ଚାକିରିଆ ଝିଅ ହଁ, ବୋହୂ ନା

ଅକ୍ଷୟ କୁମାର ମିଶ୍ର

ଯନ୍ତ୍ରଣା ଯେମିତି ଜୀବନର ଏକ ଅଂଶ, ସ୍ବାର୍ଥପରତା ସେମିତି ମଣିଷର ପ୍ରବୃତ୍ତି ପାଲଟିଗଲାଣି। ଅଧିକାଂଶ ଲୋକ ନିଜକୁ ସୁହାଇଲା ପରି କଥା କହୁଛନ୍ତି, ନିଜର ସ୍ବାର୍ଥ ସାଧନାର୍ଥେ ନିଷ୍ପତ୍ତି ଗ୍ରହଣ କରୁଛନ୍ତି। ଅନ୍ୟକୁ ଯାହା ଉପଦେଶ ଦେଉଛନ୍ତି ନିଜ କ୍ଷେତ୍ରରେ ତାହା ପାଳନ କରୁନାହାନ୍ତି। ସଭିଏଁ କହୁଛନ୍ତି ଝିଅ ହେଲେ ପାଠୋଇ ଦେଶ ଯିବ ଆଗେଇ। ମହିଳା ସଶକ୍ତୀକରଣ ଓ ଦେଶର ପ୍ରଗତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ନାରୀ ହେଲେ ସ୍ବାବଲମ୍ବୀ ପରିବାରର ଦୁଃଖ ଯିବ ଅପସରି। ଏ ପ୍ରକାର ମତ ଅଥବା ଯୁକ୍ତି ଅକାଟ୍ୟ। ଦେଶର ମୋଟ ଜନସଂଖ୍ୟାର ଅର୍ଦ୍ଧେକ ହେଉଛନ୍ତି ମହିଳା। ଅର୍ଦ୍ଧେକ ଲୋକ ଯଦି ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇ ରହିବେ ତେବେ ଦେଶ ଉଧେଇବା ସମ୍ଭବ ନୁହେଁ। ତଥାପି ବହୁ ଲୋକଙ୍କର ମତ ସମ୍ପୂର୍ଣ୍ଣ ସାଧୀନତା ନାରୀକୁ ସଂସ୍କାରୀ କରିପାରେନା। ଏହା ସୁଗୃହିଣୀ ହେବାର ପରିପନ୍ଥୀ। ଏମାନେ ଭୁଲିଯାଆନ୍ତି ନାରୀ ସୁଯୋଗ ପାଇଲେ ସେ ନିଜକୁ ଯୋଗ୍ୟା କରି ଗଢ଼ିପାରେ। ଅବଶ୍ୟ ବହୁ ଲୋକଙ୍କର ଦୃଷ୍ଟିଭଙ୍ଗୀ ବଦଳିଲାଣି। ସେମାନଙ୍କୁ ଶିକ୍ଷିତା କରିବା ଏବଂ ରୋଜଗାର କରିବା ନିମନ୍ତେ ସୁଯୋଗ ଦେଲେଣି। କିନ୍ତୁ ବିଡ଼ମ୍ବନା ହେଉଛି ଝିଅ ପାଇଁ ଆମର ଯେଉଁ ଆଭିମୁଖ୍ୟ ରହୁଛି ବୋହୂ ପାଇଁ ତାହା ରହୁନାହିଁ। ପ୍ରତ୍ୟେକ ବାପା ମାଆ ଚାହୁଁଛନ୍ତି ଝିଅ ପାଠ ପଢୁ। ନିଜ ଗୋଡ଼ରେ ନିଜେ ଛିଡ଼ା ହେଉ। କିନ୍ତୁ ବୋହୂ ଚାକିରି ନ କରୁ। ସେ ବାହାରକୁ ଚାକିରି କରିବାକୁ ଗଲେ ଘର ସମ୍ଭାଳିବ କିଏ?
ଅବିବାହିତ ବେଳେ ଝିଅକୁ ବାପା ମାଆ ଭାଇଙ୍କ କଥା ମାନି ଚଳିବାକୁ ପଡ଼େ। ବିବାହ ପରେ ସ୍ବାମୀ, ଶାଶୁ, ଶ୍ୱଶୁରଙ୍କ କଥା ନ ମାନିଲେ ନିନ୍ଦା ଅପବାଦ ମୁଣ୍ଡାଇବାକୁ ହୁଏ। ଘର ଅଛି ବୋହୂକୁ ଚାକିରି କରିବାକୁ ଅନୁମତି ଦିଅନ୍ତି ନାହିଁ। ଏପରି କି ଅନେକ କ୍ଷେତ୍ରରେ ଚାକିରି ଛାଡ଼ିବା ପାଇଁ ଚାପ ଦିଅନ୍ତି। ଯଦି ପୁଅ ଚାକିରି କରିଥାଏ ତେବେ ଯୁକ୍ତି ଉଠେ ପୁଅ ବୋହୂ ଉଭୟ ଯଦି ଚାକିରି କରିବେ ତେବେ ଛୁଆର ଯତ୍ନ ନେବ କିଏ ? ପୁଣି ଯଦି ଚାକିରି କରିବେ ତେବେ ଶିକ୍ଷକ କିମ୍ବା ବ୍ୟାଙ୍କ ଚାକିରି ହେଲେ ଚଳିବ। ଆଉ କିଛି ପରିବାର ଏମିତି କଥା କୁହନ୍ତି ଯେମିତି ‘ସାପ ମରିବ ବାଡି ଭାଙ୍ଗିବନି’ -ଯଦି ସବୁକିଛି ମ୍ୟାନେଜ କରିପାରିବେ ତେବେ କରନ୍ତୁ। ଅର୍ଥାତ୍‌ ଅଫିସ କାମ, ଘରର ସବୁ କାମ କରିବାକୁ ପଡ଼ିବ। ଅଫିସରୁ ଘରକୁ ଫେରିବା ଟିକିଏ ଡେରି ହୋଇଗଲେ ନାନାଦି କୈଫିୟତର ଉତ୍ତର ଦେବାକୁ ହେବ। ଉତ୍ତର ସନ୍ତୋଷଜନକ ହେଲେ ଭଲ, ନ ହେଲେ ସ୍ବାମୀ ମନରେ ଅଯଥା ସନ୍ଦେହର ଦାନା ବାନ୍ଧିବ। ତା’ପରେ ଅଶାନ୍ତି, ପାରିବାରିକ କଳହ। ଶେଷରେ ବିବାହ ବିଚ୍ଛେଦ ପର୍ଯ୍ୟନ୍ତ କଥା ଯାଉଛି।
ଆମ ବିଚାର ସବୁବେଳେ ବଦଳି ଯାଉଛି। ଝିଅ ହୋଇଥିଲେ ଅଫିସରୁ ଫେରି ଘରେ ପାଦ ଦେଉ ନ ଦେଉଣୁ ମାଆ ବାପା କହିବେ -ଯାଆ ଗୋଡ଼ ହାତ ଧୋଇ ବିଶ୍ରାମ ନେବୁ। ବୋହୂ ହୋଇଥିଲେ ଲୁଗା ବଦଳୁ ନ ବଦଳୁ ଶ୍ୱଶୁର କହିବେ- ଟିକିଏ ଚା’ ପିଇବା ପାଇଁ କେତେବେଳଠୁ ଅପେକ୍ଷା କରିଛି। ଶାଶୁ କହିବେ ନାତି ଟୋକାଟା ସ୍କୁଲରୁ ଫେରି କିଛି ଖାଇନି। ତା’ ପାଇଁ ଜଳଖିଆ ପ୍ରସ୍ତୁତ କରିଦିଅ। ଆଉ ଟିକିଏ ପରେ ପୁଅ ଅଫିସରୁ ଫେରିବ। ତା’ ପାଇଁ କିଛି ପ୍ରସ୍ତୁତ କରି ରଖ। କେହି ଭାବନ୍ତି ନାହିଁ ତା’ର ବି ଦେହ ପା’ ଅଛି। ତାକୁ ବି ଥକା ଲାଗିବା ସ୍ବାଭାବିକ। ତା’ର ମଧ୍ୟ ଟିକିଏ ବିଶ୍ରାମ ଲୋଡ଼ା। ଅଦ୍ଭୁତ ଏ ସମାଜ। ବିଚିତ୍ର ବିଚାର।
ଝିଅଟିଏ ଯେତେବେଳେ ବଧୂ ବେଶରେ ଅପରିଚିତ ମଣିଷ ମାନଙ୍କ ସହିତ ନୂତନ ଘର ସଂସାର କରିବା ପାଇଁ ପାଦ ବଢ଼ାଏ ସେତେବେଳେ ନିଜ ମାଆ ବାପା, ବନ୍ଧୁବାନ୍ଧବ, ଆତ୍ମୀୟସ୍ବଜନ, ସାଙ୍ଗ ସାଥୀ ସଭିଏଁ ଶାଶୁ ଘରେ ଚଳିବାର ଆଦବ କାଇଦା ଶିଖାନ୍ତି। କେହି କେବେ ଶୁଣିଛନ୍ତି ଏହି ଗୁରୁମନ୍ତ୍ର ଦେବାବେଳେ କହୁଥିବା, ବାପ ଘରେ ଯେମିତି କହିବାର ଅଧିକାର ଥିଲା ସେଠାରେ ମଧ୍ୟ ସେ ସମାନ ଅଧିକାର ପାଇବ? ସ୍ବାଧୀନତା ରହିବ କହିବାରେ, ମତ ବିନିମୟରେ, ଚାଲିଚଳନରେ, ବୁଲି ଯିବାରେ। ପରନ୍ତୁ ସଭିଏଁ କହନ୍ତି ମାପିଚୁପି ଚଳିବୁ। ଯିଏ ଯାହା କହୁ ସହିଯିବୁ। ବଡ଼ମାନଙ୍କ ଆଖିରେ ଆଖି ମିଶାଇ କଥା ହେବୁ ନାହିଁ। ଏ ଘର ଏବଂ ଘରର ଲୋକମାନେ ଏଣିକି ତୋ ପାଇଁ ପର। ଯେଉଁ ଘରକୁ ଯାଉଛୁ ସେ ଘର ତୋର। ସେଠାକାର ଲୋକମାନେ ତୋର ନିଜର। ଯେତେ ମାନି ନେଇପାରିବୁ ସେତେ ନିଜର କରିପାରିବୁ। ଆଦର ପାଇବୁ। ତେଣିକି ଶାଶୁ ଘରର ଇଚ୍ଛାର ଲଗାମଟା ଏମିତି ତା’ ବେକରେ ବନ୍ଧା ହୋଇଯାଏ ଯେ ନିଜ ମନର ଘୋଡ଼ାଟା ବଳେବଳେ ପୋଷା ବନିଯାଏ। ପିଞ୍ଜରା ଭିତରର ଶାରୀ ପାଲଟି ଯାଏ।
ଅବଶ୍ୟ ଆଜିକାଲି ବୋହୂ ଝିଅ ଉଚ୍ଚଶିକ୍ଷିତା ହୋଇ ଚାକିରି କଲେଣି। କିନ୍ତୁ ଦାୟିତ୍ୱ ଓ କର୍ତ୍ତବ୍ୟର ଲଢ଼େଇ ଭିତରେ ସେମାନେ ଅଣନିଃଶ୍ୱାସୀ ହୋଇପଡ଼ନ୍ତି। କେବଳ ଚାକିରିଆ କ୍ଷେତ୍ରରେ ଏହି ସଂକଟ ଉପୁଜେ ନାହିଁ। ନାରୀଟିଏ ବାହାର କାର୍ଯ୍ୟରେ ମନ ବଳାଇଲେ ସମସ୍ୟା ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି। ଯେଉଁ ପରିବାରରେ ପ୍ରଗତିଶୀଳ ଚିନ୍ତନ ଅଛି, ନାରୀ ପୁରୁଷ ମଧ୍ୟରେ ରକ୍ଷଣଶୀଳତାର ଲକ୍ଷ୍ମଣରେଖା ନାହିଁ ସେଠାରେ ଏହି ସମସ୍ୟା ହୁଏତ ଉପୁଜେ ନାହି। କିନ୍ତୁ ବିଶେଷ କରି ମଧ୍ୟବିତ୍ତ ତଥା ନିମ୍ନ ମଧ୍ୟବିତ୍ତ ପରିବାରରେ ଏହି ଲିଙ୍ଗଗତ ବୈଷମ୍ୟ ଉତ୍କଟ। ଅପରପକ୍ଷେ ଆମ ଦେଶରେ ଯେଉଁମାନେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ଅତ୍ୟନ୍ତ ଦୁର୍ବଳ ସେଠାରେ ନାରୀ ନିମନ୍ତେ ଏମିତି ପ୍ରତିବନ୍ଧକ ନ ଥାଏ। ରୋଜଗାର କରିବା ପାଇଁ ବାହାରକୁ ଗଲେ ଅଗ୍ନି ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼େ ନାହିଁ। ନାରୀ ଓ ପୁରୁଷ ମଧ୍ୟରେ ସହଯୋଗ, ସଦ୍‌ଭାବନା ଓ ସଦାଚାର ଅନ୍ୟମାନଙ୍କ ପାଇଁ ଶିକ୍ଷଣୀୟ ନୁହେଁ କି?
ଆମ ମାନସିକତାରେ ପରିବର୍ତ୍ତନ ଆସିବା ଦରକାର। ବାପାମାଆ ଓ ଝିଅ ଭିତରେ ଯେଉଁ ଆବେଗିକ ସମ୍ପର୍କ ଗଢ଼ି ଉଠେ ଶାଶୁ ଶ୍ୱଶୁର ଓ ବୋହୂ ମଧ୍ୟରେ ସେହି ଅବିକଳ ସମ୍ପର୍କର ସେତୁ ସର୍ଜନା ହେବା ଆବଶ୍ୟକ। ଉଭୟ ନାରୀ ଓ ପୁରୁଷର ସବୁଥିରେ ସହଭାଗିତା ସୁସ୍ଥ ପରିବାର ଗଠନରେ ସହାୟକ ହେବ, ଯାହା ସମାଜକୁ ଠିକ୍‌ ମାର୍ଗରେ ଆଗେଇ ନେବ।
ପ୍ରାକ୍ତନ ଯୁଗ୍ମ ସାଧାରଣ ସମ୍ପାଦକ, ଓଷ୍ଟା, ମୋ-୭୦୦୮୦୭୩୫୯୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

ଅଦେଖା ଆଖି

ଆଜିକାଲି ସୁବିସ୍ତୃତ ଭୂମି ଉପରେ କିଛି ଅଧିକୃତ ସ୍ଥାନରେ କାହିଁ କେତେ ବାସଗୃହ ନିର୍ମିତ ହୋଇଛି ଏବଂ ହେଉଛି ମଧ୍ୟ। କେଉଁଠି ବାସଗୃହ ବା ଘରଟି ଏକ…

ପୃଥୁଙ୍କ ଗାଈ, ଅଶୋକଙ୍କ ସିଂହ

ପ୍ରାୟ ଏକ ହଜାର ବର୍ଷ ପୂର୍ବେ ରାଜଶେଖର ‘କାବ୍ୟମୀମାଂସା’ ରଚନା କରିଥିଲେ। ସେତେବେଳେ ଆର୍ଯ୍ୟାବର୍ତ୍ତ ହିମାଳୟଠାରୁ ବିନ୍ଧ୍ୟ ପର୍ବତମାଳା ପର୍ଯ୍ୟନ୍ତ ବିସ୍ତୃତ ଥିଲା। ପୂର୍ବ ଓ ପଶ୍ଚିମ…

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?