ବାଣ ବିସ୍ଫୋରଣ ଘଟଣାକୁ ନେଇ ଉଠିଲା ଅନେକ ପ୍ରଶ୍ନ

ପୁରୀ,୩୧ା୫(ଅଜିତ ମହାନ୍ତି): ମହାପ୍ରଭୁଙ୍କ ଭଉଁରି ଯାତ୍ରା ଅବସରରେ ବୁଧବାର ସନ୍ଧ୍ୟାରେ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ଘଟିଥିବା ବାଣ ବିସ୍ଫୋରଣ ଘଟଣା ପୁରୀବାସୀଙ୍କୁ ସ୍ତବ୍ଧ କରିଦେବା ସହ ମୃତାହତଙ୍କ ପରିବାରରେ ଦୁଃଖଦ ପରିବେଶ ସୃଷ୍ଟି କରିଛି। ବାଣ ବିସ୍ଫୋରଣରେ ୩୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ ଥିବାବେଳେ ଜଣେ ଶିଶୁ ସମେତ ୩ଜଣଙ୍କ ଜୀବନ ଯାଇଛି। ୨୭ରୁ ଊର୍ଦ୍ଧ୍ୱ ଆହତ ଏବେ ଚିିକିତ୍ସାଧୀନ ଅଛନ୍ତି। ଏଭଳି ଘଟଣା ପୁରୀ ସହରରେ ପ୍ରଥମ ବୋଲି କୁହାଯାଉଥିବାବେଳେ ଏହାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନ ଉଙ୍କି ମାରିଛି। ଭଉଁରି ଯାତ୍ରାରେ ବାଣ ଫୁଟାଇବା ନିଷିଦ୍ଧ ହୋଇଥିଲେ ମଧ୍ୟ କିଏ ବାଣ ଫୁଟାଉଥିଲେ? ଏଥିପାଇଁ କିଏ ଅନୁମତି ଦେଇଥିଲେ? ଏତେ ବାଣ ଘଟଣାସ୍ଥଳରେ କାହିଁକି ଗଚ୍ଛିତ ରଖାଯାଇଥିଲା? ସେଠାରେ କାହିଁକି ପୋଲିସ କିମ୍ବା ଅଗ୍ନିଶମ ବିଭାଗର କର୍ମଚାରୀ ଉପସ୍ଥିତ ନ ଥିଲେ ଏବଂ ଲୋକଙ୍କୁ ବାଣଫୁଟା ସ୍ଥାନଠାରୁ କାହିଁକି ଦୂରେଇ ରଖିବାକୁ ପଦକ୍ଷେପ ନିଆଯାଇ ନ ଥିଲା ଆଦି ଅନେକ ପ୍ରଶ୍ନ ଉଠିଛି। ସେହିପରି ପର୍ଯ୍ୟଟନ ସହର ପୁରୀକୁ ବିଶ୍ୱସ୍ତରୀୟ କରାଯିବାକୁ ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଥିବାବେଳେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆବଶ୍ୟକ ଭିତ୍ତିଭୂମି ଓ ଡାକ୍ତର ଅଭାବ ସମସ୍ୟା ପ୍ରତି ବିଶେଷ ଦୃଷ୍ଟି ଦିଆଯାଉ ନ ଥିବା ସାଧାରଣରେ ଅଭିଯୋଗ ହେଉଛି। ପୁରୀ ସହରର ଅନେକ ବାସିନ୍ଦା ଏ ନେଇ ପ୍ରଶାସନର ଢିଲା ମନୋଭାବକୁ ଦାୟୀ କରିଛନ୍ତି।
ଅଧୁରା ରହିଲା ରିଷିକେଶଙ୍କ ସ୍ବପ୍ନ
ପୁରୀ ମାଟିଆପଡ଼ା ଅଞ୍ଚଳର ୧୫ ବର୍ଷୀୟ ରିଷିକେଶ କର୍ମକାରଙ୍କ ସ୍ବପ୍ନ ଅଧୁରା ରହିଗଲା। ସେ ଦଶମ ଶ୍ରେଣୀରେ ପଢୁଥିଲେ ଓ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେଇଥାନ୍ତେ। ସେ ନିଜ ଭବିଷ୍ୟତ ନେଇ ଅନେକ ସ୍ବପ୍ନ ଦେଖୁଥିଲେ। ସେହିପରି ତାଙ୍କ ମା’, ବାପା ମଧ୍ୟ ପୁଅକୁ ବଡ଼ ମଣିଷ କରିବାର ସ୍ବପ୍ନକୁ ସାକାର କରିବା ପାଇଁ ସଂଘର୍ଷ ଓ ପ୍ରୟାସ ଜାରି ରଖିଥିଲେ। ହେଲେ ବାଣ ବିସ୍ଫୋରଣ ଘଟଣା ସବୁ ସ୍ବପ୍ନକୁ ଉଜାଡ଼ି ଦେଇଛି। ବାଣ ବିସ୍ଫୋରଣରେ ରିଷିକେଶଙ୍କ ଜୀବନ ଯାଇଛି। ଫଳରେ ରିଷିକେଶଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି।
‘ଚିକିତ୍ସା ସୁବିଧା ଅଭାବ ଯୋଗୁ ପୁଅର ଜୀବନ ଗଲା’
ରିଷିକେଶଙ୍କ ମା’ ସସ୍ମିତା କର୍ମକାର କୋହଭରା କଣ୍ଠରେ କହିଛନ୍ତି, ମୋ’ ପୁଅ ଘଟଣାସ୍ଥଳରେ ଥିଲେ। ପୁଅ ଦେହରେ ବାଣ ପଡ଼ିବାରୁ ଆହତ ହୋଇ ଯନ୍ତ୍ରଣାସିକ୍ତ ଅବସ୍ଥାରେ ନରେନ୍ଦ୍ର ପୁଷ୍କରିଣୀକୁ ଡେଇଁପଡ଼ିଥିଲେ। ସେଠାରୁ ଉଦ୍ଧାର ପରେ ତାଙ୍କୁ ବହୁ ବିଳମ୍ବରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଗଲା। ପରେ କଟକର ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ବିଳମ୍ବିତ ରାତିରେ ରିଷିକେଶଙ୍କ ମୃତ୍ୟୁ ଘଟିଥିଲା। ପୁରୀ ମୁଖ୍ୟ ଚିକିତ୍ସାଳୟରେ ବର୍ନ ୟୁନିଟ ନ ଥିବାରୁ ତୁରନ୍ତ ଉପଯୁକ୍ତ ଚିକିତ୍ସା କରାଯାଇପାରିଲା ନାହିଁ। ସେହିପରି ସେଠାରେ ଆବଶ୍ୟକ ସଂଖ୍ୟକ ଡାକ୍ତର ଅଭାବ ସାଙ୍ଗକୁ ଭିତ୍ତିଭୂମି ସମସ୍ୟା ରହିଛି। ଫଳରେ ମୋ’ ପୁଅର ଜୀବନ ଅକାଳରେ ଚାଲିଗଲା।
‘ଆମ୍ବୁଲାନ୍ସ ମିଳିଲାନି, ବାଇକ୍‌ରେ ଆସିଲି’
ବାଣ ବିସ୍ଫୋରଣରେ ଆହତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ଜଣେ ମହିଳା କହିଛନ୍ତି, ରାତି ପ୍ରାୟ ୧୦ଟା ୧୦ ବେଳେ ଏହି ଦୁଃଖଦ ଘଟଣା ଘଟିଲା। ସେଠାରେ ଥିବା ପଥର ପାଚେରୀ ପାହାଚ ଉପରେ ବସି ୫୦ରୁ ୬୦ଜଣ ଲୋକ ଆତସବାଜି ପ୍ରଦର୍ଶନ ଦେଖୁଥିଲେ। ମୁଁ, ମୋ’ ସ୍ବାମୀ ଓ ଆମର କେତେଜଣ ସମ୍ପର୍କୀୟ ମଧ୍ୟ ଉପସ୍ଥିତ ଥିଲେ। ଫୁଟୁଥିବା ଏକ ବାଣର ଝୁଲ ଛିଟିକି ପାଖରେ ଗଚ୍ଛିତ ରହିଥିବା ବାଣଗୁଡ଼ିକ ଉପରେ ପଡ଼ିଥିଲା। ଫଳରେ ଏକସଙ୍ଗେ ବିସ୍ଫୋରଣ ଘଟିବା ସହ ଚାରିଆଡ଼ ଧୂଆଁମୟ ହୋଇଯାଇଥିଲା। ଆମେ କେହି କିଛି ଦେଖିପାରି ନ ଥିଲୁ। ଅନେକ ଲୋକଙ୍କ ଉପରେ ନିଆଁ ଛିଟିକି ପଡ଼ିବାରୁ ପୋଡ଼ିଯାଇ ଚିତ୍କାର କରୁଥିଲେ। କେତେଜଣ ଲୋକ ପ୍ରାଣ ବିକଳରେ ପୁଷ୍କରିଣୀକୁ ଡେଇଁ ପଡ଼ିଥିଲେ। ମୋ’ ସ୍ବାମୀ ମଧ୍ୟ ପୁଷ୍କରିଣୀକୁ ଡେଇଁ ଜୀବନ ବଞ୍ଚାଇଥିଲେ। ମୋତେ ଡାକ୍ତରଖାନା ଆଣିବାକୁ ଆମ୍ବୁଲାନ୍ସ ମିଳିଲାନାହିଁ। ମୋ’ ପୁଅ ମୋତେ ବାଇକ୍‌ରେ ବସାଇ ଡାକ୍ତରଖାନା ଆଣିଲା।
ଅନେକ ପରିବାରରେ ଚୁଲି ଜଳିନି
କେତେଜଣ ମୃତାହତଙ୍କ ପରିବାରରେ ଗୁରୁବାର ଚୁଲି ଜଳିନି। ଦୁଃଖ ଓ ନୀରବତା ଛାଇଯାଇଛି। କଟକ ଓ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିବା ଆହତଙ୍କ ପାଖରେ ପରିବାର ଲୋକେ ଓ ସମ୍ପର୍କୀୟମାନେ ରହିଥିବା ସୂଚନା ମିଳିଛି। ସେହିପରି ପୁରୀର ବିଭିନ୍ନ ସଙ୍ଗଠନ ପକ୍ଷରୁ ମୃତକଙ୍କ ଆତ୍ମାର ଶାନ୍ତି ଉଦ୍ଦେଶ୍ୟରେ ଦୀପଦାନ ଓ ପ୍ରାର୍ଥନା କରାଯାଇଛି।
ସହାୟତାର ହାତ ବଢାଇଲେ ସ୍ବେଚ୍ଛାସେବୀ
ଆହତମାନଙ୍କୁ ଉଦ୍ଧାର କରିବାରେ ସହାୟତାର ହାତ ବଢାଇଥିଲେ ସ୍ଥାନୀୟ ବାସିନ୍ଦା ଓ ସ୍ବେଚ୍ଛାସେବୀ। ବାଣ ବିସ୍ଫୋରଣରେ ଆହତ ହୋଇ ଅନେକ ଲୋକ ତଳେ ପଡ଼ିଥିବା ବେଳେ କିଛି ଲୋକ ପୁଷ୍କରିଣୀକୁ ଡେଇଁ ପଡିଥିଲେ। ଅଗ୍ନିଶମ କର୍ମଚାରୀମାନେ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ସେମାନଙ୍କୁ ସ୍ଥାନୀୟ ଲୋକେ ଓ ବିଭିନନ୍ନ ଅନୁଷ୍ଠାନର ସ୍ବେଚ୍ଛାସେବୀମାନେ ସହଯୋଗ କରିଥିଲେ। ସେମାନେ ଘରୋଇ ଗାଡ଼ି କରି ଆହତଙ୍କୁ ମେଡିକାଲକୁ ଆଣିଥିଲେ। ଅନେକ ସ୍ବେଚ୍ଛାସେବୀ ମେଡିକାଲରେ ମଧ୍ୟ ବିଭିନ୍ନ ସହାୟତା ଯୋଗାଇ ଦେଇଥିଲେ।
‘କଟକଣା ପ୍ରସଙ୍ଗ ପରିଚାଳନା କମିଟିରେ ଉଠାଇବି’
ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ସେବାୟତ ମାଧବ ଚନ୍ଦ୍ର ମହାପାତ୍ର କହିଛନ୍ତି, ମହାପ୍ରଭୁଙ୍କ ବିଭିନ୍ନ ଯାନିଯାତ୍ରାରେ ଆଗକୁ ବାଣ ଫୁଟାଇବା ଉପରେ କଟକଣା ଲଗାଇବା ନିମେନ୍ତ ପରିଚାଳନା କମିଟିରେ ସେ ପ୍ରସ୍ତାବ ଆଗତ କରିବେ। ସେହିପରି ଚନ୍ଦନଯାତ୍ରା ୨୧ ଦିନ ହେଉଛି, ତେଣୁ ସେହି ସମୟରେ ଲୋକଙ୍କ ବୀମା କରିବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯିବ। ଅପରପକ୍ଷରେ ରାଜ୍ୟ ସରକାର ଯେପରି ପୁରୀର ବିକାଶ କରିଛନ୍ତି, ସେହିପରି ଜିଲା ମୁଖ୍ୟ ଚିକିତ୍ସାଳୟର ବିକାଶ ହେବା ଆବଶ୍ୟକ ବୋଲି ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?