ଚମଡ଼ା ବନାମ କପଡ଼ା ସିଟ୍‌

ମାନେକା ଗାନ୍ଧୀ

ଅନେକ ବର୍ଷ ପୂର୍ବେ ମୁଁ ଭାରତରେ ମର୍ସିଡିଜ୍‌ କାର୍‌ କମ୍ପାନୀ ଲୋକଙ୍କ ସହ କଥା ହୋଇ ସେମାନଙ୍କ କାର୍‌ ସିଟ୍‌ ପାଇଁ ଚମଡ଼ା ବ୍ୟବହାର ବନ୍ଦ କରିବାକୁ କହିଥିଲି। ସେମାନେ ଏହାକୁ ବନ୍ଦ କରିନାହାନ୍ତି ସତ, କିନ୍ତୁ ଏହାକୁ ଗ୍ରାହକମାନଙ୍କ ପାଇଁ ଐଚ୍ଛିକ କରିଦେଇଛନ୍ତି। ବର୍ତ୍ତମାନ ଏହା କ୍ରେତାମାନଙ୍କ ଉପରେ ନିର୍ଭର କରୁଛି- ସେମାନେ ଚାହିଁଲେ ତାଙ୍କ ପାଇଁ କାର୍‌ ସିଟ୍‌ ଚମଡ଼ାରେ ତିଆରି ହେବ, ନ ଚାହିଁଲେ ଚମଡ଼ା ଛଡ଼ା ଅନ୍ୟ ଉପାଦାନରେ ତିଆରି କରି ଦିଆଯିବ।
ଦୁର୍ଭାଗ୍ୟବଶତଃ ଖୁବ୍‌ କମ୍‌ ଧନୀ ବ୍ୟକ୍ତି ସେମାନଙ୍କ ଟଙ୍କାକୁ ନ୍ୟାୟପୂର୍ଣ୍ଣ ଭାବରେ ଖର୍ଚ୍ଚ କରନ୍ତି। ସେମାନେ ଯେତେ ଅଧିକ ରୋଜଗାର କରନ୍ତି, ସେତେ ଅନ୍ୟ ଲୋକଙ୍କୁ ଦେଖାଇବାକୁ ଚାହାନ୍ତି ଯେ ସେମାନେ ତାଙ୍କ ଅପେକ୍ଷା ବଡ଼ ଓ ଧନୀ। ଆଉ ଏହି ବଡ଼ ବୋଲି ଦେଖାଇ ହେବାର ଭାବନା ଭିତରେ ଅଜବ ଜିନିଷ ସବୁ ଖାଇବାର ରୁଚି ସେମାନଙ୍କର ବଢ଼ିଯାଏ। ଯେମିତି, କର୍କଟ ରୋଗକାରୀ କୁହାଯାଉଥିବା ପେଟେ, କ୍ୟାଭିଆର ନାମକ ଗର୍ଭବତୀ ମାଛ ଅଣ୍ଡା, ଫୁଗୁ ପରି ବିରଳ ବିଷାକ୍ତ ମାଛ ଇତ୍ୟାଦି। କୁମ୍ଭୀର, ସାପ ଓ ଜେବ୍ରା ଚମଡ଼ା ପିନ୍ଧିବା ଧନୀମାନଙ୍କର ଏକ ସଉକ।
ପ୍ରାଣୀମାନଙ୍କ ପୀଡ଼ାର ଏକ କାରଣ ହେଉଛି କାର୍‌ରେ ଚମଡ଼ା ସିଟ୍‌ର ବ୍ୟବହାର। ୭୫% ବିଳାସପୂର୍ଣ୍ଣ କାର୍‌ରେ ଚମଡା ସିଟ୍‌ ବ୍ୟବହାର କରାଯାଏ। ପେଟା (PETA) ହିସାବ କରିଛି ଯେ ଗୋଟିଏ ବର୍ଷରେ ୧.୫ ନିୟୁତ ଚମଡ଼ା ତିଆରି କାର୍‌ ସିଟ୍‌ ତଥା ଭିତର ସଜ୍ଜୀକରଣ ସାମଗ୍ରୀ ଉତ୍ପାଦିତ ହୁଏ। ଗୋଟିଏ କାର୍‌ର ଭିତର ତିଆରି କରିବା ପାଇଁ ୮ଟି ଗାଈର ଚମଡ଼ା ଆବଶ୍ୟକ ହୁଏ। କେବଳ ଆମେରିକାରେ ବିଳାସପୂର୍ଣ୍ଣ କାର୍‌ ପାଇଁ ୧୨ ନିୟୁତ ଗାଈଙ୍କୁ ହତ୍ୟା କରାଯାଉଛି। ଏଥିସହ ୟୁରୋପର କାର୍‌ ଓ ଦେଖେଇହେବାକୁ ଭଲ ପାଉଥିବା ଭାରତର କୋଟିପତିଙ୍କ କାର୍‌ ସଂଖ୍ୟାକୁ ମିଶାନ୍ତୁ ଏବଂ ସେଥିପାଇଁ ବର୍ଷକୁ କେତେ ଗୋରୁଙ୍କୁ ହତ୍ୟା କରାଯାଉଥିବ ହିସାବ କରନ୍ତୁ।
ଚମଡା ବ୍ୟବହାର କରୁଥିବା କାର୍‌ କମ୍ପାନୀଗୁଡିକର ନାମ ଦିଆଗଲା: ସୁବାରୁ ୬୮%, ଜିପ୍‌ ୬୯%, ଚେଭ୍ରୋଲେଟ୍‌ ୭୦%, ଫୋର୍ଡ ୭୧%, ଲେକ୍ସସ୍‌ ୭୮% ଏବଂ ବିଏମ୍‌ଡବ୍ଲ୍ୟୁ ୭୯% ଚମଡ଼ା ବ୍ୟବହାର କରନ୍ତି। ଅବଶିଷ୍ଟ ଚମଡ଼ାର ବିକଳ୍ପ ବ୍ୟବହର କରନ୍ତି। ଭଲ୍‌ଭୋ ୯୮% ଏବଂ ପୋର୍ସେ ୧୦୦% ଚମଡ଼ା ବ୍ୟବହାର କରନ୍ତି ଏବଂ ସମ୍ପୂର୍ଣ୍ଣ ଚମଡ଼ାର ଆଂଶିକ ବ୍ୟତୀତ ସେମାନଙ୍କର ଅନ୍ୟ କୌଣସି ବିକଳ୍ପ ନାହିଁ। ସେହିପରି ଲ୍ୟାଣ୍ଡ୍‌ ରୋଭର ଏବଂ ଅଡି କେବଳ ଚମଡା ବ୍ୟବହାର କରନ୍ତି।
ଧନୀ ଲୋକମାନେ ମଲା ପଶୁର ଚମଡ଼ା ପ୍ରତି କାହିଁକି ଏତେ ଆଗ୍ରହୀ? ନିର୍ମାତା ଏବଂ କ୍ରେତାଙ୍କ ଦ୍ୱାରା ପ୍ରଦତ୍ତ କାରଣଗୁଡ଼ିକ ହେଉଛି: ଏହା ଏକ ଆନନ୍ଦଦାୟକ ଅନୁଭବ ଆଣିଦିଏ ଏବଂ ଦେଖିବାକୁ ଖୁବ୍‌ ସୁନ୍ଦର। ଏହା ଦାଗ ଓ ଗନ୍ଧ ପ୍ରତିରୋଧକ। ଏହାକୁ ସଫା କରିବା ଖୁବ୍‌ ସହଜ। କିନ୍ତୁ ଏ ସମସ୍ତ ତିନୋଟି କାରଣ ମଧ୍ୟରୁ କୌଣସିଟି ସତ୍ୟ ନୁହେଁ। ଆନନ୍ଦଦାୟକ ଅନୁଭବ ଏବଂ ସୁନ୍ଦର ଦେଖାଯିବା ସଂପୂର୍ଣ୍ଣ ସବ୍‌ଜେକ୍ଟିଭ୍‌, ଏବଂ ମଲା ପଶୁମାନଙ୍କ ଚମଡ଼ା ଉପରେ ବସିବା ଅପେକ୍ଷା ଅରୁଚିକର ଜିନିଷ ଆଉ କ’ଣ ହୋଇପାରେ? ତେଣୁ ଆସନ୍ତୁ ଆମେ ତଥ୍ୟକୁ ଯିବା: ଚମଡ଼ାର ମୂଲ୍ୟ ବହୁତ ଅଧିକ- ସିଟ୍‌ ପିଛା ୨,୦୦୦ ଡଲାର୍‌ ପର୍ଯ୍ୟନ୍ତ। ଏହା ଗ୍ରୀଷ୍ମ ଋତୁରେ ଅତି ଶୀଘ୍ର ଗରମ ହୁଏ ଏବଂ ଶୀତ ଦିନେ ଖୁବ୍‌ ଥଣ୍ଡା ଓ ଟାଣ ହୋଇ ରହିଥାଏ- ଏଥିପାଇଁ ଏୟାରକଣ୍ଡିଶନର, ହିଟର ଏବଂ ସିଟ୍‌ ୱାର୍ମର୍‌ ଦରକାର। ଏହା ଅଯଥା ଖର୍ଚ୍ଚ ବଢ଼ାଇବା ସହ କାର୍‌ ଭିତରଟାକୁ ଅସ୍ବାସ୍ଥ୍ୟକର କରିତୋଳେ।
ଚମଡ଼ାର ଏକ ନିଆରା ଗନ୍ଧ ଅଛି। ଗାଈ ଓ ବାଛୁରି ଚର୍ମକୁ ଲେଦର ବା ବ୍ୟବହାର ଉପଯୋଗୀ ଚମଡ଼ାରେ ପରିଣତ କରିବା ପାଇଁ ଅନେକ ଶହ ରାସାୟନିକ ପଦାର୍ଥ ଆବଶ୍ୟକ। ସେଗୁଡ଼ିକ ଏତେ ବିପଜ୍ଜନକ ଯେ ଚମଡ଼ା କାରଖାନାଗୁଡ଼ିକର ବର୍ଜ୍ୟବସ୍ତୁ ପଡ଼ୁଥିବା ପାଣିରେ ରହୁଥିବା ସବୁ ଜଳଜୀବ ମରିଯାନ୍ତି। ଏହି ରାସାୟନିକ ପଦାର୍ଥଗୁଡ଼ିକ ନିଜ ନିଜର ଦୁର୍ଗନ୍ଧ ସହିତ ବାୟୁମଣ୍ଡଳରେ ସଞ୍ଚରିଥାଏ। ଏକ ଚମଡା ସିଟ୍‌ଯୁକ୍ତ କାର୍‌ରେ ଯାଆନ୍ତୁ: ସିଗାରେଟ୍‌ ଧୂଆଁଠାରୁ ଏହାର ଗନ୍ଧ ଅଧିକ ଖରାପ। ବାସ୍ତବରେ ସମସ୍ତ ଚମଡାକୁ ପ୍ରଥମେ ଅତର ବା ସୁଗନ୍ଧରେ ବୁଡ଼ାଯାଇଥାଏ। ଟ୍ୟାନ୍‌କରା ଚମଡ଼ାର ଗନ୍ଧ ଭାରି ଅବାଗିଆ। ଥରେ ଅତରର ବାସ୍ନା ସରିଯିବା ପରେ ସିଟ୍‌ ଭୟଙ୍କରଭାବେ ଗନ୍ଧାଇଥାଏ।
ଚମଡ଼ାର ରକ୍ଷଣାବେକ୍ଷଣ ଖର୍ଚ୍ଚ ଅଧିକ। ଚମଡ଼ା ପୃଷ୍ଠରେ ଦେହର ତେଲ ଓ ବାହାରର ଧୂଳି ଲାଗି ଅଳ୍ପଦିନ ପରେ ସେଥିରେ କ୍ରାକ୍‌ ସୃଷ୍ଟି ହୁଏ। ପୁଣି ଏହା ପାଣି ବା ଆର୍ଦ୍ରତାକୁ ସହିପାରେ ନାହିଁ। ତେଣୁ ଯଦି ଆପଣ ବର୍ଷାବେଳେ ଓଦାହୋଇ ଭିତରକୁ ଯାଆନ୍ତି, ତେବେ ଆପଣଙ୍କର ଚମଡ଼ା ସିଟ୍‌ଗୁଡିକ ନଷ୍ଟ ହୋଇଯିବ। ଓଦା ସିଟ୍‌ରୁ ଆହୁରି ଅଧିକ ଗନ୍ଧ ବାହାରିବ। କାର୍‌ ଭିତରେ ଆପଣଙ୍କ ପିଲା ବା କୌଣସି ଅସୁସ୍ଥ ବ୍ୟକ୍ତି ଯଦି ବାନ୍ତି କରିପକାନ୍ତି, କିଛି ପିଇଲାବେଳେ ସେଥିରୁ ଯଦି କିଛି ଅଂଶ ତଳେ ପଡ଼େ ବା ସିଟ୍‌ରେ ଝାଳ, ନାକର ସିଂଘାଣି, ଚକୋଲେଟ୍‌ ଦାଗ ବା ପାଟିର ଲାଳ ଆଦି ଲାଗେ, ତେବେ ଏ ସବୁଦ୍ୱାରା ଚମଡ଼ା ସିଟ୍‌ କ୍ଷତିଗ୍ରସ୍ତ ହୋଇପାରେ। ଚମଡାକୁ ସ୍କ୍ରାଚ୍‌ କରିବା ମଧ୍ୟ ସହଜ; ତେଣୁ ଯଦି ଆପଣଙ୍କର କୁକୁର, ବିଲେଇ କିମ୍ବା ପିଲା ଥାଆନ୍ତି, ତେବେ ଏହା ଆପଣଙ୍କ ଗାଡି ପାଇଁ ଭଲ ବିକଳ୍ପ ନୁହେଁ।
ଚମଡା ଭଲ ଦେଖାଯିବା ପାଇଁ ପ୍ରତି ଦୁଇ ମାସରେ ଥରେ ସଫା କରିବା ଓ କଣ୍ଡିସନିଂ କରିବା ଆବଶ୍ୟକ ପଡ଼େ। ଚମଡ଼ା ସିଟ୍‌ କିଣିବାରେ ଯେମିତି ଅଧିକ ଖର୍ଚ୍ଚ ହୁଏ, ତାକୁ ସଫା କରିବାରେ ବି ସେମିତି ଖର୍ଚ୍ଚ ହୁଏ। ଚମଡ଼ା ସିଟ୍‌ ପୁରୁଣା ହୋଇଗଲେ ଭାରି ଅସୁନ୍ଦର ଦେଖାଯାଏ। ପୁରୁଣା ଚମଡ଼ା ଜୋତାର ଅବସ୍ଥା ଯେମିତି, ପୁରୁଣା ଚମଡ଼ା ସିଟ୍‌ର ଅବସ୍ଥା ବି ସେମିତି ହୁଏ।
ଗ୍ରୀଷ୍ମଋତୁରେ ଚମଡ଼ା ସିଟ୍‌ଗୁଡ଼ିକ ଏତେ ତାତିଯାଏ ଯେ ଆପଣ ବସିବା ବେଳେ କଷ୍ଟ ଅନୁଭବ କରନ୍ତି। ଖରାଦିନେ ଖୋଲା ଝରକା ବାଟେ ସିଟ୍‌ ଉପରେ ଖରା ପଡ଼ିଲେ କାର୍‌ର ଉତ୍ତାପ ୨୦୦ ଡିଗ୍ରୀରୁ ଅଧିକ ହୋଇପାରେ। କାରଣ ଚମଡା ଉତ୍ତାପକୁ ଶୋଷିଥାଏ କିନ୍ତୁ କପଡ଼ା ଶୋଷି ନ ଥାଏ। ଚମଡା ତିଆରି ଷ୍ଟିଅରିଂ ଚକଗୁଡିକ ଏତେ ଗରମ ହୁଏ ଯେ ହାତକୁ ଫୋଟକା କରିଦେଇପାରେ। ତାତିଲା ଷ୍ଟିଅରିଂକୁ ତୁରନ୍ତ ଧରିବା ଅସମ୍ଭବ, ତେଣୁ ଆପଣ କାର୍‌ ଭିତରେ ପ୍ରବେଶ କରିବା ପୂର୍ବରୁ ଅତି କମ୍‌ରେ ୧୦ ମିନିଟ୍‌ ଏୟାର୍‌କଣ୍ଡିଶନର୍‌ ଚଲାଇବାକୁ ପଡିବ। ଗ୍ରୀଷ୍ମଋତୁରେ ଚମଡ଼ା ସିଟ୍‌ ମାଲିକମାନଙ୍କୁ ଟାୱେଲ୍‌ କିମ୍ବା କପଡା ଆବରଣ ବ୍ୟବହାର କରିବାକୁ ପଡ଼େ। ଶୀତଦିନେ ଚମଡା ଥଣ୍ଡା ଓ ଟାଣ ହୁଏ-ଏତେ ଥଣ୍ଡା ଯେ କାର୍‌ର ତାପମାତ୍ରା ତଳକୁ ଖସିଯାଏ ଏବଂ ଆପଣ ଭିତରେ ପ୍ରବେଶ କରିବା ପୂର୍ବରୁ କିଛି ସମୟ ହିଟର ଚଲାଇବାକୁ ପଡ଼େ।
ଯେତେବେଳେ ଆପଣ ପ୍ରଥମେ କାର୍‌ କିଣିବେ, ନୂଆ ଚମଡ଼ା ସିଟ୍‌ ବହୁତ କଠିନ ଲାଗିବ। ଚମଡ଼ା ନମନୀୟ ଏବଂ ଆରାମଦାୟକ ହେବାକୁ ମାସେ ସମୟ ଲାଗିଥାଏ। ସେତେବେଳକୁ ଏହା ଏତେ ତେଲ ଏବଂ ଝାଳ ଶୋଷି ନେଇଥାଏ ଯେ ତାକୁ ରାସାୟନିକ ପଦାର୍ଥ ଦ୍ୱାରା ସଫା କରିବା ଆବଶ୍ୟକ ପଡ଼େ ଏବଂ ତା’ପରେ ପୁଣି କଠିନ ଅବସ୍ଥାକୁ ଫେରିଯାଏ। ଏହା ନିଶ୍ଚିତ ଭାବରେ କପଡା କିମ୍ବା ଅଣଚମଡା ସିଟ୍‌ ଭଳି ଆରାମଦାୟକ ନୁହେଁ।
ଚମଡା ଅତ୍ୟଧିକ ଭାରୀ ଏବଂ ଏହା କାର୍‌ର ଓଜନ ବୃଦ୍ଧି କରିଥାଏ। ଯଦି ଆପଣ ଏକ ଭଲ ପ୍ରଦର୍ଶନକାରୀ କାର୍‌ ଚାହୁଁଛନ୍ତି (ମୋର ଅନୁମାନ ଧନୀ ଲୋକମାନେ ମଧ୍ୟ ଶୀଘ୍ର ଯାତ୍ରା କରିବାକୁ ଚାହାନ୍ତି), ତେବେ ଅଧିକ ଓଜନ ଆବଶ୍ୟକ ନୁହେଁ। କାର୍‌ ପାଇଁ ବ୍ୟବହୃତ ଅଧିକାଂଶ ଚମଡା ଭଲ ନୁହେଁ। ପ୍ରତ୍ୟେକ ଅଟୋ ନିର୍ମାତା ଚମଡ଼ା କେଉଁଠୁ ଆଣୁଛନ୍ତି, ତା’ ଉପରେ ତା’ର ଗୁଣବତ୍ତା ନିର୍ଭର କରେ। ଚମଡ଼ା ନିମ୍ନମାନର ହେଲେ ସ୍ଥାୟିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୁଏ।
ଚମଡା ବହୁତ ଖସଡ଼ା। ପ୍ରତ୍ୟେକ ଥର ଯେତେବେଳେ ଆପଣ ଶୀଘ୍ର ଏକ ମୋଡ଼ ନିଅନ୍ତି, କିମ୍ବା ନାଲି ସଂକେତ ଦେଖି ଅଟକି ରହିବାକୁ ପଡେ, ସେତେବେଳେ ଆପଣ ସିଟ୍‌ରୁ ଟିକିଏ ଖସଡ଼ିଯାନ୍ତି। କିନ୍ତୁ କପଡା ସିଟ୍‌ରେ ଏପରି ହୁଏ ନାହିଁ।
ଚମଡାର ବିକଳ୍ପ ବି ଅସଲି ଚମଡା ପରି ଦେଖାଯାଏ। ଯେହେତୁ ଏହା ଭିନାଇଲରେ ନିର୍ମିତ, ଏଥିରେ ପଡ଼ିଥିବା ଖାଦ୍ୟ କିମ୍ବା ତରଳ ପଦାର୍ଥ ସହଜରେ ପୋଛି ହୋଇପାରେ। ତେଣୁ ଏହାକୁ ସଫା ରଖିବା ସହଜ। ମର୍ସିଡିଜ୍‌ ବେଞ୍ଜ୍‌ ଏବଂ ବିଏମ୍‌ଡବ୍ଲ୍ୟୁ ଏପରି ନକଲି ଚମଡା ବିକଶିତ କରିଛନ୍ତି ଯାହାକୁ ପ୍ରକୃତ ଚମଡାଠାରୁ ଅଲଗା ବାରିବା କଷ୍ଟକର। ବିଳାସପୂର୍ଣ୍ଣ ଯାନରେ ଲୋକପ୍ରିୟ ହେବାକୁ ଯାଉଥିବା ଆଲ୍‌କାନ୍ତରା ହେଉଛି ପଲିଷ୍ଟରରୁ ନିର୍ମିତ ଏକ ପ୍ରକାର ଅଲଟ୍ରାସୁଏଡ୍‌। ନିଶାନର ବିଳାସପୂର୍ଣ୍ଣ କାର୍‌ଗୁଡ଼ିକରେ ସୋଫିଲେଜ୍‌ ନାମକ ଏକ ନରମ ପଦାର୍ଥ ବ୍ୟବହାର କରାଯାଉଛି, ଯାହା ଚମଡାଠାରୁ ବହୁତ ଭଲ।
ଚମଡ଼ା ସିଟ୍‌ ତିଆରି ପାଇଁ ପ୍ରତିବର୍ଷ କେତେ ଗାଈ ବାଛୁରିଙ୍କୁ ମରାଯାଉଛି। ଆମେ ଯେଉଁମାନେ ଚମଡ଼ାର ସିଟ୍‌ଯୁକ୍ତ କାର୍‌ କିଣୁଛୁ, ସେମାନେ ଲକ୍ଷ ଲକ୍ଷ ଗୋରୁଙ୍କ ପୀଡ଼ା ଓ ମୃତ୍ୟୁ ପାଇଁ ପରୋକ୍ଷରେ ଦାୟୀ ନୋହୁଁ କି?
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

ଏଇ ଭାରତରେ

ପିଲାମାନଙ୍କୁ ପରୀକ୍ଷାରେ ଭଲ ନମ୍ବର ଆଣିବାକୁ ଅଭିଭାବକ କହିଥାନ୍ତି ଓ ଚାପ ବି ପକାନ୍ତି। ପ୍ରତିକ୍ରିୟାରେ ପିଲାମାନେ ବେଳେବେଳେ ଚାପଗ୍ରସ୍ତ ହୋଇଯାନ୍ତି। କିନ୍ତୁ ଏଭଳି କ୍ଷେତ୍ରରେ...

କ୍ଷେପଣାସ୍ତ୍ର ଅଗ୍ନି-୫

ପ୍ର. ରମେଶ ଚନ୍ଦ୍ର ପରିଡ଼ା   ମାନବିକତାର ସର୍ବଶ୍ରେଷ୍ଠ ସ୍ବରୂପ ପ୍ରକଟିତ ହୋଇଥାଏ ‘ବସୁଧୈବ କୁଟୁମ୍ବକମ୍‌’ ଚିନ୍ତାଧାରାରେ। ଆଜିର ଧ୍ୱଂସମୁଖୀ ବିଶ୍ୱକୁ ଏହାହିଁ କେବଳ ଦେଇପାରନ୍ତା...

ନିର୍ବାଚନୀ ଇସ୍ତାହାର: ଏକ ଦୃଷ୍ଟିପାତ

ସୌଭାଗ୍ୟ ସୁନ୍ଦରରାୟ   ଅଷ୍ଟାଦଶ ଲୋକ ସଭା ନିର୍ବାଚନ ପାଇଁ ଇତିମଧ୍ୟରେ ବିଭିନ୍ନ ରାଜନୈତିକ ଦଳର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି। ସେଥିମଧ୍ୟରୁ ପ୍ରମୁଖ ଦଳ...

ପିଲାଙ୍କ ସ୍ୱାସ୍ଥ୍ୟ

ନେସ୍‌ଲେ ଭଳି ବହୁରାଷ୍ଟ୍ରୀୟ କମ୍ପାନୀ ବିଭିନ୍ନ ଦେଶରେ ଭିନ୍ନ ପ୍ରକାରର ଶିଶୁ ଖାଦ୍ୟ ପ୍ରସ୍ତୁତ କରୁଛି । ଏହାକୁ ଆଧୁନିକ ଭାଷାରେ ‘କର୍ପୋରେଟ୍‌ ରେସିଜିମ୍‌’ ବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri