ନୂଆଦିଲ୍ଲୀ,୨୪।୯: ଇଂଲଣ୍ଡ କ୍ରିକେଟ ଦଳର ସୁପରଷ୍ଟାର ବ୍ୟାଟର୍ସଙ୍କ କଥା ଉଠିଲେ ସର୍ବପ୍ରଥମେ ଜୋ ରୁଟ୍ଙ୍କ ନାମ ଆସିଥାଏ। ଜୋ ରୁଟ୍ଙ୍କ ସାନ ଭାଇ ବିଲି ରୁଟ୍ ମଧ୍ୟ ପେସାଦାର କ୍ରିକେଟ ଖେଳିଛନ୍ତି। ତେବେ ମାତ୍ର ୩୪ ବର୍ଷ ବୟସରେ ବିଲି କ୍ରିକେଟକୁ ଅଲବିଦା କହିବାକୁ ନିଷ୍ପତ୍ତି ନେଇଛନ୍ତି। ୧୧ ବର୍ଷର କ୍ରିକେଟ କ୍ୟାରିୟରରେ ସେ ମୋଟ ୧୯୩ଟି ମ୍ୟାଚ ଖେଳିଛନ୍ତି।
ବିଲି ରୁଟ୍ ତାଙ୍କର ଶେଷ ମ୍ୟାଚ ସେପ୍ଟେମ୍ବର ୧୫ରେ ଗ୍ଲାମର୍ଗାନ ପକ୍ଷରୁ ସରେ ବିପକ୍ଷରେ ଖେଳିଥିଲେ। ଏହି ମ୍ୟାଚରେ ସେ ୨୨ ରନ କରିଥିଲେ। ବଡ଼ ଭାଇ ଜୋ ଜୋ ରୁଟ୍ଙ୍କ ଭଳି ବିଲି କେବେ ମଧ୍ୟ ଇଂଲଣ୍ଡ ପାଇଁ ଖେଳିବାର ସୁଯୋଗ ପାଇନଥିଲେ।
ଜୋ ରୁଟ୍ଙ୍କ ସାନ ଭାଇ ବିଲି ୨୦୧୫ରେ ପେସାଦାର କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ। ପ୍ରଥମେ ସେ ଫର୍ଷ୍ଟ କ୍ଲାସ କ୍ରିକେଟ ଖେଳିଥିଲେ। ଏହାର ଦୁଇ ବର୍ଷ ପରେ ସେ ଲିଷ୍ଟ-ଏ ଏବଂ ଟି-୨୦ କ୍ରିକେଟରେ ପଦାର୍ପଣ କରିଥିଲେ।
ଘରୋଇ କ୍ରିକେଟରେ ବିଲିଙ୍କ ପ୍ରଦର୍ଶନ ଭଲ ରହିଥିଲା। ତେବେ ଏହା ସତ୍ତ୍ୱେ ସେ ଇଂଲଣ୍ଡ ଦଳରେ ସ୍ଥାନ ପାଇପାରିନଥିଲେ। ଗ୍ଲାମର୍ଗାନ ପୂର୍ବରୁ ବିଲି ନଟିଂହାମଶାୟର ପାଇଁ ମଧ୍ୟ କାଉଣ୍ଟି କ୍ରିକେଟ ଖେଳିଥିଲେ।
ବ୍ୟାଟିଂ ସହିତ ବିଲି କିଛି ମ୍ୟାଚରେ ବୋଲିଂ ମଧ୍ୟ କରିଥିଲେ। ତାଙ୍କ ପେସାଦାର କ୍ୟାରିୟରରେ ମୋଟ ୧୪ଟି ଉଇକେଟ୍ ରହିଛି। ଲିଷ୍ଟ-ଏ କ୍ରିକେଟରେ ତାଙ୍କ ରେକର୍ଡ ଅପେକ୍ଷାକୃତ ଭଲ ରହିଥିବା ବେଳେ ଟି-୨୦ ଫର୍ମାଟରେ ସେ ବିଶେଷ ସଫଳ ହୋଇନଥିଲେ। ସେ ଶେଷ ଟି-୨୦ ମ୍ୟାଚ ୨୦୨୩ରେ ଖେଳିଥିଲେ। ସେହିପରି ଶେଷ ଲିଷ୍ଟ-ଏ ମ୍ୟାଚ ୨୦୨୫ରେ ଖେଳିଥିଲେ।
ଫାଷ୍ଟ କ୍ଲାସ କ୍ରିକେଟରେ ବିଲି ରୁଟ୍ ମୋଟ ୮୩ଟି ମ୍ୟାଚ ଖେଳିଛନ୍ତି। ୧୪୧ଟି ଇନିଂସରେ ସେ ୩୨.୦୮ ହାରରେ ୪୧୦୭ ରନ କରିଛନ୍ତି। ଏଥିରେ ୭ଟି ଶତକ ଏବଂ ୧୭ଟି ଅର୍ଦ୍ଧଶତକ ସାମିଲ ରହିଛି। ତାଙ୍କ ସର୍ବୋଚ୍ଚ ସ୍କୋର୍ ୨୨୯ ରନ। ଏହା ସହିତ ସେ ୨୭ଟି କ୍ୟାଚ ମଧ୍ୟ ଧରିଛନ୍ତି। ଫର୍ଷ୍ଟ କ୍ଲାସ କ୍ରିକେଟରେ ତାଙ୍କ ନାମରେ ୮ଟି ଉଇକେଟ୍ ରହିଛି।
ଲିଷ୍ଟ-ଏ କ୍ରିକେଟରେ ବିଲି ରୁଟ୍ ମୋଟ ୬୦ଟି ମ୍ୟାଚ ଖେଳିଛନ୍ତି। ଏହି ଫର୍ମାଟରେ ସେ ୪୦.୬୦ ହାରରେ ୧୬୬୫ ରନ ସଂଗ୍ରହ କରିଛନ୍ତି।

