ଗଣତନ୍ତ୍ରର ଅଧୋଗତି

ଫେଡେରିକୋ ଫୁବିନି

ପାଶ୍ଚାତ୍ୟର ସବୁ ଦେଶରେ ଏବେ ଅନୁଦାର ବା ନୀଚମନା ରାଜନେତାଙ୍କ ଆବିର୍ଭାବ ଗଣତନ୍ତ୍ରର ଭବିଷ୍ୟତକୁ ଧ୍ୱଂସମୁଖକୁ ଠେଲିଦେଇଛି। ପ୍ରଥମେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ କଥା ବିଚାରକୁ ନିଆଯାଉ। ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ପରାସ୍ତ ହୋଇ ତାହାକୁ ଓଲଟପାଲଟ କରିବାକୁ ଚେଷ୍ଟାକରି ବିଫଳହେବା ପରେ ସେ କୌଶଳକ୍ରମେ ୨୦୨୫ରେ ହ୍ବାଇଟ୍‌ ହାଉସ୍‌କୁ ଫେରିବାକୁ ଚାହଁୁଛନ୍ତି। ଫ୍ରାନ୍ସରେ ଦୁଇଜଣ ଚରମ ଦକ୍ଷିଣପନ୍ଥୀ ନେତା ଏବେ ରାଷ୍ଟ୍ରପତି ଦୌଡରେ ରହିଛନ୍ତି। ସେହିଭଳି ଇଟାଲୀରେ ଲିଗ୍‌ର ମାଟେଓ ସାଲ୍‌ଭିନି ଓ ବଦର୍ସ ଅଫ୍‌ ଇଟାଲୀ ପାର୍ଟିର ଜର୍ଜିଆ ମେଲୋନି ୨୦୨୩ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରମୁଖ ପ୍ରତିଯୋଗୀ ହେବାର ସମ୍ଭାବନା ରହଛି। ଆମେରିକାରେ ଦକ୍ଷିଣପନ୍ଥୀ ରାଜନୈତିକ ଓ ମିଡିଆ କର୍ମୀମାନଙ୍କ ଭଳି ସାଲ୍‌ଭିନି, ମେଲୋନି ଏବଂ ଫ୍ରାନ୍ସର ଦକ୍ଷିଣପନ୍ଥୀ ନ୍ୟାଶନାଲ ରାଲିର ମ୍ୟାରିନି ଲି ପେନ୍‌ ହଙ୍ଗେରିର ପ୍ରଧାନମନ୍ତ୍ରୀ ଭିକ୍ଟର ଅର୍ବାନଙ୍କୁ ସାଧାରଣରେ ଗଭୀର ସମ୍ମାନ ପ୍ରଦର୍ଶନ କରିଛନ୍ତି। ଏଥିରୁ ସେମାନଙ୍କ ଇଚ୍ଛା କ’ଣ ରହିଛି ତାହା ଜଣାପଡ଼ୁଛି। ସେମାନେ ଶୀର୍ଷ ପଦବୀରେ ବସିବାର ସୁଯୋଗ ପାଇଲେ ଭିକ୍ଟରଙ୍କ ଉଦାରତାବିହୀନ ଶାସନ ଗ୍ରହଣ କରିବା ମନୋଭାବ ସ୍ପଷ୍ଟ ହେଉଛିି।
ଅତୀତର ବହୁ ଅନୁଭୂତିରୁ ଜଣାପଡେ ଯେ, ଭବିଷ୍ୟତରେ ଗଣତନ୍ତ୍ର ପ୍ରତି ବିଦପ ଘନୀଭୂତ ହେବାକୁ ଯାଉଛି। ଫାସିବାଦର ବିପଦ ସମ୍ପର୍କରେ ଆମେ ପୂର୍ବଜଙ୍କଠାରୁ ଶିକ୍ଷା କରିଛେ ଏବଂ ଗତ କିଛି ବର୍ଷ ମଧ୍ୟରେ ଗଣତାନ୍ତ୍ରିକ ପଦ୍ଧତିରେ ଏକଚ୍ଛତ୍ରବାଦୀ ନେତାମାନେ ହଠାତ୍‌ କ୍ଷମତାକୁ ଆସିବା ପରେ କିଭଳି ସାମ୍ବିଧାନିକ ନିୟମ ଓ ସଂସ୍ଥାଗୁଡ଼ିକ ଧରାଶାୟୀ ହୋଇଛି ତାହା ଆମେ ଦେଖିଛେ। ଏକଚ୍ଛତ୍ରବାଦ ପ୍ରତିଷ୍ଠା ପାଇଁ ଏବେ ଆପଣାଯାଉଥିବା ନିର୍ବାଚନ ଢାଞ୍ଚା ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରିବାର ଏକ ଲକ୍ଷଣ ବୋଲି କୁହାଯାଇପାରେ। କିନ୍ତୁ ଆମେ ଗଣତନ୍ତ୍ରର ଅଧଃପତନକୁ ନେଇ ଚିନ୍ତା ପ୍ରକଟ କରୁଛୁ କି? ଅବଶ୍ୟ ଏବେ ଗଣତନ୍ତ୍ରରୁ ଓକ୍ଲୋକ୍ରାସି ବା ମବ୍‌ ରୁଲ୍‌ (ଆଇନଗତ କ୍ଷେତ୍ର ବାହାରେ ଲୋକଙ୍କ ମାଧ୍ୟମରେ ହିଂସା ଓ ଧମକ ଦେଇ ଶାସନ କରିବାର ଧାରା)ରେ ଲୋକମାନଙ୍କ ଜୀବନ ଜୀବିକା ପ୍ରତି ଅଧିକ ବିପଦ ରହିଛି। ମବ୍‌ ରୁଲ୍‌କୁ ଦର୍ଶାଇବା ଲାଗି ଓକ୍ଲୋକ୍ରାସି ଶବ୍ଦ ଗ୍ରୀକ୍‌ ଏ୍ୟତିହାସିକ ପୋଲିବିୟସ ପ୍ରଥମେ ଲୋକଲୋଚନକୁ ଆଣିଥିଲେ। ରାଜନେତାମାନେ ଶସ୍ତା ଉପହାର ଏବଂ ପ୍ରଲୋଭନକାରୀ କଥା କହି ଭୋଟରମାନଙ୍କୁ ଆକର୍ଷିତ କରିବା ଧାରାରୁ ଓକ୍ଲୋକ୍ରାସିର ଜନ୍ମ। କେବେ ବି ଅଗଣତାନ୍ତ୍ରିକ ଶାସନର ଦମନ ଓ ନିର୍ଯାତନା ଅନୁଭବ କରି ନ ଥିବା ଲୋକମାନଙ୍କୁ ଆକର୍ଷିତ କରିବା ସହଜ ହୋଇଥାଏ ବୋଲି ପୋଲିବିୟସ କହିଛନ୍ତି। ତାଙ୍କ ମତରେ କ୍ଷତିକାରକ ମବ୍‌ ରୁଲ୍‌ର ଧାରାକୁ ଅନୁଭବ କରିଥିତ୍ବା ଲୋକମାନଙ୍କ ମଧ୍ୟରୁ ଯେଉଁ କେତେଜଣ ରହନ୍ତି ସେମାନେ ସରକାରଙ୍କ ସମାନତା ଏବଂ ସ୍ବାଧୀନତାର ଗଣତାନ୍ତ୍ରିକ ଢାଞ୍ଚାରେ ଖୁବ୍‌ ଖୁସି ହୁଅନ୍ତି। କିନ୍ତୁ ସେମାନଙ୍କ ପରେ ଯଦି ନୂତନ ପିଢିଙ୍କ ହାତରେ ଗଣତନ୍ତ୍ର ରହେ ସେମାନେ ସ୍ବାଧୀନତା ଏବଂ ସମାନତା ସହ ଅଭ୍ୟସ୍ତ ହେଲେ ମଧ୍ୟ ତାହାର ମହତ୍ତ୍ୱ ଉପରେ ଗୁରୁତ୍ୱ ଦିଅନ୍ତି ନାହିଁି। ଏଣୁ ସେମାନେ କ୍ଷମତା ଆଶା କରି ନ ପାଇଲେ ଦେଶ ଓ ଲୋକଙ୍କର କ୍ଷତି କରନ୍ତି। ଏହାଦ୍ୱାରା ଗଣତନ୍ତ୍ର ଧ୍ୱଂସ ହୋଇ ବଳ ଓ ହିଂସାର ଶାସନରେ ପରିବର୍ତ୍ତନ ହୋଇଥାଏ।
ସାଧାରଣ ମାନସିକତା ସବୁବେଳେ ପରିବର୍ତ୍ତନ ହେବା ଏବଂ ଏହାକୁ ସହଜରେ ନିୟନ୍ତ୍ରଣ କରାଯିବା ଯୋଗୁ ଗଣତନ୍ତ୍ର ପ୍ରତି ଅଧିକ ବିପଦ ଆସେ ବୋଲି ପୋଲିବିୟସ କହିଥିଲେ। ତାଙ୍କ ପୂର୍ବରୁ ପ୍ଲାଟୋ ଏବଂ ଆରିଷ୍ଟୋଟଲ ଏହା ସହ ଏକମତ ଥିଲେ। ଏବେ ଆମ ସମୟରେ ଏହାକୁ ଆମେ ପପୁଲିଜମ୍‌ (ଲୋକପ୍ରିୟ ନେତା ବା ତାଙ୍କ ନୀତିକୁ ସମର୍ଥନ କରିବା ଧାରା) କହୁଛେ, ଯାହାଦ୍ୱାରା ଆମେ ଗଣତାନ୍ତ୍ରିକ ଅଧୋଗତି ପାଇଁ ସବୁ ଦୋଷକୁ ଟ୍ରମ୍ପ୍‌, ଲି ପେନ୍‌ ଏବଂ ସାଲଭିନିଙ୍କ ଭଳି ଲୋକପ୍ରିୟ ନେତାଙ୍କ ଉପରକୁ ଠେଲି ଦେଉଛେ। ଏହି ରାଜନେତାମାନେ ବିଦେଶରୁ ଆସି ତାଙ୍କ ଦେଶରେ ରହୁଥିବା ଲୋକମାନଙ୍କ ମଧ୍ୟରେ ଭୟସୃଷ୍ଟି କରିବା ଏବଂ ଜନମତର ଧ୍ରୁବୀକରଣ କରିଛନ୍ତି। ମାଗଣାରେ ସେମାନେ ଏହା କରିନାହାନ୍ତି। ସେମାନେ ଭୋଟରମାନଙ୍କୁ ଆକର୍ଷିତ କରି ରାଜନୈତିକ ଫାଇଦା ଲାଗି ଏହା କରିଛନ୍ତି। ଇଂଲଣ୍ଡରେ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ଙ୍କ ନେତୃତ୍ୱାଧୀନ କଞ୍ଜରଭେଟିଭ ପାର୍ଟି ପ୍ରଥମେ ବ୍ରେକ୍‌ଜଟ୍‌ ସମ୍ପର୍କରେ ମିଥ୍ୟା ପ୍ରଚାର କରିବା ପରେ ୟୁରୋପିଅନ ୟୁନିୟନରୁ ବାହାରି ଆସିବା ଲାଭଦାୟକ ବୋଲି ସାଧାରଣରେ ଭ୍ରାନ୍ତ ଧାରଣା ଖେଳାଇଛି।
ଇଟାଲୀରେ ଗଣତନ୍ତ୍ରର ସ୍ଥିତି ସେତେ ଭଲ ନାହିଁ। ସେଠାରେ କୌଣସି ମୁଖ୍ୟଧାରାର ପାର୍ଟିରେ ନୂଆ ନେତା ଚୟନ କରିବା କିମ୍ବା ଏକ ନୀତିଗତ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ କୌଣସି ବିଶ୍ୱସନୀୟ ଆଭ୍ୟନ୍ତରୀଣ ଗଣତାନ୍ତ୍ରିକ ପଦ୍ଧତି ନାହିଁ। ଏମାନେ ଏତେ ଦୟନୀୟ ସ୍ଥିତିରେ ରହିିଛନ୍ତି ଯେ,ଜଟିଳ ସମସ୍ୟାଗୁଡ଼ିକୁ ସମାଧାନ କରିବା ପାଇଁ ନିୟମିତ ଟେକ୍ନୋକ୍ରାଟ୍‌ଙ୍କ ସହଯୋଗ ଲୋଡୁଛନ୍ତି। ୨୦୧୧-୧୩ରେ ପ୍ରଧାନମନ୍ତ୍ରୀ ମାରିଓ ମୋଣ୍ଟିଙ୍କ ସମୟରେ ଏଭଳି ହୋଇଥିଲା। ଏବେ ଦେଶର ମୁଖ୍ୟ ଚୟନ କରିବା ଲାଗି ପାର୍ଟି ପାର୍ଟି ମଧ୍ୟରେ ଓ ପାର୍ଟି ଭିତରେ ବାଦବିବାଦ ଲାଗିରହିବା ଏହାର ସଦ୍ୟତମ ଦୃଷ୍ଟାନ୍ତ। ଇଟାଲୀର ରାଜନୈତିକ ବର୍ଗ କେତେ ଅକ୍ଷମ ତାହା ଏଥିରୁ ପ୍ରକାଶ ପାଇଛି। କେବଳ ରାଷ୍ଟ୍ରପତି ସର୍ଗିଓ ମ୍ୟାଟେରେଲାଙ୍କ ଅନିଚ୍ଛା ସତ୍ତ୍ୱେ ତାଙ୍କୁ ପୁନର୍ବାର ରାଷ୍ଟ୍ରପତି ଭାବେ ନିର୍ବାଚିତ କରିବା ପାର୍ଟିଗୁଡ଼ିକରେ ଥିବା ବିରୋଧାଭାବକୁ ହଟାଇପାରିବ କି।
ଗଣତାନ୍ତ୍ରିକ ଅଧୋଗତିର ଦ୍ୱିତୀୟ ପ୍ରମୁଖ ଲକ୍ଷଣ ହେଉଛି ମିଡିଆର ଅଧଃପତନ। ମିଡିଆ ସଂସ୍ଥାଗୁଡ଼ିକ ପକ୍ଷପାତୀ ଓ ଧ୍ରୁବୀକୃତ ହେଲେ କିମ୍ବା ଶେୟାର ମାର୍କେଟ ପାଇବା ଲାଗି ସମ୍ବେଦନବାଦ ଏବଂ ଭୟ ପ୍ରୟାଗ କଲେ ଗଣତନ୍ତ୍ର ଗଭୀର ଭାବେ ପ୍ରଭାବିତ ହୋଇଥାଏ। ଯେତେବେଳେ ଏକ ସମାଜ ରାଜନୈତିକ ଧ୍ରୁବୀକରଣ ପଞ୍ଝାରେ ରହେ ସେତେବେଳେ ପ୍ରକାଶକ ଏବଂ ସମ୍ପାଦକମାନେ ସମ ଚିନ୍ତାଧାରା ଲୋକମାନଙ୍କ ଠାରୁ ବ୍ୟବସାୟିକ ସୁଯୋଗ ନେବା ପାଇଁ ଆଗକୁ ବଢ଼ନ୍ତି। ଫଳରେ ବ୍ୟାବସାୟିକ ଢାଞ୍ଚାରେ ଏକ ବିସ୍ପୋରକ ସ୍ଥିତି ସୃଷ୍ଟି ହୋଇଥାଏ। ଧ୍ରୁବୀକରଣ ଉପରେ ନିର୍ଭରଶୀଳ ହୋଇ ମିଡିଆ ସଂସ୍ଥାଗୁଡ଼ିକ ସାଧାରଣ ମତକୁ କମ୍‌ ଗୁରୁତ୍ୱ ଦେଉଛନ୍ତି।
ସୋସିଆଲ ମିଡିଆର ଉତ୍‌ଥାନ ଗଣତନ୍ତ୍ର ଅଧୋଗତିର ତୃତୀୟ ସଙ୍କେତ। ରାଜନେତାଙ୍କ ଦୃଷ୍ଟିକୋଣ ଓ ନିଷ୍ପତ୍ତି ଉପରେ ଏହାର ପ୍ରଭାବ ରହିଥିବାରୁ ଏହା ହେଉଛି। ଜଣେ ସାମ୍ବାଦିକ ଭାବେ ମୁଁ ଜାଣିଛି ଯେ, ଯେଉଁ ନେତାମାନେ ଟୁଇଟର ସହ ଆସକ୍ତ ସେମାନେ ଦିନର ବହୁ ସମୟ ଏହା ଉପରେ କଟାଇଥାନ୍ତି। ସେମାନଙ୍କ ନିର୍ବାଚନମଣ୍ଡଳୀ ବାସ୍ତବ ବିଶ୍ୱରେ ରହିଥିବାବେଳେ ଟୁଇଟର ହିଁ ସେମାନଙ୍କ ପାଇଁ ବାସ୍ତବତା ପାଲଟିଛି। ଅନ୍ତସାରଶୂନ୍ୟ ପାର୍ଟିଗୁଡ଼ିକୁ ନେଇ ଏକ ରାଜନୈତିକ ବ୍ୟବସ୍ଥା ଚାପ ସମ୍ମୁଖରେ ମୁଣ୍ଡ ନୂଅଁାଇବା ସ୍ବାଭାବିକ। ଦୀର୍ଘମିଆଦୀ ସମସ୍ୟାଗୁଡ଼ିକୁ ସମାଧାନ କରିବାରେ ବ୍ୟବସ୍ଥା ବିଫଳ ହେବା ଯୋଗୁ ଏହା ଉପରେ ବିଶ୍ୱାସ କମୁଛି ଏବଂ ଜନମତ ଲଗାତର ବଦଳିବାରେ ଲାଗିଛି। ଫଳରେ ଏବେ ହୋହଲ୍ଲା, ପ୍ରଭାବଶୂନ୍ୟ ତଥା ବେପରୁଆ ମିଡିଆ, ଆକ୍ରମଣାମତ୍କ କଥା କିମ୍ବା ଲେଖା ଏବଂ ଅଦୂରଦର୍ଶୀ ରାଜନୈତିକ କାର୍ଯ୍ୟକ୍ରମଗୁଡ଼ିକ ପ୍ରକାଶ ପାଉଛି। ଏହା ମବ୍‌ ରୁଲ୍‌ ଲାଗି ଏକ ବଡ଼ ସୂତ୍ର।
ଇକୋନୋମିକ୍ସ ଜର୍ନାଲିଷ୍ଟ ଏବଂ ଏଡିଟର ଆଟ୍‌ ଲାର୍ଜ (କୋରିଏରେ ଡେଲା ସେରା, ଇଟାଲୀ )


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri