ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ବା ଏମ୍ଏମ୍ଡିଆର୍ ଆଇନ-୧୯୫୭କୁ ୨୦୨୬ ଅଗଷ୍ଟରେ କେନ୍ଦ୍ର ସରକାର ସଂଶୋଧନ କରିଛନ୍ତି। ସଂସଦରେ ଗୃହୀତ ଏହି ଆଇନ ଦେଶର ଖଣି କ୍ଷେତ୍ରରେ ଟିକସ ବ୍ୟବସ୍ଥା ଓ ନିରୀକ୍ଷଣକୁ ନିୟନ୍ତ୍ରଣ କରିବ। ଅର୍ଥାତ୍ ଖଣି ଥିବା ରାଜ୍ୟଗୁଡ଼ିକରେ ଏକ ସମାନ ଆର୍ଥିକ ବ୍ୟବସ୍ଥା ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଏହି ସଂଶୋଧନ କରାଯାଇଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ପୂର୍ବରୁ ଖଣି ସମୃଦ୍ଧ ରାଜ୍ୟଗୁଡ଼ିକ ଖଣି ଓ ଖଣିଜ ପଦାର୍ଥ ଉପରେ ଅତିରିକ୍ତ ଟିକସ ବସାଇ ପାରୁଥିଲେ। ସଂଶୋଧିତ ଆଇନ ଅନୁଯାୟୀ ତାହା କେନ୍ଦ୍ର ଦ୍ୱାରା ନିୟନ୍ତ୍ରିତ ହେବ। ରାଜ୍ୟ ସରକାରଗୁଡ଼ିକ ଭିନ୍ନ ଭିନ୍ନ ଟିକସ ବସାଉଥିବାରୁ ତାହା ଖଣିଜ ବ୍ୟବସାୟକୁ ତ୍ୱରାନ୍ବିତ କରୁନାହିଁ ବୋଲି ଅଭିଯୋଗ ହେବା ପରେ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଥିବା ଦର୍ଶାଇଛନ୍ତି। ତେବେ ଏହି ଅଭିଯୋଗକାରୀ ହେଉଛନ୍ତି ଖଣି ବ୍ୟବସାୟୀ ଓ ଖଣି ମାଲିକ, ଯେଉଁମାନେ ଖଣିଜ ପଦାର୍ଥ ବିକ୍ରି କରି ଅନେକ ହଜାର କୋଟି ଟଙ୍କାର ମାଲିକ ହୋଇପାରିଛନ୍ତି। ସେହି ବିପୁଳ ଅର୍ଥ ରଖିଥିବାରୁ ଖଣି ମାଲିକମାନେ ଶାସକ ଦଳକୁ ଆମୂଳଚୂଳ କିଣିନେବାରେ ସକ୍ଷମ ହେଉଛନ୍ତି। ଯେଉଁସବୁ ରାଜ୍ୟରେ କେନ୍ଦ୍ରରେ ଶାସନ କରୁଥିବା ଦଳର ଅଙ୍ଗ ସରକାର ଗଠନ କରିଛନ୍ତି, ସେମାନେ ରାଜ୍ୟବାସୀଙ୍କ ହିତ ପରିବର୍ତ୍ତେ ଜାତୀୟ ନେତାଙ୍କ ଇଚ୍ଛାକୁ ସନ୍ତୁଷ୍ଟ ରଖିବାରେ ଅଧିକ ଆତୁର ହେଉଛନ୍ତି। ବିଭିନ୍ନ ଯୁକ୍ତି ବାଢ଼ି ଏହି ସଂଶୋଧନ ରାଷ୍ଟ୍ର ଏବଂ ଜାତି ପାଇଁ ମଙ୍ଗଳ ହେବ ବୋଲି କହୁଥିବା ବ୍ୟକ୍ତି ସେହି ରାଜନୈତିକ ଦଳର ସମର୍ଥକ ଭାବେ ସ୍ପଷ୍ଟ ଜଣାପଡ଼ିଯାଉଛନ୍ତି। ଦେଶବାସୀଙ୍କ ମନରେ ଏହିଭଳି ସମାନ ଚିନ୍ତା ପୂରାଇ ୨୦୧୭ ଜୁଲାଇ ୧ରେ କେନ୍ଦ୍ର ସରକାର ଫନ୍ଦି କରି ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ପ୍ରଚଳନ କରିଥିଲେ। ୯ ବର୍ଷ ପୂରିଯାଇଥିଲେ ମଧ୍ୟ ଜିଏସ୍ଟି ବ୍ୟବସ୍ଥା ଏବେ ମଧ୍ୟ ଦ୍ୱନ୍ଦ୍ୱରେ ଛନ୍ଦି ହୋଇ ରହିଛି ଓ ବାରମ୍ବାର ତାହାର ସଂଶୋଧନ ଦରକାର ପଡ଼ୁଛି। ରାଜ୍ୟ ସରକାରଗୁଡ଼ିକ ନିଜସ୍ବ ଟିକସ ବସାଇବାର କ୍ଷମତା ହରାଇ କେନ୍ଦ୍ର ହାତଟେକାକୁ ଅନିଷା କରି ରହିଛନ୍ତି।
ସମ୍ବିଧାନ ପ୍ରଣେତାମାନେ କେନ୍ଦ୍ର ଓ ରାଜ୍ୟ ବ୍ୟବସ୍ଥା ସୃଷ୍ଟି କରିଥିଲେ। କ୍ଷମତା ବିକେନ୍ଦ୍ରୀକରଣର ଲାଭ ନାଗରିକମାନେ ପାଇବେ ଏବଂ ସଂଘୀୟ ବ୍ୟବସ୍ଥା ସୁଦୃଢ଼ କରାଯିବା ଥିଲା ଏଭଳି ଚିନ୍ତନ ପଛର ଲକ୍ଷ୍ୟ। ହେଲେ ଗଲା କିଛିବର୍ଷ ହେବ ସବୁ କ୍ଷମତା କେନ୍ଦ୍ର ନିକଟରେ ଠୁଳ କରିଦିଆଯିବାର ପରମ୍ପରା ସୃଷ୍ଟି ହୋଇଯାଇଛି। ଏବର ଏମ୍ଏମ୍ଡିଆର୍ ସଂଶୋଧନ ଆଇନ ପ୍ରମୁଖ ଖଣିଜ ସମୃଦ୍ଧ ରାଜ୍ୟ ଯଥା ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ, କର୍ନାଟକ, ଗୁଜରାଟ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁକୁ କ୍ଷତି ପହଞ୍ଚାଇବ। କିନ୍ତୁ ଯେଉଁଠାରେ ଡବଲ ଇଞ୍ଜିନ ସରକାର ଅଛି, ସେଠାକାର ସରକାର କେନ୍ଦ୍ର ନିଷ୍ପତ୍ତିରେ ଚୁପ୍ ରହିଥିବା ବେଳେ ବିରୋଧୀଙ୍କ ଦ୍ୱାରା ଶାସିତ ରାଜ୍ୟଗୁଡ଼ିକ ସ୍ବର ଉତ୍ତୋଳନ କରୁଛନ୍ତି। ବାସ୍ତବତାକୁ ଦେଖିଲେ ରାଜ୍ୟର ସବୁ ସମ୍ପଦକୁ କେନ୍ଦ୍ର ଯଦି ନେଇଯିବ, ତେବେ ଏତେସବୁ ରାଜ୍ୟ ରହିବାର ପ୍ରୟୋଜନ ନାହିଁ। ସେହି ଅନୁଯାୟୀ ସବୁ ରାଜ୍ୟ ସକାଶେ ରାଜ୍ୟପାଳ ଅଲୋଡ଼ା ହେବେ। ରାଜ୍ୟଗୁଡ଼ିକ ଉପରେ ହୁକୁମାତି ଚଳାଇବାର ଉଦ୍ଦେଶ୍ୟ ଥିଲେ କେନ୍ଦ୍ର ସରକାର ଏକାକୀ ଦେଶକୁ ଚଳାନ୍ତୁ ବୋଲି ମତ ସୃଷ୍ଟି ହେବା ସ୍ବାଭାବିକ। ସାମ୍ବିଧାନିକ ବ୍ୟବସ୍ଥାକୁ ଦେଖିଲେ ମୁଖ୍ୟତଃ ତିନୋଟି ଭାଗରେ ସମଗ୍ର ଭାରତର ଶାସନ ବ୍ୟବସ୍ଥାକୁ ବିଭକ୍ତ କରାଯାଇଛି। ପ୍ରଥମରେ ୧୦୦ଟି ବିଷୟ ସମ୍ପୂର୍ଣ୍ଣ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ବେଳେ ଦ୍ୱିତୀୟରେ ୬୧ଟି ବିଷୟ ରାଜ୍ୟ ସରକାର ଏବଂ ତୃତୀୟରେ କନ୍କରେଣ୍ଟ ଲିଷ୍ଟ୍ ବା ମିଳିତ ତାଲିକାରେ ଆସୁଥିବା ୫୨ଟି ବିଷୟକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ କାର୍ଯ୍ୟ କରିଥାଆନ୍ତି ବା ତାହା ଉପରେ ନିଷ୍ପତ୍ତି ନେଇଥାଆନ୍ତି। ରାଜସ୍ବ ରାଜ୍ୟ ହାତରେ ଥିବା ବେଳେ ଖଣିଜ ପଦାର୍ଥ କେନ୍ଦ୍ର ଓ ରାଜ୍ୟର ମିଳିତ ତାଲିକାରେ ଅଛି। ରାଜ୍ୟ ଦାୟିତ୍ୱରେ ଥିବା ରାଜସ୍ବ ବିଭାଗ ଖଣି ଧାରଣ କରିଥିବା ଜମିର ରୂପରେଖ କରିଥାଏ। କେନ୍ଦ୍ରର ଏହା ଉପରେ ଅନେକ ନିୟନ୍ତ୍ରଣ ଥିବା ସତ୍ତ୍ୱେ ରାଜ୍ୟ ତାହାର ଟିକସ ବ୍ୟବସ୍ଥା ସୃଷ୍ଟି କରିବାର କ୍ଷମତା ରଖିଥିଲା। ଜମି ରାଜ୍ୟର ହୋଇଥିବାରୁ ଖଣିଜ ପଦାର୍ଥ ଖନନ ପାଇଁ ରାଜ୍ୟ ସରକାରଙ୍କଠାରୁ ବିଭିନ୍ନ ମଞ୍ଜୁରୀ ଦରକାର ହୋଇଥାଏ। ଏପରିକି ଭୂମି ତଳେ ଥିବା ସମ୍ପଦ କେବଳ ସରକାରଙ୍କ ନୁହେଁ, ସେହି ମାଟିରେ ରହୁଥିବା ନାଗରିକର ତା’ ଉପରେ ସରକାରଠାରୁ ଅଧିକ ହକ୍ ମଧ୍ୟ ଥାଏ। ଏବେ ଏମ୍ଏମ୍ଡିଆର୍ ଆଇନରେ ଛୋଟିଆ ପରିବର୍ତ୍ତନ କରାଯାଇଥିଲେ ମଧ୍ୟ ତାହା ନାଗରିକଙ୍କୁ ଭାଙ୍ଗି ବା ନୁଆଁଇ ଦେବାର ସବୁ ଫନ୍ଦିଫିକର କରାଯାଇଛି।
ବିରୋଧୀଙ୍କ ଯୁକ୍ତି ଅଧିକ ଯୁକ୍ତିସଙ୍ଗତ ଏଇଥିପାଇଁ ମନେହେଉଛି ଯେ, ନିଜ ଭୂଖଣ୍ଡରେ ଥିବା ସମ୍ବଳ ଉପରେ ରାଜ୍ୟ ଟିକସ ବସାଇବାର ଅଧିକାର ହରାଇବ। ରାଜ୍ୟ ଟିକସ ବସାଇବାର ଯଥାର୍ଥତା ବୋଇଲେ ଅନେକ ବିନ୍ଦୁ ଚର୍ଚ୍ଚାକୁ ଆସୁଛି। ଖଣି ଖନନଜନିତ କାର୍ଯ୍ୟ ଯୋଗୁ ପରିବେଶ ଧୂଳିପୂର୍ଣ୍ଣ ହେବା, ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବଢ଼ିଯିବା, ଜଙ୍ଗଲ ଧ୍ୱଂସ, ନଦୀ ଓ ପାନୀୟ ଜଳ ପ୍ରଦୂଷିତ ସହିତ ବିସ୍ଥାପିତଙ୍କୁ ଥଇଥାନ ଯାଏ ଯେତେ ଜଞ୍ଜାଳ ମୁଣ୍ଡାଇବାକୁ ରାଜ୍ୟ ସରକାରଙ୍କୁ ପଡ଼େ, ସେଥିପାଇଁ ପର୍ଯ୍ୟାପ୍ତ ଖର୍ଚ୍ଚ କରିବାକୁ ହୋଇଥାଏ। ସେହି ରାଜସ୍ବ ଅଧିକାରକୁ ହଟାଇ ନିଆଗଲେ ରାଜ୍ୟଗୁଡ଼ିକର ଆର୍ଥିକ ପରିଚାଳନା ଦୟନୀୟ ସ୍ଥିତିକୁ ଚାଲିଯିବ। ବାସ୍ତବତା ହେଲା ଖଣିଖାଦାନ ଅଞ୍ଚଳରେ ରହୁଥିବା ଲୋକମାନେ ଅତ୍ୟନ୍ତ ଦାରିଦ୍ର୍ୟ ଜୀବନ ଅତିବାହିତ କରିଥାଆନ୍ତି। କୋଅପରେଟିଭ୍ ଫେଡେରାଲିଜମ୍ ବା ସହଯୋଗୀ ସଂଘୀୟବାଦ ଉପରେ ବର୍ତ୍ତମାନର କେନ୍ଦ୍ର ସରକାର ଗୁରୁତ୍ୱ ଦେଇଆସୁଥିଲେ ହେଁ ବାସ୍ତବତା ଭିନ୍ନ ଚିତ୍ର ଦର୍ଶାଉଛି।
କୁହାଯାଉଛି ଖଣିକୁ ନେଇ ରାଜ୍ୟରେ ଦୁର୍ନୀତି ହେଉଥିଲା। ନୂଆ ପରିବର୍ତ୍ତନରେ ଦୁର୍ନୀତି ଲୋପ ପାଇଯିବ ଭାବିବା ବୋକାମି। ରାମ ଜାଗାରେ ଦାମ ଲୁଟିବ, କିନ୍ତୁ ଲୁଟିବା ଥୟ। ଦେଖିବାକୁ ଗଲେ ଦଳର ସ୍ବାର୍ଥ ଓ ନିଜର ପଦବୀ ରାଜ୍ୟ ସ୍ବାର୍ଥଠାରୁ ବଡ଼ ନୁହେଁ। ଆଜି ଯେଉଁମାନେ କ୍ଷମତାରେ ଅଛନ୍ତି, ଖୁବ୍ଶୀଘ୍ର ସେମାନେ ନିଜ ପଦରେ ନ ଥିବେ। ଏହି ନେତାମାନେ ପରବର୍ତ୍ତୀ ସମୟରେ ଯେତେବେଳେ ଲୋକଙ୍କୁ ସାମ୍ନା କରିବେ, ସେତେବେଳେ ନିଜର କୁକର୍ମ ବିଷୟରେ ବୁଝାଇବାକୁ ବାଧ୍ୟ ହେବେ। ଅବଶ୍ୟ ଆଜିର ରାଜନୈତିକ ଢାଞ୍ଚାରେ ଦଳ ବଦଳାଇ ଦେଲେ ସବୁ ପାପ ପୂର୍ବ ଦଳ ସହ ଧୋଇଯିବ। ନୂଆ ଦଳ ସହିତ ମିଶିଗଲେ ସମସ୍ତେ ଧୋବଫରଫର।

