
ପାରଳାଖେମୁଣ୍ଡି,୪ା୬(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୁମ୍ମା ବ୍ଲକଠାରେ ଗତ ୩୦ ତାରିଖରେ ବଜ୍ରପାତରେ ପ୍ରାଣ ହରାଇଥିବା ବଙ୍ଗୁରୁ ଗମାଙ୍ଗଙ୍କ ପୁଅ ଅମିତ ଗମାଙ୍ଗଙ୍କ ମୃତ୍ୟୁ ଘଟିବା ସହ ତାଙ୍କର ୪ଟି ଛେଳିର ମଧ୍ୟ ମୃତ୍ୟୁ ହୋଇଥିଲା। ବିଧାୟକ ଇଂ ରୂପେଶ ପାଣିଗ୍ରାହୀ ସେହି ପରିବାରକୁ ସମବେଦନା ଜଣାଇବା ସହ ଜିଲା ପ୍ରାଣୀ ଚିକିତ୍ସାଳୟ ଅଧିକାରୀଙ୍କ ସହ କଥା ହୋଇ ଆର୍ଥିକ ସହାୟତା ପାଇଁ ଅନୁରୋଧ କରିବା ସହ ପରିବାରର ଦେଢ଼ ବର୍ଷର ପୁଅର ଭବିଷ୍ୟତ ପାଇଁ ଜିଲା ପ୍ରଶାସନକୁ ଜଣାଇଥିଲେ। ନିଜେ ମଧ୍ୟ କିଛି ଆର୍ଥିକ ସହାୟତା କରିଛନ୍ତି।
ସେହିପରି ଗୁମ୍ମା ବ୍ଲକରେ ବିଭିନ୍ନ ଦୈବୀ ଦୁର୍ବିପାକରେ ପ୍ରାଣ ହରାଇଥିବା ପରିବାରକୁ ସାକ୍ଷାତ କରିଥିଲେ। ସେରଙ୍ଗ ଖ୍ରୀଷ୍ଟିଆନ ସାହିର ମୃତ୍ୟୁଞ୍ଜୟ ପାଣିଙ୍କ ଗ୍ୟାସ୍ ଲିକ୍ ଯୋଗୁ ଶରୀରର ୮୦ ଭାଗ ପୋଡ଼ି ଯାଇଥିବାରୁ ତାଙ୍କ ସହ ସାକ୍ଷାତ କରି ଭିନ୍ନକ୍ଷମ ସାର୍ଟିଫିକେଟ୍ ଏବଂ ଆର୍ଥିକ ସହାୟତା ପାଇଁ ଜିଲା ମୁଖ୍ୟ ସ୍ବାସ୍ଥ୍ୟ ଚିକିତ୍ସା ଅଧିକାରୀଙ୍କୁ ଜଣାଇବା ସହ ନିଜେ କିଛି ଆର୍ଥିକ ସହାୟତା କରିଥିଲେ।
ସେହିପରି ହାଇଦ୍ରାବାଦଠାରେ ବିଦ୍ୟୁତ୍ ଆଘାତରେ ମୃତ୍ୟୁବରଣ କରିଥିବା ସେରଙ୍ଗ ଖ୍ରୀଷ୍ଟିୟାନ ସାହିର ସୁମେଶ ଚନ୍ଦ୍ର ଲିମାଙ୍କ ପରିବାରକୁ କିଛି ଆର୍ଥିକ ସହାୟତା କରିବା ସହ ଜିଲ୍ଲା ଶ୍ରମ ଅଧିକାରୀଙ୍କ ସହ କଥାବାର୍ତ୍ତା କରି ସେହି ଦୁଃସ୍ଥ ପରିବାରକୁ ଆର୍ଥିକ ସହାୟତା ପାଇଁ ଜଣାଇଥିଲେ।