ଖଣି ଆଇନ ସଂଶୋଧନର ପ୍ରଭାବ

ଯନ୍ତରମନ୍ତରରେ ଛାତ୍ରୀଛାତ୍ରଙ୍କ ଉପରେ ପୋଲିସର ଅତ୍ୟାଚାରକୁ ନେଇ ସଂସଦର ଗତ ମୌସୁମୀ ଅଧିବେଶନରେ ଅଚଳାବସ୍ଥା ଚାଲିଥିବା ବେଳେ କେନ୍ଦ୍ର ସରକାର ‘ଖଣି ଓ ଖଣିଜ (ବିକାଶ ଏବଂ ନିୟନ୍ତ୍ରଣ) ଆଇନ-୧୯୫୭’କୁ ତରବରିଆ ଭାବେ ସଂଶୋଧନ କରିଛନ୍ତି। ସଂସଦରେ ବିରୋଧୀ ଦଳମାନେ ଅନୁପସ୍ଥିତ ଥିବାବେଳେ ତଥା ବିନା କୌଣସି ଆଲୋଚନାରେ ଉଭୟ ଲୋକ ସଭା ଓ ରାଜ୍ୟ ସଭାରେ ଗୃହୀତ କରାଯାଇଥିଲା ଏହି ବିଲ୍‌ ।
ଫଳରେ ଓଡ଼ିଶା ସମେତ ଦେଶର ଖଣି ଖାଦାନ ଥିବା ୧୫ଟି ରାଜ୍ୟ, ନିଜର ଖଣି ଉପରେ ରହିଥିବା ସାମ୍ବିଧାନିକ ଓ ପ୍ରଶାସନିକ ଅଧିକାରକୁ ହରାଇବା ସହ ବିପୁଳ ଆର୍ଥିକ କ୍ଷତିର ସମ୍ମୁଖୀନ ହେବାକୁ ଯାଉଛନ୍ତି। ପରିତାପର ବିଷୟ, କେନ୍ଦ୍ର ସରକାର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଆଇନରେ ସଂଶୋଧନ କରିବା ପୂର୍ବରୁ ନା ସମ୍ପୃକ୍ତ ରାଜ୍ୟ ସରକାରଙ୍କ ମତାମତ ନେଇଛନ୍ତି ନା କୌଣସି ପ୍ରଭାବିତ ପକ୍ଷଙ୍କ ସହ ବିଚାରବିମର୍ଶ କରିବାକୁ ଆବଶ୍ୟକ ମନେକରିଛନ୍ତି!
କେନ୍ଦ୍ର ସରକାରଙ୍କ ଦ୍ୱାରା ଖଣି ଆଇନରେ ଏହି ସଂଶୋଧନକୁ କେରଳ, ତେଲଙ୍ଗାନା, ଝାଡ଼ଖଣ୍ଡ ପରି ବିରୋଧୀ ଦଳ ଶାସିତ ରାଜ୍ୟମାନେ ଦୃଢ଼ ବିରୋଧ କରଛନ୍ତି। ସେମାନେ ଏହା ବିରୋଧରେ ସୁପ୍ରିମକୋର୍ଟକୁ ଯିବାକୁ ଘୋଷଣା କରିଥିବା ବେଳେ ଓଡ଼ିଶାର ସରକାର ଚୁପ୍‌ ରହିଛନ୍ତି। ଏପରିକି ସେଦିନ ସଂସଦରେ ଓଡ଼ିଶାରୁ ନିର୍ବାଚିତ ଭାଜପା ସାଂସଦମାନେ ଉପସ୍ଥିତ ଥିଲେ ମଧ୍ୟ କେହି ବି ରାଜ୍ୟର ସ୍ବାର୍ଥ ପାଇଁ ସ୍ବର ଉତ୍ତୋଳନ ନ କରିବା ଲଜ୍ଜାର ବିଷୟ।
ଦେଶରେ ଖଣି ଓ ଖଣିଜ ଦ୍ରବ୍ୟର ଉତ୍ତୋଳନକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ୧୯୫୭ ମସିହାରେ ଯେଉଁ ଖଣି ଓ ଖଣିଜ (ବିକାଶ ଏବଂ ନିୟନ୍ତ୍ରଣ) ଆଇନ ପ୍ରଣୟନ କରିଥିଲେ, ସେଥିରେ ରାଜ୍ୟମାନଙ୍କ ଅଧିକାର ସୁରକ୍ଷିତ ଥିଲା। ଏଥିରେ ଉପତ୍ାଦିତ ଖଣିଜ ଦ୍ରବ୍ୟ ଉପରେ ରୟାଲ୍‌ଟି ଆଦାୟ କରିବାର ଅଧିକାର କେନ୍ଦ୍ର ସରକାର ନିଜ ପାଖରେ ରଖିଥିଲେ ମଧ୍ୟ ଖଣି ଲିଜ୍‌ ଦେବା ଓ ଖଣି ଖନନକୁ ନିୟନ୍ତ୍ରଣ କରିବାର କ୍ଷମତା ରାଜ୍ୟ ସରକାରମାନଙ୍କୁ ଦିଆଯାଇଥିଲା। କିନ୍ତୁ ୨୦୧୪ରେ ମୋଦି ସରକାର ଆସିବା ପରେ ଏହି ଆଇନରେ ସଂଶୋଧନ କରିବା ଆରମ୍ଭ କରିଥିଲେ।
ସମ୍ବିଧାନର ଧାରା- ୨୪୬ ଓ ସପ୍ତମ ଅନୁସୂଚୀ ଅନ୍ତର୍ଗତ ରାଜ୍ୟ ତାଲିକାର ୪୯ ଓ ୫୦ ତମ ଏଣ୍ଟ୍ରି ଅନୁଯାୟୀ ରାଜ୍ୟମାନେ ନିଜର ଖଣି ଜମି ଓ ଖଣିଜ ସମ୍ପଦ ଉପରେ ଆଇନ ପ୍ରଣୟନ ଏବଂ ଟିକସ ଧାର୍ଯ୍ୟ କରିବାର ଅଧିକାର ପାଇଛନ୍ତି। ଏହା ଆଧାରରେ ଓଡ଼ିଶା ସରକାର ୨୦୦୪ ରେ ‘ଓଡ଼ିଶା ଗ୍ରାମ୍ୟ ଭିତ୍ତିଭୂମି ସାମାଜିକ, ଆର୍ଥତ୍କ ବିକାଶ ଆଇନ’ ପ୍ରଣୟନ କରିଥିଲେ। ଏଥିରେ ଖଣି ଖନନ ଉପରେ ୨୦% ଯାଏ ଲେଭି ଆଦାୟ କରିବାର ବ୍ୟବସ୍ଥା କରିଥିଲେ। ୨୦୦୫ ଫେବୃୟାରୀରୁ ଏହାକୁ ଲାଗୁ କରାଯାଇଥିଲା। କିନ୍ତୁ ନିଜର ସ୍ବାର୍ଥହାନି ହେଉଥିବାରୁ ଖଣିମାଲିକମାନେ ଏହି ଆଇନ ବିରୋଧରେ ଓଡ଼ିଶା ହାଇକୋର୍ଟକୁ ଯାଇଥିଲେ। ହାଇକୋର୍ଟ ନିଜ ରାୟରେ ଏହି ଆଇନକୁ ଅବୈଧ ଘୋଷଣା କଲା ପରେ ଓଡ଼ିଶା ସରକାର ବାଧ୍ୟ ହୋଇ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏହିଭଳି ଅନେକ ସମାନ ଧରଣର ମାମଲାକୁ ଏକାଠି କରି ସୁପ୍ରିମକୋର୍ଟଙ୍କ ଏକ ନଅ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ବିଚାର କରି ଦୀର୍ଘ ୨୦ ବର୍ଷ ପରେ ଅର୍ଥାତ୍‌ ୨୦୨୪ ଜୁଲାଇରେ ରାଜ୍ୟମାନଙ୍କ ସପକ୍ଷରେ ରାୟ ପ୍ରଦାନ କରିଥିଲେ। ସେଥିରେ କୁହାଯାଇଥିଲା, ”ସମ୍ବିଧାନର ରାଜ୍ୟ ତାଲିକା ଅନୁଯାୟୀ ଖଣିଜ ପଦାର୍ଥ ଓ ଖଣିଜ ଥିବା ଜମି ଉପରେ ଅତିରିକ୍ତ ଲେଭି କିମ୍ବା ସେସ୍‌ ଲଗାଇବାର କ୍ଷମତା ରାଜ୍ୟ ସରକାରମାନଙ୍କର ରହିଛି ଏବଂ ରାଜ୍ୟଗୁଡ଼ିକ ପିଛିଲା ଭାବେ ୨୦୦୫ ଏପ୍ରିଲ୍‌ ୧ରୁ ଖଣି ଉପରେ ଟିକସ ଲଗାଇପାରିବେ।“ ଏହି ରାୟକୁ ଦେଶର ଖଣିସମ୍ପନ୍ନ ରାଜ୍ୟଗୁଡ଼ିକ ପକ୍ଷରୁ ସେତେବେଳେ ସ୍ବାଗତ କରାଯାଇଥିବା ବେଳେ ଖଣି କାରବାରରେ ସାମିଲ ବଡ଼ ବଡ଼ କମ୍ପାନୀଙ୍କ ସ୍ବାର୍ଥର ଏହା ଅନୁକୂଳ ନ ଥିଲା। ଅତଏବ ରାୟ ପ୍ରକାଶ ପାଇବା ପରେ ପରେ କେନ୍ଦ୍ର ସରକାର ସେମାନଙ୍କ ସ୍ବାର୍ଥରେ ୨୦୨୫ ଓ ୨୦୨୬ରେ ଏହି ଆଇନକୁ ସଂଶୋଧନ କରି ରାଜ୍ୟଗୁଡ଼ିକର ଅଧିକାରକୁ ସମାପ୍ତ କରି ଖଣି କମ୍ପାନୀମାନଙ୍କୁ ରାଜ୍ୟର ସମସ୍ତ ପ୍ରକାର ପ୍ରଶାସନିକ ନିୟନ୍ତ୍ରଣ ଓ ଟିକସରୁ ମୁକ୍ତ କରିଛନ୍ତି।
ସୁପ୍ରିମକୋର୍ଟଙ୍କ ରାୟ ଫଳରେ ଦେଶର ଖଣି ଖାଦାନ ଥିବା ରାଜ୍ୟଗୁଡ଼ିକ ଖଣି କମ୍ପାନୀମାନଙ୍କଠାରୁ ବକେୟା ଦେୟ ବାବଦରେ ଲକ୍ଷ ଲକ୍ଷ କୋଟି ଟଙ୍କା ପାଇବାର ସୁଯୋଗ ସୃଷ୍ଟି ହୋଇଥିଲା। ଓଡ଼ିଶା ସରକାର ମଧ୍ୟ ଖଣି କମ୍ପାନୀମାନଙ୍କଠାରୁ ବକେୟା ବାବଦରେ ପ୍ରାୟ ୧.୨୫ ଲକ୍ଷ କୋଟି ଟଙ୍କା ପାଇବାକୁ ଥିଲା। ଏହାବ୍ୟତୀତ ଖଣି ଉପରେ ରାଜ୍ୟ ସରକାର ଟିକସ ଧାର୍ଯ୍ୟ କରି ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କାର ରାଜସ୍ବ ପାଇବାର ସୁଯୋଗ ରହିଥିଲା। କିନ୍ତୁ ଗତ ଦୁଇବର୍ଷ ମଧ୍ୟରେ ପଡ଼ୋଶୀ ଝାଡ଼ଖଣ୍ଡ ସରକାର କମ୍ପାନୀଙ୍କଠାରୁ ୪୨ ହଜାର କୋଟି ଟଙ୍କା ବକେୟା ଦେୟ ଆଦାୟ କରିପାରିଥିବା ବେଳେ ଓଡ଼ିଶା ସରକାର ସେ ବାବଦରେ ଟଙ୍କାଟିଏ ଆଦାୟ କରିପାରି ନାହାନ୍ତି। ବର୍ତ୍ତମାନ ଖଣି ଆଇନରେ ହୋଇଥିବା ସଂଶୋଧନ ପରେ କମ୍ପାନୀଙ୍କ ବକେୟା ଦେୟ ଆଦାୟକୁ ନିଷିଦ୍ଧ କରାଯାଇଥିବାରୁ ଓଡ଼ିଶା ସରକାର ଆଉ ଟଙ୍କାଟିଏ ଆଦାୟ କରିପାରିବେନି।
କେନ୍ଦ୍ର ସରକାର ଦେଶର ଖଣି ଆଇନରେ କରିଥିବା ସଂଶୋଧନଗୁଡ଼ିକ କୌଣସି ସାଧାରଣ ସଂଶୋଧନ ନୁହେଁ। ଏହା ଜରିଆରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକର ସାମ୍ବିଧାନିକ, ସଂଘୀୟ ଓ ଆର୍ଥିକ ଅଧିକାରକୁ ଛଡ଼ାଇ ନେଇ ନିଜ ହାତରେ ଠୁଳିଭୂତ କରିବା ସହ କର୍ପୋରେଟ୍‌ଙ୍କ ଅବାଧ ଖଣିଲୁଟ୍‌ ପାଇଁ ସୁନିୟୋଜିତ ପ୍ରୟାସ କରିଛନ୍ତି। ସଂଶୋଧିତ ଖଣି ଆଇନରେ ସାମିଲ ହୋଇଥିବା ଧାରା- ୯(ଘ) ଅନୁଯାୟୀ ରାଜ୍ୟ ସରକାରଗୁଡ଼ିକ ଖଣିଜ ଅଧିକାର କିମ୍ବା ଖନନ ଭୂମି ଉପରେ କୌଣସି ପ୍ରକାର ଟିକସ, ସେସ୍‌ ବା ଶୁଳ୍କ ଲାଗୁ କରିପାରିବେ ନାହିଁ। ଫଳରେ ଆଗାମୀ ଦିନରେ କେବଳ ଓଡ଼ିଶା ଖଣି ଟିକସ ଓ ସେସ୍‌ ବାବଦରେ ବାର୍ଷିକ ପ୍ରାୟ ୨୦ ହଜାର କୋଟି ଟଙ୍କା ହରାଇବ। ପୂର୍ବରୁ ଜିଏସ୍‌ଟି ବ୍ୟବସ୍ଥା ଲାଗୁ ହେବା ପରେ ରାଜ୍ୟଗୁଡ଼ିକ ନିଜର ପରୋକ୍ଷ ଟିକସ ସଂଗ୍ରହର କ୍ଷମତା ହରାଇ ସାରିଥିବା ବେଳେ ଏବେ ନୂତନ ଆଇନରେ ଖଣିଜ ସମ୍ପଦ ଉପରେ କର ଧାର୍ଯ୍ୟର ଅଧିକାରକୁ ଛଡ଼ାଇ ନିଆଯିବା ଫଳରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ କେନ୍ଦ୍ରୀୟ ଅନୁଦାନ ଉପରେ ନିର୍ଭରଶୀଳ ହୋଇପଡ଼ିବେ।
ଏହାବ୍ୟତୀତ ଆଇନର ସଂଶୋଧିତ ଧାରା ୧୩ ଅନୁସାରେ ରାଜ୍ୟ ବଦଳରେ କେବଳ କେନ୍ଦ୍ର ସରକାରଙ୍କୁ ଖଣି ସଂକ୍ରାନ୍ତୀୟ ନିୟମ ପ୍ରଣୟନ କରିବାର ଏକଚାଟିଆ କ୍ଷମତା ପ୍ରଦାନ କରୁଛି। ଫଳରେ ଖଣିଜ ସମ୍ପଦର ନିୟନ୍ତ୍ରଣ ଓ ମୂଲ୍ୟ ରାଜ୍ୟ ସରକାର ବଦଳରେ କେନ୍ଦ୍ର ସରକାର ନିଜ ଇଚ୍ଛାରେ କରିବେ। ପୂର୍ବରୁ ଏହି ଧାରାକୁ ସଂଶୋଧନ କରି ଶିଳ୍ପସଂସ୍ଥାମାନେ ଲିଜ୍‌ ପାଇଥିବା କ୍ୟାପ୍ଟିଭ୍‌ ଖଣିରୁ ଉତ୍ପାଦିତ ଖଣିଜ ବ୍ୟବହାର କଲା ପରେ ବଳକା ଖଣିଜ ପଦାର୍ଥକୁ ଖୋଲା ବଜାରରେ ବିକ୍ରି କରିବାକୁ ଅନୁମତି ମିଳିସାରିଛି। ଏପରିକି ଖଣିର ଲିଜ୍‌ ଏରିଆ ବାହାରେ ସମ୍ପ୍ରସାରିତ ଖନନ ପାଇଁ କମ୍ପାନୀଗୁଡ଼ିକ ଆଉ ଥରେ ଆବେଦନ ନକରି ସିଧାସଳଖ ଅନୁମତି ପାଇବାର ବ୍ୟବସ୍ଥା କରାଯାଇଛି। କେବଳ ସାଧାରଣ ଖଣିଜ ନୁହେଁ, ଗ୍ରାଫାଇଟ୍‌, ନିକେଲ୍‌ ଭଳି ରଣନୈତିକ ଓ ଦୁର୍ଲଭ ଖଣିଜ କ୍ଷେତ୍ରରେ ମଧ୍ୟ ପୂର୍ବରୁ ରହିଥିବା ସରକାରୀ ସଂରକ୍ଷଣ ଓ କଟକଣାକୁ ହଟାଇ ଘରୋଇ ଓ ଏପରିକି ବିଦେଶୀ କମ୍ପାନୀଙ୍କ ପାଇଁ ଖୋଲିଦିଆଯାଇଛି। ଏହାଛଡ଼ା ଗୋଟିଏ ମାତ୍ର ଲିଜ୍‌ ଅଧୀନରେ ଏକାଧିକ ସହଯୋଗୀ ଖଣିଜ ସାମିଲ କରିବାକୁ ମଧ୍ୟ ଦିଆଯାଇଛି। ଏହି ସଂଶୋଧନ ଜଙ୍ଗଲ ଅଧିକାର ଆଇନ-୨୦୦୬, ପେସା ଆଇନ – ୧୯୯୪ ଓ ଅନୁସୂଚିତ ଅଞ୍ଚଳ ଆଇନକୁ ମଧ୍ୟ ଅଣଦେଖା କରୁଥିବାରୁ ଭବିଷ୍ୟତରେ ଖଣି ଖନନ କ୍ଷେତ୍ରରେ ସ୍ଥାନୀୟ ଲୋକଙ୍କ କୌଣସି ମତ ବା ଅଧିକାର ରହିବନି।
କେନ୍ଦ୍ର ସରକାର ଏହି ଆଇନ ପ୍ରଣୟନ ପଛରେ ବ୍ୟବସାୟିକ ସୁଗମତା ଏବଂ ଦେଶର ଅର୍ଥନୈତିକ ଅଭିବୃଦ୍ଧିର ଯୁକ୍ତି ବାଢ଼ୁଛନ୍ତି। କିନ୍ତୁ ବାସ୍ତବ କଥା ହେଲା, ଏହା ଜରିଆରେ ସରକାର କମ୍ପାନୀମାନଙ୍କୁ କମ୍‌ ଖର୍ଚ୍ଚରେ ଅବାଧ ଓ ମନଇଚ୍ଛା ଖଣି ଖୋଳିବାକୁ ସୁଯୋଗ ଦେଉଛନ୍ତି। ଫଳରେ ଆଗାମୀ ଦିନରେ ଦେଶରେ ଅଧିକ ଖଣି ଖୋଳାଯିବ, ସ୍ଥାନୀୟ ଲୋକେ ନିଜର ଜମି, ଜଙ୍ଗଲ, ପାହାଡ଼ ଓ ଭିଟାମାଟିକୁ ହରାଇବେ। ବିକାଶ ନାମରେ ଓଡ଼ିଶା କେବଳ ପ୍ରଦୂଷଣ, ରୋଗ ଓ ବିସ୍ଥାପନର ବୋଝ ବୋହିବ ।

ଭାଲଚନ୍ଦ୍ର ଷଡ଼ଙ୍ଗୀ
ମୋ : ୯୪୩୭୧୬୬୩୯୧

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

ମାର୍ବଲ୍ ମନ୍ଦିରର ଉତ୍ଥାନ

ମାର୍ୱଲ ମନ୍ଦିରଗୁଡ଼ିକୁ ଦେଖିଲେ ପ୍ରଥମେ ଏହା ଚାରିପାଖର ପରିବେଶ ନଜରକୁ ଆସେ। ଭିକ୍ଟୋରିଆନ୍‌ ଶୈଳୀର ଲନ୍‌, ମୋଗଲ ଆମୋଦପ୍ରମୋଦ ବଗିଚାର ଭ୍ରମ ସୃଷ୍ଟି କରୁଥିବା ଝରଣା ଏବଂ…

ଗଣତନ୍ତ୍ର ଓ ରାଜନୀତି

ଭାରତୀୟ ସମାଜର ଧାରା, ଦର୍ଶନ, କ୍ରିୟାକଳାପ, ପାଶ୍ଚାତ୍ୟ ଧାରାରୁ ସମ୍ପୂର୍ଣ୍ଣ ଅଲଗା। ଭାରତୀୟ ସମାଜ ବ୍ୟଷ୍ଟିତନ୍ତ୍ର ଆଧାରରେ ଅଧିଷ୍ଠିତ। ପ୍ରାଚୀନ ଯୁଗରେ ମୁନି ଋଷିମାନଙ୍କ ବ୍ୟକ୍ତିଗତ ସତ୍ତା…

ବିଦେଶୀ ଅନୁଦାନ ବିନିଯୋଗ ଅଧିନିୟମ

ବିଭିନ୍ନ ଗୋଇନ୍ଦା ଓ ଅର୍ଥନୈତିକ ଅପରାଧ ନିୟନ୍ତ୍ରଣ ସଂସ୍ଥାର ତଥ୍ୟାନୁସାରେ ଭାରତରେ କାର୍ଯ୍ୟ କରୁଥିବା କିଛି ବେସରକାରୀ ଅନୁଷ୍ଠାନ, ସ୍ବୟଂସେବୀ ସଂସ୍ଥା ଓ ଦାତବ୍ୟ ପ୍ରତିଷ୍ଠାନଗୁଡ଼ିକ ବିଦେଶରୁ…

ବିଚାରପତି ବି ଅସହାୟ

ଭାରତୀୟ ଗଣତନ୍ତ୍ରରେ ବିଧାନପାଳିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ତିନୋଟି ପ୍ରମୁଖ ସ୍ତମ୍ଭ ଭାବେ ଜଣାଶୁଣା। ତନ୍ମଧ୍ୟରୁ ନ୍ୟାୟପାଳିକା ଉପରେ ଜନସାଧାରଣ ନ୍ୟାୟ ପାଇଁ ସବୁଠାରୁ ଅଧିକ ଭରସା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Trending

ଛୁଟିଦିନ
ପିଲାଙ୍କ ଧରିତ୍ରୀ
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?