ଭୋପାଳ,୧୦ା୬: ମଧ୍ୟପ୍ରଦେଶରୁ ରାଜ୍ୟ ସଭାରେ ଖାଲି ପଡ଼ିବାକୁ ଥିବା ୩ଟି ଆସନ ଲାଗି ନିର୍ବାଚନ ହେବାକୁ ଯାଉଥିବାବେଳେ ଭାଜପାର ଏକ ଅଭିଯୋଗ ଆଧାରରେ କଂଗ୍ରେସ ପ୍ରାର୍ଥୀ ମୀନାକ୍ଷୀ ନଟରାଜନଙ୍କ ନାମାଙ୍କନପତ୍ରକୁ ମଙ୍ଗଳବାର ରିଟର୍ନିଂ ଅଫିସର ଖାରଜ କରିଦେଇଛନ୍ତି। ମୀନାକ୍ଷୀ ତାଙ୍କ ସତ୍ୟ ପାଠରେ ଏକ ମାମଲା ସମ୍ପର୍କିତ ତଥ୍ୟ ଲୁଚାଇଥିବା ଭାଜପା ପ୍ରାର୍ଥୀ ମହେଶ କଓ୍ବୋତ୍ ଅଭିଯୋଗ କରିଥିଲେ।
ତେଲଙ୍ଗାନା କୋର୍ଟରେ ମୀନାକ୍ଷୀଙ୍କ ବିରୋଧରେ ଏକ ଆପରାଧିକ ମାମଲା ବିଚାରାଧୀନ ଥିବାବେଳେ ସେ ଜାଣିଶୁଣି ସତ୍ୟପାଠରେ ତାହା ଦର୍ଶାଇ ନ ଥିବା ମହେଶ କହିଥିଲେ।
ଅନ୍ୟପକ୍ଷରେ ମୀନାକ୍ଷୀଙ୍କ ବିରୋଧରେ କୌଣସି ମାମଲା ନ ଥିବା ମଧ୍ୟପ୍ରଦେଶ କଂଗ୍ରେସ ପ୍ରଭାରୀ ହରିଶ ଚୌଧରୀ କହିଛନ୍ତି। ସେ କୋର୍ଟରୁ ଏକ କାରଣ ଦର୍ଶାଅ ନୋଟିସ ପାଇଥିଲେ, ଯାହା ସତ୍ୟପାଠରେ ଦର୍ଶାଇବା ଜରୁରୀ ନୁହେଁ। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ, କେବଳ ରୁଜୁ ହୋଇଥିବା ମାମଲା ସମ୍ପର୍କିତ ତଥ୍ୟ ସତ୍ୟପାଠରେ ଉଲ୍ଲେଖ କରାଯିବ, ପାଇଥିବା ନୋଟିସ ସମ୍ପର୍କରେ ନୁହେଁ ବୋଲି ଚୌଧରୀ କହିଛନ୍ତି।
କେ.ସି.ବେଣୁଗୋପାଳଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧି ଦଳ ମଙ୍ଗଳବାର ନିର୍ବାଚନ କମିଶନ ଅଧିକାରୀଙ୍କୁ ଭେଟି ମୀନାକ୍ଷୀଙ୍କ ନାମାଙ୍କନ ପତ୍ର ଖାରଜ ନେଇ ପ୍ରତିବାଦ ଜଣାଇଛନ୍ତି।
ଅଭିଯୋଗର ତୁରନ୍ତ ଶୁଣାଣି କରିବାକୁ ଅଧିକାରୀ ମନା କରିବାରୁ କଂଗ୍ରେସ ପ୍ରତିନିଧିମାନେ ନିର୍ବାଚନ ସଦନ ବାହାରେ ଧାରଣାରେ ବସିଥିଲେ। ପୋଲିସ ସହ ଆଲୋଚନା ପରେ ବେଣୁଗୋପାଳ ଓ ଭୂପେଶ ବଘେଲଙ୍କୁ କମିଶନଙ୍କ ମୁଖ୍ୟାଳୟକୁ ଯିବା ପାଇଁ ଅନୁମତି ମିଳିଥିଲା। ବୁଧବାର ମଧ୍ୟାହ୍ନ ୧୨ଟାରେ ନିର୍ବାଚନ କମିଶନ ସେମାନଙ୍କ ସହ ନାମାଙ୍କନ ପତ୍ର ଖାରଜ ସମ୍ପର୍କରେ ଆଲୋଚନା କରିପାରନ୍ତି ବୋଲି ଜଣାପଡ଼ିଛି।

