କାଶୀପୁର: ବିକାଶକୁ ହଇଜା

ବିଚିତ୍ର ବିଶ୍ୱାଳ

ଦୀର୍ଘ ୧୦ବର୍ଷ ପରେ ପୁଣି ଥରେ ହଇଜା ଓ ମୃତ୍ୟୁ ପାଇଁ ଚର୍ଚ୍ଚାକୁ ଫେରିଛି କାଶୀପୁର। ରାୟଗଡ଼ା ଜିଲାର ଆଦିବାସୀ ଅଧ୍ୟୁଷିତ ବ୍ଲକ୍‌ କାଶୀପୁର ପୂର୍ବରୁ ଅନେକ ଥର ଚର୍ଚ୍ଚିତ ହୋଇଛି ଆମ୍ବଟାକୁଆ, ପିଲା ବିକ୍ରି, ଦାରିଦ୍ର୍ୟ ଓ ହଇଜା ଜନିତ ମୃତ୍ୟୁ ପାଇଁ। କିନ୍ତୁ ସତେବେଳେ ଓଡ଼ିଶା ଦେଶର ବିକାଶର ମାନକରେ ଅନେକ ପଛରେ ପଡ଼ିଥିଲା। ଏବେ ଆମ ରାଜ୍ୟ ବିକାଶର ମାନକରେ ବହୁ ଆଗରେ। ଗୋଟିଏ ପରେ ଗୋଟିଏ ପୁରସ୍କାର ଓ ପ୍ରଶଂସାପତ୍ର ସାଉଁଟୁଛନ୍ତି ସରକାର। ତଥାପି ରାଜ୍ୟରେ ଲୋକମାନେ ଝାଡ଼ାବାନ୍ତି ଓ ହଇଜାରେ ପ୍ରାଣ ହରାଉଛନ୍ତି। ସମ୍ପ୍ରତି କାଶୀପୁରରେ ହଇଜା ମୃତ୍ୟୁର ଖବର ଆମ ରାଜ୍ୟକୁ ନବେ ଦଶକର ସେହି ଦୁର୍ଦ୍ଦିନ ଆଡ଼କୁ ଫେରାଇନେଉଥିବା ପରି ମନେହେଉଛି।
ଗତ ଜୁଲାଇ ୧୨ ରେ କାଶୀପୁରରେ ପ୍ରଥମେ କେତେଜଣ ଲୋକ ଝାଡ଼ାବାନ୍ତିର ଶିକାର ହୋଇ ମୃତ୍ୟୁ ମୁଖରେ ପଡ଼ିବା ପରେ ସବୁଥର ପରି ଏଥର ମଧ୍ୟ ଆଲୋଚନା ସିଧା ଆମ୍ବ ଟାକୁଆ ଆଡ଼କୁ ଚାଲିଗଲା। ବାହାରର ଲୋକମାନେ ଅତ୍ୟନ୍ତ ସମ୍ବେଦନଶୂନ୍ୟ ହୋଇ ଆଲୋଚନା କରିବାକୁ ଲାଗିଲେ ଯେ, ଆଦିବାସୀମାନେ ଆମ୍ବଟାକୁଆ ଖାଇ ଝାଡ଼ାବାନ୍ତିରେ ମୃତ୍ୟୁବରଣ କରୁଛନ୍ତି। ଆଦିବାସୀଙ୍କ ଜୀବନ ଜୀବିକା, ସଭ୍ୟତା, ସଂସ୍କୃତି ନ ଜାଣି ସେମାନଙ୍କ ବିଷୟରେ ଏପରି ମତ ଦେବା ଠିକ୍‌ କି? ଏଠାରେ ସୂଚନାଯୋଗ୍ୟ, ଆଦିବାସୀମାନେ ପରମ୍ପରାଗତ ଭାବେ ବିଭିନ୍ନ ପ୍ରକାର ଅଣଚାଷ ଖାଦ୍ୟ ଖାଇ ଆସୁଛନ୍ତି ଓ ତାହା ସେମାନଙ୍କର ଖାଦ୍ୟ ବ୍ୟବସ୍ଥାର ଏକ ପ୍ରମୁଖ ଅଂଶ। ଯେତେବେଳେ ବି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ହଇଜା ଓ ଝାଡ଼ାବାନ୍ତିର କଥା ଆସେ ସେତେବେଳେ ଆଦିବାସୀମାନଙ୍କର ଖାଦ୍ୟ ଅଭ୍ୟାସ କଥା ହଁି ଚର୍ଚ୍ଚାକୁ ଆଣି ଚତୁରତାର ସହିତ ମୌଳିକ ସୁବିଧା ସୁଯୋଗର ଆଲୋଚନାକୁ ଏଡ଼ାଇଦିଆଯାଏ। ଆଜି ଯେତେବେଳେ କାଶୀପୁର ହଇଜା ପାଇଁ ଚର୍ଚ୍ଚା ହେଉଛି, ସେତେବେଳେ ଦେଖିବାକୁ ମିଳୁଛି ଯେ କାଶୀପୁରର ଏକାଧିକ ଗାଁରେ ଏବେ ମଧ୍ୟ ସ୍ବଚ୍ଛ ପାନୀୟ ଜଳର ସୁବିଧା ନାହଁି। ସେହି ଅଞ୍ଚଳରେ ଡାକ୍ତରଖାନାର କୋଠା ଅଛି, କିନ୍ତୁ ଡାକ୍ତର ନାହାନ୍ତିି। ରୋଗୀଙ୍କ ପାଇଁ ଶଯ୍ୟା ନାହଁି। ଡାକ୍ତରଖାନାର ପରିସର ପରିଷ୍କାର ପରିଚ୍ଛନ୍ନତା ଦୃଷ୍ଟିରୁ ଅତ୍ୟନ୍ତ ଖରାପ। ଫଳରେ ଲୋକମାନେ ଝାଡ଼ାବାନ୍ତିର ଶିକାର ହେବା ପରେ ଡାକ୍ତରଖାନାକୁ ଯିବା ପରେ ଉପଯୁକ୍ତ ଚିକିତ୍ସା ପାଉନାହାନ୍ତି।
କାଶୀପୁର ବ୍ଲକର ଟିକିରି ଗାଁକୁ ଏକ ନଳକୂପରୁ ପାଇପ ମାଧ୍ୟମରେ ପାଣି ଯୋଗାଇବାର ବ୍ୟବସ୍ଥା ଅଛି, କିନ୍ତୁ ବର୍ଷାଦିନେ ଅଧିକାଂଶ ସମୟ ସୋଲାର କାମ କରୁ ନ ଥିବାରୁ ପାଇପରେ ପାଣି ଆସି ନ ଥାଏ। ଟିକିରି କଲୋନିସାହି, ଟିକିରି କୋରାପୁଟ ସାହିର ମଧ୍ୟ ପାନୀୟ ଜଳ ସମସ୍ୟା ରହିଛି। ଯଦିଓ ଗାଁକୁ ପାନୀୟଜଳର ଯୋଗାଣ ବ୍ୟବସ୍ଥା ଅଛି କିନ୍ତୁ ସେହି ପାନୀୟ ଜଳର ଉତ୍ସ ପ୍ରଦୂଷିତ ବୋଲି ଗାଁର ଲୋକମାନେ ଅଭିଯୋଗ କରନ୍ତି। ଡୁଡୁକାବାହାଲ ଗାଁରେ ଉଭୟ ପାଇପ୍‌ ପାଣି ଯୋଗାଣ ଓ ନଳକୂପ ଥିଲେ ମଧ୍ୟ ଲୋକମାନଙ୍କ ଅଭିଯୋଗ ଅନୁଯାୟୀ ଯେଉଁ ଉତ୍ସରୁ ପାଇପ୍‌ ପାଣି ଯୋଗାଣ ହେଉଛି, ସେଠାରେ ବିଭିନ୍ନ ପ୍ରକାର ଆବର୍ଜନା ମିଶି ତାହା ପ୍ରଦୂଷିତ ହେଉଛି। ଅନେକ ସ୍ଥାନରେ ପାଇପ୍‌ ଫାଟି ମଧ୍ୟ ପାଣି ପ୍ରଦୂଷିତ ହେଉଛି ଓ ଲୋକମାନେ ସେହି ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ଏଠାରେ ସୂଚନାଯୋଗ୍ୟ, ଏହିସବୁ ଗାଁ ହେଉଛି ଟିକିରିରେ ଥିବା ଏକ କମ୍ପାନୀର ପାଖାପାଖି ଗାଁ। ନିକଟସ୍ଥ ଉଷାପଡ଼ା ଡାକ୍ତରଖାନାଟି ହେଉଛି ସେହି କମ୍ପାନୀର ଡାକ୍ତରଖାନା। ମୃତ୍ୟୁବରଣ କରିଥିବା ଏହି ସବୁ ଗାଁର ଅଧିକାଂଶ ଲୋକ ପ୍ରଥମେ ଡାକ୍ତରଖାନାକୁ ଯାଇ ସେଠୁ ଫେରିବା ପରେ ହଁି ମୃତ୍ୟୁବରଣ କରିଛନ୍ତି। ତା’ହେଲେ ପ୍ରଶ୍ନ ଉଠୁଛି, କମ୍ପାନୀ ତିଆରି କରିଥିବା ଉଷାପଡ଼ା ଡାକ୍ତରଖାନା ଝାଡ଼ାବାନ୍ତି ପରି ରୋଗକୁ ଚିକିତ୍ସା କରିବା ପାଇଁ କ’ଣ ଯଥେଷ୍ଟ ସକ୍ଷମ ନୁହେଁ। ସରକାରଙ୍କ ତରଫରୁ କୁହାଯାଉଛି ଉଷାପଡ଼ା ଡାକ୍ତରଖାନା ଏକ ୫୦ ଶଯ୍ୟା ବିଶିଷ୍ଟ ଉନ୍ନତମାନର ଡାକ୍ତରଖାନା। ତା’ହେଲେ ବିପଦରେ ଥିବା ରୋଗୀମାନଙ୍କୁ ସେଠାରେ ନ ରଖି ଘରକୁ ପଠାଇ ଦିଆଯାଉଥିଲା କାହଁିକି? ସେମାନଙ୍କ ଚିକିତ୍ସା ପୂର୍ଣ୍ଣ ହେବା ପରେ ସେମାନଙ୍କୁ ଘରକୁ ପଠାଇ ଦିଆଯାଉଥିଲା ନା କେବଳ ରୋଗୀମାନଙ୍କୁ ସାମାନ୍ୟ ଟିକିଏ ଚିକିତ୍ସା ଯୋଗାଇ ଡାକ୍ତରଖାନା ନିଜ ଦାୟିତ୍ୱ ସାରି ଦେଉଥିଲା! ଆଜି ଯେତେବେଳେ କୁହାଯାଉଛି, କମ୍ପାନୀ ହେଲେ ଲୋକମାନଙ୍କର ବିକାଶ ହେବ ଓ କମ୍ପାନୀ ନିଜ ପାରିପାର୍ଶ୍ୱିକ ଗାଁଗୁଡ଼ିକର ବିକାଶର ଦାୟିତ୍ୱ ନେଉଛି ଓ ନେବ, ସେତେବେଳେ ଟିକିରିର ହଇଜା ମୃତ୍ୟୁ ଆମ ଆଗରେ ଏକ ନଗ୍ନ ସତ୍ୟକୁ ତୋଳି ଧରୁଛି। ପାରିପାର୍ଶ୍ୱିକ ବିକାଶ ନାଁରେ କମ୍ପାନୀ କିପରି ସ୍ବାସ୍ଥ୍ୟସେବା ଯୋଗାଉଛି ତାହା ଆମେ ଏକାଧିକ ହଇଜା ମୃତ୍ୟୁରୁ ସୂଚନା ପାଉଛେ। ଏହି ଘଟଣା ପରେ ଆମ ସରକାର ଓ କମ୍ପାନୀ ସପକ୍ଷବାଦୀ ବୁଦ୍ଧିଜୀବୀମାନଙ୍କର ଚେତା ପଶିବ କି? ଲୋକମାନଙ୍କୁ ନିଜ ଭିଟାମାଟିରୁ ଉଚ୍ଛେଦକରି ଥରେ କମ୍ପାନୀ ପ୍ରତିଷ୍ଠିତ ହୋଇଗଲେ, ତା’ପରେ କମ୍ପାନୀର ଲୋକମାନଙ୍କ ପ୍ରତି ବ୍ୟବହାର ‘କାଶିଆ କିଏ ନା କପିଳା କିଏ’ ପରି ହୋଇଯାଉଛି ବୋଲି ଆଉ ବୁଝିବାରେ ବାକି ନାହଁି।
ଏତଦ୍‌ବ୍ୟତୀତ ଆମେ ଦେଖୁଛେ ଯେ, ହଇଜା ବ୍ୟାପିଥିବା କାଶୀପୁରର ଗାଁଗୁଡ଼ିକରେ ସ୍ବଚ୍ଛ ପାନୀୟ ଜଳର ଘୋର ଅଭାବ ରହିଛି। ଯଦି ବି ପାଇପ୍‌ ପାଣି ଯୋଗାଣ ବ୍ୟବସ୍ଥା ଅଛି, ତାହା ପ୍ରଦୂଷଣମୁକ୍ତ ନୁହେଁ। ଯେଉଁଠି ନଳକୂପ ଅଛି, ତା’ ଚାରିପଟ ଭୀଷଣ ଆବର୍ଜନା ଜମାହୋଇ ଭୂତଳ ଜଳ ପ୍ରଦୂଷିତ ହେଉଛି। ଫଳରେ ଗୋଟିଏ ପରେ ଗୋଟିଏ ଗାଁକୁ ହଇଜା ବ୍ୟାପୁଛି। ତୃଣମୂଳ ସ୍ତରରୁ ସଂଗ୍ରହ କରାଯାଇଥିବା ତଥ୍ୟ ଅନୁସାରେ ଶଙ୍କରଡ଼ା ପଞ୍ଚାୟତର ଗୋବରଘାଟି ଗାଁରେ ଥିବା ନଳକୂପର ଚାରିପଟେ ପଟେ ପ୍ରଚୁର ଆବର୍ଜନା ଥାଇ ପାଣି ଜମା ହୋଇରହିଛି। ସେହି ନଳକୂପରୁ ପାଣି ପିଇଲେ ସେଥିରୁ ଗନ୍ଧ ବାହାରୁଛି। ସେହି ପଞ୍ଚାୟତର ମିନାଦୁର୍ଗା ଗାଁରେ ଆଦୌ ନଳକୂପ ନାହଁି। ଲୋକମାନେ ଝରଣାର ଗୋଳିଆ ପାଣି ପିଉଛନ୍ତି। କାରିଣୀପାଈ ଗାଁରେ ଥିବା ଏକମାତ୍ର ନଳକୂପ ଚାରିପଟେ ଅପରିଷ୍କାର ପାଣି ଜମି ରହିଛି। ସେଠାରେ ଡ୍ରେନ୍‌ର କୌଣସି ସୁବିଧା ନାହଁି। ସିରିପାଇ ପଞ୍ଚାୟତର କଳାକାନି ଗାଁରେ ନଳକୂପ ନାହଁି। ସେଠାକୁ ସ୍ବଜଳଧାରା ଯୋଜନାରେ ପାନୀୟ ଜଳ ଯୋଗାଇ ଦିଆଯାଉଛି। କିନ୍ତୁ ପାଣିର ଉତ୍ସଟି ଖୋଲା ଅଛି। ତା’ ଉପରେ ଢାଙ୍କୁଣୀ ନାହଁି। ଫଳରେ ବିଭିନ୍ନ ପ୍ରକାର ଅଳିଆ ଆବର୍ଜନା ପଡ଼ି ତାହା ପାଣିକୁ ପ୍ରଦୂଷିତ କରୁଛି। ସୁଙ୍ଗେର ପଞ୍ଚାୟତର ଧାମଣଘାଟି ଗାଁରେ ଗୋଟିଏ ନଳକୂପ ଅଛି ଓ ସେଇଟି ଅଚଳ ଅବସ୍ଥାରେ ଅଛି। ଲୋକମାନେ ବ୍ଲକ୍‌ ପ୍ରଶାସନକୁ ଏକାଧିକ ଥର ଅଭିଯୋଗ କରିଥିଲେ ମଧ୍ୟ ତାହା ଏଯାଏ କାର୍ଯ୍ୟକ୍ଷମ ହୋଇନାହଁି। ବାଧ୍ୟହୋଇ ଲୋକମାନେ ନଦୀ ଓ ଝରଣାର ପାଣି ପିଉଛନ୍ତି।
ସମ୍ପ୍ରତି କାଶୀପୁରର ହଇଜା ମୃତ୍ୟୁ ପୁଣି ଥରେ ପ୍ରମାଣ କରିଦେଲା, ଗୋଟିଏ ପଟେ ଆମେ ବିକାଶର ବାହୁସ୍ଫୋଟ ମାରୁଥିବା ବେଳେ ଏବେ ବି ସାଧାରଣ ଲୋକଙ୍କ ପାଖରେ ସ୍ବଚ୍ଛ ପାନୀୟ ଜଳ ଓ ସ୍ବାସ୍ଥ୍ୟସେବା ପରି ମୌଳିକ ସୁବିଧା ଉପଲବ୍ଧ ନାହଁି। ସରକାର ପ୍ରଥମେ ଏହି ସବୁ ମୌଳିକ ସୁବିଧା ସୁଯୋଗ ଲୋକଙ୍କ ପାଖରେ ପହଞ୍ଚାଇବାର ସଫଳ ବ୍ୟବସ୍ଥା କରିବା ପାଇଁ ଦାୟିତ୍ୱବାନ୍‌ ହେବେ କି?
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର
ମୋ- ୯୪୩୮୪୬୮୪୭୪


Enter your email to get our daily news in your inbox.

All Right Reserved By Dharitri.Com

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

ଜିଡିପି ବୃଦ୍ଧିର ରହସ୍ୟ

ଭାରତରେ ୨୦୨୬ ଏପ୍ରିଲ-ଜୁନ ତ୍ରୈମାସିକରେ ପ୍ରକାଶିତ ୭.୮% ବାସ୍ତବ ଜିଡିପି ବୃଦ୍ଧି କେବଳ ଅର୍ଥନୀତି କେତେ ଦ୍ରୁତ ବଢ଼ୁଛି ତାହା ନୁହେଁ, ବରଂ ସେହି ବୃଦ୍ଧିକୁ କିପରି…

ଅସଫଳତାକୁ ସ୍ବୀକାର

ବିଶ୍ୱକପ୍‌ ଫୁଟ୍‌ବଲ-୨୦୨୬ରେ ଆର୍ଜେଣ୍ଟିନାକୁ ହରାଇ ସ୍ପେନ୍‌ ଚାମ୍ପିୟନ ହେବା ଦୁଇମାସ ବିତିଗଲାଣି। ଭାରତରେ ଗୋଟେ ଚର୍ଚ୍ଚା ଚାଲିଛି ଆମ ଦେଶ କେବେ ଫୁଟ୍‌ବଲ ବିଶ୍ୱ ମଞ୍ଚରେ ଖେଳିବାକୁ…

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

ଡିଜିଟାଲ କାରବାରରେ ସନ୍ଦେହ

କୌଶଳକରି ଅନ୍‌ଲାଇନ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଉପରେ କେନ୍ଦ୍ର ସରକାର ଚାପ ଦେଇଛନ୍ତି । ଅର୍ଥାତ୍‌ ପ୍ରଚଳନହେବା ପରଠାରୁ ନଗଦ ଟଙ୍କା…

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?