Posted inଫୁରସତ

ଭିକାରିଙ୍କ ଆତ୍ମକଥା

ଗଲା ସୋମବାର ଦିନ ସାବୀ ଭିକାରୁଣୀ ତା’ ପାଖରେ ବସିଥିବା ସଦାକୁ ଯୋଉ ଜ୍ଞାନ ଗର୍ଭକ କଥା କହୁଥିଲା, ତାହା ଏମିତି ସେମିତିଆ କଥା ନୁହଁ l ସେଇ କଥାରେ ଗଭୀରତା ଥିଲା l କହିଲା… ଜାଣିଲୁରେ ସଦା ! ଆଜିକାଲି ଆମକୁ ଲୋକେ ଭିକମଗା ବୋଲି ଛି ଛାକର କରି କେତେ କଥା କହି ଗାଳି ଦେଉଛନ୍ତି, ଦୁଆରୁ ଫେରେଇ ଦେଉଛନ୍ତି l ତେଣୁ ଆମେ ଆସି ଦେଉଳ ଦୁଆରେ ବସି ଦରଦଭରା ଭକତଙ୍କ ହାତଟେକା ଦାନକୁ ଚାହିଁ ବସିଛୁ, ହେଲେ ତେଣେ କେତେ ଯେ ନକଲି ଭିକାରି ଭରି ଗଲେଣି…

ତାହା କ’ଣ କାହା ନଜରରେ ପଡୁନି? ଆମକୁ କିଏ ଟଙ୍କେ ଦି’ଟଙ୍କା କି ମୁଠାଏ ଚାଉଳ ଦେଲେ ବାଧିଯାଉଛି l ମାତ୍ର ତେଣେ ଏଇ ନକଲି ଭିକାରିଙ୍କ ଅଣ୍ଟିରେ ପରା କୁଢ଼ କୁଢ଼ ଟଙ୍କା କୁଢେଇ ଦେଇ ଖୁସି ହେଉଛନ୍ତି l ମୁଁ ଭାବୁଛି ସେଇମାନଙ୍କ ସକାଶେ ଆମର ମହତ୍ତ୍ୱ ଲୋକେ ବୁଝୁ ନାହାନ୍ତିରେ l ଆଗରୁ ଲୋକେ ଭିକାରିଙ୍କୁ ଦାନ ନ ଦେଲେ ଭୋଜନ କରୁ ନ ଥିଲେ l

ଆମକୁ ଦରିଦ୍ର ନାରାୟଣ ବିଚାର କରି ଅନ୍ନ ଭୋଜନ, ଧନଦାନ, ବସ୍ତ୍ରଦାନ କରି ପୁଣ୍ୟ ଅର୍ଜୁ ଥିଲେ l ଆଗ ଦାନଦେଇ ମନ୍ଦିର ଭିତରକୁ ଯାଇ ପ୍ରଭୁଙ୍କୁ ଦର୍ଶନ, ପୂଜା କରୁଥିଲେ l ହେଲେ ଏବେ ମତେ ଲାଗୁଛି…

ଅପାତ୍ରରେ ଦାନ ବେଶି ହେଉଛି l ଆଜିକାଲି ଯାହାର ଯେତେ ଧନ ଦରବ ବଢୁଛି, ତା’ର ସେତେ ଲୋଭ ବଢୁଛି l ସେଇମାନେ ବେଶି ବେଶି ମାଗୁଛନ୍ତି l ତାଙ୍କ ମାଗିବା ଦିଶୁନି! ଆଉ ଆମେ ମାଗିଲେ ସମସ୍ତଙ୍କ ଆଖିକି ଦିଶୁଛି l ଇଜ୍ଜତ ମହତ ପଳଉଛି l କୁଆଡେ ରାଇଜର ନିନ୍ଦା ହେଉଛି ବୋଲି ଆମ ଭଳି ଭିକାରିଙ୍କୁ ତଡିବା ପାଇଁ ଯୋଜନା ଚାଲିଛି। ଆମର ଏ ଭିକ୍ଷା ମାଗିବା ପ୍ରଥା ପରା କୋଉ ପୁରୁଣା ଯୁଗରୁ ଚଳିଆସୁଛି l ରାବଣ କଥା କହୁନୁ, ସେ ଏଡ଼େ ବଡ଼ ଲଙ୍କାର ରାଜା ହେଇ ଭିକାରି ବେଶରେ ସୀତାଙ୍କୁ ଭିକ ମାଗିଲା l ଧନୀ ଗରିବ ଭକତଗଣ ମହାପ୍ରଭୁଙ୍କୁ କେତେ କ’ଣ ମାଗୁଛନ୍ତି l କିଏ କହିଲାଣି ସୁନ୍ଦରୀ ଗୁଣର ଭାରିଯା ଦିଅ ତ କିଏ କହିଲାଣି ସୁନ୍ଦର ପୁଅ ତ କିଏ ଧନୀ ଡଉଲ ଡାଉଲ ଜ୍ୱାଇଁ ଦିଅ l କିଏ ମାଗୁଛି..

ଧନ ସମ୍ପତ୍ତି କୋଠାବାଡ଼ି ତ କିଏ ମାଗୁଛି ମୋଟର ଗାଡି l କିଏ ସରକାରୀ ବଡ଼ ଚାକିରି ତ କିଏ ପ୍ରମୋସନ, ପଦ ପଦବୀ l ମରାଠୀ ଛତ୍ରପତି ଶିବାଜୀ ମହାରାଜା ତ ପୁଣି ଗୁରୁ ରାମଦାସଙ୍କ ଆଦେଶରେ ହାତରେ ଭିକ୍ଷାଝୁଲି ଧରି ଦୁଆର ଦୁଆର ବୁଲି ଭିକ ମାଗିଥିଲେ। ପୁରାଣକାଳରେ ଗୁରୁଙ୍କ ଆଦେଶରେ ସାଧୁ ସନ୍ନ୍ୟାସୀ ଗୃହସ୍ଥ ଦୁଆରେ ଭିକ୍ଷା ମାଗିବାର ନିୟମ ଥିଲା। ସେମାନେ ଭଲରେ ବୁଝିଥିଲେ…

ଭିକ ମାଗିଲେ ଗର୍ବ ଅହଂକାର ନଷ୍ଟ ହୁଏ… ଦାନ ଦେଲେ ପୁଣ୍ୟ ହୁଏ l ଆଉ ଆମେ ମାଗିଲେ କ’ଣ ଏମିତି ମାନ ମହତ ପଳଉଛି? କିହୋ! ଆମେ କ’ଣ ମୋଫତରେ ଭିକ ମାଗୁଛୁ? ତମରି ଭଲ ପାଇଁ, ମଙ୍ଗଳ ହେବାକୁ… କଇଲାଣ କରିବାକୁ ମାଗୁଛୁ l କୁଢ଼ କୁଢ଼ ଆଶୀର୍ବାଦ ବି ତମକୁ ଦଉଛୁ l ତମରି ପିଲାଛୁଆ ଭଲରେ ରହନ୍ତୁ ବୋଲି ତମ ଦାନ ସାଙ୍ଗରେ ଶୁଭକାମନା ଦେଉଛୁ ନା!

ଯେତେବେଳେ ଭୋଟ ବେଳ ଆସୁଛି- କେତେ କେତେ ବଡ଼ ନେତା, ମନ୍ତିରୀ, ଘର ଘର ବୁଲି ମୁଣ୍ଡିଆ ମାରି, ଧନୀ ଗରିବ ବାଛବିଚାର ନ କରି ଭୋଟ ଭିକ୍ଷା କରୁଛନ୍ତି l କେତେ କେତେ ଅଫିସିରେ ବଡ଼ ଅଫିସରଠୁ ତଳିଆ ପିଅନ ଯାଏ ତ ମାଗୁଛନ୍ତି l ଟୋକାମାନେ ଝିଅଙ୍କୁ ତ ପୁଣି ଝିଅମାନେ ପୁଅଙ୍କୁ ପ୍ରେମ ଭିକ ମାଗୁଛନ୍ତି l ପୁଅ ଝିଅମାନେ ବାପାକୁ ଟଙ୍କା, ଡ୍ରେସ ମାଗୁଛନ୍ତି ତ ସ୍ତ୍ରୀ ମାଗୁଛି ସ୍ବାମୀକୁ… ସୁନା ଅଳଙ୍କାର l

ନିଶାଖିଆଦଳ କେତେ ବାହାନା କରି ଘରେ ବାହାରେ ହାତପତେଇ ଦେ ଦେ ବୋଲି ଟଙ୍କା ମାଗୁଛନ୍ତି l ସଦାରେ! ତୁ ଟିକେ ବିଚାର କରରେ… ଏମାନେ କୋଉବାଗିଆ ଭିକାରି ! ଯଦି ଦୁନିଆରେ ଏତେ ପରକାରେ ଏତେ ଭିକାରି ଅଛନ୍ତି, ତେବେ ଭିକାରି ନିରିମୂଳ ଯୋଜନା ସଫଳ ହବ କେମିତି ?

ଆଜିକାଲି ଆଉ କେତେ ପ୍ରକାରିଆ ଭିକାରି ଜନ୍ମିଲେଣି l ସେମାନେ ଫୋନରେ କଲ୍‌ କରି ତେଲେଇ, ମଧୁର କଥାରେ ଫସେଇ ଲାକ୍ଷେ ଲାକ୍ଷେ ଟଙ୍କା ମାଗିନେଉଛନ୍ତି ତ କିଏ ନିଜକୁ ଦୁର୍ଦ୍ଦାନ୍ତିଆ ଦାଦା କହି ଧମକେଇ ମୋଟ ଟଙ୍କା ବଟି ଚନ୍ଦେଇଲେଣି l ଆଉ କିଏ ଅମକେଇ କାମ, ସମକେଇ ଫାଇଦା କରେଇ ଦେବି କହି ଆଧାରକାର୍ଡ, ବ୍ୟାଙ୍କଖାତା ନମ୍ବର ମାଗି ସବୁ ପାଣ୍ଠି ହଡପ କରି, ଥିଲାବାଲାଙ୍କୁ ବଡଦାଣ୍ଡର ଭିକାରି କରେଇ ଛାଡ଼ୁଛନ୍ତି l ଏମିତିକା କାମ ମୂରୁଖ କରୁନାହାନ୍ତି, ବରଂ ଢେରେ ଶିକ୍ଷିତ ଭେଣ୍ଡିଆ ପୁଅ ଝିଅ କରୁଛନ୍ତି। ଗୋଟେ ଭେଣ୍ଡିଆ ଭିକାରି ଥରେ ତା’ ଦୁଃଖ କଥା କହି ଏମିତି କାନ୍ଦିଲା ଯେ, ମୁଁ ଭିକାରୁଣୀ ହେଇ ବି ମୋ ଥାଳରୁ ଚାରିଶହ ଟଙ୍କା ଦାନ କରିଦେଲି l ତା’ ପ୍ରେମିକା ଫସେଇ ଲକ୍ଷ ଲକ୍ଷ ଟଙ୍କା ତା’ଠୁ ନେଇ ଛୁ ମାରିଲା ପରେ… ସେ ଶିକ୍ଷିତ ଭିକାରି ବନିଗଲା l ତାକୁ ଦାମିକା ଡ୍ରେସ, ଦାମୀ ଜୋତା ପିନ୍ଧେଇ ନିଜେ ଚିରାଫଟା ପୋଷାକକୁ ଛିଣ୍ଡା ଚପଲ ପିନ୍ଧିଲା l କିଏ କାହା ଘରଣୀ କି ଫସେଇ ସପନ ଦେଖେଇ ତା’ ପରିବାରକୁ ଭିକାରି କଲାଣି ତ କୋଉଠି ବେପାର ବୁଡିଯିବାରୁ, ଦୋକାନ ଭଙ୍ଗା ହେବାରୁ ଭିକ୍ଷାଥାଳି ଧରି ବୁଲିଲେଣି l

ଦେଖୁନ! କେମିତି ରୁଷିଆ-ୟୁକ୍ରେନ… ଦେଶ ଦେଶ ଭିତରେ ଆପଣା ବଡ଼ପଣ ବାଜା ବଜେଇବାକୁ ଲଢେଇ କରି, ଘରଦୁଆର ଛାରକାର କରି ଏତେ ଧନ ସମ୍ପତ୍ତି ଛାଡି ଜୀବନ ବିକଳେ ଅନ୍ୟ ଦେଶରେ ଶରଣାର୍ଥୀ ହୋଇ ଭିକ ମାଗିଲେଣି ହଜାର ହଜାର ଲୋକ। ପେଟ ପୋଡ଼ିଗଲେ, ମଣିଷ ତ ମଣିଷ… ପଶୁ ବି ତା’ମାଲିକକୁ ବୋବାଳି ଛାଡି, ମୁଣ୍ଡ ହଲେଇ ଖାଇବାକୁ ମାଗୁଛନ୍ତି। ସବୁ ଶୁଣି ସଦା କହିଲା… ଲୋ ସାବୀ! କେତେ କ’ଣ ଗବେଷଣା କରି କହୁଛୁ ତ ଭାବି ଭାବି! ଏବେ ମୋ କଥା ଟିକେ ଶୁଣ, କେମିତି ଭଲ ଚାଷୀରୁ ମୁଁ କେମିତି ହେଲି ଭିକାରି l

ତୁ ତ ଜାଣିଛୁ… ଆଜିକାଲି ଯୋଉ ଚାଷ ହେଉଛି, ତାକୁ ମୁଁ ବିହନ ବୁଡ଼ା ଚାଷ କହୁଛି l ଅମଳ ଚାଷରୁ କୋଉ ଚାଷୀ ଆଉ ବିହନ ରଖୁନାହାନ୍ତି l ରଖିଲେ ବି ସେଇ ମଞ୍ଜି ବା ବିହନରୁ ଆଉ ଥରେ ଚାଷ ହେବନି। ଯେମିତି ଫାରମ କୁକୁଡ଼ା ଅଣ୍ଡାରୁ ଛୁଆ ହୁଏନି। ତେଣୁ ଆମେ ବିହନ ଗଣ୍ଡେ ପାଇଁ କୋଉ କମ୍ପାନୀ ଦ୍ୱାରା ସରକାର କିଣିଲେ, ଆମକୁ କୃଷି ଅଫିସ ନହେଲେ ବ୍ଲକ ଅଫିସ ଧାଇଁ ଧାଇଁ ଯୋଉ ବିହନ ଗଣ୍ଡେ ମିଳେ, ସେଥିରେ କେତେବେଳେ ଗଛ ଉଠୁନି ତ କେବେ ଗଛହେଲେ ବି ଫଳ ଧରୁନି l କେତେବେଳେ କୋଉ ପୋକ ଖାଇଗଲାଣି ତ କେବେ ବଢ଼ି, ବାତ୍ୟା, ମରୁଡି ଫସଲ ଉଜାଡି ଦେଲାଣି l ସାହୁକାର କରଜ କେଇ ବରଷରେ ଶୁଝି ନ ପାରିଲେ କି ଆଉଥରେ ବିହନ, ସାର, ମୂଲିଆ ମଜୁରି ଦେଇ ଚାଷପାଇଁ ବଳ ନ ଥିଲେ, ଜମିବାଡ଼ି ବିକି, କରଜ ଶୁଝି ତୋରି ପରି ଭିକ ମାଗିବାକୁ ପଡୁଛି। ମୋ ଅବସ୍ଥା ସେଇଆ। ଯେତେସବୁ ଯୋଜନା, ବେଶି ନକଲି ଚାଷୀ ଫାଇଦା ଉଠାଉଛନ୍ତି l ଯେମିତି ଆବାସ ଯୋଜନାରେ ଭଙ୍ଗାଘର ବା ବାସହରାବାଲା ନ ପାଇ ବେଶି ଥିଲାବାଲା ଉପକୃତ ହେଉଛନ୍ତି l ତେଣେ ଦଳ ଦଳ ଭିତରେ ଚୁଟି ଧରାଧରି.. ଟଣା ଓଟରା ହଉଛନ୍ତି l ଅସଲ ପାଇବା ଲୋକ ମାଗି ମାଗି ନିରାଶରେ ଲୁହ ଗଡାଉଛନ୍ତି l

ଖାଲି କ’ଣ ସେତିକି, ଦେଖୁନ ! କୂଟନୀତିଆଙ୍କ ଫାଶରେ ପଡ଼ି ସୁଖରେ ଚାଲିବାକୁ ଭାରତଠାରୁ ପାକିସ୍ତାନ ଅଲଗା ହେଲା – ଯେମିତି ଭାଇ ଭାଇ ଭିନ୍ନ ହେଲାପରି l କିନ୍ତୁ ସେଇ ଦେଶର ଏମିତିକା ଅବସ୍ଥା ଯେ ତାଙ୍କ ମୁଖିଆ ଏବେ ଭିକାରି ଭଳି ବାରଦେଶ ବୁଲି ଟଙ୍କା, ଖାଦ୍ୟ, ତେଲ ମାଗି ବୁଲୁଛନ୍ତି। ତା’ ଅବସ୍ଥା ଦେଖି ପ୍ରକୃତି ଜାଣି ଅନ୍ୟ ଦେଶ ମୁହଁ ମୋଡ଼ୁଛନ୍ତି l ସେମିତି ସୁବର୍ଣ୍ଣ ଶ୍ରୀଲଙ୍କା ଅବସ୍ଥା ତ ଆହୁରି ଖରାପ… ଭିକାରିଠୁ ହୀନ l ତେବେ ଏମିତିକା ହେଲେ, ଏ ସାରା ସଂସାର କେମିତି ଭିକାରି ଶୂନ୍ୟ ହେବ?

ମତେ ଲାଗୁଛି ଯେବେ ମଣିଷ ମାଗଣାଖିଆ… ମାଗିଖିଆ ବୁଦ୍ଧି ଛାଡି, ଖଟି ଖାଇବାର ଉପାୟ ପାଇବେ, ଥିଲାବାଲା ଆପଣା ସ୍ବାର୍ଥ ଛାଡି, ନ ଥିଲାବାଲାଙ୍କୁ ବଞ୍ଚେଇବାର ବୁଦ୍ଧି ଧରିବେ, ବିବେକ ବୁଦ୍ଧିରେ ଅସଲ ଧର୍ମର ମହତ୍ତ୍ୱ ବୁଝିବେ, ସ୍ବାବଲମ୍ବୀ ହେବାକୁ ଚେଷ୍ଟାକରିବେ… ତେବେ ସାରା ପୃଥିବୀରୁ ଭିକ୍ଷାବୃତ୍ତି ହଟିବ l

ଚାଲେ ସାବୀ! ତୋର ମୋର ଆଜିଠୁ ଏଇ ଭିକମଗା ଛାଡି କିଛି କିଛି ଟଙ୍କା ମିଶେଇ କିଛି ବେପାର ବୁଲି ବୁଲି କରିବା l ସାବୀ ଭାବି ଭାବି କହିଲା… ତୋ କଥାଟା ମୋ ମନକୁ ପାଇଲା l -ମଙ୍ଗରାଜପୁର, ପୁରୀ

ମୋ: ୭୦୦୮୧୮୮୮୪୭


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?