ଆସ ଫେଲ୍‌ ହେବା

ସନ୍ତୋଷ କୁମାର ମହାପାତ୍ର

 

ଜୀବନରେ ପ୍ରାୟ ସମସ୍ତେ ତାଙ୍କ ପିଲା ସଫଳତାର ଶୀର୍ଷରେ କିପରି ପହଞ୍ଚିବେ, ନିଜ ଶ୍ରେଣୀରେ ପ୍ରଥମ ହେବେ, ବିଭିନ୍ନ ପରୀକ୍ଷାରେ ସଫଳତା ପାଇବେ ତାହା କହିଥା’ନ୍ତି। ବିଶେଷକରି କେତେ ଅଧିକ ସଫଳତା ମିଳିବ ଏବଂ ସର୍ବାଧିକ ନମ୍ବର ରଖୁଥିବା ପିଲାଙ୍କ ସହିତ ପ୍ରତିଯୋଗିତା କରିବା ପାଇଁ ପରାମର୍ଶ ଦେଇଥା’ନ୍ତି। କିନ୍ତୁ କୌଣସି ମା’ବାପା ପିଲାଙ୍କୁ ଶ୍ରେଣୀରେ ଖରାପ ପ୍ରଦର୍ଶନ କରୁଥିବା ପିଲାଙ୍କ ସହିତ ତୁଳନା କରି ଖୁସି ମନାଇବାକୁ କହିନଥା’ନ୍ତି। ଜୀବନର ଲକ୍ଷ୍ୟ ହେଉଛି ଶୀର୍ଷରେ ପହଞ୍ଚତ୍ବା, ଉଚ୍ଚାଭିଳାଷୀ ହେବା, ନିଜ ପ୍ରତିଭାର ସଦୁପଯୋଗ କରି ଉନ୍ନତି କରିବା। କିନ୍ତୁ ନିଜ ଅଭିଳାଷ ସତ୍‌ ଉପାୟରେ ହାସଲ କରିବା ଉଚିତ। ସେହିପରି ଏକ ଦେଶର ସରକାରଙ୍କ କର୍ତ୍ତବ୍ୟ ହେଲା ନିଜର ଦୁର୍ବଳତା ଦୂରକରିବା। ବିଭିନ୍ନ ସମସ୍ୟା ସମାଧାନ କରି କିପରି ଅଧିକ ପ୍ରଗତି କରିବା, ଅଧିକ ଉନ୍ନତ ଦେଶ ସହିତ ପ୍ରତିଯୋଗିତା କରି ଆହୁରି ଅଧିକ ଶକ୍ତିଶାଳୀ ଦେଶ ଭାବେ ଉଭା ହେବା।
କିନ୍ତୁ ବର୍ତ୍ତମାନ ସରକାର ଏକ ଶକ୍ତିଶାଳୀ ଦେଶ ହେବା ପାଇଁ ଚେଷ୍ଟା କରିବା ପରିବର୍ତ୍ତେ ସର୍ବଦା ନିଜ ବିଫଳତା ଘୋଡ଼ାଇବା ପାଇଁ ପୂର୍ବ ସରକାର ବା ଅନ୍ୟ ଦେଶର ସେହିପରି ବିଫଳତା ସହିତ ତୁଳନା କରୁଛନ୍ତି; ଠିକ୍‌ ଯେପରି ଏକ ଶ୍ରେଣୀରେ ଏକ ଗଧ ବା ବିଫଳ ଛାତ୍ରୀ/ଛାତ୍ର ସହିତ ତୁଳନା କରିବା। ଅର୍ଥାତ୍‌ ଫେଲ ପାଇଁ ଚେଷ୍ଟା କରିବା। କେବଳ ସେତିକି ନୁହେଁ, ବିଫଳତା ପାଇଁ ଭଗବାନ୍‌ଙ୍କୁ ଦାୟୀ କରାଯାଉଛି ଏବଂ ବିଫଳତାକୁ ସଫଳତା ରୂପେ ଗଣମାଧ୍ୟମରେ ଅହରହ ପ୍ରଚାର କରାଯାଉଛି। ଭାବାବେଗ ସହିତ ଜଡ଼ିତ ପ୍ରସଙ୍ଗକୁ ବାରମ୍ବାର ପ୍ରଦର୍ଶନ କରାଯାଉଛି। ଚାଇନା-ପାକିସ୍ତାନ ଯୁଦ୍ଧ ଆଦି ପ୍ରସଙ୍ଗ ବାରମ୍ବାର ଗଣମାଧ୍ୟମରେ ଦେଖାଇ ଲୋକଙ୍କୁ ବିଭ୍ରାନ୍ତ କରାଯାଉଛି ଏବଂ ମୁଖ୍ୟ ସମସ୍ୟାଠାରୁ ଦୂରେଇ ରଖାଯାଉଛି। ଯିଏ ସରକାରଙ୍କ ବିଫଳତା ଦେଖାଇଲା, ତାକୁ ନକାରାତ୍ମକ ଚିନ୍ତାଧାରାର ଲୋକ କହି ନିନ୍ଦା କରାଯାଉଛି। ଏକ ସରକାରଙ୍କ ଅବଧି ୫ ବର୍ଷ ଏବଂ ସେହି ପାଞ୍ଚ ବର୍ଷରେ କ’ଣ କରିବେ କହିବା କଥା। ସରକାର କ’ଣ କରିଛନ୍ତି ନ କହି ବା ତାଙ୍କ ଶାସନ ଅବଧିରେ କ’ଣ କରିବେ ନ କହି ଖାଲି ଭବିଷ୍ୟତରେ ଏପରିକି ୨୦ରୁ ୨୫ ବର୍ଷ ପରେ କ’ଣ କରିବେ ବୋଲି କହୁଛନ୍ତି। କାରଣ ଭବିଷ୍ୟତରେ ସମସ୍ତେ ମୃତ ଏବଂ ଆସନ୍ତାକାଲି କେହି ଦେଖିନାହିଁ।
ବର୍ତ୍ତମାନ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ଦୁର୍ବଳ ହୋଇଚାଲିଛି। ଦିନକୁ ଦିନ ଏହା ନିମ୍ନସ୍ତରକୁ ଖସିଆସି ଅନେକଥର ସର୍ବକାଳୀନ ନିମ୍ନସ୍ତରରେ ପହଞ୍ଚତ୍ଛି। ବର୍ତ୍ତମାନ ୧ ଡଲାର ମୂଲ୍ୟ ୮୨ ଟଙ୍କାରୁ ୮୩ ଟଙ୍କା ମଧ୍ୟରେ ରହିଛି। ଯଦି ଟଙ୍କାର ବିନିମୟ ମୂଲ୍ୟ ଏହିପରି ହ୍ରାସ ପାଇଚାଲେ, ତେବେ ଆମଦାନୀ ଆହୁରି ମହଙ୍ଗା ହୋଇଯିବ ଏବଂ ଏହାର ସିଧାସଳଖ ପ୍ରଭାବ ଜନତାଙ୍କ ପକେଟ ଉପରେ ପଡ଼ିବ। ଏହି ସମସ୍ୟାକୁ ସ୍ବୀକାର କରିବା ପରିବର୍ତ୍ତେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ୍‌ କହିଛନ୍ତିଯେ, ଟଙ୍କା ଦୁର୍ବଳ ହୋଇନି ବରଂ ଡଲାର ମଜଭୁତ ହୋଇଛି। କରୋନା ମହାମାରୀଜନିତ ସଙ୍କଟର ମୁକାବିଲା କରିବାବେଳେ ନିଜ ବିଫଳତା ଘୋଡ଼ାଇବା ପାଇଁ ମହାମାରୀକୁ ଭଗବାନ୍‌ଙ୍କ କାର୍ଯ୍ୟ ଭାବେ ଦର୍ଶାଇଥିଲେ।
ସେହିପରି ନିକଟରେ ବିଶ୍ୱ କ୍ଷୁଧା ସୂଚକାଙ୍କ ୨୦୨୨ ରିପୋର୍ଟ ପ୍ରକାଶ ପାଇଛି। ୧୨୧ ଦେଶ ଭିତରୁ ଭାରତ ୧୦୭ତମ ସ୍ଥାନରେ ରହିଛି, ଅର୍ଥାତ୍‌ ୧୦୬ଟି ଦେଶ ତଳେ ରହିଛି। ରିପୋର୍ଟ ଅନୁଯାୟୀ ଭାରତରେ କ୍ଷୁଧା ସ୍ତର ଗମ୍ଭୀର। କୁପୋଷଣରେ ବିଶ୍ବରେ ୮୨.୮ କୋଟି ପୀଡ଼ିତ ହୋଇଥିଲାବେଳେ ଭାରତରେ ସେହି ସଂଖ୍ୟା ୨୨.୪୩ କୋଟି। ଶିଶୁ ଷ୍ଟଣ୍ଟିଂ ହାର ୩୫.୫%, ଶିଶୁ ମୃତ୍ୟୁହାର ୩.୩%, ଶିଶୁ ଅପଚୟରେ ୧୯.୩% ରହିଛି। ଶିଶୁ ଅପଚୟରେ ପୂର୍ବ ରେକର୍ଡ ସ୍ତରଠାରୁ ଖରାପ। ସରକାର ଏହି ବିଫଳତାକୁ ଗ୍ରହଣ କରିବା ପରିବର୍ତ୍ତେ କ୍ଷୁଧା ସୂଚକାଙ୍କ ପ୍ରସ୍ତୁତିର ପଦ୍ଧତିକୁ ପ୍ରଶ୍ନ କରିଛନ୍ତି ଏବଂ ରିପୋର୍ଟକୁ ଅବାସ୍ତବ ଦର୍ଶାଇ ପ୍ରତ୍ୟାଖ୍ୟାନ କରିଛନ୍ତି। ନିକଟରେ ୟୁଏନ୍‌ ପକ୍ଷରୁ ୨୦୨୧-୨୨ ବର୍ଷର ମାନବ ବିକାଶ ରିପୋର୍ଟରେ ବିଶ୍ୱର ୧୯୧ଟି ଦେଶ ମଧ୍ୟରେ ୧୩୨ ସ୍ଥାନରେ ରହିଛି। ଅର୍ଥାତ୍‌ ମାନବ ବିକାଶ ଦୃଷ୍ଟିରୁ ଭାରତ ୧୩୧ଟି ଦେଶ ତଳେ। ଅର୍ଥାତ୍‌ ଦ୍ରୁତ ଅଭିବୃଦ୍ଧି ମାନବ ବିକାଶରେ ସହାୟକ ହେଉନି। କିନ୍ତୁ ସରକାର ଏହାକୁ ଗ୍ରହଣ କରିବାକୁ ନାରାଜ। ସେହିପରି ଦି ରିପୋଟର୍‌ସ ଉଦାଉଟ୍‌ ବର୍ଡର୍ସର ବାର୍ଷିକ ବିଶ୍ୱ ପ୍ରେସ୍‌ ସ୍ବାଧୀନତା ସୂଚକାଙ୍କ ୨୦୨୧ରେ ଭାରତ ୧୮୦ଟି ଦେଶ ମଧ୍ୟରୁ ୧୪୨ ସ୍ଥାନରେ ଥିଲାବେଳେ ୨୦୨୨ ସୂଚକାଙ୍କରେ ୧୫୦ ସ୍ଥାନକୁ ଖସି ଆସିଛି। କିନ୍ତୁ ସରକାର ଏହି ସୂଚକାଙ୍କକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଆହୁରି ମଧ୍ୟ ୨୦୨୨ ଫେବୃୟାରୀରେ ଦି ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ ଦ୍ୱାରା ପ୍ରକାଶିତ ବିଶ୍ୱ ଗଣତନ୍ତ୍ର ସୂଚକାଙ୍କ ୨୦୨୧ରେ ଭାରତ ୧୬୭ ଦେଶ ମଧ୍ୟରେ ୪୬ ସ୍ଥାନରେ ରହି ପୂର୍ବପରି ଏକ ତ୍ରୂଟିପୂର୍ଣ୍ଣ ଗଣତନ୍ତ୍ର ଭାବେ ପରିଗଣିତ ହୋଇଛି, କିନ୍ତୁ ସରକାର ଏହି ସୂଚକାଙ୍କକୁ ପ୍ରତ୍ୟାଖ୍ୟାନ କରିଛନ୍ତି।
ସେହିପରି ବର୍ତ୍ତମାନ ଭାରତରେ ମୁଦ୍ରାସ୍ଫୀତି ଓ ବେରୋଜଗାରି ଭୟଙ୍କର ରୂପ ଧାରଣ କରିଛି, ଯାହା ଷ୍ଟାଗ୍‌ଫ୍ଲେସନର ଏକ ପ୍ରକାର ପ୍ରତିଫଳନ। ଭାରତର ଖୁଚୁରା ମୁଦ୍ରାସ୍ଫୀତି ସେପ୍ଟେମ୍ବର ୨୦୨୨ ସୁଦ୍ଧା ୯ ମାସ ପାଇଁ ଲଗାତର ଭାବେ ୬%ରୁ ଅଧିକ ରହିଛି। ସେହିପରି ପାଇକାରୀ ମୁଦ୍ରାସ୍ଫୀତି ଏପ୍ରିଲ ୨୦୨୧ରୁ କ୍ରମାଗତ ୧୮ ମାସ ଧରି ଦୁଇ ଅଙ୍କରେ ରହିଛି । ମୁଦ୍ରାସ୍ଫୀତି ରୋକିବାରେ ବିଫଳତା ଲୁଚାଇବା ପାଇଁ ସରକାରଙ୍କ ତରଫରୁ କେତେବେଳେ ପ୍ରଚାର କରାଯାଉଛି ଯେ, ବିଶ୍ବର ସବୁ ଦେଶରେ ମୁଦ୍ରାସ୍ଫୀତି ହାର ଅଧିକ ରହିଛି, ଆଉ କେତେବେଳେ କୁହାଯାଉଛି ଏହା ଆମଦାନୀଭିତ୍ତିକ ମୁଦ୍ରାସ୍ଫୀତି। ବେଳେବେଳେ ସରକାର କହୁଛନ୍ତି ଯେ, ମୁଦ୍ରାସ୍ଫୀତି ଧନୀମାନଙ୍କୁ ଅଧିକ ପ୍ରଭାବିତ କରିଛି।
ଭାରତରେ ବେକାରି ହାର ଅଧିକା ଓ ନିଯୁକ୍ତି ହାର କମ୍‌। ବ୍ରିଟେନ୍‌ରେ ବେକାରି ହାର ୩.୭%, ଚାଇନାରେ ୩.୮%, ଆମେରିକାରେ ୩.୫%, ଜାପାନ ୩%, ଜର୍ମାନୀ ୪% ଥିବାବେଳେ ଭାରତରେ ଏହା ୭ର ୁ୮% ମଧ୍ୟରେ ରହିଛି। ଭାରତରେ ମହାମାରୀ ପୂର୍ବରୁ, ୨୦୧୭-୧୮ରେ ବେକାରି ହାର ୪୫ ବର୍ଷରେ ରେକର୍ଡ ସର୍ବାଧିକ ୬.୧%ରେ ପହଞ୍ଚତ୍ଥିଲା। ନିଯୁକ୍ତି ହାର ଆମେରିକାରେ ୬୦%, ଜାପାନରେ ୬୦.୩%, ଜର୍ମାନୀରେ ୬୮.୩%, ବ୍ରିଟେନ୍‌ରେ ୭୫.୬%, ଚାଇନାରେ ୬୭.୪% ଥିବାବେଳେ ଭାରତ କ୍ଷେତ୍ରରେ ଏହା ମାତ୍ର ୪୦%। ବିଶ୍ୱ ହାରାହାରି ନିଯୁକ୍ତି ହାର ୫୫% ଛୁଇଁବା ପାଇଁ ମଧ୍ୟ ଭାରତକୁ ୧୯ କୋଟିର ଅତିରିକ୍ତ ନିଯୁକ୍ତି ଆବଶ୍ୟକ। ଭାରତରେ ୭୬% ବେକାରି ଅସୁରକ୍ଷିତ। କିନ୍ତୁ ଅତ୍ୟନ୍ତ ଚିନ୍ତାଜନକ ହେଉଛି, ସରକାର କହୁଛନ୍ତି ନିଯୁକ୍ତି ସୃଷ୍ଟି କରିବା ସରକାରଙ୍କ ଦାୟିତ୍ୱ ନୁହେଁ। ପୁନଶ୍ଚ ମହାମାରୀ ସମୟରେ ଚାଇନା ପରି ବୃହତ୍‌ ଦେଶରେ ଗରିବଙ୍କ ସଂଖ୍ୟା ବୃଦ୍ଧି ନ ପାଇଲାବେଳେ ଭାରତରେ ୫.୬ କୋଟି ବୃଦ୍ଧିପାଇଛି। ସରକାର ଦ୍ରୁତ ଅଭିବୃଦ୍ଧି କଥା କହୁଛନ୍ତି, କିନ୍ତୁ ମୁଣ୍ଡ ପିଛା ଆୟ ଦୃଷ୍ଟିରୁ ବିଶ୍ବରେ ଭାରତ ୧୪୧ଟି ଦେଶ ତଳେ ଅଛି । ୧୯୮୦ ଦଶକରେ ଚାଇନାର ଜିଡିପି ଭାରତ ସହିତ ସମାନ ଥିଲା । କିନ୍ତୁ ବର୍ତ୍ତମାନ ଚାଇନା ଅର୍ଥନୀତିର ଆକାର ଭାରତ ଅର୍ଥନୀତି ଆକାରର ୫.୭ ଗୁଣା ହୋଇଛି। ସରକାର ଏସବୁ କ୍ରୂର ବାସ୍ତବତା ଗ୍ରହଣ କରି ବିହିତ ପଦକ୍ଷେପ ନେବା ପରିବର୍ତ୍ତେ ନିଜ ବିଫଳତା ଘୋଡ଼ାଇବା ପାଇଁ ଖାଲି ସ୍ଲୋଗାନ୍‌ ଦେଇ ଚାଲିଛନ୍ତି।
ମୋ: ୯୪୩୭୨୦୮୭୬୨


Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri