ମଧୁବାବୁଙ୍କୁ ଚିଠି

ଡ. ସିଦ୍ଧାର୍ଥ କାନୁନ୍‌ଗୋ

ମହାଶୟ! ଓଡ଼ିଆ ଜାତିର ଭୀଷ୍ମ ପିତାମହ ମଧୁସୂଦନ ଦାସ (ଜନ୍ମ ତା ୨୮ା୪ା୧୮୪୮ରିଖ ଏବଂ ମୃତ୍ୟୁ ତା ୦୪ା୨ା୧୯୩୪ ରିଖ)ଙ୍କୁ ଅନ୍ତରର ଭକ୍ତିପୂତ ପ୍ରଣାମ। ଆପଣ ହେଉଛନ୍ତି ଅନେକ କାହାଣୀ ଓ ଉପକଥାର ନାୟକ। ଆପଣଙ୍କୁ ଦେଖିବାର ସୁଯୋଗ ଆମେ ପାଇବାରୁ ବଞ୍ଚତ୍ତ। କିନ୍ତୁ ଆପଣଙ୍କର କାର୍ଯ୍ୟଶୈଳୀକୁ ଅନୁଧ୍ୟାନ କଲେ ଆପଣଙ୍କ ନିକଟରେ ଆମର ମୁଣ୍ଡ ଆପେ ଆପେ ନଇଁଯାଏ। ଶ୍ରୀରାମଙ୍କର ପଦରେଣୁ ସ୍ପର୍ଶରେ ପାଷାଣୀ ଅହଲ୍ୟା ଜୀବନ୍ୟାସ ପାଇଲା ପରି ଆପଣଙ୍କ ଆଗମନରେ ସତେ ଯେପରି ଏ ଓଡ଼ିଆ ଜାତି ଚେଇଁ ଉଠିଲା। ଏହାକୁ ତ ତଥ୍ୟ ଦୃଷ୍ଟିରୁ ଅସ୍ବୀକାର କରିହେବ ନାହିଁ।
ଆଜି ଆପଣଙ୍କ ବିଷୟରେ ଚିନ୍ତାକଲା ବେଳେ କବିବର ରାଧାନାଥ ରାୟଙ୍କର ଏହି ଉକ୍ତିଟି ଖୁବ୍‌ ମନେପଡ଼ୁଛି। ଚିଲିକା କାବ୍ୟରେ କବିବର ରାଧାନାଥ ଯଥାର୍ଥରେ କହିଛନ୍ତି-
”କ୍ଷୁଦ୍ର ଶିପ୍ରା ସ୍ରୋତୋ ବିଖ୍ୟାତ ଜଗତେ
ମହାନଦୀ ନାମ ରହିଲା ଗୁପତେ।
ଦେବୀ ବୀଣାପାଣି କେଉଁ ପାପ ବଳେ
କରୁଣା ତୋହର ଊଣା ଏ ଉତ୍କଳେ।“
ଶିପ୍ରା ନଦୀ ଏକ କ୍ଷୁଦ୍ର ପୟଃପ୍ରଣାଳୀ। ମାତ୍ର ଏହା ମହାକବି କାଳିଦାସଙ୍କର ଅମର ଲେଖନୀ ପ୍ରସାଦରୁ ବିଶ୍ୱବିଖ୍ୟାତ। କିନ୍ତୁ ଓଡ଼ିଶାର ଜୀବନରେଖା କହୁଥିବା ମହାନଦୀକୁ କେତେଲୋକ ବା ଜାଣନ୍ତି। ଠିକ୍‌ ସେହିପରି ଅନେକ କ୍ଷେତ୍ରରେ ଆପଣ ସମଗ୍ର ଭାରତ ବର୍ଷରେ ପ୍ରଥମ ହୋଇଥିଲେ ହେଁ ଆମେ ଉତ୍କଳଗୌରବ କହି ଆପଣଙ୍କ ବ୍ୟକ୍ତିତ୍ୱକୁ ସଂକୁଚିତ କରିଦେଉଛୁ। ଆପଣ ଥିଲେ ସ୍ବଦେଶୀ ଶିଳ୍ପାୟନର ଆଦିଉଦ୍‌ଗାତା। ପୁଣି ଥିଲେ ଦଳିତ ଜାତିର ଅର୍ଥନୈତିକ ଓ ସାମାଜିକ କ୍ଷେତ୍ରରେ ସର୍ବପ୍ରଥମ ସଂସ୍ଥାପକ। ଆପଣଙ୍କ ବଳିଷ୍ଠ ଯୁକ୍ତି ଦ୍ୱାରା ଭାରତୀୟ ନାରୀ ଓକିଲାତି କରିବାର ସୁଯୋଗ ଓ ଅଧିକାର ପାଇଥିଲା। ପୁଣି ଆପଣ ଥିଲେ ଭାଷାଭିତ୍ତିକ ପ୍ରଦେଶ ଗଠନରର ମୁଖ୍ୟ ବିନ୍ଧାଣୀ। ପରେ ଏହାକୁ ଭାରତୀୟ ଜାତୀୟ କଂଗ୍ରେସ ନୀତିଗତ ନିଷ୍ପତ୍ତି ଭାବେ ଗ୍ରହଣ କରିନେଇଥିଲା ଏବଂ ଏହାତ ଆଜି ସମ୍ବିଧାନ ସମ୍ମତ। ମହାତ୍ମା ଗାନ୍ଧୀଙ୍କ ବହୁ ପୂର୍ବରୁ ଆପଣ ଲୁଣମରା ଅଭିଯାନ ଆରମ୍ଭ କରିଥିଲେ ଏବଂ ଉତ୍କଳ ସମ୍ମିଳନୀ ମଣ୍ଡପରେ ବସି ଅରଟରେ ସୂତା କାଟିଥିଲେ। ଆପଣ ଥିଲେ ସମବାୟ ଆନ୍ଦୋଳନର ସୂତ୍ରଧର। ଦାଦାଭାଇ ନାରୋଜୀ ଓ ସାର୍‌ ସୁରେନ୍ଦ୍ରନାଥ ବାନାର୍ଜୀଙ୍କ ପରେ ବ୍ରିଟିଶ ପାର୍ଲାମେଣ୍ଟକୁ ସମ୍ବୋଧିତ କରିବାରେ ଆପଣ ହେଉଛନ୍ତି ତୃତୀୟ ଭାରତୀୟ। ଆପଣଙ୍କ ପରି ଅଦ୍ୟାବଧି କୌଣସି ଓଡ଼ିଆ ବ୍ରିଟିଶ ପାର୍ଲାମେଣ୍ଟକୁ ସମ୍ବୋଧିତ କରିବାର ସୁଯୋଗ ପାଇନାହାନ୍ତି। ଇଂଲିଶ ଭାଷାରେ ଆପଣଙ୍କ ଦଖଲ ଇଂଲଣ୍ଡବାସୀଙ୍କୁ ମଧ୍ୟ ଚମତ୍କୃତ କରିଥିଲା। ସେଦିନ ଭାଷଣ ଶୈଳୀର ପ୍ରଶଂସାରେ ଶତମୁଖ ହୋଇଥିଲା ‘ଲଣ୍ଡନ ଟାଇମ୍‌ସ’। ଜୟ ପ୍ରକାଶ ନାରାୟଣଙ୍କ ବହୁ ପୂର୍ବରୁ ଆପଣ ଲୋକପ୍ରତିନିଧିମୂଳକ ବ୍ୟବସ୍ଥାର ପ୍ରତ୍ୟାହାର (ରିକଲ) ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ଆଜିର ଲୋକପ୍ରତିନିଧିମାନଙ୍କୁ ଦେଖିଲେ ଆପଣ ହେଉଛନ୍ତି ଏକ ବ୍ୟତିକ୍ରମ। ଆଜି ତ ବାଧ୍ୟବାଧକତା ନ ପଡ଼ିଲେ ବା ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ନ କହିଲେ କେହି ମନ୍ତ୍ରୀ ପଦ ଛାଡ଼ିବାକୁ ପ୍ରସ୍ତୁତ ନୁହନ୍ତି। ମନ୍ତ୍ରୀ ପଦ ଅବୈତନିକ ହେବା ଉଚିତ ବୋଲି ସେଦିନ ଆପଣ ମତବ୍ୟକ୍ତ କରିଥିଲେ ଏବଂ ବିହାର ଓଡ଼ିଶା ସରକାର ଏଥିରେ ରାଜି ନ ହେବାରୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସମଗ୍ର ଭାରତବର୍ଷରେ ଏକ ନୂତନ ପରମ୍ପରା ସୃଷ୍ଟି କରିଥିଲେ।
ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଚାଲୁଥିବା ଅସହଯୋଗ ଆନ୍ଦୋଳନ ସହିତ ଆପଣ ଏକମତ ହୋଇ ନ ଥିଲେ ମଧ୍ୟ ବ୍ୟକ୍ତିଗତ ଭାବେ ଆପଣଙ୍କ ପ୍ରତି ମହାତ୍ମା ଗାନ୍ଧୀଙ୍କ ଥିଲା ଗଭୀର ଶ୍ରଦ୍ଧା ଓ ସମ୍ମାନ। ମହାତ୍ମା ଗାନ୍ଧୀ ଏକଥା ସ୍ବୀକାର କରି କହିଛନ୍ତି, ”ସେ (ମଧୁସୂଦନ ଦାସ) ବୁଝାଇଦେଇଥିଲେ ଯେ, ଆମେ ସମାଜର ଗୋଟିଏ ବଡ଼ଭାଇଙ୍କ ପ୍ରତି ଘୋର ଅନ୍ୟାୟ କରିଛୁ। ସେ ନିଜେ ମଧ୍ୟ ଶିଖାଇବା ଉଦ୍ଦେଶ୍ୟରେ ଏକ ଚମଡ଼ା କାରଖାନା ଖୋଲି ନିଜ ଜୀବନରେ ସେହି ଅନ୍ୟାୟର ପ୍ରାୟଶ୍ଚିତ୍ତ କରିବାକୁ ଚେଷ୍ଟା କରିଥିଲେ। ତାଙ୍କରି ଉଦ୍ୟମରେ କଟକର ଶହ ଶହ ମୋଚିଙ୍କ ପେଟ ପୋଷିବାର ବାଟ ଫିଟିଯାଇଥିଲା।“ ଆପଣଙ୍କ ଦ୍ୱାରା ପ୍ରଭାବିତ ହୋଇ ମହାତ୍ମା ଗାନ୍ଧୀ ପରବର୍ତ୍ତୀ ସମୟରେ ସାବରମତୀ ଆଶ୍ରମରେ ଏକ ଚମଡ଼ା କାରଖାନା ପ୍ରସ୍ତୁତ କରିବା ପାଇଁ ଆପଣଙ୍କ ମାର୍ଗଦର୍ଶନ ଚାହିଁଥିଲେ।
ଉତ୍କଳ ସଭାଠାରୁ ଆରମ୍ଭ କରି ଭାରତୀୟ ଜାତୀୟ କଂଗ୍ରେସ ପର୍ଯ୍ୟନ୍ତ ଅନେକ କ୍ଷେତ୍ରରେ ଆପଣ ଥିଲେ ଓଡ଼ିଶାର ଆଦ୍ୟ ପ୍ରବର୍ତ୍ତକ। କିନ୍ତୁ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ନେଇ କଂଗ୍ରେସ ନେତାଙ୍କ ସହ ଆପଣଙ୍କର ମତାନ୍ତର ହେବାରୁ କଂଗ୍ରେସଠାରୁ ଦୂରେଇ ଯାଇ ‘ଉତ୍କଳ ସମ୍ମିଳନୀ’ ମାଧ୍ୟମରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଦିଗରେ ବ୍ରତୀ ହେଲେ। ଊନବିଂଶ ଶତାବ୍ଦୀର ଲିବରାଲଙ୍କ ପରି ଆପଣ ଜଣେ ଲିବରାଲ ଥିବାରୁ ମହାତ୍ମା ଗାନ୍ଧୀଙ୍କର ଅସହଯୋଗ ଆନ୍ଦୋଳନରେ ନୀତିଗତ କାରଣରୁ ଯୋଗ ନ ଦେବାକୁ ଉଚିତ ମନେକରିଥିଲେ। ଏ ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ସେଦିନ ବ୍ରଜସୁନ୍ଦରଙ୍କୁ କହିଥିଲେ ”କିନ୍ତୁ ବ୍ରଜ ସୁନ୍ଦର! ଓଡ଼ିଶା ଯଦି କେବେ ସ୍ବତନ୍ତ୍ର ପ୍ରଦେଶ ହୁଏ ତା’ହେଲେ ଅସହଯୋଗ ପନ୍ଥାରେ ନୁହେଁ। ତାହା ହେବ ରିଫର୍ମସ୍‌ ବୈଧାନିକ ପନ୍ଥାରେ।“ ଆପଣଙ୍କ ଏହି ଭବିଷ୍ୟବାଣୀ ପରବର୍ତ୍ତୀ କାଳରେ ସତ୍ୟ ପ୍ରମାଣିତ ହୋଇଥିଲା।
କଂଗ୍ରେସର ନୀତି ନିର୍ଦ୍ଧାରଣ ଅନୁସାରେ ସାଇମନ କମିଶନକୁ ବିରୋଧ କରାଯାଇଥିଲା ଓ କଳାପତାକା ପ୍ରଦର୍ଶନ କରାଯାଇଥିଲା। ମାତ୍ର ଆପଣ ହିଁ ପ୍ରଥମେ ଏ ସୁଯୋଗକୁ ହାତଛଡ଼ା ନ କରି ସାଇମନ କମିଶନଙ୍କୁ ଅଭ୍ୟର୍ଥନା କରିବା ଏବଂ ତାଙ୍କ ଆଗରେ ସାକ୍ଷ୍ୟ ପ୍ରଦାନ ପାଇଁ ମତପୋଷଣ କଲେ। ଆପଣ ଭଲ ଭାବେ ଏକଥା ଜାଣିଥିଲେ ଯେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସହ ମାନ୍ଦ୍ରାଜ, ବିହାର ଓ ମଧ୍ୟପ୍ରଦେଶ ଜଡ଼ିତ। ସେମାନେ କେହି ଓଡ଼ିଶାର ବୃହତ୍ତର ସ୍ବାର୍ଥ ପାଇଁ ନିଜ ନିଜର ସ୍ବାର୍ଥ ତ୍ୟାଗ କରିବାକୁ ପ୍ରସ୍ତୁତ ନ ଥିଲେ। ସେଥିପାଇଁ ଓଡ଼ିଶା ଅଯଥା ମହାଭାରତୀୟ ସ୍ରୋତରେ ଭାବପ୍ରବଣ ହୋଇ ଭାସିଯିବା ଅପେକ୍ଷା ନିଜର ସ୍ବାର୍ଥସିଦ୍ଧି ଓ ସ୍ବାର୍ଥ ରକ୍ଷା ପାଇଁ କମିଶନଙ୍କ ସହ ସହଯୋଗ କରିବା ଉଚିତ ବୋଲି ମତପୋଷଣ କରିଥିଲେ। ଏକଥା ମଧ୍ୟ କହୁଥିଲେ ଯେ, ଓଡ଼ିଶାବାସୀ ଅସହଯୋଗ କଲେ କମିଶନ ହୁଏତ ଓଡ଼ିଶାର ଦାବି ବିଷୟରେ ସୁପାରିସ ନ କରିପାରନ୍ତି; ଏହା ଦ୍ୱାରା ଓଡ଼ିଶାବାସୀ ଅନେକ ଦିନ ପର୍ଯ୍ୟନ୍ତ ଅନ୍ଧାରରେ ରହିବେ।
ଆପଣଙ୍କ ଉପଦେଶ ଅନୁସାରେ ଉତ୍କଳ ସମ୍ମିଳନୀର ସଦସ୍ୟମାନେ ଆପଣଙ୍କୁ ପାଟନାଠାରେ ସାକ୍ଷାତ କରି କମିଶନଙ୍କୁ ଓଡ଼ିଶାର ଦାବି ସମ୍ପର୍କରେ ସ୍ମାରକପତ୍ର ଦେବା ପରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପ୍ରକ୍ରିୟା ତ୍ୱରାନ୍ବିତ ହୋଇଥିଲା। ଫଳତଃ ଗଠିତ ହେଲା ଅଟ୍‌ଲି ସବ୍‌ କମିଟି। ଅଟ୍‌ଲି ସବ୍‌ କମିଟି ୧୯୩୦ ସେପ୍ଟେମ୍ବରରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଅଟ୍‌ଲି ସବ୍‌କମିଟିର ସର୍ବସମ୍ମତ ପ୍ରସ୍ତାବ ଘୋଷିତ ହେଲା। ଏହା ପରେ ଓଡ଼ିଶାର ସୀମା ନିର୍ଦ୍ଧାରଣ ପାଇଁ ୧୯୩୧ ସେପ୍ଟେମ୍ବର ୧୮ରେ ସାର୍‌ ଏସ୍‌ ଓଡୋନେଲଙ୍କ ଅଧ୍ୟକ୍ଷତାରେ ଭାରତ ସରକାର ଓଡୋନେଲ ସବ୍‌କମିଟି ନିଯୁକ୍ତ କଲେ। ପରିଶେଷରେ ବହୁ ବିଚାର ବିମର୍ଶ ପରେ ୧୯୩୬ ଏପ୍ରିଲ ୧ରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମ୍ଭବ ହେଲା।
ଅବସ୍ଥା ଚକ୍ରରେ ପଡ଼ି ଆପଣ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ ମଧ୍ୟ ଶ୍ରୀଜଗନ୍ନାଥଙ୍କ ପ୍ରତି ଆପଣଙ୍କର ଥିଲା ଅତୁଟ ଭକ୍ତି ଏବଂ ନିଷ୍ଠା। ଶ୍ରୀମନ୍ଦିରର ସ୍ବତ୍ୱ ରକ୍ଷା ପାଇଁ ଆପଣ ସମସ୍ତ ନଥିପତ୍ର ଯୋଗାଡ଼ କରି ଯେଉଁ ସଫଳତା ହାସଲ କଲେ ତାହା ଅବର୍ଣ୍ଣନୀୟ। ସେଦିନ ଓଡ଼ିଶାରୁ ଆଇନ ଶିକ୍ଷା ଉଠିଯାଇଥାନ୍ତା; ମାତ୍ର ଆପଣ ବିନା ବେତନରେ ଆଇନ ଅଧ୍ୟାପନା କରିବା ପାଇଁ ରାଜି ହେବାରୁ ଆଇନ ଶିକ୍ଷା ବଳବତ୍ତର ରହିଲା।
ଏହି ଚିଠି ମାଧ୍ୟମରେ ଆପଣଙ୍କ ବ୍ୟକ୍ତିତ୍ୱର ହୁଏତ ସମ୍ପୂର୍ଣ୍ଣ ଆକଳନ କରାଯାଇ ନ ପାରେ। ମୃତ୍ୟୁର ଦୀର୍ଘ ୮୮ ବର୍ଷ ପରେ ମଧ୍ୟ ଆପଣ ଆଜି ପ୍ରଚଣ୍ଡ ବିସ୍ମୟ ଭାବରେ ପ୍ରତିଭାତ। ଜଣେ ଉତ୍ତର ପୁରୁଷ ଭାବେ ଆପଣଙ୍କୁ ଆମର ଗଭୀର ଶ୍ରଦ୍ଧାଞ୍ଜଳି।
ସେବାନିବୃତ୍ତ ଅତିରିକ୍ତ ଶାସନ ସଚିବ
ଓଡ଼ିଶା ସରକାର, ଚୈତନ୍ୟ ଧାମ, ଶବରସାହି, ଭୁବନେଶ୍ୱର, ମୋ:୯୪୩୮୦୭୨୮୫୦


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?