କୋହିନୁର-ଆଲୋକର ସ୍ତୂପ

ପ୍ରକାଶ ତ୍ରିପାଠୀ

ବ୍ରିଟେନ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରଠାରୁ ଭାରତରେ ସୋସିଆଲ ମିଡିଆରେ କୋହିନୁର ହୀରାକୁ ନେଇ ଚର୍ଚ୍ଚା ପୁଣି ଜୋର ଧରିଛି। ବିଶ୍ବର ସବୁଠାରୁ ମୂଲ୍ୟବାନ୍‌ ଅର୍ଥାତ୍‌ ୫୯୧ ନିୟୁତ ଡଲାର ମୂଲ୍ୟର କୋହିନୁର ହୀରା ବ୍ରିଟେନ ମହାରଣୀଙ୍କ ରାଜମୁକୁଟରେ ୨୮୦୦ ମୂଲ୍ୟବାନ୍‌ ଧାତୁ ମଧ୍ୟରେ ଯେତେଦିନ ଶୋଭା ପାଉଥିବ, ସେତେଦିନ ପର୍ଯ୍ୟନ୍ତ କୋହିନୁର ହୀରାକୁ ନେଇ ଚର୍ଚ୍ଚା ଜୋର ଧରୁଥିବ। ଏହାର କାରଣ ହେଉଛି ପ୍ରାକ୍‌ ସ୍ବାଧୀନତା ସମୟରେ ଇଂରେଜମାନେ ଏହି ମୂଲ୍ୟବାନ୍‌ କୋହିନୁର ହୀରାକୁ ଭାରତରୁ ଚଞ୍ଚକତାପୂର୍ଣ୍ଣ ଭାବେ ନେଇଯାଇଥିଲେ। ସ୍ବାଧୀନତା ପରବର୍ତ୍ତୀ ସମୟରେ ଅନେକ ସମୟରେ ଏହାକୁ ଫେରିପାଇବା ପାଇଁ ଉଦ୍ୟମ ହୋଇଥିଲେ ହେଁ ତାହା ସଫଳ ହୋଇନହିଁ। ୧୯୫୩ରେ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ରାଜତିଳକ ସମୟରେ କୋହିନୁର ହୀରା ଫେରିପାଇବା ପାଇଁ ଦାବି ଉଠିଥିଲେ ହେଁ ତାହାକୁ ବ୍ରିଟେନ ପ୍ରତ୍ୟାଖ୍ୟାନ କରିଥିଲା। ୧୯୭୬ରେ ପାକିସ୍ତାନ ପକ୍ଷରୁ ମଧ୍ୟ ଏହାକୁ ଫେରିପାଇବା ପାଇଁ ଦାବି ଉଠିଥିଲା। ଏପରିକି ଆଫଗାନିସ୍ତାନ ଓ ଇରାନ ପକ୍ଷରୁ ମଧ୍ୟ ଅନୁରୂପ ଦାବି ଅତୀତରେ ବ୍ରିଟେନ ନିକଟରେ ଉପସ୍ଥାପିତ କରାଯାଇଥିଲେ ହେଁ କେହି ଏହାକୁ ଫେରିପାଇବା ପାଇଁ ସଫଳ ହୋଇନାହାନ୍ତି।
ପ୍ରାୟ ୫ହଜାର ବର୍ଷରୁ ଊର୍ଦ୍ଧ୍ୱ ଏହି ହୀରା ପ୍ରଥମେ ୭୯୩ କ୍ୟାରେଟର ଥିବା ବେଳେ ବର୍ତ୍ତମାନ ଏହା ୧୦୫.୬ କ୍ୟାରେଟ (୨୧.୬ ଗ୍ରାମ)ର ରହିଛି। କୁହାଯାଏ ଦାଦଶ ଶତାଦ୍ଦୀରେ ଆନ୍ଧ୍ର ପ୍ରଦେଶର କାକତୀୟ ସାମ୍ରାଜ୍ୟର ଏକ ହିନ୍ଦୁ ମନ୍ଦିରରେ ପୂଜା ପାଉଥିବା ବିଗ୍ରହଙ୍କ ନୟନରେ ସ୍ଥାପିତ ହୋଇଥିଲା ଏହି ହୀରା ଯାହାକି କୁଲୁର ଖଣିରୁ ସଂଗୃହୀତ ହୋଇଥିଲା। ପରେ ୧୩୦୪ରେ ଏହା ମାଲବାର ସମ୍ରାଟଙ୍କ ଗହଣାରେ ସ୍ଥାନ ପାଇଥିବା କଥା ଶୁଣାଯାଏ। ୧୩୧୦ରେ ଅଲାଉଦ୍ଦିନ ଖିଲିଜଙ୍କ ସେନାପତି ମଲିକ କାଫୁର ଏହାକୁ ରାଜପ୍ରାସାଦରୁ ଲୁଟକରି ଅଲାଉଦ୍ଦିନ ଖିଲିଜଙ୍କୁ ଉପହାର ଭାବେ ଦେଇଥିଲେ। ପରେ ଏହା କେତେବେଳେ ଅପହରଣ ତ କେତେବେଳେ ଉପହାର, ଏହିଭଳି ଭାବେ ଅନେକ ଶାସକଙ୍କ ନିକଟତର ହୋଇଛି। ଏହାପରେ ଏହି ହୀରା ଆସିଥିଲା ମୋଗଲ ଶାସନକୁ। ବାବରନାମାରେ ମଧ୍ୟ ଉକ୍ତ ହୀରା ସମ୍ପର୍କରେ ଉଲ୍ଲେଖ ରହିଛି। ବାବରଙ୍କ ପରେ ହୁମାୟୁନ ଓ ଏହିପରି ବଂଶାନୁକ୍ରମିକ ଭାବେ ଏହା ପହଞ୍ଚିଥିଲା ଔରଙ୍ଗଜେବ ଓ ପରେ ତାହା ତାଙ୍କର ନାତି ସୁଲତାନ ଅହମଦଙ୍କ ସମ୍ପତ୍ତି ଭାବେ ରତ୍ନଭଣ୍ଡାରରେ ସ୍ଥାନ ପାଇଥିଲା। ୧୭୩୯ରେ ଫରାସୀ ଶାସକ ନାଦିର ଶାହ ଭାରତ ଆସି ସୁଲତାନଙ୍କ ରାଜ୍ୟ ଦାଖଲ କଲେ। ପରେ କୋହିନୁର ଚାଲିଯାଇଥିଲା ନାଦିର ଶାହଙ୍କ ନିକଟକୁ। ପ୍ରକୃତରେ ସେହି ହୀରାର ନାମ ନାଦିର ଶାହ ହିଁ କୋହିନୁର ରଖିଥିଲେ ଯାହାର ଅର୍ଥ ହେଉଛି ଆଲୋକର ସ୍ତୂପ। ନାଦିର ଶାହାଙ୍କ ହତ୍ୟା ପରେ ହୀରା ଚାଲିଯାଇଥିଲା ଅହମ୍ମଦ ଶାହ ଦୁରାନିଙ୍କ ନିକଟକୁ ଓ ଏହାକୁ ସେ ଉପହାର ଭାବେ ତାଙ୍କର ବନ୍ଧୁ ରଞ୍ଜିତ ସିଂହଙ୍କୁ ପ୍ରଦାନ କରିଥିଲେ। ସମୟକ୍ରମେ ଏହିପରିଭାବରେ ଭାରତ, ପାକିସ୍ତାନ, ଆଫଗାନିସ୍ତାନ ବୁଲିବୁଲି ଶେଷରେ ପଞ୍ଜାବରେ ପହଞ୍ଚିଥିଲା କୋହିନୁର। ୧୮୩୯ରେ ରଞ୍ଜିତ ସିଂହଙ୍କ ମୃତ୍ୟୁ ପରେ ମାତ୍ର ୪ ବର୍ଷରେ ଚାରିଜଣ ମହାରାଜାଙ୍କୁ ପାଇଥିଲା ପଞ୍ଜାବ। ଶେଷରେ ପାଳି ପଡ଼ିଥିଲା ୧୦ ବର୍ଷର ବାଳକ ଦୁଲୀପ ସିଂହଙ୍କର। ୧୮୪୯ ରେ ଇଂରେଜଙ୍କ ଚକ୍ରାନ୍ତର ଶିକାର ହେଲେ ଦୁଲୀପ ସିଂହ ଓ ପଞ୍ଜାବ ଦାଖଲ ହେଲା ଓ ଇଂରେଜଙ୍କ ହାତକୁ ଆସିଲା କୋହିନୁର ହୀରା। ୧୮୫୧ ଲଣ୍ଡନରେ ଆୟୋଜିତ ଏକ ପ୍ରଦର୍ଶନୀରେ ଏହି କୋହିନୁର ହୀରାର ପ୍ରଥମ ସାଧାରଣ ପ୍ରଦର୍ଶନ ହୋଇଥିଲା। ତତ୍କାଳୀନ ବ୍ରିଟେନର ରାଣୀ ଭିକ୍ଟୋରିଆଙ୍କ ସ୍ବାମୀ ପ୍ରିନ୍ସ ଆଲବର୍ଟଙ୍କୁ ଏହି ହୀରା ଖୁବ୍‌ ପସନ୍ଦ ଆସିଥିଲା ଓ ତାଙ୍କରି ନିର୍ଦ୍ଦେଶରେ ଏହାକୁ କଟାଯାଇ ରାଣୀଙ୍କ ରାଜ ମୁକୁଟରେ ସ୍ଥାନିତ କରାଯାଇଥିଲା। ଭିକ୍ଟୋରିଆଙ୍କ ଅନ୍ତେ ଏହି କୋହିନୁର ହୀରା ଖଚିତ ରାଜମୁକୁଟ ରାଣୀ ଅଲେକଜାଣ୍ଡ୍ରା ଓ ଏଲିଜାବେଥଙ୍କ ମସ୍ତକରେ ଶୋଭାପାଇଥିଲା। ବର୍ତ୍ତମାନ ଏହା ବ୍ରିଟେନ ରାଜ ପରିବାରର ସମ୍ପତ୍ତି ଭାବେ ପରିଗଣିତ।
୧୯୯୭ରେ ମହାରାଣୀ ଏଲିଜାବେଥଙ୍କ ଭାରତ ଗସ୍ତ ସମୟରେ କୋହିନୁର ହୀରା ଭାରତକୁ ଫେରାଇଦେବା ପାଇଁ ଦାବି ଉଠିଥିଲେ ହେଁ ଏହା ସଫଳ ହୋଇ ନ ଥିଲା। ୨୦୧୦ରେ ତତ୍କାଳୀନ ବ୍ରିଟିଶ ପ୍ରଧାନମନ୍ତ୍ରୀ ଡେଭିଡ୍‌ କାମେରୁନ ଏ ସମ୍ପର୍କରେ ମତଦେଇଥିଲେ ଯେ ଯଦି ପ୍ରତ୍ୟେକ ଦେଶର ଦାବି ମୁତାବକ ସବୁ ମୂଲ୍ୟବାନ୍‌ ବସ୍ତୁ ଫେରାଇଦିଆଯିବ, ତେବେ ବ୍ରିଟେନ ସଂଗ୍ରହାଳୟରେ ପ୍ରଦର୍ଶନ କରିବାକୁ ଆଉ କିଛି ରହିବ ନାହିଁ। ୨୦୧୩ ରେ ଭାରତ ଗସ୍ତ ସମୟରେ କାମେରୁନ କୋହିନୁର ହୀରା ଫେରାଇବାକୁ ସ୍ପଷ୍ଟଭାବେ ମନା କରିଦେଇଥିଲେ। ୨୦୧୬ ରେ ମଧ୍ୟପ୍ରଦେଶ ଅନ୍ତର୍ଗତ ଜବଲପୁର ବାସିନ୍ଦା ଜନ୍‌ ଲୁଇସ ନାମକ ଜଣେ ବ୍ୟକ୍ତି କୋହିନୁର ହୀରାକୁ ନିଜ ପୈତୃକ ସମ୍ପତ୍ତି ଦର୍ଶାଇ ହାଇକୋର୍ଟରେ ଏକ ରିଟ୍‌ ପିଟିଶନ ଦାଖଲ କରିଥିଲେ ଯାହାକି ପରେ ଖାରଜ ହୋଇଥିଲା। ସେ ଉଲ୍ଲେଖ କରିଥିଲେ ଯେ କୋହିନୁର ହୀରା ତାଙ୍କର ଜେଜେ ବାପାଙ୍କ ବାପା ଆଲବର୍ଟ ଲୁଇସଙ୍କର ସମ୍ପତ୍ତି। ଏହାକୁ ସେ ସମୟରେ ରାଜା ମହାରାଜମାନେ ସେମାନଙ୍କ ଅଧିକାରକୁ ନେଇ ନିଜର ବଡ଼ିମା ଦେଖାଉଥିଲେ। ଏହି ରିଟ୍‌ ପିଟିଶନରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଓ ଭାରତ ପ୍ରଧାନମନ୍ତ୍ରୀଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ଅନ୍ୟ ପଟେ ଗୋଟିଏ ଆର୍‌ଟିଆଇ ଉତ୍ତରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ପୁରାତନ ଓ ବହୁମୂଲ୍ୟ କଳାକୃତି ଅଧିନିୟମ ୧୯୭୨ ଆଧାରରେ ଓ ନିୟମାନୁସାରେ ପ୍ରାଚୀନ ବସ୍ତୁ, ଯାହାକି ସ୍ବାଧୀନତା ପୂର୍ବରୁ ବାହାର ଦେଶକୁ ଚାଲିଯାଇଛି, ତାହାକୁ ଫେରାଇ ଅଣାଯାଇ ପାରିବ ନାହିଁ। ମାତ୍ର ଅବୈଧ ଭାବେ କୋହିନୁର ହୀରା ବିଦେଶକୁ ଯାଇଥିବାରୁ ତାହାକୁ ଫେରାଇ ଅଣାଯିବା ଠିକ୍‌ ହେବ ବୋଲି କେତେକେ ଯୁକ୍ତି ଉପସ୍ଥାପିତ କରୁଛନ୍ତି। ୨୦୧୫ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ରିଟେନ ଗସ୍ତ ପୂର୍ବରୁ ବ୍ରିଟେନ ସଂସଦରେ ନିଜ ବକ୍ତବ୍ୟରେ ଜଣେ ମୂଳ ଭାରତୀୟ ସାଂସଦ ଭାରତକୁ କୋହିନୁର ହୀରା ଫେରାଇ ଦିଆଯିବ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ ଯାହାକି ଥିଲା ପ୍ରଭାବାହୀନ।
କୋହିନୁର ହୀରା ପରି ଚର୍ଚ୍ଚିତ ବସ୍ତୁ ଭାବେ ଗଣା ହୁଏ ୨୫୦୦ ବର୍ଷ ତଳର ମୂର୍ତ୍ତି ଏଲିନ ମାର୍ବଲ। ୧୮୦୦ ରେ ତତ୍କାଳୀନ ବ୍ରିଟେନ ରାଜା ଲର୍ଡ ଏଲିନଙ୍କ ଦ୍ବାରା ଏଥେନ୍ସର ପାର୍ଥନାନ ଧର୍ମସ୍ଥଳୀରୁ ଏହାକୁ ବ୍ରିଟେନ ଅଣାଯାଇଥିଲେ। କୋହିନୁର ହୀରା ହେଉ ବା ଏଲିନ ମାର୍ବଲ ମୂର୍ତ୍ତି , ଏହା ଯେଉଁଠି ରହିଲେ ବି ଏହାର ମୂଳ ପରିଚୟ କେବେବି ହଜିବ ନହିଁ। କୋହିନୁର ହୀରା ଭାରତ ଫେରୁ ବା ନ ଫେରୁ, ଏହା ଯେଉଁଠି ଥିଲେ ବି ଭାରତର ସମ୍ପତ୍ତି ଭାବେ ସମଗ୍ର ବିଶ୍ବକୁ ନିଜର ଚମକରେ ପରିଚୟ ଦେଉଥିବ।
ମୋ- ୯୪୩୭୨୩୨୪୬୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri