
ଲକ୍ଷ୍ନୌ, ୨୦।୨ : ଜଣେ ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ପାଇଁ ବିବାହ ପ୍ରମାଣପତ୍ର ଆବଶ୍ୟକ ନୁହେଁ। ଜଣେ ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କ ପୋଷ୍ୟ ସନ୍ତାନ ଗ୍ରହଣ ଆବେଦନର ବିଚାର କରି କୋର୍ଟ ଏଭଳି କହିଛନ୍ତି। ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ ଏକ ସନ୍ତାନ ଗ୍ରହଣ କରିବା ପାଇଁ ବିବାହ ପ୍ରମାଣପତ୍ର ଏକ ସାଇନା -କ୍ୱା-ନନ୍ ନୁହେଁ। ଜଣେ ସିଙ୍ଗଲ ଅଭିଭାବକ ମଧ୍ୟ ହିନ୍ଦୁ ପୋଷ୍ୟ ସନ୍ତାନ ଗ୍ରହଣ ଏବଂ ରକ୍ଷଣାବେକ୍ଷଣ ଅଧିନିୟମ ୧୯୫୬ ଅନୁଯାୟୀ ପୋଷ୍ୟ ସନ୍ତାନ ଗ୍ରହଣ କରିପାରିବେ।
ଜଣେ ଟ୍ରାନ୍ସଜେଣ୍ଡର ବ୍ୟକ୍ତି ଏବଂ ତାଙ୍କ ସ୍ବାମୀଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନକୁ ବିଚାର କରି ବିଚାରପତି ଡ. କୌଶଲ ଜୟେନ୍ଦ୍ର ଠାକର ଏବଂ ବିବେକ ବର୍ମାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏଭଳି ରାୟ ପ୍ରଦାନ କରିଛନ୍ତି। ଡିସେମ୍ବର ୨୦୦୦ରେ ସେମାନଙ୍କର ବିବାହ ବାରାଣାସୀ ଜିଲାର ସବ୍ରେଜିଷ୍ଟ୍ରାର୍ଙ୍କଠାରେ ହିନ୍ଦୁ ବିବାହ ଅନ୍ତର୍ଗତ ସମ୍ପନ୍ନ ହୋଇଥିଲା। ସେମାନେ ଏକ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ। ତଥାପି ସେମାନଙ୍କୁ କୁହାଯାଇଥିଲା ଯେ ହିନ୍ଦୁ ବିବାହ ଆଇନ ଅନୁଯାୟୀ ଏକ ବିବାହ ପ୍ରମାଣପତ୍ର ମଧ୍ୟ ଆବଶ୍ୟକ। ସେଥିପାଇଁ ସେମାନେ ୨୦୨୧ରେ ଅନଲାଇନରେ ଆବେଦନ କରିଥିଲେ।
ତେବେ ସେ ଟ୍ରାନ୍ସଜେଣ୍ଡର ହୋଇଥିବାରୁ ସେମାନଙ୍କ ବିବାହ ପଞ୍ଜୀକୃତ ହୋଇପାରି ନ ଥିଲା। ତେଣୁ, ସେମାନେ ସେମାନଙ୍କର ବିବାହ ପଞ୍ଜିକରଣ କରିବା ପାଇଁ ସବ ରେଜିଷ୍ଟ୍ରାରଙ୍କ ନିକଟକୁ ନିର୍ଦ୍ଦେଶ ଲୋଡି ହାଇକୋର୍ଟକୁ ସ୍ଥାନାନ୍ତର କଲେ ଯାହା ଦ୍ୱାରା ସେମାନେ ଏକ ସନ୍ତାନ ଗ୍ରହଣ କରିପାରିବେ। ଆରମ୍ଭରେ, ରେଜିଷ୍ଟ୍ରାରଙ୍କୁ ଅନଲାଇନରେ ବିସ୍ତୃତ ତଥ୍ୟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।
ଅଧିକନ୍ତୁ, କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଏକ ପୋଷ୍ୟ ସନ୍ତାନ ଗ୍ରହଣ କରିବା ପାଇଁ ବିବାହ ପ୍ରମାଣପତ୍ର ଆବଶ୍ୟକ ନୁହେଁ ଏବଂ ଧାରା ୭ ଅନୁଯାୟୀ ଜଣେ ପୁରୁଷ ହିନ୍ଦୁଙ୍କର ପୋଷ୍ୟ ସନ୍ତାନ ଗ୍ରହଣ କରିବାର ଅଧିକାର ରହିଛି।
ସେହିପରି ହିନ୍ଦୁ ପୋଷ୍ୟ ଗ୍ରହଣ ଏବଂ ରକ୍ଷଣାବେକ୍ଷଣ ଅଧିନିୟମ, ୧୯୫୬ ର ଧାରା ୮ ଅନୁସାରେ ଜଣେ ମହିଳା ହିନ୍ଦୁଙ୍କର ମଧ୍ୟ ପୋଷ୍ୟ ସନ୍ତାନ ଗ୍ରହଣ କରିବାର ଅଧିକାର ଅଛି। ଏକ୍ଷେତ୍ରରେ ବିବାହ କିମ୍ବା ବିବାହୀ ପଞ୍ଜୀକରଣର ଆବଶ୍ୟକତା ନାହିଁ।