କୋଲକାତା,୨୫।୯: ତୃଣମୂଳ କଂଗ୍ରେସର ସମସ୍ୟା କମିବାର ନାଁ ନେଉନାହିଁ । ତୃଣମୂଳ କଂଗ୍ରେସ (ଟିଏମ୍ସି)ର ପୂର୍ବତନ ବିଧାୟକ ଅଜିତ ମାଇତିଙ୍କୁ ଠକେଇ ମାମଲାରେ ପୋଲିସ ଗିରଫ କରିଛି । ଶୁକ୍ରବାର ସକାଳେ ପିଙ୍ଗଲା ପୋଲିସ ଖଡ଼ଗପୁରସ୍ଥିତ ତାଙ୍କ ଘରେ ପହଞ୍ଚି ତାଙ୍କୁ ଗିରଫ କରିଥିଲା। ପରେ ତାଙ୍କୁ ଡେବ୍ରା ପୋଲିସ ଷ୍ଟେସନକୁ ନିଆଯାଇଥିବା ଜଣାପଡ଼ିଛି।
ଅଜିତ ମାଇତି ପୂର୍ବରୁ ପଶ୍ଚିମ ମେଦିନୀପୁରରେ ଟିଏମ୍ସିର ଜିଲା ସଭାପତି ମଧ୍ୟ ରହିଥିଲେ। ସେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟତମ ନେତାଙ୍କ ମଧ୍ୟରୁ ଜଣେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ରହିଛି । ପୋଲିସ ସୂଚନା ଅନୁସାରେ, ଦଳରେ ପଦ ଦେବାର ପ୍ରତିଶ୍ରୁତି ଦେଇ ଟିଏମ୍ସି କର୍ମୀ ଗୋବିନ୍ଦ ଦାସଙ୍କଠାରୁ ଅଜିତ ମାଇତି ବଡ଼ ଅଙ୍କର ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଧାରରେ ତାଙ୍କ ବିରୋଧରେ ଠକେଇ ମାମଲା ରୁଜୁ ହୋଇଥିବା ପୋଲିସ କହିଛି ।
ଏହା ପୂର୍ବରୁ ମଧ୍ୟ ଟିଏମ୍ସିର ଦୁଇ ସଦସ୍ୟଙ୍କୁ ପୋଲିସ ଗିରଫ କରିଥିଲା। ଦକ୍ଷିଣ-ପୂର୍ବ କୋଲକାତାରେ ଟିଏମ୍ସି କାର୍ଯ୍ୟାଳୟ ନିୟନ୍ତ୍ରଣକୁ ନେଇ ଭାଜପା କର୍ମୀଙ୍କ ସହ ଝଡ଼ପ ପରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀର ଦୁଇ ସଦସ୍ୟଙ୍କୁ ଗିରଫ କରାଯାଇଥିଲା। ପ୍ରଥମେ ବଚସା ପରେ ଟିଏମ୍ସି ପକ୍ଷରୁ ତାଙ୍କର ଅନେକ କର୍ମୀ ଓ ନେତାଙ୍କୁ ମାଡ଼ ମରାଯାଇଥିବା ଏବଂ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଥିଲା। ତେବେ ଭାଜପା ଏହି ଅଭିଯୋଗକୁ ଖଣ୍ଡନ କରିଥିଲା।

