Posted inଫୁରସତ

କେକ୍‌ କୌତୁକ

ବହୁଦିନ ତଳର କଥା। ଜଣେ ବନ୍ଧୁଙ୍କ ଘରକୁ କିଛି କାମ ପାଇଁ ଯାଇଥିଲି। ବନ୍ଧୁଙ୍କ ସହ କଥା ହେଉଥିବା ବେଳେ ବନ୍ଧୁ ପତ୍ନୀ ସଦ୍ୟ ରୋଷେଇ ଘରେ ପ୍ରସ୍ତୁତ ହୋଇଥିବା ସୁଦୃଶ୍ୟ କେକ୍‌ ଖଣ୍ଡେ ଆଣି ପରଷି ଦେଲେ। ସୌଜନ୍ୟ ଦୃଷ୍ଟିରୁ କେକ୍‌ ଅତି ସୁସ୍ବାଦୁ ହୋଇଛି ବୋଲି କହିଲି। ଏପରି କି ଏତେ ସ୍ବାଦିଷ୍ଟ କେକ୍‌ ବେଶ୍‌ କିଛି ଦିନ ହେଲା ଖାଇ ନ ଥିଲି, ଯାହା ଖାଇଥିଲି ଆଈ ମାଆ ହାତ ତିଆରି ପୋଡ଼ପିଠାରେ ବୋଲି କୃତଜ୍ଞତାରେ ଗଦଗଦେଇ ଯାଇ ବନ୍ଧୁପତ୍ନୀଙ୍କୁ କହିଲି। ମୋର ଏତାଦୃଶ ପ୍ରଶଂସା ଶୁଣି ବନ୍ଧୁ ପତ୍ନୀ ଏତେମାତ୍ରାରେ ଉତ୍ସାହିତ ହୋଇଗଲେ ଯେ ରୋଷେଇ ଘର ଭିତରକୁ ଯାଇ ଗୋଟେ ବଡ଼ ପ୍ଲେଟରେ କେକ୍‌ର ବଡ଼ ଖଣ୍ଡେ ଅଂଶ ଆଣି ମୋ’ ସାମ୍ନାରେ ଥୋଇଦେଲେ। ମୋ’ ଦେଖାଦେଖି ବନ୍ଧୁ ଜଣକ ପଛକୁ କେମିତି ପଡ଼ନ୍ତେ? ପତ୍ନୀଙ୍କୁ ପ୍ରଶଂସା କରି କହିଲେ ତାଙ୍କ ଘରଣୀ ବହୁତ ଇନୋଭେଟିଭ, କ୍ରିଏଟିଭ, ଜୁବିଲାଣ୍ଟ ଓ ଏନର୍ଜେଟିକ୍‌। ପ୍ରତିଦିନ କିଛି ନା କିଛି ନୂଆ ଖାଇବା ଚିଜ ତିଆରି କରି ଖୁଆଇବାରେ ତାଙ୍କର ଥାଏ ବିଶେଷ ଆଗ୍ରହ ।

ପ୍ରଥମ କେକ୍‌ ଖଣ୍ଡକ ମୁଁ କେଉଁଭଳି ଖାଇଛି ତାକୁ କେବଳ ମୁଁ ହିଁ ଜାଣେ । ଏବେ ଆଉ ଗୋଟେ ବଡ଼ କେକ୍‌ ଖଣ୍ଡକୁ ଦେଖି ମୋ ଅବସ୍ଥା ଅସମ୍ଭାଳ । ନା ଖାଇ ହେଉଛି ନା କହି ହେଉଛି । ଭୋକ ନାହିଁ, ଏବେ ଖାଇକି ଆସିଛି, ମୋ ପେଟ ଭଲ ନାହିଁ, ଅଧିକ ଖାଇ କାହିଁ ବଢିଆ ଟେଷ୍ଟକୁ ଚିଟା କରିବି ଭଳି ଅନେକ ବାହାନା କିଛି କାମ ଦେଲାନି ଆମ ସ୍ନେହୀ ବନ୍ଧପତ୍ନୀଙ୍କୁ। ଅଗତ୍ୟା ବହୁ କଷ୍ଟରେ ବାକି ଖଣ୍ଡକ ଉଦରସ୍ଥ କଲା ପରେ ଆଉ ମୁହୂର୍ତ୍ତେ ରହି ଚା, ସର୍ବତ କି କଫିର ଅପ୍ରତ୍ୟାଶିତ ଅତ୍ୟାଚାର ସହିବାକୁ ମନ ନ ଥିଲା। ଫେରିବାକୁ ଉଠିଲା ବେଳେ ହସି ହସି ବନ୍ଧୁ ପତ୍ନୀଙ୍କୁ ତଥାପି କହି ଆସିଲି, ଆଜି ପେଟ ଭଲ ନାହିଁ ନଚେତ ଆହୁରି ଅଧିକ ଖାଇଥାନ୍ତି। ପ୍ରତ୍ୟୁତ୍ତରରେ ତାଙ୍କ ଲାଜ ଲାଜ ମୁର୍କି ହସ ମୋର ପେଟଦୁଃଖକୁ କିଛି ମାତ୍ରାରେ ହାଲ୍କା କଲା ଅବଶ୍ୟ ।
ଗେଟ ଯାଏ ବନ୍ଧୁଜଣଙ୍କ ମୋତେ ବାଟେଇ ଆସିଲାବେଳେ ହଠାତ ମୋ’ ହାତକୁ ଧରି ପକେଇ ଅନୁଚ୍ଚ ଗଳାରେ କହିପକେଇଲେ, ସାଙ୍ଗ ମୁଁ ଜାଣିଛି ତୁ କେତେ କଷ୍ଟରେ ସେ କେକ୍‌ ଖାଇଥିବୁ। ମୋ ଅବସ୍ଥା ତୋ ଠାରୁ ଆହୁରି ସାଙ୍ଘାତିକରେ। ସକାଳୁ ପତ୍ନୀଙ୍କ କେକ୍‌ ତିଆରି ଦେଖିଲା ପରେ ପେଟ ଖରାପର ବାହାନା କରି ଦୁଇଥର ଲେମ୍ବୁ ପାଣି ପିଇ ସାରିଲିଣି । ତୋତେ ମୋ’ ରାଣ ଏ କଥା ଆଉ କେଉଁ ସାଙ୍ଗଙ୍କୁ କହିବୁନି। ତୁ ତ ବିବାହିତ, ଆଶା ମୋ କଥାକୁ ହୃଦୟଙ୍ଗମ କରୁଥିବୁ। ପତ୍ନୀଙ୍କ ସମସ୍ତ କାର୍ଯ୍ୟକୁ ପ୍ରଶଂସା ନ କଲେ ସେ ହାଣ୍ଡି ଭଳି ମୁହଁ କରିବେ। ନ କହିଲେ ବଦହଜମୀରେ ନିଜ ପେଟ ହାଣ୍ଡିଠୁ ଅଧିକ ଫୁଲୁଛି। କହିଲେ ମରୁଛି ନ କହିଲେ ମରୁଛି। ଏ ବିଚରା ପତିର ଦୁଇପଟୁ ଲସ୍‌ । ସୁଖୀ ଦାମ୍ପତ୍ୟ ପାଇଁ ସବୁ ଜାଣି ସୁଦ୍ଧା ହସି ହସି ସହି ଆସୁଛି । ମୁଁ ଜାଣେ ତୁ ଆଜି କିଭଳି ସେ କେକ୍‌ ଖାଇଥିବୁ । କେକ୍‌ ଖାଇଲା ବେଳେ ତୋ ହସ ହସ ମୁହଁ ପଛର କରୁଣ ଅବସ୍ଥା ମୁଁ ବେଶ୍‌ ବୁଝି ପାରୁଥିଲି। ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଦାମ୍ପତ୍ୟ ଖୁସିରେ ଥାଉ’ ନ୍ୟାୟରେ ମୁଁ ସବୁଦିନ ଏହି ହସ ପଛର କରୁଣ ଅବସ୍ଥା ଦେଇ ଗତି କରୁଛି।

ତାଙ୍କ କଥା ଶୁଣି ମୁଁ କହିଲି ମନ ଦୁଃଖ କରେନା। କେବଳ ଆମେ ଦୁହେଁ ନୁହଁ ବିବାହିତ ସମସ୍ତ ଦମ୍ପତି ଅଳ୍ପବହୁତେ ସମଦୁଃଖୀ। ସୁଖୀ ଦାମ୍ପତ୍ୟ ପାଇଁ ଜଣେ ପତିକୁ କି କି ତ୍ୟାଗ କରିବାକୁ ପଡ଼େ ସେ କଥା ମୁଁ ଜାଣେ। ନିଜ ପୌରୁଷକୁ ପାହାଡ଼ ପ୍ରମାଣେ ଦୃଢ଼ କରିବାକୁ ଯାଇ ପତ୍ନୀ କିମ୍ବା ବାହାରେ ଯେତେ ଦର୍ଶନ କଥା କହିଲେ ବି ନିଜ ଭିତରେ ନିଜେ କିପରି ମୂଷା ଭଳି ଖଟୁଥାଉ ତାହା କେବଳ ଜଣେ ବିଚରାପତି ହିଁ ବୁଝିପାରିବ।

-ବନମାଳୀ ଭବନ, ଖାନ୍‌ନଗର, କଟକ
ମୋ: ୯୪୩୭୦୧୦୭୫୮


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?