ଓଡ଼ିଶାରେ ଦାଦନ ସମସ୍ୟା

ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗଗୁଡିକର ସମ୍ମିଳିତ ପ୍ରୟାସରେ ରାଜ୍ୟର ଦାଦନ ଶ୍ରମିକମାନଙ୍କୁ କିପରି ରାଜ୍ୟରେ ଜୀବିକା ଅର୍ଜନ କରିବା ପାଇଁ ସୁଯୋଗ ସୃଷ୍ଟି କରାଯିବ ସେଥିପାଇଁ ରାଜ୍ୟ, ବ୍ଲକ ଓ ଜିଲା ସ୍ତରରେ କମିଟି ଗଠନ କରାଯାଇ ରାଜ୍ୟର ଏଗାରଟି ଜିଲା ଯଥା ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ଗଜପତି, କନ୍ଧମାଳ, ରାୟଗଡ଼ା, ମାଲକାନଗିରି ଓ ସୁବର୍ଣ୍ଣପୁର ଜିଲାରେ ଦାଦନ ଶ୍ରମିକମାନଙ୍କୁ ଚିହ୍ନଟ କରାଯିବ ବୋଲି ରାଜ୍ୟ ସରକାର ନିର୍ଣ୍ଣୟ ନେଇଛନ୍ତି। ଦାଦନ ପରିବାରମାନଙ୍କୁ ବିଭିନ୍ନ ସରକାରୀ ଯୋଜନାର ସୁବିଧା ଦିଆଯିବା ସଙ୍ଗେ ସଙ୍ଗେ ଶ୍ରମଭିତ୍ତିକ କାର୍ଯ୍ୟକ୍ରମରେ ଜଡିତ କରାଯାଇ ବର୍ଷକୁ ୨୦୦ରୁ ୩୦୦ ଦିନ କାମ ଦିଆଯିବ ବୋଲି ରାଜ୍ୟର ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ହୋଇଛି। ଆଶ୍ଚର୍ଯ୍ୟର ବିଷୟ ସରକାର ମାଗଣା ଖାଦ୍ୟ ପଦାର୍ଥ, ବିଭିନ୍ନ ପ୍ରକାର ସବ୍‌ସିଡି, କୃଷି ଋଣ ଛାଡ ଓ ବିଭିନ୍ନ ଯୋଜନାରେ ଗରିବ ଲୋକଙ୍କ ପାଖକୁ କୋଟି କୋଟି ଟଙ୍କା ବିତରଣ କଲା ପରେ ମଧ୍ୟ ରାଜ୍ୟରୁ ଦାଦନ ଶ୍ରମିକମାନେ ଦୂର ଦୂରାନ୍ତ ରାଜ୍ୟକୁ ରୋଜଗାର ପାଇଁ ଚାଲି ଯାଉଛନ୍ତି। ଏହି ଦୁର୍ଭାଗ୍ୟପୂର୍ଣ୍ଣ ଦାଦନ ସମସ୍ୟାର ସମାଧାନ ପାଇଁ ସରକାର ବିଶେଷ ଆଲୋଚନାଚକ୍ର ନ କରି କେତେକ ସରଳ ଉପାୟ ଅବଲମ୍ବନ କରିବା ଉଚିତ।
ପ୍ରଥମେ ସରକାର ରାଜ୍ୟର ବିଭିନ୍ନ ବିକାଶ ବିଭାଗରେ ଥିବା ବରିଷ୍ଠ ଓ ଅଭିଜ୍ଞ ଅଧିକାରୀମାନଙ୍କୁ ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ଗଜପତି, କନ୍ଧମାଳ, ରାୟଗଡ଼ା, ମାଲକାନଗିରି ଓ ସୁବର୍ଣ୍ଣପୁର ଜିଲାଗୁଡିକରେ ଲମ୍ବା ସମୟ ପୋଷ୍ଟିଂ କରି ଏହି ଜିଲାଗୁଡିକର ବିକାଶ କରିବା ପାଇଁ ସମ୍ପୂର୍ଣ୍ଣ ସୁଯୋଗ ଦେବା ଉଚିତ। ଏହି ଅଭିଜ୍ଞ ଅଧିକାରୀମାନେ ଭୁବନେଶ୍ୱରରେ ରହି ଦାଦନ ପ୍ରପୀଡ଼ିତ ଜିଲାଗୁଡିକର ବିକାଶ କରିବା ସମ୍ଭବ ନୁହେଁ। ଏହି ଅଧିକାରୀମାନେ ସେମାନଙ୍କର ଅଭିଜ୍ଞତା ଓ ପାରଦର୍ଶିତା ଦେଖାଇ ଜିଲାଗୁଡିକରେ ରୋଜଗାରର ସମ୍ଭାବନା ସୃଷ୍ଟି କରିପାରିବେ।
ସରକାର ଏହି ଦାଦନ ପ୍ରପୀଡ଼ିତ ଅଞ୍ଚଳଗୁଡିକରେ ଖର୍ଚ୍ଚ ହେଉଥିବା ଧନରାଶି ଯେପରି ବାଟମାରଣା ନ ହୋଇ ପ୍ରକୃତ ପ୍ରପୀଡ଼ିତ ଲୋକଙ୍କ ପାଖରେ ପହଞ୍ଚେ ସେଥିପାଇଁ ଧ୍ୟାନକେନ୍ଦ୍ରିତ କରିବା ଉଚିତ। ଏହି ଜିଲାଗୁଡିକରେ ସରକାର ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ ସଂସ୍ଥାଗୁଡ଼ିକ ପ୍ରତି “ଜିରୋ ଟଲେରାନ୍ସ”ନୀତି ଅବଲମ୍ବନ କରିବା ଉଚିତ। ଏହି ଦାଦନ ପ୍ରପୀଡ଼ିତ ଜିଲାଗୁଡିକରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରୀ ସୁବିଧା, ବ୍ୟାଙ୍କ ଋଣ, ସ୍କୁଲ ଶିକ୍ଷା ଓ ସ୍ବାସ୍ଥ୍ୟସେବାଗୁଡିକର ଯେପରି ସଦୁପଯୋଗ ହୁଏ ସେଥିପାଇଁ ଗଣମାଧ୍ୟମ ଧ୍ୟାନ ଦେବା ଉଚିତ। ଏହି ଜିଲାଗୁଡିକରେ ଭିତ୍ତିଭୂମି ପ୍ରକଳ୍ପଗୁଡିକର ଗୁଣାତ୍ମକ ମାନର ପରୀକ୍ଷା ନିରୀକ୍ଷା କରାଯିବା ନିହାତି ଦରକାର। ଭିତ୍ତିଭୂମି ପ୍ରକଳ୍ପଗୁଡିକର ଗୁଣାତ୍ମକ ମାନକୁ ଯାଞ୍ଚ କରିବା ପାଇଁ ସେବାନିବୃତ୍ତ ଅଧିକାରୀମାନଙ୍କୁ ନିୟୋଜିତ ନ କରି ଶିକ୍ଷିତ ଯୁବପିଢିଙ୍କୁ ନିୟୋଜିତ କରିବା ଉଚିତ। ଅନେକ ସେବାନିବୃତ୍ତ ଅଧିକାରୀ କଣ୍ଟ୍ରାକଟର, ନେତା ଓ ଅସାଧୁ ଅଧିକାରୀଙ୍କ ସହିତ ମିଶି ଭିତ୍ତିଭୂମି ପ୍ରକଳ୍ପଗୁଡିକର ଯାଞ୍ଚ କରିବାରେ ତ୍ରୁଟି ରଖିଥାନ୍ତି। ଉତ୍ତମ ମାନରେ ହୋଇଥିବା ଭିତ୍ତିଭୂମି ପ୍ରକଳ୍ପଗୁଡିକ ଜିଲାଗୁଡିକରେ ରୋଜଗାର ସୃଷ୍ଟି କରି ଦାଦନ ସମସ୍ୟାକୁ ଲାଘବ କରିବ। ଜିଲାଗୁଡିକରେ ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ବହିଷ୍କାର କରାଯିବା ଦରକାର। କାରଣ ଦୁର୍ନୀତି ହିଁ ଦାଦନ ଶ୍ରମିକ ସୃଷ୍ଟି କରିଥାଏ।
ଏହି ଜିଲାଗୁଡିକରେ ସାହୁକାରମାନେ ଗରିବ ଓ ଅଶିକ୍ଷିତ ଶ୍ରେଣୀର ଲୋକମାନଙ୍କୁ ଋଣ ଜାଲରେ ପକାଇ ସେମାନଙ୍କ ଜମି ନେଇଯାଉଥିବାର ଦେଖାଯାଉଛି। ସଚ୍ଚୋଟ ଓ ଦକ୍ଷ ପୋଲିସ, ନ୍ୟାୟ ପାଳିକା, ସରକାରୀ ଅଧିକାରୀ, ବୁଦ୍ଧିଜୀବୀ ଓ ଯୁବପିଢ଼ି ଏହି ସମସ୍ୟାର ସମାଧାନ କରିପାରିବେ। ବାହାର ରାଜ୍ୟରୁ ଆସୁଥିବା ଜମି ମାଫିଆମାନେ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀମାନେ ଏହି ଜିଲାଗୁଡିକରେ ହଜାର ହଜାର ଏକର ଜମି ଦଖଲ କରିସାରିଲେଣି। ଫଳରେ ଦାଦନ ଶ୍ରମିକ ସମସ୍ୟା ଆହୁରି ତୀବ୍ରତର ହୋଇଛି। ସରକାର ଏହି ଜମି ମାଫିଆମାନଙ୍କ ପ୍ରାଦୁର୍ଭାବକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେବା ଉଚିତ।
ରାଜ୍ୟ ସରକାରଙ୍କ କୃଷି ବିଭାଗ, ପର୍ଯ୍ୟଟନ ବିଭାଗ, ଜଳଧନ ବିକାଶ ବିଭାଗ, ହସ୍ତଶିଳ୍ପ ବିକାଶ ବିଭାଗ, ଅର୍ଥ ବିଭାଗ, ପଞ୍ଚାୟତିରାଜ ବିଭାଗ ଓ ଜଙ୍ଗଲ ବିକାଶ ବିଭାଗର ଅଭିଜ୍ଞ ଅଧିକାରୀମାନେ ଏହି ଏଗାରଟି ଜିଲାରେ ଥିବା ଜଳାଶୟ, କୃଷି କ୍ଷେତ୍ର, ଫସଲ ବିବିଧତା, ପର୍ଯ୍ୟଟନ ସ୍ଥଳ, ଆଦିବାସୀମାନଙ୍କର ହସ୍ତକଳା କୌଶଳ, ବୁଣାକାରମାନଙ୍କର ସାମାଜିକ ଓ ଆର୍ଥିକ ସ୍ଥିତି, ଜଙ୍ଗଲଜାତ ଦ୍ରବ୍ୟ, ବନ୍ୟଜନ୍ତୁମାନଙ୍କର ସୁରକ୍ଷା, ତୀର୍ଥ ପର୍ଯ୍ୟଟନ ସ୍ଥଳୀ ଓ ପଶୁଧନର କିଭଳି ସୁରକ୍ଷା ଓ ବିକାଶ ହେବ ସେଥିପାଇଁ ଧ୍ୟାନକେନ୍ଦ୍ରିତ କରିବା ଉଚିତ। ଏହି ଆର୍ଥିକ ଗତିବିଧିଗୁଡିକ ଉପରେ ଏକ ଗବେଷଣାମୂଳକ ତଥ୍ୟ ପୁଞ୍ଜି ତିଆରି ହେବା ଦରକାର। ଅଧିକାରୀମାନେ ଇଣ୍ଟରନେଟ୍‌ ଡାଟା କିମ୍ବା ପୂର୍ବ ପ୍ରକାଶିତ ତଥ୍ୟ ପୁଞ୍ଜିକୁ ନକଲ ନ କରି ନିଜ ପରିଶ୍ରମରେ ଏକ ନିର୍ଭୁଲ ତଥ୍ୟ ପୁଞ୍ଜି ତିଆରି କରିବା ଦରକାର। ନିର୍ଭୁଲ ତଥ୍ୟ ପୁଞ୍ଜି ବିନା ଏହି ଜିଲାଗୁଡିକର ବିକାଶ ସମ୍ଭବ ନୁହେଁ।
ବିଡମ୍ବନାର ବିଷୟ ଏହି ଜିଲାଗୁଡିକରେ ରୋଜଗାର ପାଇଁ ଅନେକ ସମ୍ଭାବନା ଥାଇ ମଧ୍ୟ ଦାଦନ ସମସ୍ୟା ଦିନକୁ ଦିନ ବଢି ଚାଲିଛି। ଏହି ଜିଲାଗୁଡ଼ିକରୁ ହଜାର ହଜାର ସଂଖ୍ୟାରେ ଦାଦନ ବାହାର ରାଜ୍ୟକୁ ଯାଇ ଏକ ଅନିଶ୍ଚିତ ଜୀବନ ଅତିବାହିତ କରୁଛନ୍ତି। ସରକାର ସେମାନଙ୍କୁ ଉଦ୍ଧାର କରିବା ସଙ୍ଗେ ସଙ୍ଗେ ଏହି ଜିଲାଗୁଡିକରେ ଥିବା ସୂକ୍ଷ୍ମ ଆର୍ଥିକ ଗତିବିଧିଗୁଡିକୁ ସକ୍ରିୟ କରିବା ଉଚିତ। ଏଥିପାଇଁ ତୃଣମୂଳ ସ୍ତରରେ ଇଚ୍ଛାଶକ୍ତିର ଅତ୍ୟନ୍ତ ଆବଶ୍ୟକତା ଅଛି।
ଏହି ଦାଦନ ପ୍ରପୀଡ଼ିତ ଜିଲାଗୁଡିକରେ ବିଭିନ୍ନ ଋଣ ବିତରଣକାରୀ ସଂସ୍ଥା ଓ ସାହୁକାରମାନେ ଲୋକଙ୍କୁ ବାର୍ଷିକ ୬୦% ହାରରେ ଋଣ ଦେଉଥିବାର ଦେଖିବାକୁ ମିଳୁଛି। ଅତ୍ୟଧିକ ସୁଧ ହାର ଦାଦନ ସମସ୍ୟାର ଏକ ପ୍ରମୁଖ କାରଣ। ଓଡ଼ିଶା ସରକାର ଏହି ଋଣ ବିତରଣକାରୀ ସଂସ୍ଥା ଓ ସାହୁକାରମାନଙ୍କର ଉପଦ୍ରବକୁ ତୁରନ୍ତ ବନ୍ଦ କରିବା ଉଚିତ। ବ୍ୟାଙ୍କମାନେ ଋଣର ଉପଯୁକ୍ତ ବିନିଯୋଗ ପାଇଁ ଏହି ଜିଲାଗୁଡିକରେ ସ୍ବୟଂ ସହାୟକ ସଂସ୍ଥା ଓ କୃଷକ କ୍ଲବ ଅଧିକ ସଂଖ୍ୟାର କରିବା ଉଚିତ। ଏହି ସଂସ୍ଥାଗୁଡିକର ଯେପରି ରାଜନୀତୀକରଣ ନ ହୁଏ ସେଥିପାଇଁ ଧ୍ୟାନ ଦେବା ଉଚିତ। ବିଭିନ୍ନ ରାଜନୈତିକ ଦଳମାନେ ଏହି ଜିଲାଗୁଡିକରେ ନିର୍ବାଚନ ଟିକେଟ ବିତରଣ କଲାବେଳେ ପ୍ରାର୍ଥୀମାନଙ୍କର ସମାଜ, ପରିବେଶ ଓ ଆର୍ଥିକ ବିକାଶ ପ୍ରତି ଅବଦାନକୁ ଅନୁଧ୍ୟାନ କରିବା ଉଚିତ। ଦକ୍ଷ ଓ ସଚ୍ଚୋଟ ରାଜନେତା ହିଁ ଏହି ଦାଦନ ସମସ୍ୟାର ସମାଧାନ କରିପାରିବେ।

ସୁଧାଂଶୁ ରଞ୍ଜନ ଦାସ
ମୋ: ୭୭୦୨୩୮୩୮୮୦


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?