ଆସ ଛେଳିଫାର୍ମ କରିବା

ଡ. ପ୍ରମୋଦ କୁମାର ପଣ୍ଡା

 

ପାଠକ ବନ୍ଧୁ! ପ୍ରସଙ୍ଗଟି ନିଶ୍ଚୟ ଆପଣମାନଙ୍କୁ ଚକିତ କରୁଥିବ। ଆମ ଓଡ଼ିଆଙ୍କର ଯେତେପ୍ରକାର ଆମିଷ ଖାଦ୍ୟ ଅଛି, ସେଥିମଧ୍ୟରୁ ରାଜା ହେଉଛି ମାଂସ ତରକାରି ବା ଛେଳି ମାଂସ ତରକାରି। ଜନ୍ମଦିନ, ନିର୍ବନ୍ଧ, ବାହାଘର ଇତ୍ୟାଦି ଭୋଜି ଛେଳି ମାଂସ ବିନା ଅସମ୍ଭବ କହିଲେ ଅତ୍ୟୁକ୍ତି ହେବନାହିଁ। ଛେଳି ମାଂସ ଅଭାବିରେ ବିଭିନ୍ନ ସ୍ଥାନରେ ବିବାହ ଭୋଜିରେ ଗଣ୍ଡଗୋଳ ହେବା ଓ ବିବାହ ଭାଙ୍ଗିଯିବାର ଅନେକ ନଜିର ମଧ୍ୟ ରହିଛି। ଛେଳି ମାଂସ ଆଳୁ ଝୋଳ ସହିତ ଦେଶୀ ଉଷୁନା ଚାଉଳର ଭାତ ଓଡ଼ିଆ ଭାଇ ଭଉଣୀଙ୍କୁ ମନେ ନ ପକାଇଲେ ଭଲ। ରାଜ୍ୟ ସାରା ଛେଳି ମାଂସର ଏତେ ଡିମାଣ୍ଡ ଅଛି ଯେ ବର୍ଷର ଯେ କୌଣସି ସମୟରେ ବି ଏହାର ଦାମ କିଲୋପିଛା ୭୫୦ – ୮୦୦ ଟଙ୍କାରୁ କମି ନ ଥାଏ। ସ୍ଥିତି ଏମିତି ଅବସ୍ଥାରେ ପହଞ୍ଚିଲାଣି ଯେ ଗରିବଗୁରୁବା ଆଜିକାଲି ଛେଳି ମାଂସ ଟିକିଏ ଖାଇବା ସ୍ବପ୍ନ ବୋଲି ଭାବୁଛନ୍ତି। ଥରେ ଜଣେ କ୍ଷୁଦ୍ର ଚାଷୀ ଏହି ଲେଖକଙ୍କୁ ଏକ ଦୁଃଖଭରା କଥା କହିଲେ ଯାହାକି ମୋ ହୃଦୟକୁ ପ୍ରଭାବିତ କଲା। ସେ କହିଲେ, ଆମେ ଛେଳି ମାଂସ ତରକାରି ଖାଇବାକୁ ଆଉ ସାହସ କରିପାରୁନାହୁଁ। ମୁଁ ତତ୍‌କ୍ଷଣାତ ପଚାରିଲି କାହିଁକି ? ସେ ଉତ୍ତରରେ କହିଲେ ସାର୍‌! ମୋ ପରିବାର ପାଇଁ ଦେଢ କିଲୋ ମାଂସ ଦରକାର, ଯାହାର ବର୍ତ୍ତମାନ ଦାମ ୧୨୦୦ ଟଙ୍କା। ମୋର କୁଇଣ୍ଟାଲ ଧାନର ଦାମ୍‌ ମଧ୍ୟ ୧୨୦୦ ଟଙ୍କା। ଆପଣ କୁହନ୍ତୁ ମୁଁ ଓ ମୋ ପରିବାର କୁଇଣ୍ଟାଲ ଧାନ ଉତ୍ପାଦନ ପାଇଁ କେତେ ପରିଶ୍ରମ କରୁଛୁ। ଗୋଟେ ବକ୍ତ ମାଂସର ଦାମ ଗୋଟେ କୁଇଣ୍ଟାଲ ଧାନ? କଥାଟି ଛୋଟ ହେଲେ ମଧ୍ୟ ମୋ ମନରେ ଗଭୀର ରେଖାପାତ କଲା ଓ ଛେଳି ମାଂସର ଅହେତୁକ ଦର ବୃଦ୍ଧି କାହାପାଇଁ ହେଉଛି ଖୋଜିବାକୁ ଲାଗିଲି।
ସାଧାରଣତଃ କୌଣସି ପଦାର୍ଥର ଦର ବୃଦ୍ଧି ସେତେବେଳେ ହୋଇଥାଏ, ଯେତେବେଳେ ଚାହିଦା ଅଧିକ ଥାଏ ଏବଂ ଆପୂର୍ତ୍ତି କମ୍‌ ଥାଏ। ସେହି ଅନୁସାରେ କହିବାକୁ ଗଲେ ଓଡ଼ିଶାରେ ଛେଳି ମାଂସ ଚାହିଦା ମୁତାବକ ସପ୍ଲାଇ ହୋଇପାରୁନାହିଁ। ଏହି ଡିମାଣ୍ଡ, ସପ୍ଲାଇ ଗ୍ୟାପ ବା ନିଅଣ୍ଟକୁ ଭରଣା କରିବା ପାଇଁ ଆମକୁ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ବିହାର ଓ ଆନ୍ଧ୍ର ପ୍ରଦେଶରୁ ଛେଳି ଆମଦାନୀ କରିବାକୁ ପଡୁଛି। ଆସନ୍ତୁ ପରିସଂଖ୍ୟାନ ଦ୍ୱାରା ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିବା। ଆମ ରାଜ୍ୟରେ ୨୦୧୨ ରେ ମୋଟ ଛେଳିଙ୍କ ସଂଖ୍ୟା ଥିଲା ୬୫.୧ ଲକ୍ଷ। ଯାହାକି ୨୦୧୯ ବେଳକୁ ହ୍ରାସ ପାଇ ୬୩.୯ ଲକ୍ଷରେ ପହଞ୍ଚିଛି। ଗୋଟେ ପଟେ ଖାସି ମାଂସର ଚାହିଦା ବଢୁଥିବାବେଳେ ଓଡ଼ିଶାରେ ଛେଳି ସଂଖ୍ୟା ହ୍ରାସ, ଚିନ୍ତାଜନକ। ଆସନ୍ତୁ ଦେଖିବା ସେହି ସମୟ ମଧ୍ୟରେ ଆମ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର କ’ଣ ସ୍ଥିତି ଅଛି। ଝାଡ଼ଖଣ୍ଡରେ ୨୦୧୨ ମସିହାରେ ୬୫.୮ ଲକ୍ଷ ଛେଳି ଥିବାବେଳେ ତାହା ୨୦୧୯ ବେଳକୁ ବୃଦ୍ଧିପାଇ ୯୧.୨ ଲକ୍ଷରେ ପହଞ୍ଚିଛି। ସେହିପରି ପଶ୍ଚିମବଙ୍ଗରେ ଉକ୍ତ ସମୟ ମଧ୍ୟରେ ଛେଳି ସଂଖ୍ୟା ୧୧୫.୧ ଲକ୍ଷରୁ ବଢି ୧୬୨.୮ ଲକ୍ଷରେ ପହଞ୍ଚିଛି। ସର୍ବଭାରତୀୟ ସ୍ତରରେ ଛେଳି ସଂଖ୍ୟା ଦେଖିଲେ ଜଣାଯାଏ ଯେ ଉକ୍ତ ସମୟ ମଧ୍ୟରେ ମୋଟ ଛେଳି ସଂଖ୍ୟା ୧୩୫୧.୭ ଲକ୍ଷରୁ ବୃଦ୍ଧି ପାଇ ୧୪୮୮.୮ ଲକ୍ଷରେ ପହଞ୍ଚିଛି। ଅର୍ଥାତ୍‌ ସର୍ବଭାରତୀୟ ସ୍ତର ଓ ଆମ ପଡୋଶୀ ଯଥା ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ଛେଳି ସଂଖ୍ୟା ବୃଦ୍ଧି ହେଉଥିବା ସ୍ଥଳେ ଆମର ଛେଳି ସଂଖ୍ୟା ହ୍ରାସ ଚିନ୍ତାର କାରଣ?
ଖାଇବୁ ଛେଳି ମାଂସ, ମାତ୍ର ପାଳିବୁନି ଛେଳି। ଏପରି ସ୍ଥଳେ ପଡୋଶୀ ରାଜ୍ୟରୁ ଆସିବା ତ ସ୍ବାଭାବିକ କଥା। ଏହାର ମୁଖ୍ୟ କାରଣ ହେଲା ଯେ ଛେଳି ପାଳନ କଲେ ପ୍ରେଷ୍ଟିଜ ଚାଲିଯିବ, ଏହା ସାମାଜିକ ଧାରଣା। ଓଡ଼ିଶାରେ ଆମେ ଏପରି ଭାବିଥାଉ। ସେଥିପାଇଁ ଶିକ୍ଷିତ ଯୁବତୀଯୁବକ କିମ୍ବା ଧନୀ ଶ୍ରେଣୀର ଲୋକ ଛେଳି ପାଳନ କରନ୍ତି ନାହିଁ। ସମାଜରେ ଏହି ଧାରଣାକୁ ଜନମାନସ ମନରୁ ପୋଛିବାକୁ ପଡିବ। ଆମ ପାଖରେ ୨୯ ଲକ୍ଷ ହେକ୍ଟର ଢିପ ଜମି ଅଛି, ଯେଉଁଠି ପ୍ରଚୁର ଘାସ ବଢିଥାଏ। ଆମ ପାଖରେ ଜଙ୍ଗଲ ଜମି ମଧ୍ୟ ଅଛି। ପ୍ରଚୁର ବର୍ଷା (୧୫୦୦ ମିଲିମିଟର) ଓ ଉର୍ବର ମୃତ୍ତିକା ବର୍ଷ ତମାମ ଘାସ ଉତ୍ପାଦନରେ ସହାୟକ ହୋଇଥାଏ। କୁକୁଡା ପାଳନରେ ଥିବା ରିସ୍କ ମଧ୍ୟ ଛେଳି ପାଳନରେ ନ ଥାଏ। ଛେଳିକୁ କମ ଖାଦ୍ୟର ଆବଶ୍ୟକତା ପଡିଥାଏ। ତା’ ଛଡା ତାକୁ ବେଶି ରୋଗ ଆକ୍ରାନ୍ତ କରି ନ ଥାଏ। ଛେଳି ଛୋଟ ପ୍ରାଣୀ ହୋଇଥିବାରୁ ଆରାମରେ ବିକ୍ରିବଟା ହୋଇଥାଏ, ସେଥିପାଇଁ ତ ଛେଳିକୁ ଏଟିଏମ୍‌ ମେଶିନ ମଧ୍ୟ କୁହାଯାଏ। ଅର୍ଥାତ୍‌ Any Time Money। ଛେଳିକ୍ଷୀର ସବୁଠାରୁ ମୂଲ୍ୟବାନ ଓ ଉପାଦେୟ ଖାଦ୍ୟ।
ଜାତିର ପିତା ମହାତ୍ମା ଗାନ୍ଧୀ ପ୍ରତ୍ୟେକ ଦିନ ଛେଳି କ୍ଷୀର ପିଉଥିଲେ। ଗୁଜରାଟ, ମହାରାଷ୍ଟ୍ର, ରାଜସ୍ଥାନ, ଉତ୍ତର ପ୍ରଦେଶ ଓ ମଧ୍ୟପ୍ରଦେଶରେ ଲୋକେ ଛେଳି କ୍ଷୀରକୁ ପସନ୍ଦ କରନ୍ତି। ଛେଳି କ୍ଷୀର ଶିଶୁ, ବୃଦ୍ଧାବୃଦ୍ଧ ଓ ରୋଗୀମାନଙ୍କ ପାଇଁ ଅତି ଉପାଦେୟ। ତେଣୁ ଶିକ୍ଷିତ ସମାଜକୁ ଛେଳି କ୍ଷୀର ଉପାଦେୟତା ବିଷୟରେ ସଚେତନ କରିବାକୁ ପଡିବ। ଓଡ଼ିଶାରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକ ଓ ପ୍ରାଣୀ ସ୍ବାସ୍ଥ୍ୟକର୍ମୀ ଏହି ସମସ୍ୟାକୁ ଏକ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କରି ବେକାର ଯୁବତୀଯୁବକମାନଙ୍କୁ କିପରି ଛେଳି ପାଳନ ପ୍ରତି ଆକୃଷ୍ଟ କରାଯାଇପାରିବ, ସେ ଦିଗରେ ଅଧିକ ଯତ୍ନବାନ ହେଲେ ଆଗାମୀ ଦିନରେ ନିଶ୍ଚିତ ରୂପେ ଏ ଦିଗରେ ସଫଳତା ପାଇପାରିବା। ସେହିପରି ରାଜ୍ୟରେ ଶିକ୍ଷିତ ବେକାର ଯୁବତୀଯୁବକମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଛେଳି ଫାର୍ମ ସୃଷ୍ଟି କରାଯାଇପାରିବ, ଯଦ୍ଦ୍ବାରା ଓଡ଼ିଶାର ଛେଳି ଆବଶ୍ୟକତା ପୂରଣ ହୋଇପାରିବ ଓ ଛେଳି ମାଂସରେ ସ୍ବାବଲମ୍ବୀ କରାଯାଇପାରିବ ଏବଂ ଆମେ ରପ୍ତାନି ମଧ୍ୟ କରିପାରିବା। ଛେଳି ପାଳନ କଲେ ସମ୍ମାନ ହାନି ହେବ ଓ ଏହା ଗରିବ କିମ୍ବା ନୀଚ ଜାତିର କାର୍ଯ୍ୟ ବୋଲି ସମାଜର ଧାରଣାକୁ ଗଣମାଧ୍ୟମ ଚାହିଁଲେ ବଦଳାଇ ଦେଇ ପାରିବ। ଆମ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟରେ ନିଯୁକ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କର ମଧ୍ୟ ଏ ଦିଗରେ ଗୁରୁଦାୟିତ୍ୱ ରହିଛି। ଆସନ୍ତୁ ସମସ୍ତେ ମିଶି ଓଡ଼ିଶାରେ ଛେଳି ପାଳନକୁ ପ୍ରୋତ୍ସାହିତ କରିବା ଓ ଛେଳି ମାଂସ ଉତ୍ପାଦନରେ ସ୍ବାବଲମ୍ବୀ କରାଇ ରପ୍ତାନି ବୃଦ୍ଧି କରିବା।
ଶ୍ୟାମଚାନ୍ଦ ପାଟଣା, ଭଦ୍ରକ
ମୋ : ୮୯୧୭୪୨୬୪୪୦


Enter your email to get our daily news in your inbox.

All Right Reserved By Dharitri.Com

ସୁନାପିଲା

ପିଲାଦିନେ ଭାରି ଭଲ ଲାଗୁଥିଲା ଶୁଣିବାକୁ। ସୁନାପିଲା ବୋଲି ମୋତେ କେହି କହିଦେଲେ ଛାତି ଭିତରଟା କୁରୁଳି ଉଠେ। ମୋତେ ଆଙ୍ଗୁଠି ଦେଖାଇ ଆମ ଘରକୁ ବୁଲି…

ବିଲୁପ୍ତି ପଥେ ପୂର୍ବଜଙ୍କ ସମ୍ପଦ

ପ୍ରାୟ ଆମେ ସମସ୍ତେ ଆମ ପୂର୍ବପୁରୁଷଙ୍କ ସମ୍ପଦକୁ ନେଇ ବର୍ତ୍ତମାନର ଜୀବନ ବଞ୍ଚୁଛେ। ପୂର୍ବପୁରୁଷ ରହୁଥିବା ଘର, ସେମାନଙ୍କ ଦ୍ୱାରା ଅର୍ଜିତ କୃଷିକ୍ଷେତ୍ର, ଜାଗାବାଡ଼ି ଏପରିକି ଅନେକ…

ବାଗ୍‌ଦାଦରେ ମହାକାଳ

ତ୍ରୟୋଦଶ ଶତାବ୍ଦୀର ପ୍ରାରମ୍ଭିକ ମୁସଲିମ ଶାସକମାନେ ନିଜକୁ ସୁଲତାନ ବୋଲି କହୁଥିଲେ। କିନ୍ତୁ ୧୬ଶ ଶତାବ୍ଦୀରେ ମୋଗଲମାନେ ନିଜକୁ ବାଦଶାହ ବୋଲି କହିଲେ। ଏହାର କାରଣ ହେଉଛି…

ଶିକ୍ଷାରେ ବହୁ ଭାଷା

ଭାରତୀୟ ଶିକ୍ଷା, ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ(ଏନ୍‌ସିଇଆର୍‌ଟି) ମାଧ୍ୟମିକ ସ୍ତରରେ ତିନୋଟି ଭାଷା ଶିକ୍ଷାକରିବା ଲାଗି ନିୟମ କଲାପରେ ଏହାକୁ ନେଇ କେତେକ ରାଜ୍ୟରେ ପ୍ରତିବାଦର ସ୍ବର…

ମୋ ଭାରତ ବଦଳୁଛି

ସମୟ ବଦଳିବା ସହିତ ଦେଶର ଚିତ୍ର ଓ ଚରିତ୍ର ବଦଳିବା ଏକ ସ୍ବାଭାବିକ ପ୍ରକ୍ରିୟା। ବଦଳୁଛି ସମୟ, ବଦଳୁଛି ସ୍ଥିତି, ବଦଳୁଛି ମୋ ଦେଶର ଭାଗ୍ୟ ଓ…

ଦିଗହରା ଆମେରିକା

ଇରାନ ଉପରେ ୨୮ ଫେବୃଆରୀ ୨୦୨୬ରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ହୋଇଥିବା ଘମାଘୋଟ ଯୁଦ୍ଧ ବେଳେ ଗତ ୬୦ ଦିନିଆ ଅସ୍ତ୍ରବିରତି ସାମୟିକ…

ଏଇ ଭାରତରେ

ତୃଣମୂଳସ୍ତରରେ ଜଣେ ସରପଞ୍ଚ ଭାବେ ନିରୁ ଯାଦବ ବ୍ୟାପକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛନ୍ତି। ନିରୁ ରାଜସ୍ଥାନର ଲାମ୍ବି ଅହିର ଗ୍ରାମପଞ୍ଚାୟତର ପ୍ରଥମ ମହିଳା ସରପଞ୍ଚ। ସେ…

ବିକାଶ ଦାବିରେ ପିଲାଙ୍କ ଭବିଷ୍ୟତ

ଆଜି ସକାଳୁ ଖବରକାଗଜ ପଢୁ ପଢୁ ଏକ ଶିରୋନାମା ଉପରେ ନଜର ପଡିଲା। ଭଙ୍ଗା ଛାତତଳେ ପ୍ରାଥମିକ ଶିକ୍ଷା। ଖବର ପଢିବା ପରେ ମନ ଭିତରେ ଉଙ୍କି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri