅସମୀୟ ସାଂସ୍କୃତିକ ପରିଚୟ ସୃଷ୍ଟି କରିବାରେ ସାହାଯ୍ୟ କରିଥିଲେ ଏବଂ ଜନଜାତି ବିବିଧତା ଏବଂ ରାଜନୈତିକ ଅସ୍ଥିରତାପୂର୍ଣ୍ଣ ସୀମାନ୍ତ ଅଞ୍ଚଳକୁ ସ୍ଥିରତା ପ୍ରଦାନ କରିଥିଲେ।
ବେଙ୍ଗଲ (ବଙ୍ଗଳା)ରେ ସନ୍ଥ ଚୈତନ୍ୟ ମହାପ୍ରଭୁ (ଖ୍ରୀଷ୍ଟାବ୍ଦ ୧୪୮୬-୧୫୩୪)କୃଷ୍ଣ ଭକ୍ତିର ସର୍ବୋଚ୍ଚ ଭାବପ୍ରବଣ ପରମ୍ପରା ସୃଷ୍ଟି କରିଥିଲେ। ଏଠାରେ କୃଷ୍ଣ ହେଉଛନ୍ତି ବୃନ୍ଦାବନର ପ୍ରିୟତମ ପ୍ରେମିକ । ତାଙ୍କୁ ବ୍ୟାକୁଳତା, ବିରହ, ଲୁହ, ଉନ୍ମାଦଭରା ସଂକୀର୍ତ୍ତନ ଏବଂ ଭାବବହ୍ବଳତା ମାଧ୍ୟମରେ ଅନୁଭବ କରାଯାଏ। ଏହି ପରମ୍ପରାରେ ରାଧା କେନ୍ଦ୍ରବିନ୍ଦୁରେ ରହନ୍ତିି ଏବଂ ବ୍ରହ୍ମାଣ୍ଡର ଈଶ୍ୱର ବିଷ୍ଣୁ ପଛରେ ରହିଥାନ୍ତି। ଏଠାରେ ‘ମାଧୁର୍ଯ୍ୟ ଭାବ’ ବା ପ୍ରେମମୟ ରହସ୍ୟବାଦର ପ୍ରାଧାନ୍ୟ ରହିଛି, ଯେଉଁଠି ଭକ୍ତି ହେଉଛି ଦିବ୍ୟ ଭାବାବେଗ ଏବଂ ମୋକ୍ଷ ହେଉଛି ଈଶ୍ୱରଙ୍କ ସହ ଭାବଗତ ମିଳନ। ଏହି କୃଷ୍ଣ ସ୍ବରୂପ ବଙ୍ଗଳାର ସବୁଜ କୃଷିଭିତ୍ତିକ ପରିବେଶ, ସଙ୍ଗୀତ ସଂସ୍କୃତି ଏବଂ ଗଭୀର ଭାବପ୍ରବଣ ଅଭିବ୍ୟକ୍ତିରୁ ଆବିର୍ଭୂତ ହୋଇଥିଲେ, ଯହା ଧର୍ମତତ୍ତ୍ୱକୁ ଏକ ସୌନ୍ଦର୍ଯ୍ୟମୟ ଆଧ୍ୟାତ୍ମିକ ଅନୁଭୂତିରେ ପରିଣତ କରିଥିଲା।
ଚୈତନ୍ୟ ମହାପ୍ରଭୁଙ୍କ ବହୁ ପୂର୍ବରୁ ତାମିଲ ଆଲ୍ଭାର୍ସ ସନ୍ଥମାନେ (ଖ୍ରୀଷ୍ଟାବ୍ଦ ୬୦୦-୯୦୦) ଭାବପ୍ରବଣ କୃଷ୍ଣ ସ୍ବରୂପ ସୃଷ୍ଟି କରିସାରିଥିଲେ। ନିଜ କବିତାରେ ପ୍ରିୟତମଙ୍କୁ ପାଇବା ପାଇଁ ବ୍ୟାକୁଳ ନାରୀମାନଙ୍କ ସ୍ବରରେ କବିତା ଲେଖି ସେମାନେ କୃଷ୍ଣଙ୍କୁ ଏକାସଙ୍ଗେ ପ୍ରେମିକ, ଶିଶୁ, ରାଜା ଏବଂ ବ୍ରହ୍ମାଣ୍ଡର ଈଶ୍ୱର ଭାବରେ ଚିତ୍ରଣ କରିଥିଲେ। ଏହି ସନ୍ଥମାନେ କୃଷ୍ଣ ଭାବପ୍ରବଣତାରେ ପରିପୂର୍ଣ୍ଣ ଏବଂ ସେଠାରେ ଭକ୍ତି ଏକ ପ୍ରେମର ରଙ୍ଗମଞ୍ଚ, ଯାହା ଐଶ୍ୱରୀୟ ଓ ମାନବୀୟ ଭାବନାକୁ ପ୍ରତିଫଳିତ କରେ। ସେମାନଙ୍କ କବିତା ସମଗ୍ର ଦକ୍ଷିଣ ଭାରତରେ ମନ୍ଦିର ରୀତିନୀତି, ମୂର୍ତ୍ତିକଳା ଏବଂ ଆଧ୍ୟାତ୍ମିକ ଦର୍ଶନକୁ ନୂଆ ରୂପ ଦେଇଥିଲା। ଏହା ଏକ ଏମିତି କୃଷ୍ଣଙ୍କୁ ଗଢ଼ିଥିଲା ଯିଏ କାନ୍ଦନ୍ତି, ଲୁଚନ୍ତି, ଆକର୍ଷିତ କରନ୍ତି ଏବଂ ଛାଡ଼ି ଚାଲିଯାଆନ୍ତି ଏବଂ ଶେଷରେ ପୁଣି ଫେରିଆସନ୍ତି।
ବ୍ରଜ ଅଞ୍ଚଳରେ ଭକ୍ତିକବି ସୁରଦାସ (ଖ୍ରୀଷ୍ଟାବ୍ଦ ୧୪୭୮-୧୫୮୩) କୃଷ୍ଣଙ୍କୁ ଜଣେ ଦୁଷ୍ଟ ପିଲା ଏବଂ ସ୍ନେହୀ ଗୋପାଳ ଭାବରେ ଉପସ୍ଥାପନ କଲେ। ତାଙ୍କ କବିତା କୃଷ୍ଣଙ୍କ ବାଳ-ଲୀଳା, ମାତୃସୁଲଭ ସ୍ନେହ, ପାରିବାରିକ ନିବିଡ଼ତା ଏବଂ ଚପଳ ମନୋଭାବ ଉପରେ ଆଧାରିତ। କୃଷ୍ଣ ଲହୁଣି ଚୋରି କରନ୍ତି, ମାଠିଆ ଭାଙ୍ଗନ୍ତି, ଗୋପୀଙ୍କୁ ଚିଡ଼ାନ୍ତି ଏବଂ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରନ୍ତି। ଏଠାରେ ଶୃଙ୍ଗାର ବା ପ୍ରେମମୟ ରହସ୍ୟ ଅଛି, ଯାହା ଗଭୀର ସ୍ନେହରେ ପରିପୂର୍ଣ୍ଣ। ଭାବଗତ ଭାବରେ ଏହି କୃଷ୍ଣ ଅତ୍ୟନ୍ତ ନିକଟତର। ସେ ସନ୍ନ୍ୟାସ କିମ୍ବା ଦାର୍ଶନିକ ଜଟିଳତା ଅପେକ୍ଷା ଗୃହସ୍ଥ ଧର୍ମ ଉପରେ ଆଧାରିତ ଏକ ଭକ୍ତି ସଂସ୍କୃତି ପାଇଁ ସମ୍ପୂର୍ଣ୍ଣ ଉପଯୁକ୍ତ । ଏହା ବ୍ୟତୀତ ଗୁଜରାଟରେ ନରସିଂହ ମେହେଟ୍ଟା (ଖ୍ରୀଷ୍ଟାବ୍ଦ ୧୪୧୪-୧୪୮୧) କୃଷ୍ଣଙ୍କୁ ସାମାଜିକ ଚେତନା ସହ ଯୋଡ଼ିଥିଲେ। ତାଙ୍କ କବିତାରେ କୃଷ୍ଣ ଗରିବ ଓ ସମାଜର ଅବହେଳିତ ଲୋକଙ୍କ ପାଖରେ ଠିଆ ହୁଅନ୍ତି। ସେହି ଭଗବାନ ଚମଡ଼ା କାମ କରୁଥିବା ଶ୍ରମିକ, ବିଧବା ଏବଂ ନିଷ୍ପେଷିତଙ୍କ ଗହଣରେ ରହନ୍ତି। ଏଠାରେ ଭକ୍ତିର ଅର୍ଥ ହେଉଛି ସହାନୁଭୂତି, ନୈତିକ ଦାୟିତ୍ୱ ଓ ମାନବିକତା। ଏହି ଭକ୍ତି ପରମ୍ପରା ଜାତିଗତ ଅହଂକାର ଏବଂ ରୀତିନୀତିର ଗର୍ବକୁ ସମାଲୋଚନା କରେ। ବାଣିଜ୍ୟଭିତ୍ତିକ ଗୁଜରାଟର ବହୁ ସାଂସ୍କୃତିକ ପରିବେଶ ଓ ସାମାଜିକ ସମନ୍ବୟର ଆବଶ୍ୟକତା ଏହି କୃଷ୍ଣ ସ୍ବରୂପରେ ପ୍ରତିଫଳିତ ହୋଇଥିଲା।
ଏହି ସବୁ ପରମ୍ପରାରେ କୃଷ୍ଣ ବିଭିନ୍ନ ଭାବଗତ ଦିଗରେ ଗତି କରନ୍ତି। ପ୍ରତ୍ୟେକ କୃଷ୍ଣ ଏକ ଭିନ୍ନ ମାନବୀୟ ଆବଶ୍ୟକତାର ସମାଧାନର ବାଟ ଦେଖାନ୍ତି। ଚକ୍ରଧର ସ୍ବାମୀଙ୍କ କୃଷ୍ଣ କାମନାକୁ ନିୟନ୍ତ୍ରିତ କରନ୍ତି; ଜ୍ଞାନେଶ୍ୱରଙ୍କ କୃଷ୍ଣ ଅହଂଭାବକୁ ଶେଷ କରନ୍ତି; ଶଙ୍କରଦେବଙ୍କ କୃଷ୍ଣ ସମାଜକୁ ଶୃଙ୍ଖଳିତ କରନ୍ତି; ଚୈତନ୍ୟ ମହାପ୍ରଭୁଙ୍କ କୃଷ୍ଣ ଭାବନାକୁ ଆନ୍ଦୋଳିତ ବା ବିଭୋର କରନ୍ତି; ଆଲ୍ଭର୍ସମାନଙ୍କ କୃଷ୍ଣ ବ୍ୟାକୁଳତାକୁ ନାଟକୀୟ ରୂପ ଦିଅନ୍ତି; ସୁରଦାସଙ୍କ କୃଷ୍ଣ ସଂସାରକୁ ଆଶ୍ୱାସନା ଦିଅନ୍ତି ଏବଂ ମେହେଟ୍ଟାଙ୍କ କୃଷ୍ଣ କରୁଣା ଜାଗ୍ରତ କରନ୍ତି।
ମଧ୍ୟଯୁଗୀୟ ଭାରତର ଏହି ଅନେକ କୃଷ୍ଣ ଆମକୁ ଦେଖାଇଦିଅନ୍ତି ଯେ ଦିବ୍ୟତ୍ୱ କେବେ ବି ଏକକ ରୂପରେ ସୀମିତ କିମ୍ବା ସ୍ଥିର ନ ଥିଲା। ଈଶ୍ୱର କୌଣସି ଏକ ପରମ ସିଦ୍ଧାନ୍ତ ନ ଥିଲେ, ଯାହାକୁ ଉପରୁ ସମାଜ ଉପରେ ଲଦି ଦିଆଯାଇଥିଲା। ପ୍ରତ୍ୟେକ ସମୁଦାୟ ନିଜର ଆଶା, ସଂଘର୍ଷ ଏବଂ ସ୍ବପ୍ନକୁ ପ୍ରତିଫଳିତକରି ନିଜସ୍ବ କୃଷ୍ଣଙ୍କୁ ଗଢ଼ିଥିଲେ। ଏହି ପ୍ରକ୍ରିୟାରେ ମଧ୍ୟଯୁଗୀୟ ସନ୍ଥମାନେ ଧର୍ମତତ୍ତ୍ୱକୁ ମାନବତତ୍ତ୍ୱରେ ରୂପାନ୍ତରିତ କରିଥିଲେ। ସେମାନେ କୃଷ୍ଣଙ୍କୁ ସଂସାରରୁ ମୁକ୍ତି ପାଇବାର ମାଧ୍ୟମ ଭାବରେ ନୁହେଁ, ବରଂ ସଂସାରକୁ ଆହୁରି ଗଭୀର ଭାବରେ ବୁଝିବାର ଏକ ମାଧ୍ୟମ ଭାବରେ ଦେଖିଥିଲେ।
ଦେବଦତ୍ତ ପଟ୍ଟନାୟକ
-devduttofficial@gmail.comMi

