Posted inଫୁରସତ

ମାତୃଭାଷା ବିସମ୍ବାଦ

କେଉଁଠି ଠାଏ ଶୁଣିଥିଲି ଓଡ଼ିଆ ପ୍ରେମ କଲେ ବଙ୍ଗଳା ଓ ରାଗିଲେ ହିନ୍ଦୀ କୁହନ୍ତି। ମୋ ଜାଣିବାରେ ଲୋକେ ମୁହଁବୋଲା ଷ୍ଟାଟସ ପାଇଁ ଦାନ୍ତ ଚିପି ଦରଖଣ୍ଡିଆ ଇଂଲିଶ କୁହନ୍ତି । ଏଇ ନିକଟରେ ନିଜ ଏରିଆ ମ୍ୟାନେଜରଙ୍କୁ ମେଡ଼ିସିନ ରିପ୍ରେଜେଣ୍ଟେଟିଭ କହୁଥିବାର ଶୁଣିଥିଲି,‘ବାନ୍ଧାଥା ଯୋ ପେଟି ମୋଟରସାଇକେଲ କା ପଛମେଁ, ଏଭ୍ରିଥିଙ୍ଗ ଓଦା ହୋଗୟା ସାର୍‌ …।’ ଟିଭି ଆଙ୍କରଙ୍କ ପ୍ରଶ୍ନର ଉତ୍ତରରେ ଓଡ଼ିଆ ତାରକା କହୁଥିଲେ, ୟୁ ନୋ ଥଣ୍ଡା ହାୱା ଚାଲିଥାଏ ଯେବେ ଆଇ ଉଡ୍‌ ପ୍ରିଫର୍‌ ଗ୍ରୀନ୍‌ ଟି’ ଆଣ୍ଡ ଅରିଜିତ ମ୍ୟୁଜିକ। କପାଳ ଉପରକୁ ଖସି ପଡ଼ିଥିବା କେରାଏ କେଶକୁ ଆଙ୍ଗୁଠିରେ ଗୁଡ଼ାଇ ଗୁଡ଼ାଇ କଥା କହୁଥିବା ଆମର ତଥାକଥିତ ରଙ୍ଗିନ ତାରକାଙ୍କ କଥାକୁ ସେତିକି ନ କାନେଇଲେ କ’ଣ ସେ କହୁଛନ୍ତି କିଛି ବି ବୁଝାପଡିବନି । ଯଦି ଗୋଟିଏ ଜାତି ନିଜର ମଞ୍ଜ ଅନୁଭବକୁ ଅନ୍ୟ ଭାଷାରେ ଗୋଳେଇଘାଣ୍ଟି ପରିପ୍ରକାଶ କରେ ତେବେ କେଉଁ ଅନୁଭବକୁ ସେ ନିଜ ଭାଷାରେ ପ୍ରକାଶ କରିବ ?

ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ସତାଅଶୀ ବର୍ଷ ପରେ ମଧ୍ୟ ଆମେ ଏବେ ଆମ ଭାଷାର ସୁରକ୍ଷା ପାଇଁ ବିବ୍ରତ ଓ ଚିନ୍ତିତ । ଆଜି ପର୍ଯ୍ୟନ୍ତ କେତେ କାନୁନ ହେଲାଣି ଓଡ଼ିଆରେ ଦପ୍ତର କାମ କରିବା ପାଇଁ , ହେଲେ ବାସ୍ତବ ସ୍ଥିତିରେ ଉନ୍ନତି ନାହିଁ। ଶୁଦ୍ଧ ଓଡ଼ିଆ ଲେଖିବାକୁ ଯାଇ କେହି କେହି ଡେଲିଭରକୁ ପ୍ରସବ ଓ ପିନ୍‌କୁ ଛୋଟ କିଳା ବୋଲି ଲେଖି ହାସ୍ୟାସ୍ପଦ ପରିସ୍ଥିତି ସୃଷ୍ଟି କରିଛନ୍ତି । ଉତ୍ସବ ପ୍ରିୟ ରାଜ୍ୟରେ ଭାଷା ପାଇଁ ବି ଗୋଟିଏ ଉତ୍ସବର ଦିନ ରହିଛି। ଏହିଦିନ ସରକାରୀ ବେସରକାରୀ ସମସ୍ତେ ଓଡ଼ିଆ ଭାଷା ପାଇଁ ଚିନ୍ତା ପ୍ରକଟ କରନ୍ତି। ସ୍ଲୋଗାନ ତିଆରି ହୁଏ । ସ୍କୁଲ କଲେଜରେ ଭାଷାକୁ ନେଇ ବକ୍ତୃତା, ପ୍ରବନ୍ଧ ଲିଖନ, ସାଧାରଣ ଜ୍ଞାନ ପ୍ରତିଯୋଗିତା ହୁଏ। ମୁଣ୍ଡି ସାହିତି୍ୟକଙ୍କ କବିତା ଆବୃତ୍ତି ହୁଏ । ପ୍ରତିଷ୍ଠିତ ସାହିତି୍ୟକଙ୍କ ଲେଖା ସବୁ ମଗାଯଚା ହୋଇ ଖବରକାଗଜରେ ଛପା ହୁଏ । ସାହିତ୍ୟ କ୍ଷେତ୍ରରେ ସଂଘର୍ଷ କରୁଥିବା ସାହିତି୍ୟକ ସୋସିଆଲ ମିଡିଆରେ ଅତ୍ୟୁତ୍ସାହୀ ହୋଇ ରକମ ରକମର ଲେଖା ଛାଡ଼ନ୍ତି । ଭାଷାପ୍ରାଣଙ୍କ ଆକୁଳ କ୍ରନ୍ଦନରେ ଭାବବିହ୍ବଳ ହୋଇ କେତେଜଣ ଆବଶ୍ୟକ ହେଲେ ଭାଷାର ସୁରକ୍ଷା ପାଇଁ ଆତ୍ମାହୁତି ଦେବାକୁ ଇଂଲିଶରେ ଶପଥ ନିଅନ୍ତି । ସଭା ସମିତିର ଆଳରେ ଭୋଜିଭାତର ଆୟୋଜନ ହୁଏ। ସେହି ଗୋଟିଏ ଦିନ ସାରା ରାଜ୍ୟ ଓଡ଼ିଆମୟ ହୋଇଯାଏ।

ନିକଟରେ ରାଜ୍ୟ ସାରା ଉତ୍କଳ ସମ୍ମିଳନୀର ଶହେ କୋଡିଏ ତମ ବର୍ଷ ପୂର୍ତ୍ତି ପାଳନ ହେଲା । ଏବେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଧୁମଧାମ୍‌ରେ ପାଳିତ ହେଉଛି । ବର୍ଷ ଯାକ ପ୍ରତି ଜିଲାରେ ଆନ୍ତର୍ଜାତିକ ସାହିତ୍ୟ ଉତ୍ସବ ଆୟୋଜିତ ହେଉଛି । ଘରେ ଘରେ ପ୍ରତିଷ୍ଠିତ ସାହିତ୍ୟ ଅନୁଷ୍ଠାନ ଦ୍ୱାରା ସାହିତ୍ୟକୁ ସମୃଦ୍ଧ କରିଥିବା ସାହିତି୍ୟକମାନଙ୍କୁ ସମ୍ମାନିତ କରାଯାଉଛି। ନୂତନ ସାହିତି୍ୟକ ପ୍ରତିଭାମାନଙ୍କୁ ଉତ୍ସାହିତ କରିବାକୁ ଜୁକରବର୍ଗ ଫେସ୍‌ବୁକ୍‌ ଭଳି ମାଗଣା ସେବା ଯୋଗେଇ ଦେଇଛନ୍ତି । ତଥାପି ଓଡ଼ିଆ ଭାଷା କାଳେ ବିପଦରେ ବୋଲି ଘରେ ଇଂଲିଶ, ହିନ୍ଦୀ କହୁଥିବା ଲୋକେ ବାହାରେ ରଡି ବୋବାଳି ଛାଡୁଛନ୍ତି । ପରସ୍ପରକୁ ଭାଷାର ଶତ୍ରୁ ବୋଲି ଚିହ୍ନଟ କରି ଅତ୍ୟନ୍ତ ପାଣ୍ଡିତ୍ୟପୂର୍ଣ୍ଣ ଲେଖାମାନ ଛାଡ଼ି ଆଉ ଥୋକେ ନିଜର ଭାଷା ପ୍ରତି ଆନୁଗତ୍ୟ ଦେଖାଉଛନ୍ତି ।

କବି ସିନା ଲେଖିଥିଲେ ”ପାହିଲାଣି ଏବେ ତାମସୀ ରଜନୀ, ଫୁଟିବ ଉତ୍କଳ ଭାଷା କମଳିନୀ ।“ ହେଲେ ଶହେ ବର୍ଷ ପୂରିଲାଣି ସିନା ଭାଷା ପଦ୍ମ କ’ଣ ପୋକସୁଙ୍ଗା ଫୁଲ ବି ଭଲରେ ଫୁଟୁନାହିଁ।
ଜଣେ ନାମଜାଦା ଚିନ୍ତକ ଆମ ଭାଷା ସାହିତ୍ୟର ଦୁର୍ଦ୍ଦିନ ବିଷୟରେ ଆନ୍ତର୍ଜାତିକ ସମ୍ମିଳନୀରେ କହୁ କହୁ କୋହ ସମ୍ଭାଳି ନ ପାରି ପକେଟରୁ ରୁମାଲ ବାହାରକରି ଲୁହ ପୋଛିବା ଦୃଶ୍ୟ ଅନେକ ଶ୍ରୋତାଙ୍କୁ ଭାବପ୍ରବଣ କରିଦେଲା । କେହି କେହି ଦର୍ଶକ ନିଜ ମୁହଁ ବି ପୋଛି ପକେଇବାର ନଜିର ମିଡ଼ିଆବାଲା ଦେଖାଇଲେ। ଆଉ ଜଣେ ଖ୍ୟାତନାମା ବିଦ୍ୱାନ୍‌ ବିଦେଶୀ ଦାର୍ଶନିକମାନଙ୍କ ଉକ୍ତିର ବହୁଳ ପ୍ରୟୋଗ ଦ୍ୱାରା ବୁଝେଇଦେଲେ ଯେ, କୌଣସି ଜାତିର ଅସ୍ମିତା ପାଇଁ ଭାଷାର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ। ତାଙ୍କ ସମୁଦାୟ ଭାଷଣରୁ ଏ ଅଧମ ଏତିକି ବୁଝିଲା ଯେ, ଏହି ଗୁରୁତ୍ୱପୂର୍ଣ୍ଣ କଥାଟିକୁ ଆଜିଯାଏ କୌଣସି ଓଡ଼ିଆ ପଣ୍ଡିତ ଜାଣିନାହାନ୍ତି କିମ୍ବା କହିନାହାନ୍ତି। ବିଦ୍ୱାନ୍‌ ମହୋଦୟ କିନ୍ତୁ ଦାର୍ଶନିକଙ୍କ ଇଂଲିଶ ଉକ୍ତି ଉଦ୍ଧାର କରି କହିଲେ, ମାତୃଭାଷାର ଗୁରୁତ୍ୱ କ’ଣ ସେକଥା ଜାଣିବା ପାଇଁ ଆମ ଭାଷାରେ କ’ଣ କିଛି ନାହିଁ? ଶେଷରେ ମୁଖ୍ୟ ଅତିଥି ବିଭାଗୀୟ ମନ୍ତ୍ରୀ ଅଧିକାରୀଙ୍କୁ ସଭାରେ ନିର୍ଦ୍ଦେଶ ଦେଲେ ଆଜିଠୁ ଯେମିତି ସବୁ ସରକାରୀ କାମ ଓଡ଼ିଆରେ ହେବ, ସେଥିପାଇଁ ତୁରନ୍ତ ଅର୍ଡର ପାସ୍‌ କର । ଅଧିକାରୀ ମଧ୍ୟ ଛିଡାହୋଇ ୟେସ୍‌ ସାର୍‌ କହିଲେ। ସମସ୍ତଙ୍କ କରତାଳି ମଧ୍ୟରେ ପୁଣିଥରେ ଓଡ଼ିଆ ଭାଷାର ଉନ୍ନତି ପାଇଁ ସଭାର ଆୟୋଜନ ହେବାକୁ ଆୟୋଜକ ପ୍ରତିଶ୍ରୁତି ଦେଲେ ।

ପିଲାବେଳେ ଇଂଲିଶ ପଢୁଥିଲୁ, ଓଡ଼ିଆରେ ବୁଝୁଥିଲୁ । ଏବେ ଯୁଗ ବଦଳିଛି। ଆମ ପିଲା ଓଡ଼ିଆ ପଢୁଛନ୍ତି, ଇଂଲିଶରେ ବୁଝୁଛନ୍ତି । ଯେଉଁଠି ସ୍କୁଲରେ ଓଡ଼ିଆ ଦ୍ୱିତୀୟ ଭାଷା ସେଠି ଶିକ୍ଷକ ଅବା କରିବ କ’ଣ ! ଓଡ଼ିଆ ସାହିତ୍ୟ ବହିରୁ ଗୋଟିଏ ପାରା ପଢେଇ ତାକୁ ଇଂଲିଶରେ ପିଲାଙ୍କୁ ବୁଝେଇବାକୁ ପଡୁଛି । ଅବଶ୍ୟ ଏ ସବୁ ଆମ ଦେହସୁହା କଥା ହେଲାଣି । ଫୋନରେ କୌଣସି ସାହାଯ୍ୟ ନେବାକୁ ହେଲେ ଓଡ଼ିଆ ଭାଷା ପାଇଁ ତିନି ଟିପିବାକୁ ପଡୁଛି । ଓଡ଼ିଆରେ ଦରଖାସ୍ତ ଲେଖିଲେ ଅଧିକାରୀ ଏଲିଅନକୁ ଦେଖିଲା ଭଳି ଅନାଉଛି । ଆମେ ଏତେ ଉଦାରବାଦୀ ଯେ ଓଡ଼ିଆ ଜଣେ ଗର୍ବରେ କହିପାରୁଛି ମୁଁ ଓଡ଼ିଆ ଭାଷାରେ କମ୍ଫର୍ଟେବଲ ନୁହେଁ । ଓରିଆ ଲାଙ୍ଗୁଏଜ ଇଜ୍‌ ନଟ୍‌ ମାଇଁ କପ୍‌ ଅଫ୍‌ ଟି ।

ଓଡ଼ିଆ ଭାଷା ଯଦି ବଞ୍ଚିଛି ତେବେ ଓଡ଼ିଶାର ଗ୍ରାମାଞ୍ଚଳରେ । ଏହାକୁ ସେମାନଙ୍କ ବାଧ୍ୟବାଧକତା କହିପାରନ୍ତି କିମ୍ବା ଭାଷାପ୍ରୀତି । ଆଜି ବି ସେମାନେ ଓଡ଼ିଆ ପଢ଼ନ୍ତି ଓ ଓଡ଼ିଆରେ କଥାବାର୍ତ୍ତା ହୁଅନ୍ତି । ଗାଁର ପୁଅ ଶିକ୍ଷିତ ହୋଇ ଇଂଲିଶ ଜାଣିଲା ପରେ ସେ ଆଉ ଗାଁରେ ନ ରହି ସହରମୁଖା ହୁଏ । ତା’ପରେ ଓଡ଼ିଆ ଭାଷାର ଐସି କି ତୈସି କରିଦିଏ ।

ତାକୁ ଓଡ଼ିଆ ଭାଷା ଆଉ ବେଶି ଦରକାର ମନେ ହୁଏନି । ଓଡ଼ିଆ ଭାଷା ଓ ଅସ୍ମିତାକୁ ନେଇ କାନ୍ଦୁଥିବା ଲୋକ ଏହି ଗୋଷ୍ଠୀର । ସହରୀ ଲୋକ ବିଶେଷକରି ସହରୀ ସାହିତି୍ୟକ ଭାଷାର ଅବକ୍ଷୟକୁ ନେଇ ବେଶି କାନ୍ଦନ୍ତି। କାରଣ ଓଡ଼ିଆ ଭାଷା ବଞ୍ଚିଲେ ସେମାନେ ବଞ୍ଚିବେ । ଗାଁର ପାଠକଙ୍କ ପାଖରେ ସେମାନଙ୍କ ସାହିତ୍ୟ ଅପହଞ୍ଚ । ସହରୀ ପାଠକଙ୍କ ଅନାଗ୍ରହ ସେମାନଙ୍କୁ ଚିନ୍ତିତ କରିବା ସ୍ବାଭାବିକ । କୁହାଯାଏ ଯାହାର ଯେଉଁଥିରେ ଅଭାବ ଅଛି ସେ ସେହି ବିଷୟ ପ୍ରତି ବେଶି ସଚେତନ କିମ୍ବା ଚିନ୍ତିତ ଥାଏ । ଯଦି ଏହି ସିଦ୍ଧାନ୍ତଟି ସତ୍ୟ ବୋଲି ଧରିବା ତେବେ ସଭାରେ ଓଡ଼ିଆ ଭାଷା ପାଇଁ କ୍ରନ୍ଦନ କରୁଥିବା ଲୋକଙ୍କ ଭାଷାପ୍ରେମର ଅଭାବ ଅଛି ବୋଲି ଧରିନେବାକୁ ହେବ । କାରଣ ଗାଁ ଗହଳିରେ କିଏ ଓଡ଼ିଆ ଭାଷାର ଦୁର୍ଦ୍ଦିନ ପାଇଁ କାନ୍ଦୁଥିବାର ଏହି ଲେଖକ କେଉଁଠି ଦେଖିନି ।

ଲୋକେ, ଅଶିକ୍ଷିତ ଲୋକେ ଓଡ଼ିଆରେ ଚିନ୍ତା କରନ୍ତି । ବାମପନ୍ଥୀ ଚିନ୍ତକଙ୍କ ଭାଷାରେ କହିଲେ ଓଡ଼ିଆ ଭାଷା ହେଲା ଗାଉଁଲୀ, ମଜଦୁର, ଦଳିତ ଓ ଚାଷୀଭାଇର ଭାଷା। ଓଡ଼ିଆ ସେମାନଙ୍କ ରକ୍ତକଣିକାରେ । ସହରରେ ତ ଓଡ଼ିଆ ଅବସ୍ଥା ନ କହିଲେ ଭଲ । ଗାଉଁଲୀ ଲୋକ ମାଛ ଖାଇବା ବେଳେ ଶିକ୍ଷିତ ଓ ସହରୀ ଲୋକେ ଖାଆନ୍ତି ଫିସ୍‌ ନ ହେଲେ ମଛ୍‌ଲୀ। ଅଶିକ୍ଷିତ ଲୋକେ ଭଲ ପାଆନ୍ତି ବା ସୁଖ ପାଆନ୍ତି । ହେଲେ ଅର୍ଦ୍ଧଶିକ୍ଷିତ ସହରୀ ମଣିଷ ଲଭ୍‌ କିମ୍ବା ପ୍ୟାର୍‌ କରେ। ଅର୍ଥାତ ଚିନ୍ତା ଇଂଲିଶ କିମ୍ବା ହିନ୍ଦୀରେ । ଏପରି ଆଚରଣ ଭାଷାର ଉଚ୍ଚାରଣରେ ବେଶି କ୍ଷତି କରେ । ପିଲାଟି ଦିନରୁ ବିଦେଶ ମାଟିରେ ବଢିଥିବା ଅନେକେ ନିଜ ମାତୃଭାଷାରେ କାଳଜୟୀ ସାହିତ୍ୟ ରଚନା କରିଥିବା ବେଳେ କିଛି ଲୋକ ରାଜ୍ୟ ସୀମା ଟପିଲେ ନିଜକୁ ଓଡ଼ିଆ ବୋଲି କହିବାକୁ ଲଜ୍ଜା ଅନୁଭବ କରୁଛନ୍ତି । ଏକଦା ଭାଷାକୁ ନେଇ ସ୍ବତନ୍ତ୍ର ରାଜ୍ୟ ଗଠିତ ହୋଇଥିବା ବେଳେ ଏବେ ପୂର୍ବ ଓ ପଶ୍ଚିମ ଓଡ଼ିଶାର ଭାଷାକୁ ନେଇ ପୁଣିଥରେ ଆଉ ଏକ ନୂତନ ରାଜ୍ୟ ଗଠନ ଦାବି ହେବା ପରିତାପର ବିଷୟ ।

ଭାଷା ଏକ ଶାସ୍ତ୍ରୀୟ ଭାଷା । ବିଶ୍ୱର ପ୍ରଥମ କୋଡିଏଟି ଭାଷା ଭିତରେ ଏହା ସ୍ଥାନ ପାଇଛି । ଭାଷାକୁ ନେଇ ଗର୍ବ କରିବା ପାଇଁ ଆମ ପାଖରେ ଅନେକ ଯୁକ୍ତି ଅଛି । ଏ ଭାଷା ମରୁନି ବରଂ ଅନେକ ଉପଭାଷାକୁ ନେଇ ଏହା ଦିନ ପ୍ରତିଦିନ ସମୃଦ୍ଧ ହେବାରେ ଲାଗିଛି । ଏ ସମୟ ଭାଷା ଓ ଉପଭାଷା ଭିତରେ ସମନ୍ବୟ ତଥା ଏକତା ପାଇଁ ଚିନ୍ତା କରିବାର ବେଳ ।

ଭାଷା ମରୁଛି ବୋଲି ଯେଉଁମାନେ ଆଖିରୁ ଲୁହ ଗଡ଼ାଉଛନ୍ତି ସେମାନେ ପ୍ରଥମେ ନିଜ ଭାଷାକୁ ନେଇ ନିଜ ଭିତରେ ହୀନମନ୍ୟତା ଓ ଅସୁରକ୍ଷିତ ଭାବନାକୁ ପରିତ୍ୟାଗ କରନ୍ତୁ ।
-ବନମାଳୀ ଭବନ, ଖାନନଗର, କଟକ
ମୋ: ୯୪୩୭୦୧୦୭୫୮


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏକମାତ୍ର ନଦୀ, ଯାହାର ବାଲିରୁ ମିଳେ ସୁନା! ଓଡ଼ିଶାରେ ବି ବୋହୁଛି…

ନୂଆଦିଲ୍‌ଲୀ,୨୬।୯: ଭାରତରେ ନଦୀଗୁଡ଼ିକୁ କେବଳ ଜଳର ଉତ୍ସ ଭାବେ ଗ୍ରହଣ କରାଯାଏ ନାହିଁ, ବରଂ ଦେଶର ଅର୍ଥନୀତି ଏବଂ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ଏଗୁଡ଼ିକର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?