ଗଭୀର ନଦୀ ଧୀରେ ବହେ। ଗମ୍ଭୀର ବ୍ୟକ୍ତି ଧୀରେ କହେ। ଭଲ ମଣିଷ କୃତଜ୍ଞ ରହେ। କେହି ଜଣେ ବିଦ୍ୱାନ ଏକଦା କହିଥିଲେ- କୃତଜ୍ଞତା ହେଉଛି ମଣିଷର ସର୍ବଶ୍ରେଷ୍ଠ ଆଚରଣ। ଏହା କେବଳ ଏକ ସଦ୍ଗୁଣ ନୁହେଁ, ବରଂ ଏହା ସବୁ ସଦ୍ଗୁଣର ଜନନୀ ।
କୃତଜ୍ଞତା ରୂପୀ ଦିବ୍ୟଗୁଣ ଶୂନ୍ୟ ଜୀବନକୁ ପୂର୍ଣ୍ଣ କରିଦିଏ। କୁଡ଼ିଆକୁ ପ୍ରାସାଦ କରିଦିଏ। ଭୋଜନକୁ ପ୍ରସାଦ କରିଦିଏ। ଅଚିହ୍ନାକୁ ମିତ୍ର କରିଦିଏ। କୃତଜ୍ଞତା ବିନା ସ୍ବର୍ଗ ବି ନର୍କ ହୋଇଯାଏ। ‘କୃତଜ୍ଞତା’ ଓ ‘କୃତଘ୍ନତା’ ମଧ୍ୟରେ କେବଳ ଗୋଟିଏ ମାତ୍ର ଅକ୍ଷରର ପାର୍ଥକ୍ୟ, ମାତ୍ର ଏହା ସାରା ସଂସାରକୁ ପରିବର୍ତ୍ତନ କରିଦିଏ। କୃତଜ୍ଞତା ହେଉଛି ହୃଦୟର ଅଳଙ୍କାର, କୃତଘ୍ନତା ହେଉଛି ମଣିଷର କଳଙ୍କ। କେବଳ ମଣିଷ ଜନ୍ମ ପାଇଗଲେ କି ମଣିଷ ଶରୀର ଧାରଣ କରିଦେଲେ ଯେ ଜଣେ ମଣିଷ ପଦବାଚ୍ୟ ହେବ, ଏହା ଠିକ୍ ନୁହେଁ। ସଚ୍ଚା ମଣିଷ ହେଉଛି ସେ, ଯିଏ ସାହାଯ୍ୟ ପାଇ କୃତଜ୍ଞତାରେ ମୁଣ୍ଡ ନୁଆଇଦିଏ। ଛାତ ଉପରକୁ ଚଢ଼ିଗଲା ପରେ ଯିଏ ଶିଡ଼ିକୁ ଭୁଲିଯାଏ, ସେ ଅକୃତଜ୍ଞ। ବର୍ଷା ଛାଡ଼ିଗଲା ପରେ ଯିଏ ଛତାକୁ ଫୋପାଡ଼ିଦିଏ, ସେ କୃତଘ୍ନ। କାମ ସରିଗଲା ପରେ ଯିଏ ବିଶ୍ୱାସରେ ବିଷ ଦିଏ, ସେ ବିଶ୍ୱାସଘାତକ। ଏ ୩ଜଣଙ୍କୁ ନର୍କରେ ଅନନ୍ତ ଯାତନା ମିଳେ। ଏ ପରିପ୍ରେକ୍ଷୀରେ ରୋଚକ ପ୍ରସଙ୍ଗଟିଏ ମନେପଡ଼େ।
କାଠୁରିଆ ଜଣେ କାଠ କାଟିବାକୁ ଜଙ୍ଗଲକୁ ଯାଇଥାଏ। ଜଙ୍ଗଲରେ ବାଘ ହାବୁଡ଼ରେ ପଡ଼ିଗଲା। କାଠୁରିଆ ଏକ ବଡ଼ ଗଛ ଉପରେ ଚଢ଼ିଗଲା। ଦୁର୍ଭାଗ୍ୟ, ଗଛ ଉପରେ ଆଗରୁ ଭାଲୁଟିଏ ଥିଲା। ଗଛ ଉପରେ ଭାଲୁ। ଗଛ ତଳେ ବାଘ। ମଝିରେ ମଣିଷ। ଏଥର ବାଘ ଭାଲୁକୁ କହିଲା- ”ଦେଖ ଭାଲୁ! ଏ ମଣିଷ ଆମ ଦୁହିଁଙ୍କର ଶତ୍ରୁ। ସେ ତୋର ଖାଦ୍ୟ ନ ହୋଇପାରେ। ସେ ମୋର ଖାଦ୍ୟ। ମୁଁ ଏବେ ଭାରି ଭୋକିଲା। ମଣିଷକୁ ତଳକୁ ଠେଲିଦେଇ ମୋତେ ସାହାଯ୍ୟ କର।“ ଭିନ୍ନ ଚିନ୍ତାଧାରାର ଭାଲୁ କିନ୍ତୁ ବାଘର କଥାକୁ ଗ୍ରହଣ କଲାନାହିଁ। ଭାଲୁ କହିଲା, ”ବାଘ ଭାଇ! ମଣିଷ ତୁମର ଖାଦ୍ୟ ହୋଇପାରେ। ଆମ ଦୁହିଁଙ୍କର ଶତ୍ରୁ ବି ହୋଇପାରେ। ମାତ୍ର ବର୍ତ୍ତମାନ ସେ ମୋର ଆଶ୍ରିତ। ଆଶ୍ରିତମାନେ ଅତିଥି ତୁଲ୍ୟ। ଶାସ୍ତ୍ର କହିଛି- ଅତିଥି ଦେବୋଭବ! ତେଣୁ ମୁଁ ମଣିଷକୁ ତଳକୁ ଠେଲିଦେଇପାରିବି ନାହିଁ। ଏତକ କହି ଭାଲୁ ଗଛଡାଳରେ ଶୋଇବାର ଉପକ୍ରମ କଲା ଏବଂ ମଣିଷକୁ କହିଲା – ତମେ ନିର୍ଭୟରେ ଶୋଇଯାଅ। ବାଘ କହିଲା- ହେ ମଣିଷ! ଭାଲୁ ଶୋଇଗଲାଣି। ମୁଁ ଏବେ ଭାରି ଭୋକିଲା। ମୁଁ ତୋତେ ଗୋଟିଏ ସର୍ତ୍ତରେ ମୁକ୍ତି ଦେଇପାରେ। ମଣିଷ ପଚାରିଲା- କ’ଣ ସେ ସର୍ତ୍ତ? ବାଘ କହିଲା- ଭାଲୁକୁ ତଳକୁ ଠେଲିଦେ। ମୁଁ ତାକୁ ଖାଇ କ୍ଷୁଧା ନିବାରଣ କରିବି। ତା’ ପରେ ତୁ ମୁକ୍ତ। ଟିକିଏ ବି ଭାବିଲାନି ବେଇମାନ ମଣିଷ। ହଠାତ୍ ଭାଲୁକୁ ଗଛରୁ ଠେଲିଦେଲା। ମାତ୍ର ଭାଲୁ ସତର୍କ ଥିଲା। ଗଛର ଡାଳକୁ ଧରିପକାଇ ରହିଗଲା। ମଣିଷର ଏତାଦୃଶ ଆଚରଣ ଦେଖି ବାଘ ଭାଲୁକୁ କହିଲା- ଏଥର କ’ଣ ଭାବୁଛୁ ଭାଲୁ? ଏ ବେଇମାନଙ୍କୁ ଦଣ୍ଡମିଳିବା ଉଚିତ। ମଣିଷକୁ ତଳକୁ ଠେଲିଦେ। ହେଲେ ଭାଲୁ ଏଥର ବି ବାଘ କଥା ରଖିଲାନି। ଭାଲୁ ଥିଲା ନୀତିବାନ୍। ଭାଲୁ କେବଳ ଏତିକି କହିଲା- ”ହେ ମଣିଷ! ଜୀବନରେ ବଡ଼ ହେବା ଶିଖ୍ ବା ନ ଶିଖ୍, କୃତଜ୍ଞ ହେବା ଶିଖ୍।“
ପାଠକେ! ଉଦାର ଭାଲୁର ମୂଲ୍ୟବାନ୍ ପରାମର୍ଶ ପରେ ମଣିଷ କେତେ କୃତଜ୍ଞ ହୋଇଛି, ତାହା ବିଚାର କରିବେ। କିନ୍ତୁ ଏକଥା ସତ୍ୟ ଯେ, ଆପଣ ଗୋଟେ କୁକୁରକୁ ତିନିଦିନ ଖାଇବାକୁ ଦିଅନ୍ତୁ, ସେ ଆପଣକୁ ତିନିବର୍ଷ ମନେରଖିବ, କିନ୍ତୁ ଗୋଟେ ମଣିଷକୁ ତିନିବର୍ଷ ଖାଇବାକୁ ଦିଅନ୍ତୁ, ସେ ତିନିଦିନ ପରେ ଭୁଲିଯିବ। ପଶୁପକ୍ଷୀଙ୍କଠାରେ ଈଶ୍ୱର ଏ କୃତଜ୍ଞତା ଗୁଣଟି ଏପରି ଭରି ଦେଇଛନ୍ତି ଯେ, ସେ ଥରଟିଏ ସାହାଯ୍ୟ ପାଇଲେ ସାରା ଜୀବନ ମନେରଖେ। ଅପରପକ୍ଷେ ମଣିଷ ବିଶ୍ୱାସରେ ବିଷଦେବା କଳାଟି ଭଲଭାବେ ଆୟତ୍ତ କରିପାରିଛି। ପୁରାଣରୁ ନେଇ ଇତିହାସ ଯାଏ, କଥାରୁ ନେଇ କିମ୍ବଦନ୍ତୀ ଯାଏ, ମଣିଷର ବିଶ୍ୱାସଘାତକତାର ଅଜସ୍ର କାହାଣୀ ଭରିରହିଛି। ସେଥିପାଇଁ ତ କିଏ ଜଣେ କହିଥିଲେ, ”ସବୁ କରିବ, କିନ୍ତୁ ମଣିଷଗଛ ରୋଇବ ନାହିଁ।“ ଏସବୁ ଭିତରେ ବେଳେ ବେଳେ କୃତଜ୍ଞତାର କାହାଣୀଟିଏ ଶୁଣିଲେ ଆଖି ଓଦା ହୋଇଯାଏ। ମନରେ ଦମ୍ଭ ଆସେ। ସେଇମିତି ସତ୍ୟ ଘଟଣାଟିଏ ଆପଣଙ୍କ ସାମ୍ନାରେ।
୧୨/୧୩ ବର୍ଷର କିଶୋର ବାଳକଟିଏ। ଗଳିରୁ ଗଳି ବୁଲି ପ୍ଲାଷ୍ଟିକ୍ ଖେଳଣା ବିକ୍ରି କରୁଥାଏ। ଦୁର୍ଭାଗ୍ୟ, ସକାଳୁ ଏ ଯାଏ ଗୋଟିଏ ବି ଖେଳଣା ବିକ୍ରି ହୋଇ ନ ଥାଏ। ପିଲାଟିକୁ ଏଣେ ପ୍ରବଳ ଭୋକ। କିନ୍ତୁ ପାଖରେ ଟଙ୍କାଟିଏ ବି ନାହିଁ। ପିଲାଟି ସ୍ଥିରକଲା, ଆଗ ଘରେ ପହଞ୍ଚତ୍ କିଛି ଖାଇବା ପାଇଁ ମାଗିବ। ପିଲାଟି ଅତି ସନ୍ତର୍ପଣରେ ଘରର ଦରଜା ଖଟ୍ ଖଟ୍ କଲା। ଘରର କବାଟ ଖୋଲିଲେ ଜଣେ ସୁନ୍ଦରୀ ମହିଳା। ସୁନ୍ଦରୀ ମହିଳାଙ୍କୁ ଦେଖି ପିଲାଟିର ଖାଦ୍ୟ ମାଗିବା ପାଇଁ ସାହସ ହେଲାନାହିଁ।
କେବଳ କହିଲା- ”ମାଆ! ଗିଲାସେ ପାଣି।“ ମହିଳା ଜଣକ ଘର ଭିତରକୁ ଯାଇ ଗିଲାସେ ଉଷୁମ କ୍ଷୀର ଆଣି ପିଲାଟିକୁ ପିଇବାକୁ ଦେଲେ। ପିଲାଟିର ଆଖି ଛଳଛଳ ହୋଇଗଲା। ସେ ପଚାରିଲା, ”ମାଆ! ଗିଲାସେ ପାଣି ମାଗିଥିଲି, ଏ ଉଷୁମ କ୍ଷୀର?“ ମହିଳା ଜଣକ କହିଲେ, ”ପୁଅ ! ମୁଁ ହେଉଛି ଜଣେ ମାଆ । ମାଆ ପୁଅର ମୁହଁ ଦେଖି ପେଟ ଚିହ୍ନିପାରେ। ଆଖି ଦେଖି ଦୁଃଖ ଜାଣିପାରେ। ସକାଳୁ ତୁ କିଛି ଖାଇନାହୁଁ ନିଶ୍ଚୟ।
ଏ କ୍ଷୀର ଗିଲାସକ ପିଇଦେ।“ ସତରେ ମାଆ ହେବା ସହଜ କଥା ନୁହେଁ। କେବଳ ପିଲାଛୁଆ ଜନ୍ମ କରିଦେଲେ କେହି ମାଆ ହୋଇଯାଏନା। ମାଆ ହେବା ଏକ ସଂକଳ୍ପର କଥା, ଏକ ସାଧନାର କଥା ।
ୟା’ ଭିତରେ ଅନେକ ବର୍ଷ ବିତିଗଲା। ହଠାତ୍ ଦିନେ ମହିଳା ଜଣକ ଏକ ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ହୋଇପଡ଼ିଲେ। ତାଙ୍କର ଚିକିତ୍ସା ଲାଗି ପାଖ ସହରର ପ୍ରସିଦ୍ଧ ଡାକ୍ତର ହାଓ୍ବାର୍ଡ କେଲିଙ୍କ ସହ ପରାମର୍ଶ କରାଗଲା। ଡାକ୍ତର କେଲି ରୋଗଣୀଙ୍କୁ ଦେଖିବା କ୍ଷଣି ନିଜର ସହକର୍ମୀ ଡାକ୍ତରଙ୍କୁ ନିର୍ଦ୍ଦେଶ ଦେଲେ- ”ଯାହା କିଛି ସମ୍ଭବ ତାହା କର । ରୋଗୀ ସୁସ୍ଥହେବା ନିହାତି ଦରକାର।“ ଡାକ୍ତରମାନଙ୍କ ଅକ୍ଲାନ୍ତ ପରିଶ୍ରମ ପରେ ମହିଳା ଜଣକ ସୁସ୍ଥ ହେଲେ ।
ମାତ୍ର ଡାକ୍ତରଖାନାର ବିଲ୍ ଭରଣା କରିବା ଲାଗି ତାଙ୍କ ପାଖରେ ଆବଶ୍ୟକ ଅର୍ଥ ନ ଥିଲା। ଅଜଣା ଆଶଙ୍କାରେ ଶିହରିଉଠୁଥିଲେ ମହିଳା ଜଣକ। ଏତେ ଅର୍ଥ ଆଣିବେ କେଉଁଠୁ? ସେତିକି ବେଳେ ହସ୍ପିଟାଲରୁ ତାଙ୍କର ଡିସ୍ଚାର୍ଜ ଚିଠି ସହ ବିଲ୍ଟି ଆସି ପହଞ୍ଚତ୍ଲା। ବିଲ୍ଟି ଖୋଲି ନିଜ ଆଖିକୁ ସେ ବିଶ୍ୱାସ କରିପାରିଲେନି। ବିଲ୍ଟି ସମ୍ପୂର୍ଣ୍ଣ ଖାଲି ଥିଲା ଓ ତଳେ ହାତ ଅକ୍ଷରରେ ଲେଖାଥିଲା, ”ବହୁଦିନ ତଳୁ ଗିଲାସେ ଉଷୁମ କ୍ଷୀର ଜରିଆରେ ଏ ବିଲ୍ର ସମସ୍ତ ଦେୟ ପଇଠ କରାଯାଇସାରିଛି। ଇତି ଆପଣଙ୍କର ଡାକ୍ତର କେଲି।“ ମହିଳାଙ୍କ ଆଖି ଲୁହରେ ଓଦା ହୋଇଯାଉଥିଲା ହସ୍ପିଟାଲର ବିଲ୍। ସେ ବିଶ୍ୱାସ କରିପାରୁ ନ ଥିଲେ ଯେ, ବହୁ ବର୍ଷ ତଳର ସେଇ କ୍ଲାନ୍ତ କିଶୋରଟି ଆଜିର ବିଖ୍ୟାତ ଚିକିତ୍ସକ ଡାକ୍ତର କେଲି। ଭଦ୍ର ମହିଳାଙ୍କର ଇଚ୍ଛା ହେଉଥିଲା ଉଚ୍ଚ କଣ୍ଠରେ ଚିତ୍କାର କରି କହିବାକୁ ”କିଏ କହିଲା ଏ ସଂସାରରେ ଭଲ ମଣିଷ ନାହାନ୍ତି ବୋଲି? ଏବେ ବି ଭଲ ମଣିଷମାନେ ବଞ୍ଚତ୍ଛନ୍ତି। ଡାକ୍ତର କେଲିଙ୍କ ଭଳି ଅନେକ ଅଚିହ୍ନା ଦେବଦୂତ ଏ ଦେଶରେ ଅଛନ୍ତି, ଯେଉଁମାନେ ଚିହ୍ନା ନ ପଡ଼ି, ପ୍ରଚାର ଓ ପ୍ରଶଂସା ନ ଲୋଡି ଅସହାୟ ପାଇଁ ବଢ଼େଇ ଦିଅନ୍ତି ସହାୟତାର ହାତ। ସେଇଥିପାଇଁ ତ ଏ ଦେଶ ତଥାପି ଭଲ ଲାଗେ, ତଥାପି ସୁନ୍ଦର ଦିଶେ।“
ଡ. ପବିତ୍ର ସୁବୁଦ୍ଧି
ଅବସରପ୍ରାପ୍ତ ପ୍ରାଧ୍ୟାପକ
ମୋ: ୬୩୭୦୬୪୫୭୮୯

