ସୂତାକଳରେ ଅନିଚ୍ଛାର ତାଲା

ଭୁବନେଶ୍ୱର,୯।୧୧(ବ୍ୟୁରୋ): ଓଡ଼ିଶାର ୧୨ଟି ଜିଲାରୁ ବର୍ଷକୁ ପ୍ରାୟ ୧୦କୋଟି କିଲୋ କପା ଉତ୍ପାଦନ ହେଉଛି। ହେଲେ ଏହାକୁ ବ୍ୟବହାର କରିବାକୁ ଗୋଟିଏ ହେଲେ ସୂତାକଳ ନାହିଁ। ରାଜ୍ୟର ୬ଟି ସମବାୟ ଭିତ୍ତିକ ସୂତାକଳରେ ଏବେ ତାଲା ଝୁଲୁଥିବାବେଳେ କଳାହାଣ୍ଡି ଜିଲା କେଶିଙ୍ଗା ସୂତାକଳରେ କେବଳ ତୁଳାଭିଣା ୟୁନିଟ୍‌ କାମ କରୁଛି। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ବିଧାନସଭାରେ ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି। ଗୋଟିଏପଟେ କାମ ନ ପାଇ ଲକ୍ଷାଧିକ ବେକାର ଯୁବତୀଯୁବକ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। ସେପଟେ ବିପୁଳ ପରିମାଣରେ କପା ଉତ୍ପାଦନ ହେଉଥିଲେ ମଧ୍ୟ ସୂତାକଳ ଓ ଟେକ୍ସଟାଇଲ ପାର୍କ ନ ଥିବାରୁ ରାଜ୍ୟ ବିପୁଳ ପରିମାଣରେ ନିଯୁକ୍ତି ସୁଯୋଗ ହରାଉଛି।
ଓଡ଼ିଶାରେ ଏବେ ୧,୨୨,୩୩୫ଜଣ ବୁଣାକାର ହସ୍ତତନ୍ତ ବୟନ ବୃତ୍ତି ଆପଣାଇ ଏହା ମାଧ୍ୟମରେ ପରିବାର ପ୍ରତିପୋଷଣ କରୁଛନ୍ତି। ବିଶେଷକରି ପଶ୍ଚିମ ଓଡ଼ିଶାରେ ଅଧିକ ପରିବାର ଏହି ଶିଳ୍ପ ଉପରେ ନିର୍ଭର କରିଥାନ୍ତି। ବୁଣାକାରଙ୍କ ଚାହିଦା ଅନୁଯାୟୀ ଓଡ଼ିଶାରେ ହାରାହାରି ୯୫କୋଟି ଟଙ୍କାର ସୂତା ଆବଶ୍ୟକ ହେଉଥିବାବେଳେ ରାଜ୍ୟରେ ଏଯାବତ୍‌ ଗୋଟିଏ ବି ସୂତାକଳ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ। ଓଡ଼ିଶାରେ ବିପୁଳ ପରିମାଣରେ କପା ଚାଷ ହେଉଥିବାରୁ ରାଜ୍ୟର ବୁଣାକାରମାନଙ୍କ ସୂତାର ଆବଶ୍ୟକତା ପୂରଣ କରିବାକୁ ସରକାରୀସ୍ତରରେ ସୂତାକଳ ପ୍ରତିଷ୍ଠା କରିବାକୁ ବିଭିନ୍ନ ସମୟରେ ଦାବି ହୋଇଛି। ସେହିଭଳି ବୟନ ଶିଳ୍ପର ବିକ୍ରୟ ଓ ପ୍ରଚାର ପ୍ରସାର ନିମନ୍ତେ ପଶ୍ଚିମ ଓଡ଼ିଶାରେ ଏକ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା କରିବାକୁ ମଧ୍ୟ ଦୀର୍ଘଦିନ ଧରି ଦାବି ହୋଇଆସୁଛି। ହେଲେ ସୂତାକଳ ନ ଥିବାରୁ ଉତ୍ପାଦିତ କପାର ଅଧିକାଂଶ ଭାଗ ଅନ୍ୟ ରାଜ୍ୟକୁ ଚାଲିଯାଉଛି। ଏନେଇ ଟେକ୍ସଟାଇଲର ଆସିଷ୍ଟାଣ୍ଟ ଡାଇରେକ୍ଟର ଦେବରାଜ ସାହୁ କହିଛନ୍ତି, ସରକାର ମଣ୍ଡି ମାଧ୍ୟମରେ ସର୍ବନିମ୍ନ ସହାୟକ ମୂଲ୍ୟରେ ଚାଷୀଙ୍କଠାରୁ କପା କିଣିଥାନ୍ତି। ଓଡ଼ିଶାରେ ସୂତାକଳ ନ ଥିବାରୁ ବାହାର ରାଜ୍ୟକୁ ଏହି କପା ରପ୍ତାନୀ ହୋଇଥାଏ। କେସିଙ୍ଗା ସୂତାକଳରେ ଏବେ ତୁଳାଭିଣା କାର୍ଯ୍ୟ ହେଉଛି। ରାଜ୍ୟରୁ ଉତ୍ପାଦିତ କପାର କିଛି ଭାଗ ସେଠାକୁ ଯାଉଥିବାବେଳେ ବଳକା କପା ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକୁ ବିକ୍ରି ହୋଇଥାଏ। ତାମିଲନାଡ଼ୁକୁ ଓଡ଼ିଶାର ସିଂହଭାଗ କପା ଯାଇଥାଏ। ଏହାବ୍ୟତୀତ ପଞ୍ଜାବକୁ ମଧ୍ୟ କପା ବିକ୍ରି ହେଉଥିବା ସେ କହିଛନ୍ତି।
କଳାହାଣ୍ଡି, ବଲାଙ୍ଗୀର, ରାୟଗଡ଼ା, ନୂଆପଡ଼ା ଓ ସୁବର୍ଣ୍ଣପୁର ଜିଲା କପା ଉତ୍ପାଦନ କ୍ଷେତ୍ରରେ ଆଗରେ ରହିଛନ୍ତି। ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟରୁ ମୋଟ ୫,୭୮,୫୦୦ ବେଲ୍ସ ବା ୯ କୋଟି ୮୩ ଲକ୍ଷ ୪୫ ହଜାର କିଲୋ କପା ଉତ୍ପାଦନ ହୋଇଥିବାବେଳେ କଳାହାଣ୍ଡି ଜିଲାରୁ ସର୍ବାଧିକ ୨,୨୭,୨୪୦ ବେଲ୍ସ କପା ଉତ୍ପାଦନ ହୋଇଛି। ସେହିଭଳି ବଲାଙ୍ଗୀରରୁ ୧,୧୩,୨୫୦, ରାୟଗଡାରୁ ୧,୬୨,୨୮୦, ନୂଆପଡାରୁ ୩୨,୧୧୦ ଓ ସୁବର୍ଣ୍ଣପୁରରୁ ୧୫,୫୧୦ ବେଲ୍ସ କପା ଉତ୍ପାଦନ ହୋଇଛି। ଏହାବାଦ୍‌ ବରଗଡ଼, ଗଜପତି, ଗଞ୍ଜାମ, କୋରାପୁଟ, ବୌଦ୍ଧ, କନ୍ଧମାଳ ଓ ଅନୁଗୋଳ ଜିଲାରୁ ମଧ୍ୟ କପା ଉତ୍ପାଦନ କରାଯାଉଛି। ହେଲେ ବରଗଡ଼ ଜିଲାରେ ଥିବା ଓଡିଶା ବୁଣାକାର ସମବାୟ ସୂତାକଳ, ଢେଙ୍କାନାଳର କଳିଙ୍ଗ ସୂତାକଳ, ଖୋର୍ଦ୍ଧାର ଉତ୍କଳ ବୁଣାକାର ସମବାୟ ସୂତାକଳ, କଟକ ଜିଲାର ଆଠଗଡ଼ରେ ଥିବା ଜଗନ୍ନାଥ ବୁଣାକାର ସମବାୟ ସୂତାକଳ, ଜଗତ୍‌ସିଂହପୁର ଜିଲାର ସାରଳା ବୁଣାକାର ସମବାୟ ସୂତାକଳ ଓ ବାଲେଶ୍ୱର ଜିଲାର ଶ୍ରୀଗୋପୀନାଥ ବୁଣାକାର ସମବାୟ ସୂତାକଳରେ ଏବେ ତାଲା ଝୁଲିଛି। ଇତି ମଧ୍ୟରେ ବନ୍ଦ ହୋଇପଡ଼ିଥିବା ୬ ବୁଣାକାର ସମବାୟ ସୂତାକଳ ମଧ୍ୟରୁ ୩ଟିର ଘରୋଇକରଣ ମାଧ୍ୟମରେ ପୁନରୁଦ୍ଧାର ପାଇଁ ସ୍ଥିର ହୋଇଛି। ଏହାମଧ୍ୟରେ ବରଗଡ଼ର ଓଡ଼ିଶା ସୂତାକଳ, ଢେଙ୍କାନାଳ କଳିଙ୍ଗ ଓ ବାଲେଶ୍ୱରର ଶ୍ରୀଗୋପୀନାଥ ସୂତାକଳ ରହିଛି। ଶ୍ରୀଗୋପୀନାଥ ସୂତାକଳର ଘରୋଇକରଣ କାର୍ଯ୍ୟ ସମାପ୍ତ ହୋଇଥିବାବେଳେ ଜମି ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି। ଏଭଳିସ୍ଥିତିରେ ରାଜ୍ୟ ବାହାରକୁ ଯାଉଥିବା କୁଶଳୀ ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଇଦେବାକୁ ଅଧିକ ସଂଖ୍ୟାରେ ସୂତାକଳ ଓ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା କରିବାକୁ ଦାବି ହୋଇଛି। ଏହି ଶ୍ରମିକମାନେ ଗୁଜରାଟ, କର୍ନାଟକ ଓ ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳରେ କୁଶଳୀ ସୂତା ଓ ଲୁଗା କାରିଗର ଭାବେ କାମ କରୁଥିବାରୁ ରାଜ୍ୟରେ ସୂତାକଳ କାର୍ଯ୍ୟକ୍ଷମ ହେଲେ ସେମାନଙ୍କ ପାଇଁ ବିଶେଷ ଲାଭଦାୟକ ହୋଇପାରିବ ବୋଲି ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି। ସେହିଭଳି ଓଡ଼ିଶା ପୋଷାକ ନୀତି ୨୦୧୬ ଅନୁଯାୟୀ, ସୂତାକଳଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ପୋଷାକ ଓ ଟେକ୍ସଟାଇଲ୍ସ ପାର୍କ ପ୍ରତିଷ୍ଠା ଦ୍ୱାରା ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ବୁଣାକାର ସଂଘ ପକ୍ଷରୁ କୁହାଯାଉଛି। ଓଡ଼ିଶା ଶିଳ୍ପୀ ମହାସଂଘ ସମ୍ପାଦକ ପ୍ରିୟରଞ୍ଜନ କର କହିଛନ୍ତି, ରାଜ୍ୟରେ ୩ଲକ୍ଷରୁ ଊର୍ଦ୍ଧ୍ୱ ବୁଣାକାର ଅଛନ୍ତି। ସେମାନଙ୍କ ସୂତା ଚାହିଦା ମେଣ୍ଟାଇବାକୁ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ଅସମର୍ଥ। ସୂତା ପାଇଁ ଓଡ଼ିଶାର ବୁଣାକାରମାନଙ୍କୁ କର୍ନାଟକ, ଗୁଜରାଟ, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରିବାକୁ ପଡ଼ୁଛି। ସେହିଭଳି ଟସର ଚାଷ ହେଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ଟସର କୋଷାକୁ ଜଙ୍ଗଲଜାତ ସାମଗ୍ରୀରୁ ବାଦ୍‌ ଦିଆଯାଇନି। ବୁଣାକାରମାନେ ଟସର ନେବା ଆଣିବାବେଳେ ବନ ବିଭାଗ ଅଧିକାରୀଙ୍କ କୋପର ଶିକାର ହେଉଛନ୍ତି। କଞ୍ଚାମାଲର ବ୍ୟବସ୍ଥା ନ କରି ସରକାର ଓଡ଼ିଶା ହସ୍ତତନ୍ତକୁ ଗ୍ଲୋବାଲ୍‌ ବ୍ରାଣ୍ଡ୍‌ କରିବା କଥା ଚିନ୍ତାକରିବା ଦୁର୍ଭାଗ୍ୟଜନକ ବୋଲି ଗୋପାଳପୁରର ଟସର ଶାଢି ବୁଣାକାର ଦୁର୍ଯ୍ୟୋଧନ ଚାନ୍ଦ କହିଛନ୍ତି।

ସସ୍ମିତା ପାଇକରାୟ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?