ଆସ ଛବି ତୋଳିବା

ଅକ୍ଷୟ କୁମାର ମିଶ୍ର

 

ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ସମଗ୍ର ଦେଶରେ ଅମୃତ ମହୋତ୍ସବ ନାମରେ ବିଭିନ୍ନ କାର୍ଯ୍ୟକ୍ରମ ଯେ ହାତକୁ ନିଆଯାଇଛି ଏହା ଗଣ ମାଧ୍ୟମରେ ପ୍ରକାଶିତ ଫଟୋଚିତ୍ରଗୁଡ଼ିକ ଉପରେ ଦୃଷ୍ଟି ପଡ଼ିଲେ ବୁଝିହେଉଛି। କାର୍ଯ୍ୟକ୍ରମଗୁଡ଼ିକର ସଫଳତା ସମ୍ପର୍କରେ ତଥ୍ୟ ସଂଗୃହୀତ ହେଉ ବା ନ ହେଉ ସେଠାରେ ଉଠିଥିବା ଫଟୋଚିତ୍ରର ପ୍ରେରଣ ଓ ପ୍ରସାରଣ ଦିଗରେ ସମସ୍ତେ ଯେ ଯତ୍ନବାନ ଏହା ଅତି ସହଜରେ ବୁଝିହେଉଛି। ଆଜିକାଲି ଏହି ଅଘୋଷିତ ସ୍ଲୋଗାନଟି ସମସ୍ତଙ୍କ ମଗଜରେ ଏମିତି ଭର୍ତ୍ତି ହୋଇଯାଇଛି ଯେ ଏଥିପାଇଁ କାହାକୁ କହିବାକୁ ପଡୁନି କି ବୁଝାଇବାକୁ ପଡୁନି। ସଭିଏ ଘୋଷା ପଦ ପରି ଘୋଷି ହେଉଛନ୍ତି ‘ଆସ ଛବି ତୋଳିବା।’
ଅତୀତର ସ୍ମୃତିକୁ ସାଇତି ରଖିବା ପାଇଁ କିଛି ଆଗ ଧାଡ଼ିର ଲୋକ ଫଟୋ ଉଠାଇ ଆଲବମ୍‌ରେ ରଖୁଥିଲେ। ଆଉ କିଛି ଲୋକ ପରିବାରର ଫଟୋ, ସାଙ୍ଗ ସାଥୀ ମେଳର ଫଟୋ ଉଠାଇ ରଖୁଥିଲେ। ଆଜି ଯେଉଁ ସବୁ ଫଟୋ ଉଠୁଛି ସ୍ମୃତି ସାଇତିବା ପାଇଁ ନୁହଁ ବରଂ ଆତ୍ମ ପ୍ରଚାର ଲାଗି। ସବୁଠି ଏକ ଅସମ୍ଭବ ପ୍ରତିଯୋଗିତା। ଫଟୋ ଉଠାଇବା ପାଇଁ ଠେଲାପେଲା। ସ୍କୁଲ କଲେଜ, ଅଫିସ ଦପ୍ତର, ସଂଘ ସଂଗଠନ, ସଚିବାଳୟ, ନ୍ୟାୟାଳୟ ସର୍ବତ୍ର ଛବି ତୋଳିବାର ପ୍ରତିଯୋଗିତା ଚାଲିଛି। କୌଣସି ଜାତୀୟ ପର୍ବ ହେଉ ବା ସାଂସ୍କୃତିକ କାର୍ଯ୍ୟକ୍ରମ ହେଉ, ଜୟନ୍ତୀ ପାଳନ ହେଉ ଅବା ସ୍ମୃତିଚାରଣ ସଭା ହେଉ, ଉଦ୍‌ଘାଟନ ଉତ୍ସବ ହେଉ କିମ୍ବା ଅନ୍ୟ କୌଣସି ଉତ୍ସବ ହେଉ ସବୁଠି ମୁଖ୍ୟ ପ୍ରସଙ୍ଗରୁ ନଜର ହଟିଯାଇ ଛବି ତୋଳିବା ଉପରେ ଦୃଷ୍ଟି ନିବଦ୍ଧ ରହୁଛି। କ୍ୟାମେରା ସମ୍ମୁଖକୁ ଆସିବାର ପ୍ରତିଯୋଗିତା ଚାଲିଛି।
ଏବେ ଏହି ପ୍ରତିଯୋଗିତାକୁ ପ୍ରୋତ୍ସାହିତ କରୁଛି ଆମ ସରକାରୀ ବ୍ୟବସ୍ଥା ଆପଣେଇ ଥିବା କିଛି ମାର୍ଗଦର୍ଶିକା। ଆଜିକାଲି ସରକାରୀ କାର୍ଯ୍ୟକ୍ରମଗୁଡ଼ିକୁ ବିଭିନ୍ନ ଉତ୍ସବ, ମହୋତ୍ସବ, ମେଳା ନାମରେ ଏବଂ ଯୋଜନାଗୁଡ଼ିକ ଆଗରେ ଅଥବା ପଛରେ ଦେଶ କିମ୍ବା ରାଜ୍ୟ ନାମ ଯୋଡ଼ିଦେଇ ନାମିତ କରାଯାଉଛି। ତୃଣମୂଳସ୍ତରରେ ଏହିସବୁ କାର୍ଯ୍ୟକ୍ରମଗୁଡ଼ିକ କେମିତି କରାଗଲା ତା’ର ଫଟୋଚିତ୍ର ପଠାଇବାକୁ ନିର୍ଦ୍ଦେଶ ଆସୁଛି। ଫଳରେ କାର୍ଯ୍ୟକ୍ରମ ହେଉ ବା ନ ହେଉ ବ୍ୟାନର ଟଙ୍ଗେଇ ଆଠ ଦଶ ଜଣ ଆବଶ୍ୟକ ମୁଦ୍ରାରେ ଛିଡ଼ାହୋଇ ଯାଇ ଫଟୋ ଉଠାଇ ପ୍ରେରଣ ହେଉଛି। ବେଳେ ବେଳେ କିଛି ନ ଥାଇ କମ୍ପ୍ୟୁଟର ମାଧ୍ୟମରେ ପୁରୁଣା ଛବିକୁ ନୂଆ ରୂପ ଦେଇ ଭୂତ ବ୍ୟାନର ସେଟିଂ କରି ଫଟୋ ପଠାଯାଉଛି। ପରିଷ୍କାର ସ୍ଥାନରେ ଅଳିଆ ଢାଳିଦେଇ ଧୋବ ଫରଫର ପୋଷାକ ପିନ୍ଧିଥିବା ବାବୁମାନଙ୍କର ଝାଡୁଧରି ସଫେଇ କରୁଥିବା ଦୃଶ୍ୟ, ନିଜ ବାଡ଼ି ବଗିଚାରେ କେବେହେଲେ ଫୁଲ ଚାରାଟିଏ ରୋପଣ କରି ନ ଥିବା ବାବୁଙ୍କର ଗଛ ଲଗାଉଥିବା ଛବି, କୃଷି ସମ୍ପର୍କରେ ବିନ୍ଦୁବିସର୍ଗ ଧ୍ୟାନ ଧାରଣା ନ ଥିବା ବାବୁ କୃଷିମନ୍ତ୍ରୀ ବନିଗଲା ପରେ ଅକ୍ଷୟତୃତୀୟାରେ ଲଙ୍ଗଳ କରୁଥିବା ଫଟୋ ଜନସାଧାରଣଙ୍କ ମନରେ କେଉଁ ପ୍ରକାର ପ୍ରଭାବ ପକାଉଥିବ ତା’ ପ୍ରତି ଆଦୌ ଭ୍ରୂକ୍ଷେପ ନ କରି ଫଟୋ ଉଠାଇବା ପାଗଳାମିରେ ଲିପ୍ତ ସମସ୍ତେ। ଆଉ କିଛି ଫଟୋଚିତ୍ରରେ ଭିକାରୁଣୀକୁ କମ୍ବଳ ବଣ୍ଟନ, ରୋଗୀକୁ ଫଳ ବଣ୍ଟନ କରି ଦାତା ନିଜେ ଆତ୍ମସନ୍ତୋଷରେ ଫାଟି ପଡୁଥିବାର ଦୃଶ୍ୟ। କିଏ ବା ମନ୍ତ୍ରୀଙ୍କ ସହିତ ଫଟୋ ଉଠାଇ ପାଖ ଲୋକ ବୋଲି ପ୍ରଚାର କରିବାରେ ବ୍ୟସ୍ତ, କିଏ ପୁଣି ମନ୍ତ୍ରୀଙ୍କଠାରୁ ମିଛ ସମ୍ବର୍ଦ୍ଧନା ନେବା ସମୟର ଛବି ତୋଳି ନିଜ ଆଲବମ୍‌ରେ ସାଇତି ରଖିବା ନିମନ୍ତେ ବ୍ୟଗ୍ର।
କେତେବେଳେ ଗରିବ କୁଡ଼ିଆରେ ଆଦିବାସୀ ଝିଅ ସହିତ ବସି ପଖାଳ ଖାଇବାର ଦୃଶ୍ୟ ପୁଣି କେଉଁଠି ଧାନ କିଆରିରେ ଧାନକଟାଳିଙ୍କଠୁ ଦାଆ ନେଇ ଧାନ କାଟୁଥିବା ଛବି ଉଠାଇ ଚର୍ଚ୍ଚାକୁ ଆସିବାର ଅଭିସନ୍ଧି ବେଶ୍‌ ବାରିହୋଇ ପଡୁଛି। ସହରରେ ଶୀତତାପ ନିୟନ୍ତ୍ରିତ କୋଠରିରେ ରହି ମାଆବାପାଙ୍କୁ ମନରୁ ପାସୋରି ଦେଇଥିବା ପୁଅ ସାଙ୍ଗରେ କ୍ୟାମେରାମ୍ୟାନ ଧରି ମାତୃ ଅବା ପିତୃ ଦିବସରେ ନୂଆ ଲୁଗା, ମିଷ୍ଟାନ୍ନ, ଫଳ ଧରି ହାଜର ହେବା ଏବଂ ମାତାପିତାଙ୍କ ଚରଣରେ ସାଷ୍ଟାଙ୍ଗ ପ୍ରଣିପାତ କରୁଥିବା ଫଟୋ ଗଣମାଧ୍ୟମରେ ପ୍ରକାଶ କରିବା ପ୍ରଚାରସର୍ବସ୍ବ ମନୋବୃତ୍ତିର ବୋଧହୁଏ ଶ୍ରେଷ୍ଠ ଉଦାହରଣ।
ଏଠାରେ ଘାସ କାଟିବାଠାରୁ ଘୋଡ଼ା ଚଢ଼ିବା ଯାଏ ସବୁଥିରେ ରାଜନୀତି । ନୀତି ଶ୍ରେଷ୍ଠ ରାଜନୀତି ବୋଲି କୁହାଯାଉଥିଲା ଏବଂ ସେବା ମନୋଭାବ ବହୁ ଭଲଲୋକଙ୍କୁ ରାଜନୀତି ପ୍ରତି ଆକୃଷ୍ଟ କରୁଥିଲା। ଦେଶ ଓ ଦଶର ସେବା କରିବା ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଆତ୍ମପ୍ରଚାରରେ ମାତି ଜନପ୍ରିୟତା ହାସଲ କରିବା ପ୍ରତି ପ୍ରଲୁବ୍ଧ ହେବା ବହୁ କମ୍‌ ଲୋକ ଏହି କ୍ଷେତ୍ରରେ ଦେଖାଯାଉଥିଲେ । ସମୟ ବଦଳିବା ସହିତ ରାଜନୀତିର ଚରିତ୍ର ବଦଳି ଯାଇଛି। ସେବା ଅପେକ୍ଷା ସ୍ବାର୍ଥକୁ ପ୍ରାଥମିକତା ଦିଆଯାଉଛି। ଫଳରେ ପ୍ରଚାର ପ୍ରସାର ମାଧ୍ୟମରେ ପ୍ରତିଷ୍ଠିତ ହେବାର ରେସ୍‌ରେ ସମସ୍ତେ। ଏଣୁ ଆନ୍ତରିକତା ଥାଉ ବା ନ ଥାଉ ବିଭିନ୍ନ ଜନହିତକର କାର୍ଯ୍ୟରେ ସାମିଲ ହୋଇ ଫଟୋ ଉଠାଇବା ଏବଂ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଯତ୍‌ପରୋନାସ୍ତି ଉଦ୍ୟମ ଚାଲିଛି।
ଇଏ ତ ପ୍ରତିଷ୍ଠା ଲାଭ ପାଇଁ ଛବି ତୋଳିବାର ନିଶାରେ ମତୁଆଲା ହେଉଥିବା ଲୋକଙ୍କ କଥା। ଆମ ଯୁବ ଗୋଷ୍ଠୀଙ୍କୁ ଏହି ନିଶାଟା କମ୍‌ ଧରିନାହିଁ। ସ୍ଥାନ କାଳ ପାତ୍ର ଭୁଲି କେତେକ ଯୁବତୀଯୁବକ ଫଟୋ ଉଠାଇବାରେ ଏମିତି ନିଜକୁ ନିମଜ୍ଜିତ କରି ଦେଉଛନ୍ତି ଯେ ଅଜାଣତରେ ମହା ବିପତ୍ତିକୁ ଟାଣି ଆଣୁଛନ୍ତି। ଚଳନ୍ତା ଟ୍ରେନରେ ଫଟୋ ଉଠାଇବା ବେଳେ ତଳକୁ ଖସିପଡ଼ିବା, ନୌକାରେ ଥାଇ ସେଲ୍‌ଫି ନେବା ସମୟରେ ନଦୀ ଗର୍ଭରେ ପଡ଼ିଯିବା, ପାହାଡ଼ ତଳକୁ ପଡ଼ିଯିବା, ସମୁଦ୍ରର ଉତ୍ତାଳ ଜୁଆରରେ ଭାସିଯାଇ ପ୍ରାଣ ହରାଇବାର ଖବର ପ୍ରତିଦିନ ଖବରକାଗଜ ପୃଷ୍ଠା ମଣ୍ଡନ କରୁଛି।
ଉପର ମହଲାରୁ ତଳ ମହଲା, ସରକାରଠାରୁ ସଂଗଠନ, ପୌଢ଼ରୁ ପ୍ରବୀଣ, ମନ୍ତ୍ରୀ ଠାରୁ ତନ୍ତ୍ରୀ, ସାଧୁରୁ ସନ୍ଥ ସଭିଙ୍କ ଭିତରେ ଥିବା ଏହି ଅଦ୍ଭୁତ ନିଶାକୁ ଦେଖିଲା ପରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ କଥା ମନେ ପଡ଼ିଯାଉଛି। ରୋଗୀର ସେବା ଶୁଶ୍ରୂଷା କରିବା ଜୀବନର ପରମ ଧର୍ମ ବୋଲି ଯାହାଙ୍କର ବିଚାରବୋଧ ଥିଲା, ବନ୍ୟା ପ୍ରପୀଡ଼ିତଙ୍କୁ ଚୁଡ଼ା ଚାଉଳ ବାଣ୍ଟିବାକୁ ଯାଇ ଯିଏ ନିଜର ଏକମାତ୍ର ପୁଅକୁ ଚିରଦିନ ପାଇଁ ହରାଇ ଥିଲେ ସେ କେବେ ଆତ୍ମ ପ୍ରଚାରର ଦୌଡ଼ରେ ସାମିଲ ନ ଥିଲେ। ଏପରି କି ୧୯୨୮ରେ ଯେତେବେଳେ ପଞ୍ଜାବ କେଶରୀ ଲାଲା ଲଜପତ ରାୟ ତାଙ୍କ ସମ୍ପାଦନାରେ ପରକା ପାଉଥିବା ‘ଅସୁଖୀ ଭାରତ’ ପତ୍ରିକାରେ ପ୍ରକାଶ କରିବା ନିମିତ୍ତ ଗୋପବନ୍ଧୁଙ୍କୁ ଏକ ଫଟୋ ମାଗନ୍ତେ ଦାସେ ଆପଣେ ଫଟୋଟିଏ ଦେଇ ପାରି ନ ଥିଲେ।
ଏହା ହିଁ ହେଉଛି ଆତ୍ମପ୍ରଚାର ବିବର୍ଜିତ ତ୍ୟାଗପୂତ ଜୀବନ। ଫଟୋର ଆବଶ୍ୟକତା ପଡ଼ିନି ତାଙ୍କର ମାନବବାଦର ପରିଚୟ ପାଇବା ପାଇଁ। ମୃତ୍ୟୁ ତାଙ୍କୁ ମାରିପାରିନି। ଚଦର ଘୋଡ଼େଇ ଥିବା ସେହି ଲୋକଟିର ଫଟୋ ଏବେ ବି ଘରେଘରେ ଟଙ୍ଗାହୋଇ ନିଇତି ପୂଜା ପାଉଛି। ସେମିତି ଛବିର କିବା ପ୍ରୟୋଜନ, ଯାହାକୁ ଦେଖିବା ପରେ ଲୋକଙ୍କର ହାତ ଦୁଇଟି ଆପଣାଛାଏଁ ଯୋଡ଼ିହୋଇ ନ ଗଲା? ଏଣୁ କ୍ୟାମେରାର ପରଦାରେ ଆଭାସୀ ପ୍ରତିବିମ୍ବ ହେବାର ପ୍ରତିଯୋଗିତାରୁ ନିଜକୁ ମୁକ୍ତ କରି ଲୋକଙ୍କ ହୃଦୟ କନ୍ଦରରେ ଅମ୍ଳାନ ଛବିଟିଏ ହୋଇ ରହିବା ପାଇଁ ଉଦ୍ୟମ କଲେ ଛବି ତୋଳିବା ଲୋଡ଼ା ହେବ ନାହିଁ।
ପ୍ରାକ୍ତନ ଯୁଗ୍ମ ସାଧାରଣ ସମ୍ପାଦକ, ଓଷ୍ଟା, ମୋ:୭୦୦୮୦୭୩୫୯୯


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri