ମାନସିକ ସ୍ବାସ୍ଥ୍ୟ ଆଇନ ଓ ପୋଲିସ

ରାଜୀବ କର୍ମି

ମାନସିକ ସ୍ବାସ୍ଥ୍ୟ ଯତ୍ନ ଆଇନକୁ ଆସନ୍ତା ଏପ୍ରିଲରେ ଚାରି ବର୍ଷ ପୂରିବ। ଅନେକ ତର୍କ ବିତର୍କ ଏବଂ ବିଚାରବିମର୍ଶ ପରେ ଏହି ଆଇନ ୨୦୧୭ରେ ପ୍ରଣୟନ ହୋଇଥିଲା। ଏଥିରେ ମୁଖ୍ୟତଃ ଘରେ ରହୁଥିବା ଓ ବାହାରେ ବୁଲୁଥିବା ମାନସିକ ଅସୁସ୍ଥ ବ୍ୟକ୍ତି, କୌଣସି ଆବାସିକ ସଂସ୍ଥାରେ ରହୁଥିବା ମାନସିକ ଅସୁସ୍ଥ ବ୍ୟକ୍ତି ଏବଂ ଆଇନ ସହିତ ସାମିଲ କିମ୍ବା ଜଡ଼ିତ ଥିବା ମାନସିକ ଅସୁସ୍ଥ ବ୍ୟକ୍ତିଙ୍କ ଚିକିତ୍ସା, ସୁରକ୍ଷା ଏବଂ ଅଧିକାରକୁ ଗୁରୁତ୍ୱ ଦିଆଯାଇଛି। ଏହି ଆଇନରେ ମାନସିକ ଅସୁସ୍ଥ ବ୍ୟକ୍ତିଙ୍କ ସହିତ ତାଙ୍କ ପରିବାରର ଦାୟିତ୍ୱ ଏବଂ କର୍ତ୍ତବ୍ୟକୁ ଗୁରୁତ୍ୱ ଦେବା ସହ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ବିଭିନ୍ନ ସରକାରୀ ଅଧିକାରୀ, ପୋଲିସ ଏବଂ କୋର୍ଟଙ୍କ ଭୂମିକା ବିଷୟରେ ବିଶେଷ ଭାବରେ ଉଲ୍ଲେଖ କରାଯାଇଛି।
ପ୍ରତ୍ୟେକ ଥାନାର ଥାନା ଅଧିକାରୀ ନିଜ ଅଞ୍ଚଳରେ ବୁଲୁଥିବା ମାନସିକ ଅସୁସ୍ଥ ବ୍ୟକ୍ତି ଯିଏକି ନିଜର ଯତ୍ନ ନେବାକୁ ଅକ୍ଷମ କିମ୍ବା ଅନ୍ୟମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ହେବାର ସମ୍ଭାବନା ବୋଲି ବିଚାର କରିବେ ତାକୁ ସୁରକ୍ଷା ପ୍ରଦାନ କରିବେ। ସେ କାହିଁକି ସୁରକ୍ଷାରେ ତାଙ୍କୁ ନେଉଛନ୍ତି ତାହାର କାରଣ ସେହି ଅସୁସ୍ଥ ବ୍ୟକ୍ତିଙ୍କୁ ଜଣାଇବେ। ଯଦି ସେ ଏହା ବୁଝିବାକୁ ଅକ୍ଷମ ତେବେ ତାଙ୍କର ପରିବାର ଲୋକ କିମ୍ବା ଯତ୍ନକାରୀଙ୍କୁ ଏ ବିଷୟରେ ଅବଗତ କରାଇବେ। ସୁରକ୍ଷାରେ ନେଲା ପରେ ଅସୁସ୍ଥ ବ୍ୟକ୍ତିକୁ ୨୪ ଘଣ୍ଟାରୁ ଅଧିକ ଥାନାରେ ରଖିପାରିବେ ନାହିଁ। ଅସୁସ୍ଥ ବ୍ୟକ୍ତିଙ୍କୁ ଯାହା ବି କାରଣ ଥାଉନା କାହିଁକି ଥାନାର କାରାଗୃହରେ ରଖିପାରିବେ ନାହିଁ। ଯେତେଶୀଘ୍ର ସମ୍ଭବ ତାଙ୍କୁୁ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରକୁ ପରୀକ୍ଷା ଏବଂ ଚିକିତ୍ସା ପାଇଁ ପଠାଇବେ। ସ୍ବାସ୍ଥ୍ୟ ଅଧିକାରୀ ସ୍ଥିତି ଅନୁଯାୟୀ ମାନସିକ ଅସୁସ୍ଥ ବ୍ୟକ୍ତିର ପରୀକ୍ଷା ଏବଂ ଆଇନ ଅନୁସାରେ ଅନ୍ୟାନ୍ୟ ଆବଶ୍ୟକତାକୁ ପୂରଣ କରିବାର ଦାୟିତ୍ୱ ନେବେ। ଯଦି ସ୍ବାସ୍ଥ୍ୟ ଅଧିକାରୀ ପରୀକ୍ଷାରୁ ଜାଣିଲେ ଯେ ବ୍ୟକ୍ତିର ମାନସିକ ଅସୁସ୍ଥତା କମ୍‌ ଅଛି ଏବଂ ମାନସିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବାର ଆବଶ୍ୟକତା ନାହିଁ ତେବେ ସେ ଥାନା ଅଧିକାରୀଙ୍କୁ ଜଣାଇବେ। ଏ କ୍ଷେତ୍ରରେ ଥାନା ଅଧିକାରୀ ମାନସିକ ଅସୁସ୍ଥ ବ୍ୟକ୍ତିଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିବେ। ଯଦି ସେ ବାସହୀନ କିମ୍ବା ନିଜର କେହି ନ ଥାନ୍ତି ତେବେ ତାଙ୍କୁ ସରକାରଙ୍କ ଆବାସିକ କେନ୍ଦ୍ର କିମ୍ବା ସ୍ବଧାର ଗୃହକୁ ପଠାଇବାର ବ୍ୟବସ୍ଥା କରିବେ।
କୌଣସି ସାଧାରଣ ଲୋକଙ୍କୁ ମନେ ହେଲା ଯେ କୌଣସି ମାନସିକ ଅସୁସ୍ଥ ବ୍ୟକ୍ତିଙ୍କୁ ପରିବାର କିମ୍ବା ଯତ୍ନ ନେଉଥିବା ବ୍ୟକ୍ତି ଅବହେଳା କିମ୍ବା ନିର୍ଯାତନା ଦେଉଛନ୍ତି ତେବେ ସେ ନିକଟସ୍ଥ ଥାନାରେ ଏହାକୁ ଜଣାଇପାରିବେ। ଯଦି ଥାନା ଅଧିକାରୀ ବିଶ୍ୱାସ କରନ୍ତି ଯେ ତାଙ୍କ ଥାନା ଅଞ୍ଚଳରେ କେହି ମାନସିକ ଅସୁସ୍ଥ ବ୍ୟକ୍ତି ଅଛନ୍ତି ଏବଂ ତାଙ୍କୁ ଅବହେଳା କିମ୍ବା ନିର୍ଯାତନା ଦିଆଯାଉଛି ତେବେ ସେ ନିଜ ଅଞ୍ଚଳର କୋର୍ଟକୁ ଅବଗତ କରାଇବେ। କୋର୍ଟ ଯଦି ବିଶ୍ୱାସ କରନ୍ତି କି ମାନସିକ ଅସୁସ୍ଥ ବ୍ୟକ୍ତିର ଅବହେଳା ଏବଂ ନିର୍ଯାତନା ସତ ତେବେ କୋର୍ଟ ମାନସିକ ଅସୁସ୍ଥ ବ୍ୟକ୍ତି ଏବଂ ପରିବାରକୁ କୋର୍ଟରେ ହାଜିରା ପାଇଁ ନୋଟିସ୍‌ ଜାରି କରିବେ। ଯେକୌଣସି ମାନସିକ ଅସୁସ୍ଥ ବ୍ୟକ୍ତି କିମ୍ବା ସମ୍ଭାବ୍ୟ ଅସୁସ୍ଥ ବ୍ୟକ୍ତିଙ୍କୁ କୋର୍ଟରେ ହାଜର ପରେ କୋର୍ଟ ଲିଖିତ ଭାବରେ ମାନସିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଇନ ଅନୁସାରେ ପରୀକ୍ଷା ଏବଂ ଦରକାର ହେଲେ ଚିକିତ୍ସା ବ୍ୟବସ୍ଥା ପାଇଁ ନିର୍ଦ୍ଦେଶନାମା ଜାରି କରିବେ। ଦରକାର ହେଲେ ମାନସିକ ଅସୁସ୍ଥ ବ୍ୟକ୍ତିଙ୍କୁ଼ ଚିକିତ୍ସା ଯୋଜନା ପାଇଁ ଅନୁମତି ଦେବେ, ଯାହାକି ୧୦ ଦିନରୁ ଅଧିକ ହେବ ନାହିଁ। ଏହି ସମୟ ପୂରଣ ହେବା ପରେ ମାନସିକ ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରୀ କୋର୍ଟଙ୍କୁ ଏକ ବିବରଣୀ ପ୍ରଦାନ କରିବେ।
ଯଦି କୌଣସି ଜେଲରେ ମାନସିିକ ଅସୁସ୍ଥ ବ୍ୟକ୍ତି ଥାଆନ୍ତି ତେବେ ସେହି ଜେଲର କର୍ତ୍ତୃପକ୍ଷ ସେହି ବ୍ୟକ୍ତିଙ୍କୁ ନିଜ ଜେଲର ମାନସିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ବ୍ୟବସ୍ଥା କରିବେ। ସେହି ଜେଲରେ ଚିକିତ୍ସା ସୁବିଧା ନ ଥିଲେ ତାଙ୍କୁ ଜିଲା ମାନସିକ ସ୍ବାସ୍ଥ୍ୟ ସମୀକ୍ଷା ପରିଷଦର ଅନୁମତି ନେଇ ଅନ୍ୟ ମାନସିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇବେ। ଜେଲର ସ୍ବାସ୍ଥ୍ୟ କେନ୍ଦ୍ରରେ ଥିବା ସ୍ବାସ୍ଥ୍ୟ ଅଧିକାରୀ ମାନସିକ ଅସୁସ୍ଥ ବ୍ୟକ୍ତିଙ୍କ ଏକ ବିବରଣୀ ଉପରୋକ୍ତ ପରିଷଦକୁ ନିୟମିତ ବ୍ୟବଧାନରେ ପଠାଇବେ। ଏହି ପରିଷଦ ମଧ୍ୟ ଜେଲକୁ ବିଭିନ୍ନ ସମୟରେ ପରିଦର୍ଶନରେ ଯାଇ କୌଣସି ମାନସିକ ଅସୁସ୍ଥ ବ୍ୟକ୍ତିଙ୍କୁ ବିନା ଚିକିତ୍ସାରେ ରଖାଯାଇଛି କି ସେ ବିଷୟରେ ତଦନ୍ତ କରିବେ। ଜେଲରେ ଥିବା ମାନସିକ ଅସୁସ୍ଥଙ୍କ ମାନସିକ ସ୍ବାସ୍ଥ୍ୟର ସ୍ଥିତି ବିଷୟରେ ସ୍ବାସ୍ଥ୍ୟ ଅଧିକାରୀ ଛଅ ମାସକୁ ଥରେ ବିବରଣୀ ପ୍ରଦାନ କରିବେ। ସାମ୍ପ୍ରତିକ ଆଇନ ମୁତାବକ ରାଜ୍ୟର ଅତି କମ୍‌ରେ ଗୋଟିଏ ଜେଲରେ ମାନସିକ ଅସୁସ୍ଥମାନଙ୍କ ପାଇଁ ଚିକିତ୍ସାଳୟ ଖୋଲିବାର ବ୍ୟବସ୍ଥା ସରକାର କରିବେ।
ରାଜ୍ୟ ସରକାରଙ୍କ ପରିଚାଳିତ କୌଣସି ଆବାସିକ ସଂସ୍ଥା ଯଥା ଭିକ୍ଷୁକ ଗୃହ, ଅନାଥାଶ୍ରମ, ସ୍ବଧାର ଗୃହ ଏବଂ ଶିଶୁ ଗୃହରେ ମାନସିକ ଅସୁସ୍ଥ କିମ୍ବା ସମ୍ଭାବ୍ୟ ଅସୁସ୍ଥ ବ୍ୟକ୍ତି ଥାଆନ୍ତି ତେବେ ତାଙ୍କୁ ନିକଟସ୍ଥ ମାନସିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ପରୀକ୍ଷା ଏବଂ ଚିକିତ୍ସା ପାଇଁ ପଠାଇବାର ଦାୟିତ୍ୱ ସେହି ଅନୁଷ୍ଠାନ କର୍ତ୍ତୃପକ୍ଷଙ୍କର ରହିବ। ଯଦି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା କୌଣସି ମାନସିକ ଅସୁସ୍ଥ ବ୍ୟକ୍ତି ସ୍ବାସ୍ଥ୍ୟ କେନ୍ଦ୍ରର ବିନା ସୂଚନା କିମ୍ବା ଅନୁମତିରେ ବାହାରକୁ ଚାଲିଯାଇଛନ୍ତି ତେବେ ତାଙ୍କୁ ସୁରକ୍ଷାରେ ନେଇ ଡାକ୍ତରଖାନାକୁ ହସ୍ତାନ୍ତର କରିବାର ଦାୟିତ୍ୱ ପୋଲିସର ରହିବ। କୌଣସି କେସ୍‌ର ବିଚାର ସମୟରେ ଅଭିଯୁକ୍ତଙ୍କ ମାନସିକ ଅସୁସ୍ଥତାର ପ୍ରମାଣପତ୍ର ଅଭିଯୁକ୍ତଙ୍କ ତରଫରୁ କୋର୍ଟରେ ଦାଖଲ ଯଦି କରାଯାଏ ତେବେ କୋର୍ଟ ଏ ବିଷୟରେ ଅଧିକ ପରୀକ୍ଷା ପାଇଁ ଜିଲା ମାନସିକ ସ୍ବାସ୍ଥ୍ୟ ସମୀକ୍ଷା ପରିଷଦକୁ ପଠାଇବେ। ପରିଷଦ ଏହାକୁ ନିଜେ କିମ୍ବା ବିଶେଷଜ୍ଞ କମିଟି ଦ୍ୱାରା ପରୀକ୍ଷା କରାଇ କୋର୍ଟଙ୍କୁ ଜଣାଇବା ପରେ କୋର୍ଟ ଆଇନ ଅନୁସାରେ ପରବର୍ତ୍ତୀ ନିର୍ଦ୍ଦେଶ ଦେବେ।
ଏହି ଆଇନ ଅନୁସାରେ ମାନସିକ ଅସୁସ୍ଥ ବ୍ୟକ୍ତିମାନଙ୍କର ମୁକ୍ତ ଆଇନ ସେବା ପାଇବାର ଅଧିକାର ରହିବ। ଏଥିପାଇଁ କୋର୍ଟ, ପୋଲିସ, ସୁରକ୍ଷା ଗୃହର ଅଧିକାରୀ ଏବଂ ମାନସିକ ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଏ ବିଷୟରେ ଅସୁସ୍ଥ ବ୍ୟକ୍ତିଙ୍କୁ ଅବଗତ କରାଇବେ। ମାନସିକ ଅସୁସ୍ଥ ବ୍ୟକ୍ତିଙ୍କ ଅଧିକାରକୁ ସୁରକ୍ଷା ପ୍ରଦାନ କରିବା ନିମନ୍ତେ ଜିଲାସ୍ତରରେ ଏକ ମାନସିକ ସ୍ବାସ୍ଥ୍ୟ ସମୀକ୍ଷା ପରିଷଦ ଗଠନ କରାଯିବ, ଯାହାର ଅଧ୍ୟକ୍ଷ ସେହି ଜିଲାର ଜିଲା ନ୍ୟାୟାଧିଶ କିମ୍ବା ଅବସରପ୍ରାପ୍ତ ନ୍ୟାୟାଧିଶ କିମ୍ବା ସେହି ସ୍ତରର ଜଣେ ନ୍ୟାୟାଧିଶ ରହିବେ। ଫଳରେ ମାନସିକ ଅସୁସ୍ଥ ବ୍ୟକ୍ତି କିମ୍ବା ତାଙ୍କ ପରିବାର ମାନସିକ ସ୍ବାସ୍ଥ୍ୟ ଚିକିତ୍ସାରେ ଅବହେଳାର ଶିକାର କିମ୍ବା ଏହି ଆଇନ ମୁତାବକ କୌଣସି ଅଧିକାର ପାଉ ନାହାନ୍ତି ତେବେ ସେମାନେ ଏହି ପରିଷଦରେ ଅଭିଯୋଗ କରିପାରିବେ।
ସବୁଠାରୁ ବଡ଼କଥା ହେଲା ଚାରିବର୍ଷ ପରେ ବି ଏହି ଆଇନ ବିଷୟରେ ସବୁସ୍ତରରେ ସଚେତନତାର ଅଭାବ ରହିଛି। ଏହାର କାର୍ଯ୍ୟକାରିତାରେ ମଧ୍ୟ ବିଶେଷ କିଛି ଅଗ୍ରଗତି ହୋଇନାହିଁ। ବିଗତ ଚାରି ବର୍ଷ ଭିତରେ ଏ ବିଷୟରେ ସଚେତନ କରାଯାଇଥିଲେ, ଆଜି ପର୍ଯ୍ୟନ୍ତ ଅନେକ ମାନସିକ ଅସୁସ୍ଥ ବ୍ୟକ୍ତି ଏବଂ ପରିବାର ଉପକୃତ ହୋଇ ସାରିଥାନ୍ତେ।
ଶଗଡ଼ା, ବୌଦ୍ଧ, ମୋ- ୮୩୨୮୮୪୮୧୪୫


Enter your email to get our daily news in your inbox.

All Right Reserved By Dharitri.Com

କିଏ ପ୍ରାଣୀ କିଏ ଉଦ୍ଭିଦ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ପ୍ରାଣୀ ଓ ଉଦ୍ଭିଦ ମଧ୍ୟରେ ପ୍ରଭେଦ ରହିଛି। ପ୍ରାଣୀଙ୍କୁ ବଞ୍ଚତ୍ବା ପାଇଁ ଶକ୍ତି ଦରକାର। ଏହି ଶକ୍ତି ସେ ନିଜେ...

ଋତୁସ୍ରାବ ଓ ବାଲ୍ୟ ବିବାହ

ଘାସିରାମ ପଣ୍ଡା ଋତୁସ୍ରାବକୁ ନେଇ ସାଧାରଣରେ ବିଶେଷ ଆଲୋଚନା ହୁଏ ନାହିଁ। ପରମ୍ପରା ଓ ଧାର୍ମିକ ଧାରଣା ଦ୍ୱାରା ନିୟନ୍ତ୍ରିତ ହେବା କାରଣରୁ ଋତୁସ୍ରାବକୁ ନେଇ...

ଜନମାନସିକତା ରାଷ୍ଟ୍ରର ଶକ୍ତି

ଉପେନ୍ଦ୍ର ବିଶ୍ୱାଳ ସୋମାଲିଆ ପରି ଇଥିଓପିଆ ଥିଲା କଙ୍କାଳକାୟ ମଣିଷଙ୍କର ଭାଗ୍ୟହୀନ ଭୂମି। ଆଜି ଦୁର୍ଯୋଗ ବିରୋଧରେ ଲଢ଼େଇ କରି ଇତିହାସ ରଚୁଛି ଇଥିଓପିଆ ।...

କୁତ୍ସିତ ବୃତ୍ତି

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଏ ପୃଥିବୀରେ ଯେତେ ସର୍ଭେ କରାଯାଇଛି, ସେଥିରୁ ଜଣାପଡ଼ିଛି ଯେ ନାଳନର୍ଦ୍ଦମା ସଫାକରିବା, ବିଶେଷକରି ପ୍ରାଣୀ (ଗାଈ, ଘୁଷୁରି, କୁକୁଡ଼ା...

ଯୁବପିଢ଼ି ଓ ବିବେକାନୁସରଣ

ଜିତେନ୍ଦ୍ର କୁମାର ନାୟକ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀକୁ ଯୁବ ଦିବସ ଭାବେ ପାଳନ କରାଯାଉଛି। ଜାନୁୟାରୀ ୧୨ ଆସିଲେ ଦେଶ ଓ ବିଦେଶର ଅସଂଖ୍ୟ ସଙ୍ଗଠନ...

ରାଜନୈତିକ ବିଚାର ନା ଆତଙ୍କବାଦ

ଅନିଲ କୁମାର ବିଶ୍ୱାଳ କୋଭିଡ୍‌ ବିରୋଧରେ ସାରା ଦେଶର ଜନତା ଲଢ଼େଇ କରୁଥିବା ବେଳେ ଆଉ ଏକ ଦୁଃଖଦାୟକ ଘଟଣାରେ ସାରା ଦେଶ ସ୍ତବ୍ଧ ହୋଇଯାଇଥିଲା।...

ଏଇ ଭାରତରେ

ରାନୋଦୀପ ଶାହା। ବୟସ ୨୪। ଜୀବିକା ଅନ୍ବେଷଣରେ ନିଜେ ସଫଳ ହେବା ସହ ସାରା ଭାରତରେ ୧୦,୦୦୦ କାରିଗରଙ୍କୁ ରୋଜଗାର ଯୋଗାଇ ଦେଇଛନ୍ତି। ରାନୋଦୀପ ରହୁଛନ୍ତି...

କୋଭିଡ୍‌-୧୯ ବିଶେଷଜ୍ଞ

କରୋନା ଭୂତାଣୁ ସଂକ୍ରମଣ ଯୋଗୁ ସମଗ୍ର ବିଶ୍ୱରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ପ୍ରାଣହାନି ଘଟିଲାଣି। ଭାରତରେ ଅଦ୍ୟାବଧି ୨୬୩ ଜଣଙ୍କ ମୃତ୍ୟୁ ଘଟିଛି। ଭାଇରସ୍‌...

Advertisement


Archives

Model This Week