ଗଞ୍ଜାମ, ୫।୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପୋଇରାଶି ପଞ୍ଚାୟତ ଅନ୍ତର୍ଗତ ଭୁଆଁଭୂଇଁ ଗ୍ରାମସ୍ଥିତ ସରକାରୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ। ସୋମବାର ପୂର୍ବାହ୍ନରେ ବିଧାୟକ ବିଦ୍ୟାଳୟରେ ପହଞ୍ଚି ପ୍ରଥମେ ଛାତ୍ରୀଛାତ୍ରଙ୍କ ପାଇଁ ପ୍ରସ୍ତୁତ ହେଉଥିବା ମଧ୍ୟାହ୍ନ ଭୋଜନର ମାନ ଯାଞ୍ଚ କରିଥିଲେ। ଏଥିସହ ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟରେ ମିଳୁଥିବା ବିଭିନ୍ନ ସୁବିଧା ସମ୍ପର୍କରେ ତଦାରଖ କରିଥିଲେ। ପରିଦର୍ଶନ ସମୟରେ ବିଧାୟକ ବିଦ୍ୟାଳୟର ଭିତ୍ତିଭୂମିର ଉନ୍ନତି, ଶିକ୍ଷାଦାନର ମାନ ଏବଂ ଛାତ୍ରୀଛାତ୍ରଙ୍କ ଗୁଣାତ୍ମକ ଶିକ୍ଷା ନେଇ ଶିକ୍ଷକମାନଙ୍କ ସହ ଆଲୋଚନା କରିଥିଲେ।
ଛାତ୍ରୀଛାତ୍ରଙ୍କ ନିମନ୍ତେ ସରକାରଙ୍କ ପକ୍ଷରୁ ଆସୁଥିବା ବିଭିନ୍ନ ଯୋଜନାର ସୁଫଳ ଯେପରି ସେମାନଙ୍କ ପାଖରେ ଠିକ ଭାବେ ପହଞ୍ଚେ ଏବଂ କୌଣସି ପ୍ରକାରର ଅନିୟମିତତା ନ ହୁଏ, ସେଥିପ୍ରତି ସଚେତନ ରହିବାକୁ ବିଧାୟକ ଶିକ୍ଷକମାନଙ୍କୁ ପରାମର୍ଶ ଦେଇଥିଲେ। ବିଧାୟକଙ୍କ ଏହି ଗସ୍ତ ସମୟରେ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର, ଦୁର୍ଯ୍ୟୋଧନ ରେଡ୍ଡୀ, ବନଜ ନାୟକ ଓ ଶିକ୍ଷକ କୃଷ୍ଣ ଚନ୍ଦ୍ର ବେହେରାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
Dharitri – Odisha’s No.1 Odia Daily

