Posted inଫୁରସତ

ମତେ ଧିକ୍‌

ସେଦିନ ରାତିରେ ପାହାନ୍ତି ସପନରେ ଯାହା ଦେଖିଲି, ମୁଁ ମରି ଜୁଇ-ନିଆଁରେ ଜଳିବା ଆଗରୁ ଛାତି ଭିତରର ଭୟ-ନିଆଁରେ ହୁତୁ ହୁତୁ ଜଳୁଥିଲି। ମୁଁ କୁଆଡ଼େ ମରିଯାଇଛି ବୋଲି ସାହି-ଭାଇ, ବନ୍ଧୁ-ବାନ୍ଧବ ଜମା ହୋଇଛନ୍ତି। ମୋ ନିଜ ସ୍ତ୍ରୀ-ଯାମିନୀ ସହ ପିଲାମାନେ ରଡ଼ି ବୋବାଳି ଛାଡୁଛନ୍ତି l କହୁଛନ୍ତି… ଆମ ସଂସାର ଭାସିଗଲା ! ମୋରି ଆଗରେ ଛ’ଖଣ୍ଡ ବାଉଁଶକୁ ଶିଡ଼ି ଭଳିଆ ପକେଇ ମୋ ଦେହକୁ ଧଳା କପଡାରେ ଗୁଡେଇ ପାଳ-ଦଉଡ଼ିରେ ଭିଡ଼ିକି ବାନ୍ଧିଛନ୍ତି l ଗଳାରେ ଗେଣ୍ଡୁମାଳ ଗଣ୍ଡେ ଗଳେଇ, ସମସ୍ତେ ମୋ ଚଉପାଶରେ ବେଢ଼ି ଗଳା ଫଟେଇ ରୋଦନ କରୁଛନ୍ତି l ଯେତେ ବିକଳହୋଇ ଚିତ୍କାରକରି କହୁଛି.. ଆରେ! ମୁଁ କୁଆଡ଼େ ଯାଇନି ରେ.. ଏଇ ଦେଖ, ତମରି ପାଖରେ ଅଛି, -କେହି ମୋ କଥା ଶୁଣୁନାହାନ୍ତି l ଏଡ଼େ ବଡ଼ ବଡ଼ ମୋ କୋଠା ଘର, ଦାମୀ କାଠର ଖଟ -ପଲଙ୍କ, ଯାହା ମୁଁ ସେ ନାଥ କଣ୍ଟ୍ରାକ୍ଟରକୁ ଧମକେଇ, ତା’ ଗାଁ ରାସ୍ତା, ପୋଲ, ସ୍କୁଲଘର କାମ ବାବଦକୁ ମିଳିଥିବା ଲାଭରେ ହାସଲ କରିଥିଲି, କେତେ ବଡ଼ ବଡ଼ ଅଫିସରଙ୍କ ସୌଜନ୍ୟରୁ ପ୍ରାପ୍ତ ଶାଢ଼ୀ, ସୁନା ଠୁ ଘରେ ଏସି ଲଗେଇ ଖରାଦିନେ କାଲୁଆ ପବନ ଖାଉଥିଲି, ସବୁ ସେମିତି ଅଛି l ଚାରି ହଜାରେ ଇଲେକ୍ଟ୍ରି ବିଲ୍‌ ଆସୁଥିବା ମିଟରକୁ ଚାରି ଶହ ଟଙ୍କା ଦେବାର କାରସାଦି କରିଥିଲି, ବାପ ଅମଳର ଜମି ଦି’ଗୁଣ୍ଠକୁ ବଢ଼େଇ ବାଟିଏ କରିଥିଲି, ସବୁ ତ ସେମିତି ଅଛି l ଅଥଚ ମତେ ମୋ ଗଢ଼ା କୋଠାଘରେ ଏସି ରୁମ୍‌ରେ ଖଟ ଗଦିରେ ନ ଶୁଆଇ ଏ ପାଳ ଦଉଡ଼ି ଭିଡା ବାଉଁଶ ଶେଯରେ ଅଗଣାରେ ଟାଇଁ ଟାଇଁଆ ଖରାରେ ଶୁଆଇ.. ତୁଚ୍ଛା ଲୋକ ଦେଖାଣିଆ ଭଲପାଇବାର ଛଳନାକରି ମେଣ୍ଢା ଭଳିଆ ରଡ଼ି ଛାଡ଼ୁଛ କିଆଁରେ? ଆଉ ସହିପାରିଲିନି l ପାଟିକରି ମୋ ସ୍ତ୍ରୀ କି କହିଲି.. ହଇଲୋ ଯାମିନୀ ! ତତେ କ’ଣ ମୋ ଏ ଅବସ୍ଥା ଦୁଶୁନି ? ତୋ ପାଇଁ ମୁଁ କ’ଣ ନ କରିଛି ? ବାହାଘର ବେଳେ ବୋପାଘର ସୂତା ସରୁ ସୁନାଚେନ ଜାଗାରେ ପାଞ୍ଚଭରି ଓଜନର ହାର, ଦଶଭରି ଓଜନ ସୁନା ଚୁଡ଼ି, ସୂତାଶାଢ଼ୀ ଫୋପାଡ଼ି ଦାମୀ ପାଟଶାଢ଼ୀ, ସାଲୁଆର ପଞ୍ଜାବି ତତେ ପିନ୍ଧେଇଛି l ତତେ ଅୟସରେ ରଖିବାକୁ ତୋ କତିକି କେତେ ସେବାକାରିଣୀ -ଚାକର -ଚାକରାଣୀ ଖଞ୍ଜିଦେଇଛି l ହେଲେ, ତୋ ଆଖି କ’ଣ ଫୁଟିଯାଇଛି ? ଦେଖିପାରୁନୁ.. ତୋ ପ୍ରାଣପ୍ରିୟ ପତି-ଦେବତା ଘର ଅଗଣାରେ ଖରାରେ ପଡିଛି ବୋଲି ?

ହୁଁ! ଇଏ ପୁଅ -ବୋହୂ ଦି’ଟା ବି କମ୍‌ ନୁହନ୍ତି l ଯାହାଙ୍କୁ ଡାକିଲେ, ସହରରେ କାମରେ ବିଜି ବୋଲି ବାହାନାକରି ଯିବି ଯିବି କହି ନ ଆସି, ଶଳା, ଶାଳୀ, ଶାଶୁ, ଶ୍ୱଶୁରଙ୍କ ସହ ମିଶିକି ବିଲାତି କୁକୁର ବାର୍ଥ ଡେ ପାଳନ କରନ୍ତି, ହେଲେ ଆଜି ନ ଡାକିଲେ ବି କ’ଣ ପାଇଁ ଧାଇଁ ଆଇଚ କିରେ? ହେଇରେ ନାଟୁ, ବାଟୁ ! ପଛକଥା ଭୁଲିଗଲଣି କିରେ ? ମୋ ପଦ-ପାୱାର ଥିଲାବେଳେ, ତମ ଭଳିଆ ଅଯୋଗ୍ୟ ଦି’ଟାଙ୍କୁ କେମିତିକା ଚାକିରିରେ ପୂରେଇ ସରକାରୀ କ୍ୱାର୍ଟରରେ ରଖେଇଥିଲି ! ତମରି ପାଇଁ କେତେ ଫନ୍ଦିଫିକର କରି କେତେ ପ୍ଲଟ, ଘର, ଟଙ୍କା, ସୁନା ସାଇତିଛି l ହେଲେ ପୁଅ-ବୋହୂ ସବୁ ଆଇଚ,.. ଅଥଚ ବୋପାଟା ପାଇଁ ଛେନାପୋଡ଼ ଶହେଗ୍ରାମ ଆଣିବାକୁ ତମ ମନ କହିଲାନି? ପାପ-ପୁଣ୍ୟ ନ ବିଚାରି କେତେ କାହା ତଣ୍ଟିଚିପି ତମପାଇଁ ଏତେକଲି l ତମ ଆଖି କ’ଣ ଫୁଟିଯାଇଛି.. ଦୁଶୁନି, ମତେ ଖରାରେ ଶୁଆଇ ସୁକୁଟ ଦେଖୁଚ? ମୋ ଦେହରୁ ଦାମୀ ପୋଷାକ, କଳା ଚଷମା, ସୁନାର ମୋଟା ଚେନ, ହାତରୁ ବ୍ରେସଲେଟ କାଢିନେଇ, ମତେ ଅଧାନଙ୍ଗଳା କରି ଶୁଆଇଚ !

ଆରେ ହେ ଶଶୁର ପୁଅ ସତୁରା ! ତୁ ଟା ଅଯୋଗ୍ୟ ବେକାରିଆ ହେଇ ତୋ ଗାଁରେ ବୁଲୁଥିଲୁ l ତତେ ଆଣି ପାଖରେ ରଖି, ତୋ ନାଁରେ କଣ୍ଟ୍ରାକ୍ଟରୀ ଲାଇସେନ୍ସ କରେଇ, କାମ ଦେଇ ଲାକ୍ଷେ ଲାକ୍ଷେ ଟଙ୍କାର ଫାଇଦା କରେଇ ତୋ ରୂପ ଚେହେରା ବଦଳେଇ ବଡ଼ଲୋକ କରେଇଲି l ଆଉ ଆଜି ମୁଁ ଘଣ୍ଟାଏ ହେଲା ସତୁରା.. ସତୁରା ରେ.. ଡାକପକେଇ ତେତେ କହୁଛି, ମତେ ଟିକେ ଘର ଭିତରକୁ ନେଇଯା ! ମୋ ଥଣ୍ଡା-ଦେହ ଖରାରେ ସିଝିଯାଉଛି, ତୋ କାନ କ’ଣ ଫୁଟିଯାଇଛି ନା ଆଖିକି ଦୁଶୁନି? ମୋ ଆଗରେ ପିଲାଙ୍କ ମାମୁବୋଲି ହାତ ହଲେଇ କ’ଣ ଭାରି ମୁରବିପଣିଆ ଦେଖେଇ ଗପିଚାଲିଛୁ..ରେ? ଚିହ୍ନିଛୁ ମତେ ? ଏଇନେ ଚାହିଁଲେ ତୋ ଲାଇସେନ୍ସ ରଦ୍ଦ କରିଦେବି l

ହେ ମୋ ଗେହ୍ଲେଇ ଝିଅ ଟୁନୀ ! ତୁ ଆଉ ଜୋଇଁ.. ଆଜି କ’ଣ ପାଇଁ ଧାଇଁ ଆଇଚ ଶୁଣେ ! ତୋ ଭାଗ ତ ଆଗୁଆ ଦି’ଟା କୋଠା, ଚାରିମାଣ ଦୋ ଫସଲି ଜମି, କିଲେ ଆଠଶହ ଗ୍ରାମ ଓଜନର ସୁନା ଅଳଙ୍କାର ଦେଇସାରିଛି। ଜୋଇଁ ପୁଅକୁ କନ୍ଧମାଳରୁ ବଦଳକରି କଟକରେ ରଖେଇଛି। ଆଉ ତୋର କ’ଣ ଅସୁବିଧା ହେଲାଯେ.. ମୋ ଛାତିରେ ମୁଣ୍ଡ ବାଡେଇ କାନ୍ଦୁଛୁ ? ହେ ଜୋଇଁପୁଅ ! ତେମେ ବି ଶୁଣିଥାଅ ! ମୁଁ ବଞ୍ଚିଥିବାଯାଏଁ ତମର କିଛି ଅସୁବିଧା କୋଉଥିରେ ହେବନି l ଆରେ ହଁ ମନେପଡିଲା, ତମ ପିଲାଙ୍କ ନାଁରେ ସତୁରି ଲାକ୍ଷେ ଟଙ୍କାର ସାତୁଟା ଫିକ୍ସ ବଣ୍ଡ ତୋ ବୋଉପାଖରେ ରଖିଛି l ଆଇଛୁ ଯେବେ, ମନେକରି ତୋ ଭାଇ-ଭାଉଜ ନ ଜାଣିଲା ଭଳିଆ ନେଇଯିବୁ l ଉଠୁ ମୋ ଛାତିଉପରୁ l ମୁଁ ଜାଣିଛି.. ଝୁଅମାନେ ବୋପାଘରକୁ ଆସିଲେ ଏମିତି କାନ୍ଦନ୍ତି l ହେଇ ଦେଖ୍‌, ତୋ କାନ୍ଦଦେଖି ମୋ ଡାକ୍ତରିଆ ଜୋଇଁ ହୃଦୟ ତରଳି ଆଖିରୁ ପାଣି ବୋହିଲାଣି l

ହେ ସାହି-ପଡୋଶୀଏ! ତେମେ କ’ଣ ମତେ ଦେଖିନା ଯେ ଆଜି ରୁଣ୍ଡହେଇ କ’ଣ ଉଣ୍ଡୁଛ ? ଓ ହୋ.. ମୋ ସହରିଆ ପୁଅ-ବୋହୂ, ଝିଅ-ଜୋଇଁଙ୍କି ଦେଖିବାକୁ ଆଇଚ କି? ହେଲେ ପଡ଼ୋଶୀ ଦିବାକର କ’ଣ କହିଲାଣି.. ବୁଢାକୁ ଏଥର ଉଠାଅ ! ହଉ, ମୋ ପିଲାଏ ଦୁଃଖ ନ ବୁଝିଲେ ବି ତୁ ତ ବୁଝିଲୁ l ଟେକିନିଅ ଥଣ୍ଡା ପବନିଆ ମଝିଘର ପଲଙ୍କ ଉପରକୁ l ଆରେ ମତେ ଦାଣ୍ଡକୁ କ’ଣ ନେଲଣି ? ହେ ଧରମ ଛଡାଏ ! ମୁଁ ବଞ୍ଚିଥାଉଁ ଥାଉଁ, ରାମନାମ ସତ୍ୟ ହେ.. ହରିନାମ ସତ୍ୟ ବୋଲି କ’ଣ କହିଲଣି? ସିଆଡ଼େ କ’ଣ ନେଉଛ.. ସେଇଠି ଗାଁ ମଶାଣି l ଓହୋ, ବୁଝିଲି l ଏଇ ଅଗଷ୍ଟ ପନ୍ଦର ପାଇଁ ମତେ ମୁଖ୍ୟ ଅତିଥିକରି ପତାକା ଉତ୍ତୋଳନ କରେଇଲାବେଳେ କୋଉଠି କେମିତି ବସେଇବ, ଆଗୁଆ ଦେଖେଇବାକୁ ନେଉଛ କିରେ l ଭଲକଥା ଯେ, କିନ୍ତୁ ମୋତେ ଏମିତି ବେଶରେ ନିଅନି l ମୋ ପୁଅ ନାଟୁକୁ କୁହ.. ଭଲ ପୋଷାକ ପିନ୍ଧେଇ ମୋ ଗାଡ଼ିରେ ବସେଇ ନେଉ l କି ପିଲା ଏଗୁଡା.. ବୋପା ଇଜ୍ଜତ ଗଲେ କ’ଣ ତାଙ୍କର ଯାଉନି? ଆରେ ଇଏ କ’ଣ? ମତେ ଅଟକେଇ ଶଶୁର-ପୁଅ ସତୁରା କ’ଣ ମୋ ଡାହାଣ ହାତ ମଝିଆଙ୍ଗୁଠି ଉଣ୍ଡାଳି ହୀରା ପଥରବସା ଦି’ ଭରି ଓଜନର ମୁଦିକି କାଢି, ତା’ ପକେଟରେ ପୂରେଇଲାଣି! ଯାହା ଜଣାଗଲାଣି, ମୁଁ ନ ଥିଲେ ଏ ଲୋଭା ମୋ ଘରେ କଳାକନା ବୁଲେଇ ସବୁ ଲୁଟିନେବ ହୋ..! ଆରେ ସେ ଶ୍ମଶାନ ମତେ ନଉଛ କ’ଣ… ତା’ ଉନ୍ନତି ପାଇଁ ଯୋଉ ତିନିଲକ୍ଷ ଆଇଥିଲା, ଭାଗବାଣ୍ଟି ନେଲାପରେ କେମିତି କାମହୋଇଛି ମତେ ଦେଖେଇବ କିରେ? ଛାଡ଼ ସେ ଅଳପିଆ କଥା l ଧେତ୍‌ ତେରିକି, ଧୂଳିଆ କ’ଣ କହୁଛି ମଶାଣିରେ ମତେ ପୂରା ଲଙ୍ଗଳାକରି ଶୁଣାଇବାକୁ ! ହେ ହେ ଅମଣିଷ କୋଉଠିକାର ! ତମ ବୋପା ବୟସର ମୁଁ l ତମର ଲଜ୍ଜା ସରମ କିଛି ନାହିଁକିରେ? ମୋର କେତେ ସମ୍ମାନ.. ପାୱାର.. ତେମେ କ’ଣ ଜାଣିନା? ନାଇଁ, ମୁଁ ଆଉ ଯିବିନି l ଯାଉଛି ଏଇଠୁ ଓହ୍ଲାଇ ଆମ ଘରକୁ ପଳେଇବି l

ଛି.. ଛି.. ଛି ! କି କୁଳାଙ୍ଗାର ପିଲାଏ ମୋର ! ଘରେ ଦେଢ଼ଲକ୍ଷ ଟଙ୍କାର ଡାଇନିଙ୍ଗ ଚେୟାର ଟେବୁଲୁ, ଦାମୀ କଂସା ବାସନ ଥାଉଁ ଥାଉଁ, ମତେ ଗାଁ ମୁଣ୍ଡରେ ମାଟିହାଣ୍ଡିରେ ଅଣବଘରା ଅଣହଳଦିଆ ଭାତ -ତିଅଣ ଥୋଇକି.. କହୁଛ ଖା’ ! ସକାଳେ ଦାନ୍ତଘଷିବାକୁ ମୋ ବ୍ରସ, ପେଷ୍ଟ ନ ଦେଇ, ଦାନ୍ତକାଠି ପାଣି ଘଡ଼ିରେ ଦେଇ, ଜଳଖିଆ ମୁଠେ ଚୁଡ଼ା ଖାଇବାକୁ କହି ଚାଲିଗଲ ! ମୁଁ ଜୀବନରେ ଏମିତି ଜାଗାରେ କେବେ ବସିଛି ନା ଖାଇଛି? ହେଇ ଦେଖ l ସେ ରାଧୁଆ ଭଣ୍ଡାରୀ ନଈକୂଳେ ମୋ ପିଲାଙ୍କୁ ନଣ୍ଡାକଲାଣି। ଭଣ୍ଡାରୁଣୀ ବସି ମୋ ଝିଅ, ପଡ଼ୋଶୀ କୁଟୁମ୍ବଙ୍କ ନଖ କାଟିଲାଣି l ଏ ସବୁ କି ଚାଲବାଜି? ଯୋଉ ପତ୍ନୀ -ଯାମିନୀ ମତେ ନ ପଚାରି କାହାକୁ ଟଙ୍କା ଦଶଟା ଦେ୍‌ଇନି, ସେ ମୋ ଆଲମିରା ଖୋଲି ବିଡା ବିଡା ଟଙ୍କା କାଢ଼ି ନୂଆ ଧୋତି, ଶାଢ଼ୀ ଓଗେରେ କିଣେଇସାରିଲାଣି l ହେଇ, ସେଇଠି ବିରାଟ ଭୋଜିର ଆୟୋଜନ.. କୋଉ ଖୁସିରେ କିରେ ? ସେପଟୁ ମୋ ସାଙ୍ଗ ବାବୁଲା ଆଉଛି l ତାକୁ କହିବି.. ସେ ମୋ ସ୍ତ୍ରୀକି ବୁଝେଇବ.. ଏମିତି ଅବାଟରେ ଟଙ୍କା ଖରଚ ନ କରୁ ବୋଲି l ଧିକ୍‌ ମୋ ପଦ-ପାୱାରକୁ। ଧିକ୍‌ ମୋ ବୋପାପଣିଆକୁ… ଧିକ୍‌ ତମ ମଣିଷପଣିଆକୁରେ। ପାଖରେ ଶୋଇଥିବା ପତ୍ନୀମୋର ମତେ ଧକ୍କାଟିଏ ପକେଇ, ଚିଲେଇ କହିଲା.. କାହିଁକି ପାଟିଟା କରୁଛ? ନିଦରୁ ଉଠି ତା’ ମୁହଁକୁ ଖାଲି ଜଳ ଜଳ ହେଇ ଚାହିଁଥିଲି… I

-ମଙ୍ଗରାଜପୁର, ପୁରୀ , ମୋ: ୭୦୦୮୧୮୮୮୪୭


Enter your email to get our daily news in your inbox.

All Right Reserved By Dharitri.Com

ବୈଜ୍ଞାନିକଙ୍କ ଆକଳନଠାରୁ ଦ୍ରୁତଗତିରେ ସଙ୍କୁଚିତ ହେଉଛି ବୁଧ

କେପ୍‌ କାନାଭେରାଲ,୧୨ା୯: ଆମ ସୌରମଣ୍ଡଳର ସବୁଠାରୁ ଛୋଟ ଏବଂ ସୂର୍ଯ୍ୟର ସବୁଠାରୁ ନିକଟତର ଗ୍ରହ ‘ବୁଧ’କୁ ନେଇ ଏକ ଚମକପ୍ରଦ ତଥ୍ୟ ସାମ୍ନାକୁ ଆସିଛି। ବୈଜ୍ଞାନିକମାନଙ୍କ ଆକଳନ…

ଫିଟିଲା ‘ଡାର୍କ ଏନର୍ଜି’ର ଗୁମର! ଚମକାଇଲା ବୈଜ୍ଞାନିକଙ୍କ ତଥ୍ୟ; ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୧୧।୯: ବ୍ରହ୍ମାଣ୍ଡର କ୍ରମାଗତ ଦ୍ରୁତ ପ୍ରସାରଣର କାରଣ ବୋଲି ଧରାଯାଉଥିବା ‘ଡାର୍କ ଏନର୍ଜି’ (Dark Energy) ଏବେ ପ୍ରଶ୍ନବାଚୀ ଘେରରେ। ଏକ ନୂତନ ଗବେଷଣାରେ ୧,୭୦୦ରୁ ଅଧିକ…

ମହାକାଶରେ ବଡ଼ ହଲଚଲ! ବୁଧ ଗ୍ରହରେ ବିରାଟ ଫାଟ, ବୈଜ୍ଞାନିକ ଦେଲେ ଚେତାବନୀ…

ନୂଆଦିଲ୍‌ଲୀ,୧୧।୯: ବୁଧ ଯେତିକି ସଙ୍କୁଚିତ ହୋଇଛି, ଏହାର ପୃଷ୍ଠଭାଗରେ ସେତିକି ଫାଟ ସୃଷ୍ଟି ହୋଇଛି। ଆରବ ବର୍ଷ ଧରି ହୋଇଥିବା ଧକ୍କା କାରଣରୁ ସୃଷ୍ଟି ହୋଇଥିବା ଗର୍ତ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?