ବସାଘର

ମଣିଷ, ଜୀବଜଗତ ଖାଦ୍ୟ ଓ ବାସସ୍ଥାନ ଆବଶ୍ୟକ କରିଥାନ୍ତି। ଆଦିମ ସଭ୍ୟତାରେ ମଣିଷ ଯାହା ପାଇଲା ତାହା ଖାଉଥିଲା ଓ ଯେଉଁଠି ପାରୁଥିଲା ସେଇଠି ବିଶ୍ରାମ ନେଉଥିଲା। ତେବେ ବାସସ୍ଥାନକୁ ଆଧାର କରି ମଣିଷ ଅନେକ ପଦ୍ଧତି ଆପଣାଇ ନେଇଥିବା ବେଳେ ପଶୁପକ୍ଷୀ ପୂର୍ବ ପଦ୍ଧତିରେ ଅଦ୍ୟାବଧି ସେଇ କ୍ରମରେ କ୍ରିୟାଶୀଳ ହୋଇ ରହିଛନ୍ତି। ମଣିଷର ବାସସ୍ଥାନର ଆକାର ପ୍ରକାର, ମାନ ଓ ପଦ୍ଧତିରେ ପରିବର୍ତ୍ତନ ହୋଇଛି। ପତ୍ର କୁଡ଼ିଆ ବା ଗୁମ୍ଫାରୁ ଏବେ ସୁରମ୍ୟ ଅଟ୍ଟାଳିକାରେ ମଣିଷ ଜୀବନ ଅତିବାହିତ କରୁଛି। ମଣିଷ ଏକ ନିର୍ଦ୍ଦିଷ୍ଟ ଅବଧି ବା ସ୍ବଳ୍ପ ସମୟ ପାଇଁ ଯେଉଁଠି ରହେ ତାହା ବସାଘର। ତେବେ ପ୍ରଶ୍ନ ଉଠେ ଚିରସ୍ଥାୟୀ ଘର କେଉଁଟା?
ଯେତେବେଳେ ମଣିଷ ନିଜେ ଚିରସ୍ଥାୟୀ ନୁହେଁ, ସେତେବେଳେ ଘର ଚିରସ୍ଥାୟୀର ଭାବନା ଗ୍ରହଣୀୟ ହୋଇ ନ ପାରେ। ଅତଏବ ମଣିଷ, ପଶୁପକ୍ଷୀ ସମସ୍ତେ ଗୋଟିଏ ଗୋଟିଏ ବସାଘରେ ଅଛନ୍ତି ବୋଲି ପ୍ରମାଣିତ ହୋଇଥାଏ। ପ୍ରାକୃତିକ ବିପର୍ଯ୍ୟୟ ଅଥବା ମନୁଷ୍ୟକୃତ ବିପତ୍ତି ଦ୍ୱାରା ଯେତେବେଳେ ଘର ନଷ୍ଟହୁଏ, ସେତେବେଳେ ମଣିଷ ପୁନର୍ବାର ଘର କରି ଜୀବନ ନିର୍ବାହ କରୁଥିବା ବେଳେ ପଶୁପକ୍ଷୀ ମଧ୍ୟ ସେମାନଙ୍କର ବସାଘର ନିର୍ମାଣ କରିଥାନ୍ତି। ମାତ୍ର ତଫାତ ଏତିକି, କେବଳ ମଣିଷ ପ୍ରକୃତିକୁ ଦୋଷ ଦେଇଥାଏ, କିନ୍ତୁ ପଶୁପକ୍ଷୀ କାହାକୁ ଦୋଷ ନ ଦେଇ ପୁନର୍ବାର ବସାଘର କରିବାରେ ନିମଗ୍ନ ହୋଇଥାନ୍ତି।
ପ୍ରସ୍ତରଯୁଗରେ ମଣିଷ ସୁରକ୍ଷା ପାଇଁ ଗୁମ୍ଫାରେ ଆଶ୍ରୟ ନେଇଥିଲା। ସେମାନେ ଗୋଟିଏ ସ୍ଥାନରେ ଅଧିକ ସମୟ ରହି ଚାଷର ବିକାଶ ଓ ଅଧିକ ସ୍ଥିର ଜୀବନଶୈଳୀ ସହ ସ୍ଥାୟୀ ଘର ନିର୍ମାଣ ଆରମ୍ଭ କଲେ। ସଭ୍ୟତାର ଅଗ୍ରଗତି ସହ ତାଳ ଦେଇ ମଣିଷ ଅଧିକ ସ୍ଥାୟୀ ଓ ଆରାମଦାୟକ ଆଶ୍ରୟସ୍ଥଳ ସୃଷ୍ଟିକଲା। ସ୍ଥାୟୀ ଅଟ୍ଟାଳିକାର ବିକାଶ ଶେଷରେ ଆଧୁନିକ ସ୍ଥାପତ୍ୟ ଶୈଳୀରେ ପରିଣତ ହେଲା ଏବଂ ଧାତୁ ଓ କାଚ ପରି ସାମଗ୍ରୀର ଅଗ୍ରଗତି ଉଚ୍ଚ ମହଲା କୋଠା ନିର୍ମାଣରେ ସହାୟକ ହେଲା।
ମଣିଷ ଯେଉଁ ଘରକୁ ନିଜର ଭାବିଥାଏ, ତାହା ଏକ ବସାଘର ବୋଲି ଅନେକଙ୍କୁ ଅଜଣା ଥାଏ। କାରଣ ମଣିଷର ଜୀବନ ଅବଧି ଓ ସ୍ଥାୟିତ୍ୱ ଏକ ନିର୍ଦ୍ଧାରିତ ସମୟ ପାଇଁ ନିର୍ଦ୍ଧାରଣ ହୋଇଥାଏ। ପକ୍ଷୀମାନଙ୍କର ବସା ନିର୍ମାଣ ମୁଖ୍ୟତଃ ଏକ ଅନ୍ତର୍ନିହିତ, ଅର୍ଦ୍ଧ ସ୍ବୟଂଚାଳିତ ଆଚରଣ, ଶିକ୍ଷିତ ଜ୍ଞାନ ଅପେକ୍ଷା ବିବର୍ତ୍ତନ ଓ ପ୍ରବୃତ୍ତି ଦ୍ୱାରା ପରିଚାଳିତ। କାରଣ ତାହା ଥାଏ ସ୍ବାଭାବିକ ସ୍ବୀକୃତି, ଯେଉଁଥିରେ ପକ୍ଷୀ ପାଇଁ ସହାୟତା ବା ଅନ୍ୟ କିଏ କରିଦେବାର ଭାବନା ନ ଥାଏ, ଯାହା ମଣିଷ ନିକଟରେ ଥାଏ। ପକ୍ଷୀମାନେ ଜୀବଦ୍ଦଶା ମଧ୍ୟରେ କେବେ ଗୋଟିଏ ସ୍ଥାନରେ ବସା କରି ନ ଥାନ୍ତି। ଜୀବନ ଅବଧିରେ ସ୍ଥିତିକୁ ସ୍ବାଗତକରି ବସାଘର ନିର୍ମାଣ କରିଥାନ୍ତି। ଅଧିକାଂଶ ପକ୍ଷୀ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ବସା ନିର୍ମାଣ କରନ୍ତି ଓ ପରବର୍ତ୍ତୀ ବର୍ଷ ତାକୁ ପରିତ୍ୟାଗ ବା ପୁନର୍ନିର୍ମାଣ କରିପାରନ୍ତି। ସେଗୁଡ଼ିକ ଅସ୍ଥାୟୀ ଆଶ୍ରୟସ୍ଥଳ, ଯେଉଁଥିରେ ଡାଳ, ଘାସ ଭଳି ସହଜରେ ଉପଲବ୍ଧ ପ୍ରାକୃତିକ ସାମଗ୍ରୀ ବ୍ୟବହାରକରନ୍ତି। ମାତ୍ର ମଣିଷ ଘର ନିର୍ମାଣ ସଂଗୃହୀତ ଜ୍ଞାନ, ତାଲିମ ତଥା ପ୍ରଯୁକ୍ତିର ପ୍ରୟୋଗ ଉପରେ ନିର୍ଭର କରେ।
ସମ୍ପ୍ରତି ଘର ଅନେକ ହୋଇଛି, ମଣିଷ ଅନେକ ଜାଣିଛି ଶିଖିଛି ଓ ଜ୍ଞାନ ଆହରଣ କରିଛି, ହେଲେ ମାନବିକ ମୂଲ୍ୟବୋଧର ଅସ୍ତିତ୍ୱ ଧୀରେ ଧୀରେ ଣିଷ ନିକଟରେ ଊଣା ହେଉଛି, ଯାହା ପକ୍ଷୀ ନିକଟରୁ ଶିକ୍ଷା କରିବା ଉଚିତ। ମଣିଷ ଯେତେବେଳେ ଘର ନିର୍ମାଣ କରିଥାଏ ସେତେବେଳେ ସେ ନିଜ ଜୀବନର ଅବଧି ଓ ସ୍ଥାୟିତ୍ୱ ଉପରେ ଆଲୋକପାତ କରି ନ ଥାଏ। ମଣିଷ ଯେ ଏ ପୃଥିବୀରେ ପ୍ରତିଦିନ ଏକ ପର୍ଯ୍ୟଟକ ତାହା ଭୁଲିଯାଏ। ଯେତେବେଳେ ମଣିଷ ନିଜ ବାସସ୍ଥାନରୁ ବାହାରକୁ କୌଣସି କାର୍ଯ୍ୟ ପାଇଁ ଯାଏ, ସେତେବେଳେ ସେ ହୋଟେଲରେ ବା କୌଣସି ନିବାସରେ ରହେ ତାହା ଉକ୍ତ ସମୟ ପାଇଁ ଉଦ୍ଦିଷ୍ଟ ଓ ସେ ପାଲଟିଯାଏ ପର୍ଯ୍ୟଟକ ବା ଅତିଥି। ଅତଏବ ମଣିଷ ଯେଉଁଠି ସମ୍ପୂର୍ଣ୍ଣ ଜୀବଦ୍ଦଶା ପାଇଁ ଘର ନିର୍ମାଣ କରେ ତାହା ମଧ୍ୟ ଏକ ପର୍ଯ୍ୟଟନସ୍ଥଳ ବା ହୋଟେଲ ଭଳି ହୋଇଥାଏ, ଯେଉଁଠି ମଣିଷ ନିଜର ସ୍ଥିତିକୁ ତର୍ଜମା କରିବା ଉଚିତ। ଭଲ ବ୍ୟବହାର, ମଧୁର ବଚନ, ଆଦର୍ଶ ନୀତିନିୟମ ସଂସ୍କୃତି ପରମ୍ପରା ସେବା ସ୍ବାର୍ଥ ତ୍ୟାଗ ଆଦି ଯେଉଁ ମହନୀୟ ଗୁଣାବଳୀଗୁଡିକ ମଣିଷ ପାଇଁ ରହିଛି, ତାହା ପ୍ରତ୍ୟେକ ମଣିଷ ନିକଟରେ ବିଦ୍ୟମାନ ହେବା ଏକାନ୍ତ ଆବଶ୍ୟକ। କାରଣ ମଣିଷ ମଧ୍ୟ ବସାଘରେ ଜୀବନ ଅତିବାହିତ କରୁଛି ତାହା ତାକୁ ଗ୍ରହଣ କରିବାକୁ ପଡ଼ିବ।
ମଣିଷ ନିଜକୁ ବସାଘରେ ରହିବାର ଆନ୍ତରିକତାକୁ ଆଦରି ନେଇ ପୂର୍ଣ୍ଣାଙ୍ଗ ଜୀବନର ଦୃଷ୍ଟିକୋଣକୁ ଉଦ୍ଭାସିତ କରିବା ଆବଶ୍ୟକ। ସେଥିପାଇଁ ସଚ୍ଚିଦାନନ୍ଦ ରାଉତରାୟ ଲେଖିଥିଲେ ‘ଏ ଦୁନିଆ ପାନ୍ଥଶାଳେ ନିତି କେତେ ପାନ୍ଥ, ଆସୁଛନ୍ତି ଭିକ୍ଷୁ ପରି ଶୂନ୍ୟ କରି ହାତ। ଯିବ ପୁଣି ଏକା ଶୂନ୍ୟେ, ଫେରି ନିଜ ପଥେ, ମିଳନର ଆଡ଼ମ୍ବର ଲିଭିଯିବ ସତେ’। ମଣିଷ ବଜାରଲବ୍ଧ ଉପାଦାନରେ ଅର୍ଥ ଦ୍ୱାରା ନିର୍ମିତ ଘରର ଗୁରୁତ୍ୱ ଅପେକ୍ଷା ମଣିଷର ହୃଦୟରେ ମନରେ ମାଗଣାରେ ବସାଘରଟିଏ କଲେ ସମାଜ ତଥା ପରବର୍ତ୍ତୀ ଉତ୍ତରପିଢ଼ି ତାହାକୁ ଦୃଷ୍ଟାନ୍ତକରି ହୃଦୟର ବସାଘର ନିର୍ମାଣରେ ମନୋନିବେଶ କରିପାରନ୍ତେ, ଯେଉଁଠି ଆବଶ୍ୟକ ଥାଏ କେବଳ ସ୍ନେହ, ଆଦର୍ଶ, ନୀତି ଓ ଆନ୍ତରିକତାର ମାଗଣା ଚିରସ୍ଥାୟୀ ବସାଘର।

ଡ. ସତ୍ୟନାରାୟଣ ମିଶ୍ର

ସହାୟକ ନିର୍ଦ୍ଦେଶକ
ଜାତୀୟ ଅଭିଲେଖାଗାର, ଭାରତ ସରକାର, ଭୁବନେଶ୍ୱର
ମୋ : ୯୯୩୭୩୪୫୯୦୦

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

ମାର୍ବଲ୍ ମନ୍ଦିରର ଉତ୍ଥାନ

ମାର୍ୱଲ ମନ୍ଦିରଗୁଡ଼ିକୁ ଦେଖିଲେ ପ୍ରଥମେ ଏହା ଚାରିପାଖର ପରିବେଶ ନଜରକୁ ଆସେ। ଭିକ୍ଟୋରିଆନ୍‌ ଶୈଳୀର ଲନ୍‌, ମୋଗଲ ଆମୋଦପ୍ରମୋଦ ବଗିଚାର ଭ୍ରମ ସୃଷ୍ଟି କରୁଥିବା ଝରଣା ଏବଂ…

ଗଣତନ୍ତ୍ର ଓ ରାଜନୀତି

ଭାରତୀୟ ସମାଜର ଧାରା, ଦର୍ଶନ, କ୍ରିୟାକଳାପ, ପାଶ୍ଚାତ୍ୟ ଧାରାରୁ ସମ୍ପୂର୍ଣ୍ଣ ଅଲଗା। ଭାରତୀୟ ସମାଜ ବ୍ୟଷ୍ଟିତନ୍ତ୍ର ଆଧାରରେ ଅଧିଷ୍ଠିତ। ପ୍ରାଚୀନ ଯୁଗରେ ମୁନି ଋଷିମାନଙ୍କ ବ୍ୟକ୍ତିଗତ ସତ୍ତା…

ବିଦେଶୀ ଅନୁଦାନ ବିନିଯୋଗ ଅଧିନିୟମ

ବିଭିନ୍ନ ଗୋଇନ୍ଦା ଓ ଅର୍ଥନୈତିକ ଅପରାଧ ନିୟନ୍ତ୍ରଣ ସଂସ୍ଥାର ତଥ୍ୟାନୁସାରେ ଭାରତରେ କାର୍ଯ୍ୟ କରୁଥିବା କିଛି ବେସରକାରୀ ଅନୁଷ୍ଠାନ, ସ୍ବୟଂସେବୀ ସଂସ୍ଥା ଓ ଦାତବ୍ୟ ପ୍ରତିଷ୍ଠାନଗୁଡ଼ିକ ବିଦେଶରୁ…

ବିଚାରପତି ବି ଅସହାୟ

ଭାରତୀୟ ଗଣତନ୍ତ୍ରରେ ବିଧାନପାଳିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ତିନୋଟି ପ୍ରମୁଖ ସ୍ତମ୍ଭ ଭାବେ ଜଣାଶୁଣା। ତନ୍ମଧ୍ୟରୁ ନ୍ୟାୟପାଳିକା ଉପରେ ଜନସାଧାରଣ ନ୍ୟାୟ ପାଇଁ ସବୁଠାରୁ ଅଧିକ ଭରସା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Trending

ଛୁଟିଦିନ
ପିଲାଙ୍କ ଧରିତ୍ରୀ
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?