Posted inଫୁରସତ

ମା’ ପରି…

ସନ୍ତାନର ପ୍ରଥମ ଗୁରୁ ମା’। ତା’ ଶିକ୍ଷା ଓ ଆକଟ ସନ୍ତାନକୁ ଭଲ ମଣିଷ କରି ଗଢ଼ି ତୋଳେ। ତା’ ପ୍ରେରଣା ଓ ମାର୍ଗଦର୍ଶନ ସନ୍ତାନ ପାଇଁ କଢ଼ାଏ ସଫଳତାର ମାର୍ଗ । ଆଉ ଯେଉଁ ସନ୍ତାନ ନିଜ ମା’ଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ତାଙ୍କୁ ଆଦର୍ଶ ମାନି ସେହି କ୍ଷେତ୍ରରେ ସଫଳ ହେବାକୁ ଲକ୍ଷ୍ୟ ରଖେ, ତା’ପାଇଁ ସଫଳତାର ମାର୍ଗ ହୋଇଯାଏ ଆହୁରି ସହଜ ଓ ସରଳ। ଆଜି ମଦର୍ସ ଡେ’ ଉପଲକ୍ଷେ ନିଜ ମା’ଙ୍କୁ ଆଦର୍ଶ ମାନି ଏକା କ୍ଷେତ୍ରରେ କାର୍ଯ୍ୟ କରୁଥିବା କେତେଜଣ ଯୁବତୀ ଯୁବକଙ୍କୁ ନେଇ ବିଶେଷ ଉପସ୍ଥାପନା…

ମାମାଙ୍କ ସେବା ଗୁଣ
ଅନୁପ୍ରାଣିତ କରିଥିଲା
ସ୍ମୃତିରଞ୍ଜନ ପରିମାଣିକ (ଡାକ୍ତର, ମ.ରାମପୁର, କଳାହାଣ୍ଡି)- ଯାହାଙ୍କ ହାତତିଆରି ଟେଷ୍ଟି ଟେଷ୍ଟି ଜଳଖିଆରୁ ଆରମ୍ଭ ହୁଏ ମୋର ଦିନ, ଯିଏ ମୋର ପଢ଼ିବାଠାରୁ ଆରମ୍ଭ କରି ଚାକିରି କରିବା ପର୍ଯ୍ୟନ୍ତ ସବୁ ସମୟରେ ସାଜିଛନ୍ତି ଗାଇଡ୍‌, ଆଉ ଯାହାଙ୍କ ପ୍ରତିଟି କଥାରେ ରହିଛି ମୋ ପାଇଁ ଉପଦେଶ; ସିଏ ଆଉ କେହି ନୁହନ୍ତି ମୋର ଅତି ଆପଣାର ମାମା (ରାଜଲକ୍ଷ୍ମୀ ବେହେରା)। ପେସାରେ ସେ ଜଣେ ଡାକ୍ତର। ପରିବାରରେ ଯେପରି ଆମ ସମସ୍ତଙ୍କ ପ୍ରତିଟି ଛୋଟ ଛୋଟ କଥା ପ୍ରତି ସେ ଗୁରୁତ୍ୱ ଦିଅନ୍ତି ଏବଂ ଯତ୍ନ ନିଅନ୍ତି, ଡାକ୍ତରଖାନାରେ ମଧ୍ୟ ସେହିଭଳି ସମ୍ପୂର୍ଣ୍ଣ ନିଷ୍ଠାର ସହିତ ରୋଗୀ ଚିକିତ୍ସା କରନ୍ତି। ଆଉ ତାଙ୍କର ଏହି ସେବା ମନୋଭାବ ମୋତେ ଅନୁପ୍ରାଣିତ କରିଥିଲା ଜଣେ ଡାକ୍ତର ହେବା ପାଇଁ। ମାଟ୍ରିକ୍‌ ସରିବା ପରେ ସାଇନ୍ସ ପଢ଼ି ଡାକ୍ତର ହେବା ଲାଗି ଯେତେବେଳେ ଇଚ୍ଛା ପ୍ରକାଶ କରିଥିଲି, ସେ ବହୁତ ଖୁସି ହୋଇଥିଲେ। ବାପା (ମହେନ୍ଦ୍ର କୁମାର ପରିମାଣିକ) ମଧ୍ୟ ଜଣେ ଡାକ୍ତର। ତେଣୁ ଏହି ଦିଗରେ କ୍ୟାରିୟର ଗଢ଼ିବା ଲାଗି ଉଭୟ ସମସ୍ତ ପ୍ରକାର ପ୍ରୋତ୍ସାହନ ଯୋଗାଇ ଦେଇଥିଲେ। ସତ କହିବାକୁ ଗଲେ ଆଜି ଏହି ସ୍ଥାନରେ ପହଞ୍ଚତ୍ବା ଲାଗି ମୋଠୁ ମୋ ମାମାଙ୍କ ପରିଶ୍ରମ ଅଧିକ। ମୋତେ ସକାଳୁ ଉଠାଇ ପଢ଼ାଇବା, ପରୀକ୍ଷା ବେଳେ ରାତି ରାତି ଅନିଦ୍ରା ହୋଇ ପାଖରେ ଜଗି ବସିବା ଯୋଗୁ ଆଜି ସଫଳ ହୋଇପାରିଛି। ଆଜି ମଦର୍ସ ଡେ’ ଅବସରରେ ଏତିକି କହିବି, ତା’ଙ୍କ କୋଳରୁ ଜନ୍ମ ନେଇ ତାଙ୍କ ପରି ଏକା ପ୍ରଫେଶନ ବାଛି ମୁଁ ଗର୍ବିତ।
ସଫଳତାର ଶ୍ରେୟ ମାମାଙ୍କୁ ଦେବି
ଶ୍ରେୟା ମହାନ୍ତି (ନୃତ୍ୟଶିଳ୍ପୀ, ଭୁବନେଶ୍ୱର) – ଚାଲି ଶିଖିବା ଦିନଠୁ ନୃତ୍ୟ ପ୍ରତି ମୋର ଆଗ୍ରହ। ଏ କ୍ଷେତ୍ରରେ ଆଗକୁ ବଢ଼ିବା ଓ ଜଣେ ସଫଳ ଓଡ଼ିଶୀ ନୃତ୍ୟଶିଳ୍ପୀ ଭାବେ ନିଜର ପରିଚୟ ସୃଷ୍ଟି କରିବା ଲାଗି ଯିଏ ସାଜିଥିଲେ ମୋର ପ୍ରଥମ ଗୁରୁ, ସେ ହେଉଛନ୍ତି ମୋ ମା’ (ସୁଦେଷ୍ଣା ମହାନ୍ତି)। ସେ ଜଣେ ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟଶିଳ୍ପୀ। ପିଲାଦିନୁ ତା’ଙ୍କୁ ଦେଖି ଏଥିପ୍ରତି ଆଗ୍ରହ ବଢ଼ିଥିଲା। ଆଉ ମୋ ରୁଚି ସମ୍ପର୍କରେ ଜାଣିବା ପରେ ମାମା ଓ ବାପା(କୀର୍ତ୍ତି ସୁନ୍ଦର ମହାନ୍ତି) ମୋତେ ସମସ୍ତ ପ୍ରୋତ୍ସାହନ ଯୋଗାଇ ଦେଇଥିଲେ। ମାତ୍ର ୩ ବର୍ଷ ବୟସରେ ଓଡ଼ିଶା ଡ୍ୟାନ୍ସ ଏକାଡେମୀରେ ମୋର ଆଡ୍‌ମିଶନ୍‌ କରାଇଥିଲେ। ସେଠାରେ ସପ୍ତାହକୁ ଦୁଇ ଦିନ କ୍ଲାସ ପରେ ଅନ୍ୟ ୫ଦିନ ମାମା ଘରେ ମୋତେ ନୃତ୍ୟ ଶିଖାଉଥିଲେ। ଆରମ୍ଭରୁ ହିଁ ଜଣେ ଡ୍ୟାନ୍ସର କ’ଣ ଖାଇଲେ ଫିଟ୍‌ନେସ୍‌ ଠିକ୍‌ ରହିବ, କେତେ ସମୟ ଅଭ୍ୟାସ କରିବା ଦରକାର ଆଦି ପ୍ରତିଟି ଦିଗରେ ମାମା ମୋ ପାଇଁ ବେଶ୍‌ ଯତ୍ନଶୀଳ। ତା’ଙ୍କ ପ୍ରେରଣା ଓ ସହଯୋଗ ଯୋଗୁ ଷ୍ଟାଣ୍ଡାର୍ଡ ୩ରେ ପଢ଼ିବା ସମୟରେ ଅନ୍ତର୍ଜାତୀୟ ସ୍ତରରେ ନୃତ୍ୟ ପ୍ରଦର୍ଶନର ସୁଯୋଗ ପାଇସାରିବା ପରେ ସେଣ୍ଟର ଫର୍‌ କଲ୍‌ଚରାଲ ରିସୋର୍ସେସ୍‌ ଆଣ୍ଡ ଟ୍ରେନିଂ (ସିସିଆର୍‌ଟି) ପକ୍ଷରୁ ଜୁନିଅର ସ୍କଲାରଶିପ୍‌ ମଧ୍ୟ ପାଇଛି। ତେବେ ମୋ ରୁଚି ସହିତ ପାଠପଢ଼ାରେ କିପରି ଭଲ ପ୍ରଦର୍ଶନ କରିବି, ସେଥିପ୍ରତି ମଧ୍ୟ ମାମା ବିଶେଷ ଗୁରୁତ୍ୱ ଦେଇଥା’ନ୍ତି। ମାମାଙ୍କ ପ୍ରୋତ୍ସାହନରେ ୧୨ ବର୍ଷ ହେବ ଓଡ଼ିଶୀ ନୃତ୍ୟ କରିଆସୁଛି। ତେଣୁ ନିଜ ସଫଳତାର ସମସ୍ତ ଶ୍ରେୟ ତାଙ୍କୁ ହିଁ ଦେବି।
ମା’ ହିଁ ମୋ ପ୍ରେରଣାର ଉତ୍ସ
ଆଂଶିକା ରାଉତରାୟ (କ୍ରୀଡ଼ାବିତ୍‌, ନାଲ୍‌କୋ ନଗର)- ଆଜି ମଦର୍ସ ଡେ’ରେ ସର୍ବପ୍ରଥମେ ଏତିକି କହିବି ଅନ୍ତର୍ଜାତୀୟ କ୍ରୀଡ଼ାବିତ୍‌ ଅନୁରାଧା ବିଶ୍ୱାଳଙ୍କ ଝିଅ ଭାବେ ମୁଁ ଗର୍ବିତ। ଆଜି ଯଦି ଜଣେ କ୍ରୀଡ଼ାବିତ୍‌ ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛି, ଏହା କେବଳ ମା’ଙ୍କ ଯୋଗୁ ସମ୍ଭବ ହୋଇପାରିଛି। ମନେପଡ଼ୁଛି ଯେତେବେଳେ ମୁଁ ଛୋଟ ଥିଲି ଏବଂ ତାଙ୍କୁ ମୋର ସମସ୍ତ ଦାୟିତ୍ୱ ନେବା ପରେ ଷ୍ଟାଡିଅମ୍‌ରେ ଖେଳୁଥିବାର ଦେଖୁଥିଲି, ତାଙ୍କର ଝାଳବୁହା ପରିଶ୍ରମ ଆଉ ଦର୍ଶକଙ୍କ ତାଳି ମୋତେ ବେଶ୍‌ ଖୁସି ଦେଉଥିଲା। ସେବେଠୁ ସେ ପାଲଟି ଥିଲେ ମୋ ପ୍ରେରଣାର ଉତ୍ସ। ନିଜେ ବି ତାଙ୍କ ଭଳି କ୍ରୀଡ଼ା କ୍ଷେତ୍ରରେ ସଫଳ ହେବାକୁ ଚାହୁଁଥିଲି। ଆଉ ସ୍କୁଲ୍‌ରେ ଯେବେ କ୍ରୀଡ଼ାରେ ଭଲ ପ୍ରଦର୍ଶନ କରି ପୁରସ୍କୃତ ହୋଇଥିଲି, ମୋ ଅନ୍ତର୍ନିହିତ ପ୍ରତିଭାକୁ ପ୍ରକାଶ କରିବା ଲାଗି ସର୍ବପ୍ରଥମେ ସେ ହିଁ ଉତ୍ସାହିତ କରିଥିଲେ। ନିଜେ ହର୍ଡଲ୍ସ ଖେଳୁଥିଲେ ମଧ୍ୟ ଶର୍ଟଫୁଟ୍‌ ଓ ଡିସ୍‌କସ୍‌ ଥ୍ରୋରେ ମୋର କୋଚ୍‌ ସାଜିଥିଲେ। ଯେଉଁଥିପାଇଁ ୧୪ ବର୍ଷରୁ କମ୍‌ ବିଭାଗରେ ଶର୍ଟଫୁଟ୍‌ ଥ୍ରୋରେ ନ୍ୟାଶନାଲ୍‌ ରେକର୍ଡ କରିବାର ସୁଯୋଗ ପାଇପାରିଛି। କେବଳ କ୍ରୀଡ଼ା ନୁହେଁ, ପାଠଠୁ ଆରମ୍ଭ କରି ପ୍ରତ୍ୟେକ କ୍ଷେତ୍ରରେ ସେ ମୋତେ ସପୋର୍ଟ କରନ୍ତି। ସତ କହିବାକୁ ଗଲେ ମା’ଠୁ ଅଧିକ ସେ ମୋ ବେଷ୍ଟ ଫ୍ରେଣ୍ଡ। ଆମେ ପରସ୍ପରକୁ ସବୁ କଥା ଶେୟାର କରୁ। ଆଉ ଆମ ଦୁହିଁଙ୍କୁ କ୍ରୀଡ଼ା କ୍ଷେତ୍ରରେ ଆଗକୁ ବଢ଼ିବାରେ ବାପା (ପରମାନନ୍ଦ ରାଉତରାୟ)ଙ୍କର ସମର୍ଥନ ରହିଛି। ତେବେ ଭବିଷ୍ୟତରେ ମା’ଙ୍କ ପରି ଅଲିମ୍ପିକ୍‌ କ୍ରୀଡ଼ାରେ ଭାଗ ନେଇ ଓଡ଼ିଶା ପାଇଁ ଗୌରବ ଆଣିଦେବା ମୋର ଲକ୍ଷ୍ୟ। ତାଙ୍କୁ ନିଜ ମା’ ଭାବେ ପାଇ ଭଗବାନ୍‌ଙ୍କ ନିକଟରେ ସର୍ବଦା କୃତଜ୍ଞ।
ମା’ଙ୍କ ଗୁଣ ମୋତେ ପ୍ରଭାବିତ କରିଛି
ଡ. ଅଚ୍‌ମନ୍‌ ନନ୍ଦ (ଡାଇରେକ୍ଟର, ବଚ୍‌ପନ୍‌, କଳିଙ୍ଗ ବିହାର, ଭୁବନେଶ୍ୱର)- ପ୍ରତିଟି ସନ୍ତାନ ଜୀବନରେ ମା’ଙ୍କ ଭୂମିକା କ’ଣ ତାହା ଅବର୍ଣ୍ଣନୀୟ। ନିଜ ମା’ (କ୍ରୀଷ୍ଣା ଦାଶ)ଙ୍କ ବିଷୟରେ କହିବି। ସେ ମୋ ଆଦର୍ଶ, ଆଉ ତା’ଙ୍କୁ ମୁଁ ଅନ୍ଧ ଭାବେ ବିଶ୍ୱାସ କରେ। ପେସାରେ ଜଣେ ଶିକ୍ଷୟିତ୍ରୀ ଭାବେ ସେ କେବଳ ମୋତେ ପାଠ ଶିକ୍ଷା ଦେଇନାହାନ୍ତି ବରଂ ଜୀବନର ଅନେକ ଗୁରୁତ୍ୱପୂର୍ଣ୍ଣ କଥା ତାଙ୍କଠାରୁ ଶିଖିଛି। ତାଙ୍କର ଧୈର୍ଯ୍ୟ, ସହନଶୀଳତା, ତ୍ୟାଗ, କର୍ମନିଷ୍ଠା ଓ ସର୍ବୋପରି ଆତ୍ମବିଶ୍ୱାସର ସହ ନିଜ କର୍ମ କରିବାର ଗୁଣ ମୋତେ ପ୍ରଭାବିତ କରିଛି। ଯେଉଁଥିପାଇଁ ତାଙ୍କ ଭଳି ଜଣେ ସତ୍ୟନିଷ୍ଠ ଶିକ୍ଷୟିତ୍ରୀ ହେବାକୁ ଏହି ପେସାକୁ ଆପଣେଇଛି। ମୋ ଜୀବନରେ ପ୍ରତିଟି କାର୍ଯ୍ୟ ଓ ସଫଳତାରେ ତାଙ୍କ ଅବଦାନ ରହିଛି। ତେଣୁ ଆଜିର ଏହି ମଦର୍ସ ଡେ’ ଅବସରରେ ତାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିବାକୁ ମୋ ପାଖେ ଭାଷା ନିଅଣ୍ଟ। ସେ ସର୍ବଦା ଖୁସିରେ ରୁହନ୍ତୁ ଓ ତାଙ୍କ ଆଶୀର୍ବାଦ ସବୁବେଳେ ମୋତେ ମିଳୁ ଏତିକି କାମନା।
ମା’ଙ୍କୁ ନେଇ ଗର୍ବକରେ
ଜ୍ୟୋତିର୍ମୟୀ ମିଶ୍ର (ନର୍ସ, ବୁର୍ଲା ସରକାରୀ ଡାକ୍ତରଖାନା, ସମ୍ବଲପୁର)- କୁହାଯାଏ ପରିବାରରୁ ପ୍ରଥମ ଶିକ୍ଷା ମିଳିଥାଏ। ମୋ ମା’(କୁସୁମ ପାତ୍ର)ଙ୍କଠାରୁ ମୁଁ ସେ ଶିକ୍ଷା ପାଇଥିଲି। ଜୀବନରେ କ’ଣ ହେବା ଗୋଟିଏ ବିରାଟ ପ୍ରଶ୍ନ। ଏହି ପ୍ରଶ୍ନ ଛୋଟବେଳୁ ସମସ୍ତଙ୍କୁ ସାମ୍ନା କରିବାକୁ ପଡ଼ିଥାଏ। ମୋ ପାଇଁ ସେ ପ୍ରଶ୍ନର ସମାଧାନ କରିଥିଲେ ମୋ ମା’। ଅନ୍ତର୍ଜାତୀୟ ମାତୃ ଦିବସ ଅବସରରେ ତାଙ୍କ ଦୀର୍ଘ ଆୟୁଷ କାମନା କରୁଛି। ସେ ଜଣେ ନର୍ସ ଭାବରେ ଦୀର୍ଘ ୪୦ବର୍ଷ ଧରି କାର୍ଯ୍ୟ କରିଆସୁଛନ୍ତି। ତାଙ୍କଠାରୁ ହିଁ ମୋତେ ରୋଗୀମାନଙ୍କ ସେବା କରିବାର ଇଚ୍ଛା ଜାଗ୍ରତ ହୋଇଥିଲା। ସେ ଯେବେ ପରିବାର ସଦସ୍ୟ ଭଳି ନିଷ୍ଠାର ସହ ରୋଗୀଙ୍କ ଯତ୍ନ ନିଅନ୍ତି, ସେବା କରନ୍ତି ମୋତେ ଆନନ୍ଦ ଲାଗେ। ତାଙ୍କ ଭଳି ଜଣେ ମମତାମୟୀ ମା’ କୋଳରୁ ଜନ୍ମ ନେଇଥିବାରୁ ନିଜକୁ ଧନ୍ୟ ମନେକରେ। ତେଣୁ ତାଙ୍କ ପଦ ଅନୁସରଣ କରି ମୁଁ ମଧ୍ୟ ୧୦ବର୍ଷ ହେବ ଏହି ବୃତ୍ତିରେ ନିୟୋଜିତ ଅଛି। ମା’ଙ୍କ ସେବାରେ ଯେମିତି ସମସ୍ତେ ଉପକୃତ ହୁଅନ୍ତି, ମୁଁ ମଧ୍ୟ ତାଙ୍କ ଭଳି ହୋଇ ‘ଯେମିତି ମା’କୁ ସେମିତି ଝିଅ’ କଥାକୁ କାର୍ଯ୍ୟରେ କରି ଦେଖାବାକୁ ସର୍ବଦା ପ୍ରୟାସ କରିଛି। କେବଳ ବୃତ୍ତିଗତ କ୍ଷେତ୍ରରେ ନୁହେଁ, ଅନ୍ୟ ସବୁ କ୍ଷେତ୍ରରେ ତାଙ୍କୁ ନେଇ ଗର୍ବ କରେ।
ମା’ ମୋ ଆଦର୍ଶ
ଆଦିଶା ଅମ୍ରିତା (ମଡେଲ, ରାଉରକେଲା) – ମା’ଠୁ ଭଲ ଏ ଦୁନିଆରେ କିଏ ବା ହୋଇପାରେ! ପିଲାର ପ୍ରତିଟି କାର୍ଯ୍ୟରେ ଓ ସଫଳତାରେ ତାଙ୍କ ଅବଦାନ ଅତୁଳନୀୟ। ମୋ ପାଇଁ ମୋ ମା’ (ଅମ୍ରିତ୍‌ ନିଲମ୍‌) ହେଉଛନ୍ତି ଆଦର୍ଶ। ଜଣେ ମଡେଲ ଭାବରେ ତାଙ୍କର ରହିଛି ସ୍ବତନ୍ତ୍ର ପରିଚୟ। ୨୦୨୧ରେ ମହାରାଷ୍ଟ୍ର ନାଗପୁରରେ ଆୟୋଜିତ ପ୍ରତିଯୋଗିତାରେ ସେ ଯେବେ ମିସେସ୍‌ ଇଣ୍ଡିଆ ମୁକୁଟ ଜିତିଥିଲେ ଓ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିଥିଲା, ମୋର ଖୁସିର ସୀମା ରହି ନ ଥିଲା। ଏହା ପରବର୍ଷ ସେ ପୁନର୍ବାର ମିସେସ୍‌ ଓଡ଼ିଶା ହୋଇପାରିଥିଲେ। ପିଲାବେଳୁ ତା’ଙ୍କୁ ମଡେଲିଂ କରୁଥିବାର ଦେଖିଆସୁଛି। କାହା କଥାରେ ବ୍ୟସ୍ତ ହେବା କିମ୍ବା ମନ ଊଣାକରିବା ପରିବର୍ତ୍ତେ ସବୁବେଳେ ଦୃଢ଼ ମନୋବଳ ରଖି ନିଜ ଉଦ୍ୟମରେ ସଫଳତା ମାର୍ଗରେ ଆଗେଇ ଯିବାର କଳା ମୁଁ ତାଙ୍କଠାରୁ ହିଁ ଶିଖିଛି। ଏବେ ତାଙ୍କରି ପଥ ଅନୁସରଣ କରୁଛି। ତାଙ୍କ ମାର୍ଗଦର୍ଶନରେ ଏବେ ଅନେକ ମଡେଲ ଶୋ’ରେ ଅଂଶ ଗ୍ରହଣ କରିବା ସହ ଏକାଧିକ ଥର ବିଜୟ ମୁକୁଟ ପିନ୍ଧିବାର ସୌଭାଗ୍ୟ ମଧ୍ୟ ଅର୍ଜନ କରିପାରିଛି। ମା’ ମୋତେ ଆକଟ କରିବା ପରିବର୍ତ୍ତେ ମୋ ସହ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର କରନ୍ତି। ତେଣୁ ନିଜର ସବୁ ଇଚ୍ଛା ଅନିଚ୍ଛା ତାଙ୍କ ଆଗରେ ପ୍ରକାଶ କରିପାରେ ଏବଂ ସେ ଭୁଲ ଠିକ୍‌ର ପରାମର୍ଶ ଦିଅନ୍ତି। ଜଣେ ମଡେଲ୍‌ ହିସାବରେ ମୋର ଡ୍ରେସ୍‌, ମେକ୍‌ଅପ୍‌ଠାରୁ ଆରମ୍ଭ କରି ଖାଦ୍ୟପେୟ ଏମିତକି ପାଠପଢ଼ା ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ସେ ଗାଇଡ୍‌ କରନ୍ତି। ଯେତେବେଳେ ଆମେ ଦୁହେଁ ଏକାଠି ଏକାପ୍ରକାର ଡ୍ରେସ୍‌ ପିନ୍ଧୁ ଏବଂ ସମସ୍ତେ ଆମକୁ ମା’ଝିଅ ପୂରା ଏକାପରି ବୋଲି କୁହନ୍ତି ସେ ଖୁସି ଅବର୍ଣ୍ଣନୀୟ। ତା’ଙ୍କୁ ନିଜ ମା’ ଭାବେ ପାଇ ମୁଁ ବହୁତ ଖୁସି। ଭବିଷ୍ୟତରେ ତା’ଙ୍କ ଭଳି ସଫଳ ମଡେଲ ହେବା ମୋର ଲକ୍ଷ୍ୟ।
– ପୌର୍ଣ୍ଣମାସୀ
ସହାୟତା: ଅନୁରାଧା ମହାରଣା, ଶର୍ମିଷ୍ଠା ପାଣିଗ୍ରାହୀ

 

ମଦର୍ସ ଡେ’: କେବେଠୁ
ଆଜି ମଦର୍ସ ଡେ’। ମା’ଙ୍କ ପ୍ରତି ଥିବା ଗଭୀର ସ୍ନେହ ଶ୍ରଦ୍ଧା ଦର୍ଶାଇବା ପାଇଁ ଏହି ଦିବସଟିର ପରିକଳ୍ପନା। ତେବେ ଫିଲାଡେଲ୍‌ଫିଆର ଆନ୍ନା ଜାର୍ଭିସ୍‌ ୧୯୦୭ ମସିହା ମେ’ ୧୨ ତାରିଖରେ ସର୍ବପ୍ରଥମେ ନିଜ ମା’ଙ୍କ ସ୍ମୃତିରେ ଏହି ଦିବସ ପାଳନ କରିଥିଲେ। ଧିରେ ଧିରେ ଆମେରିକାର ଅନ୍ୟ ରାଜ୍ୟ ଗୁଡିକରେ ଏହି ଦିବସ ପଳାନ କରାଗଲା। ୧୯୧୪ ମସିହା ମେ’ ୯ ତାରିଖରେ ଆମେରିକା ରାଷ୍ଟ୍ରପତି ଉଡ୍ରୋ ଓ୍ବିଲ୍‌ସନ୍‌ ମେ ମାସର ଦ୍ୱିତୀୟ ରବିବାରକୁ ମଦର୍ସ ଡେ’ ଭାବେ ପାଳନ କରାଯିବ ବୋଲି ଏକ ବିଲ୍‌ ପାସ୍‌ କରିଥିଲେ ଏବଂ ଏହାକୁ ନାଶନାଲ୍‌ ହଲିଡେ ଭାବେ ଘୋଷଣା କରିଥିଲେ। ସେବେଠୁ ଆମେରିକା, ଭାରତ, ଆଙ୍ଗୁଇଲା, ଆଣ୍ଟିଗୁଆ ଆଣ୍ଡ ବରବୁଡା, ଆରୁବା, ଅଷ୍ଟ୍ରେଲିଆ, ଅଷ୍ଟ୍ରିଆ, ବାହାମାସ, ବାଂଲାଦେଶ ଆଦି ବହୁ ଦେଶରେ ମେ’ ଦ୍ୱିତୀୟ ରବିବାରକୁ ମଦର୍ସ ଡେ’ ଭାବେ ପାଳନ କରାଯାଉଛି। ଏହା ବ୍ୟତୀତ ଅନ୍ୟ ଦେଶଗୁଡ଼ିକରେ ଏହି ଦିବସ ଭିନ୍ନ ଭିନ୍ନ ତାରିଖରେ ପାଳନ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?