ଜଳାଭିଷେକ ଓ ବୃକ୍ଷ ଉପାସନା

ଡ. ପ୍ରଫୁଲ୍ଲ କୁମାର ସାହୁ

 

ଭାରତୀୟ ଲୋକ ଚିନ୍ତନରେ ଆନନ୍ଦ ଓ ଅନାଶକ୍ତିର ପ୍ରତୀକ ମଙ୍ଗଳମୟ ଶିବ। ତାଙ୍କୁ ତୋଷ କରିବାର ସହଜ ଉପାୟଟି ହେଉଛି ଜଳାଭିଷେକ। ଶୈବ ମତରେ ଶ୍ରାବଣ ମାସ ହିଁ ଜଳାଭିଷେକର ପ୍ରକୃଷ୍ଟ ସମୟ। ତେଣୁ ଶ୍ରାବଣ ଆସିବା ମାତ୍ରେ ଆରମ୍ଭ ହୋଇଯାଏ ଜଳାଭିଷେକ ପର୍ବ। କାଉଡି କାନ୍ଧେଇ ରାସ୍ତାରେ ଭିଡ ଲଗାନ୍ତି ଦଳଦଳ ବୋଲବମ ଭକ୍ତ। ପିମ୍ପୁଡି ଧାର ପରି ଚାଲୁଥିବା ଏହି ଗେରୁଆ ପିନ୍ଧା ଭକ୍ତଙ୍କୁ ଦେଖି ମନରେ ସ୍ବତଃ ପ୍ରଶ୍ନ ଉଠେ, ବାସ୍ତବରେ ଏହା ଆଧ୍ୟାତ୍ମିକ ଉଦ୍‌ବେଳନ ନା ଆବେଗିକ ବିଭ୍ରାନ୍ତି? ଭାକ୍ତିକ ଉଚ୍ଛାସ ନା ତାମସିକ ଉନ୍ମାଦନା? ଶାସ୍ତ୍ରୀୟ ନା କାଳ୍ପନିକ? କେଉଁଠି ଅଛି ତା’ର ଉତ୍ସ?
ସାରା ଭାରତରେ ଶୈବ ଉପାସନାର ଆଦୃତି ଓ ବିସ୍ତୃତିକୁ ନେଇ ଓଡ଼ିଶାର ପ୍ରାୟତଃ ପ୍ରତି ଗାଆଁରେ ଗଢ଼ି ଉଠିଛି ଶିବ ମନ୍ଦିର। ଗାଁ ଲୋକେ ବିଶେଷକରି ମହିଳାମାନେ ପ୍ରତି ସୋମବାର ମନ୍ଦିରକୁ ଯାଇ ମହାଦେବଙ୍କୁ ଦର୍ଶନ କରିବା ଏକ ସାଧାରଣ କଥା। ଶ୍ରାବଣ ସୋମବାରର ଜଳାଭିଷେକ କରିବା ଧାରା ମଧ୍ୟ ପ୍ରାଚୀନ। କିନ୍ତୁ ତାହା ଥିଲା ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଓ ନିରାଡ଼ମ୍ବର। ପରବର୍ତ୍ତୀ ସମୟରେ ଅର୍ଥାତ୍‌ ଏଇ ତିନି ଚାରି ଦଶନ୍ଧି ପୂର୍ବରୁ ବୋଲବମ ପରମ୍ପରା ଓଡ଼ିଶାକୁ ଆମଦାନୀ ହୋଇ ଆସିଲା ପରେ ବଦଳିଗଲା ଚିତ୍ର। ପ୍ରାରମ୍ଭିକ ଅବସ୍ଥାରେ କାଉଡ଼ିବାଲାଙ୍କ ସଂଖ୍ୟା ଥିଲା ନଗଣ୍ୟ। ରାସ୍ତାରେ ଜଣେ ଅଧେ କେହି ପାଣି ଭାର ଧରି ଯାଉଥିଲେ ଏବଂ ତାଙ୍କୁ ବାଟଗଲା ଲୋକ ଚାହୁଁଥିଲେ କୌତୂହଳରେ। ବିଭିନ୍ନ ଭାବରେ ପ୍ରୋତ୍ସାହନ ପାଇ ବର୍ଷକୁ ବର୍ଷ ବଢ଼ିବାକୁ ଲାଗିଲା ସେମାନଙ୍କ ସଂଖ୍ୟା। ଏବେ ପରିସ୍ଥିତି ଏମିତି ହୋଇଛି ଯେ ଶହେ କି ହଜାରରେ ନୁହେଁ, ଲକ୍ଷ ଲକ୍ଷକୁ ନେଇ ଚାଲିଛି ସେମାନଙ୍କ ଗଣତି। ଏମାନେ ଦଳବଦ୍ଧ ହୋଇ ଯାଉଛନ୍ତି ମହାଆଡମ୍ବରରେ। କାଉଡି କାନ୍ଧେଇ ଖାଲି ପାଦରେ ମାଇଲ ମାଇଲ ବାଟ ଚାଲିବା କିଛି ସହଜ କଥା ନୁହେଁ ସତ, କିନ୍ତୁ ନିକଟରେ ଥିବା ଶୈବ ପୀଠରେ ଜଳାଭିଷେକ ନ କରି ଏ ଦୂରନ୍ତ ଯାତ୍ରା କାହିଁକି? କ’ଣ ପାଇଁ ଆଗ୍ରହ ଓ ଦୁଃସାହସିକତା? ଏହା ଅଭୀଷ୍ଟ ସାଧନ ନିମନ୍ତେ ଭକ୍ତର ଏକନିଷ୍ଠ ସାଧନା ନା ନିଜର ଅନ୍ଧବିଶ୍ବାସଜନିତ ଉଦ୍ଦଣ୍ଡପଣ? କେହି କେହି କହନ୍ତି ବୋଲବମ ଯାତ୍ରା ଅନ୍ତରାଳରେ ରହିଛି ଜଣେ ନିରୁତା ଭକ୍ତର ଆବେଗ, ଆତ୍ମବିଶ୍ବାସ ଓ ଆତ୍ମନିବେଦନ? କିନ୍ତୁ ବୁଝିହୁଏ ନାହିଁ ସେମାନଙ୍କ ‘ଚିଲମଧାରୀ ପାର୍‌ କରେଗା’ ଓ ‘ଗଣେଶ ଫାଦର ପାର୍‌ କରେଗା’ ଆଦି ନାରା ଅଭୀଷ୍ଟ ଦେବତାଙ୍କ ପ୍ରତି ଆବେଦନ ନା ତାଚ୍ଛଲ୍ୟପୂର୍ଣ୍ଣ ସମ୍ବୋଧନ? ହୃଦୟଭର୍ତ୍ତି ଶ୍ରଦ୍ଧା ନିବେଦନ ନା ଅପସଂସ୍କୃତିର ନିର୍ଲଜ୍ଜପଣ? ଉଚ୍ଚ ସ୍ବରରେ ମାଇକ ବଜେଇ ଯାତ୍ରା କରିବା ପଛରେ କ’ଣ ଥାଏ, ଆଧ୍ୟାତ୍ମିକତା ନା ଅନାଚାର? ଭକ୍ତି ନା ମସ୍ତି।
କୁହାଯାଏ ଯେଉଁଠି ଜୀବ, ସେଇଠି ଶିବ। ଜୀବ କଲ୍ୟାଣ ହିଁ ଶିବ ଆରାଧନା। ତାହା ହିଁ ପୁଣ୍ୟ ପ୍ରାପ୍ତିର ପ୍ରକୃଷ୍ଟ ପଥ ବା ପନ୍ଥା। ଜଳାଭିଷେକରେ ଆଶୁତୋଷ ଯେତିକି ତୋଷ ହୁଅନ୍ତି ତା’ଠାରୁ ବେଶି ତୋଷ ହୁଅନ୍ତି ଜୀବ ଜଗତ କଲ୍ୟାଣ ବିଧାନରେ। ଅର୍ଥାତ୍‌ ଶୈବତତ୍ତ୍ବ କେବଳ ଏକ ଦାର୍ଶନିକ ପ୍ରଜ୍ଞା ନୁହେଁ, ବ୍ୟକ୍ତି ତଥା ସମାଜ ଜୀବନର ଏକ ଦୃଷ୍ଟିକୋଣ। ଏହାର ବ୍ୟବହାରିକ ଦିଗଟି ବେଶ୍‌ ବିବିଧ ଓ ବ୍ୟାପକ। ଏହି ଦୃଷ୍ଟିରୁ ବିଚାର କଲେ ପାର୍ଥିବ ଜଗତରେ ବୃକ୍ଷ ହିଁ ଶିବଙ୍କର ଅମୃତ ଅବତାର। ଜଗତ କଲ୍ୟାଣର ସୂତ୍ରଧର। ଶିବ ଯେମତି ହଳାହଳ ବିଷକୁ ଆକଣ୍ଠ ପାନ କରି ସଂସାରକୁ ରକ୍ଷା କରିଥିଲେ, ବୃକ୍ଷ ସେମିତି ଗରଳ ତୁଲ୍ୟ ଅଙ୍ଗାରକାମ୍ଳକୁ ଶୋଷି ଚାଲିଛି ଜୀବଜଗତର ମଙ୍ଗଳ ପାଇଁ। ଏହି ମର୍ମରେ ଜଳାଭିଷେକ ଯଦି ଔପଚାରିକତା ହୁଏ, ତା’ର ବାସ୍ତବବାଦୀ ଦିଗଟି ହେଉଛି ବୃକ୍ଷରୋପଣ ଓ ଯତ୍ନର ସହ ଜଳ ସିଞ୍ଚନ।
ବୈଶାଖ ମାସରେ ଜଳାଭାବରୁ ଚଉଁରାରେ ଥିବା ତୁଳସୀ ଗଛକୁ ବଞ୍ଚାଇ ରଖିବା ପାଇଁ ବାଉଁଶ ଠେକରା ଦେଇ ସଚ୍ଛିଦ୍ର ଜଳପୂର୍ଣ୍ଣ ଠେକି ବାନ୍ଧିବା ତଥା ବର ଓ ଅଶ୍ବସ୍ତ ଆଦି ଗଛ ମୂଳରେ ପାଣି ଢାଳିବା ଆମ ସଂସ୍କୃତିର ଏକ ଅମୂଲ୍ୟ ବିଭବ। ଜଳାଭିଷେକ ଏକ ସୁନ୍ଦର ପ୍ରତୀକ। ଯେଉଁମାନେ ଏହାର ଅର୍ଥ ବୁଝିନାହାନ୍ତି କି ଚଉଁରାରେ କେବେ ପାଣି ଢାଳିନାହାନ୍ତି, ଜଳ ବହୁଳ ଶ୍ରାବଣ ମାସରେ ମହାଦେବଙ୍କ ମଥାରେ ପାଣି ଢାଳିବା ପାଇଁ ସେହିମାନଙ୍କର ବ୍ୟାକୁଳତା ବେଶି ? ଏହା ଏକ ଧର୍ମୀୟ ଉନ୍ମାଦନା ନା ଚତୁର ବଣିକ ଓ ଧର୍ମ ବେପାରୀଙ୍କ କୌଶଳପୂର୍ଣ୍ଣ ଆୟୋଜନ?
ଯାତ୍ରା ଆରମ୍ଭରୁ କାଉଡ଼ିଆ ଆବଶ୍ୟକ କରେ ସୁସଜ୍ଜିତ ବାହୁଙ୍ଗି, ଗେରୁଆ ଗାମୁଛା, ଗେରୁଆ ଗେଞ୍ଜି, ଶିକା ଓ ପିତଳ ଗଡୁ ଇତ୍ୟାଦି, ଯାହାର ସର୍ବନିମ୍ନ ବଜାର ମୂଲ୍ୟ ହଜାରେ ଟଙ୍କାରୁ ଅଧିକ। ଗଣମାଧ୍ୟମରେ ପ୍ରକାଶିତ ଏକ ଆକଳନ ଅନୁଯାୟୀ, ଓଡ଼ିଶାରେ ବାର୍ଷିକ ବୋଲବମ ଯାତ୍ରୀଙ୍କ ସଂଖ୍ୟା ପଚିଶ ଲକ୍ଷରୁ ଅଧିକ । ଅର୍ଥାତ୍‌ ବୋଲବମ ଯାତ୍ରୀଙ୍କ ପାଇଁ ବାର୍ଷିକ ବେପାରର ପରିମାଣ ଅତି କମ୍‌ରେ ଦୁଇଶହ ପଚାଶ କୋଟି (୧ହଜାରx୨୫ ଲକ୍ଷ) ଟଙ୍କା। ଅନ୍ୟପକ୍ଷରେ ଯାହା ସୌଜନ୍ୟରୁ ହେଉନା କାହିଁକି, ବାଟସାରା ବୋଲବମ ଭକ୍ତଙ୍କୁ ଯୋଗାଇ ଦିଆଯାଏ ନିଃଶୁଳ୍କ ସେବା। ସେମାନଙ୍କ ବିଶ୍ରାମ ପାଇଁ ରାସ୍ତା କଡ଼ରେ ତମ୍ବୁ, ଚାଳିଆ ନିର୍ମାଣ ହୁଏ ଏବଂ ସେଠାରେ ବିତରଣ କରାଯାଏ ଅରୁଆ ଅନ୍ନ ଓ ଡାଲମା। କେତେକ ଶିବିରରେ ଗଞ୍ଜେଇ ଓ ଚିଲମ ଦିଆଯାଏ ମାଗଣାରେ। କିଏ କ’ଣ ଦେଲା ବା କିଏ କେତେ ଲାଭ ଖାଇଲା ତାହା ଏକ ଭିନ୍ନ ପ୍ରସଙ୍ଗ। କିନ୍ତୁ ବିଚରା ବୋଲବମ ଯାତ୍ରୀ ପାଏ କ’ଣ? ସେ ଟଙ୍କା ଖର୍ଚ୍ଚ କରି ଆବଶ୍ୟକ ସାମଗ୍ରୀ କିଣେ,ପାଣି ଉଠାଇବା ଓ ଢାଳିବା ଉଭୟ ଜାଗାରେ ନନାର ଦାବି ଅନୁସାରେ ବିଦାକି ଦିଏ ଏବଂ ଶେଷରେ ମାଇକ ଓ ଗାଡି ଭଡ଼ା ଦେଇ ଘରକୁ ଫେରେ ଫୋଟକା ଗୋଡ଼ରେ।
ବୋଲବମ ଭକ୍ତଙ୍କ ଗହଳି ପାଇଁ ଅନେକ ସ୍ଥାନରେ ସୃଷ୍ଟି ହେଉଛି ଟ୍ରାଫିକ୍‌ ସମସ୍ୟା। ପୋଲିସ ରାତି ଦିନ ଜଗିବା ସତ୍ତ୍ବେ କେଉଁଠି ରାସ୍ତା ଦୁର୍ଘଟଣା ହେଉଛି ତ କେଉଁଠି ଦଳାଚକଟାରେ ଯାଉଛି ଲୋକଙ୍କ ଜୀବନ। ବସ୍‌ ଓ ରେଳଗାଡ଼ିରେ ଏମାନଙ୍କ ଗହଳି ଯୋଗୁ ଅସୁବିଧାର ସମ୍ମୁଖୀନ ହେଉଛି ସାଧାରଣ ଯାତ୍ରୀ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବୋଲବମ ଯାତ୍ରା ପାଇଁ ନଷ୍ଟ ହେଉଛି ଲକ୍ଷ ଲକ୍ଷ ଶ୍ରମ ଦିବସ। ଅନ୍ୟ ଏକ ଉଲ୍ଲେଖନୀୟ ବିଷୟ ହେଉଛି ଜଳାଭିଷେକ ନାଁରେ ଦେଶର ପ୍ରକୃତ ସମସ୍ୟାଠାରୁ ଦୂରେଇ ଯାଉଛି ଦେଶର ଯୁବଶକ୍ତି।
ଭାବିଲେ ଦେଖି ଓଡ଼ିଶାରେ ବୋଲବମ ଯାତ୍ରା ନାଁରେ ନଷ୍ଟ ହେଉଥିବା ଅର୍ଥ ଓ କର୍ମ ଦିବସ କଥା? ବୋଲବମ ଯାତ୍ରାରେ ଶ୍ରମଶକ୍ତି ଅପଚୟ କରୁଥିବା ଭକ୍ତମାନେ ବୃକ୍ଷକୁ ଶିବଙ୍କ ଅବତାର ଭାବି ଯଦି କିଛି ଶ୍ରମ ଓ ସମୟ ବନୀକରଣ ଦିଗରେ ବିନିଯୋଗ କରନ୍ତେ, ତେବେ କ’ଣ ସବୁଜିମାରେ ଭରି ଯାଆନ୍ତାନି ଆମ ପରିବେଶ? ଏହି ପରିପ୍ରେକ୍ଷୀରେ ଆମ ଆଗରେ ଦୁଇଟି ରାସ୍ତା-ଏ ପାଖରେ ଜଳାଭିଷେକର ଔପଚାରିକତା ଓ ଅନ୍ୟ ପାଖରେ ଜନମଙ୍ଗଳ ଓ ପରିବେଶ ସୁରକ୍ଷା। ଆମକୁ ଗୋଟିଏ ରାସ୍ତା ବାଛିବାକୁ ପଡ଼ିବ ବିବେକକୁ ଅଗ୍ରାଧିକାର ଦେଇ।
ଅବସରପ୍ରାପ୍ତ ଅଧ୍ୟକ୍ଷ, ବିଜୁ ପଟ୍ଟନାୟକ ନଗର, ଭଦ୍ରକ
ମୋ:୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁର ରାଜତାରକା

ଭାରତସାରା ଚର୍ଚ୍ଚା ହେଉଛି ଯେ ଦୁଇବର୍ଷ ତଳେ ରାଜନୈତିକ ଦଳ ତାମିଲାଗା ଭେଟ୍ରି କାଜାଗମ୍‌ (ଟିଭିକେ) ଗଢ଼ି ଅଭିନେତାରୁ ରାଜନେତା ପାଲଟିଥିବା ଚନ୍ଦ୍ରଶେଖରନ୍‌ ଯୋଶେଫ୍‌ ବିଜୟ ଗ୍ରୀନ୍‌…

ନିର୍ବାଚନ ପ୍ରକ୍ରିୟାରେ ଭୋଟର

”ଆଜିକାଲି ଜଣେ ଗୃହହୀନ ବ୍ୟକ୍ତିଙ୍କ ବାସସ୍ଥାନର ଆବଶ୍ୟକତା ପୂରଣ କରିବାକୁ ହେଲେ ବିଏଲ୍‌ଓ (ବୁଥ ସ୍ତରୀୟ ଅଧିକାରୀ) ରାତିରେ ଯାଇ ସେହି ବ୍ୟକ୍ତି ପ୍ରକୃତରେ ତାଙ୍କ ପ୍ରଦତ୍ତ…

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

ଯୁକ୍ତିଯୁକ୍ତ ଦୃଷ୍ଟିକୋଣ

ଭାରତର ସଦ୍ୟତମ ବାବୁ ଅଦଳବଦଳ ପ୍ରକୃତରେ ବଦଳି କିମ୍ବା ନିଯୁକ୍ତି ବିଷୟକୁ ନୁହେଁ, ବରଂ ନୂଆଦିଲ୍ଲୀର ଶାସକୀୟ ଦୃଷ୍ଟିକୋଣର ଏକ ଗଭୀର ପରିବର୍ତ୍ତନକୁ ସୂଚିତ କରୁଛି। ସୂତ୍ରରୁ…

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଏକ ମରୁଡ଼ିପ୍ରବଣ ଅଞ୍ଚଳ। ବର୍ଷାଦିନ ପରେ ଏଠାରୁ ଭାରଓ୍ବାଡ ଯାଯାବର ସମ୍ପ୍ରଦାୟର ଲୋକେ ଗୃହପାଳିତ ପଶୁଙ୍କୁ ନେଇ ଅନ୍ୟ ଚାରଣଭୂମି ଅଞ୍ଚଳକୁ ଚାଲିଯାଆନ୍ତି। ସେମାନେ…

ପ୍ରକୃତିର ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ଦ୍ୱିତୀୟ ପାଦ ସୂତ୍ର ସଂଖ୍ୟା-୧୮ରେ କୁହାଯାଇଛି, ”ପ୍ରକାଶ କ୍ରିୟା ସ୍ଥିତି ଶୀଳଂ ଭୂତେନ୍ଦ୍ରିୟାତ୍ମକଂ ଭେଗାପବର୍ଗାଥଂ ଦୃଶ୍ୟମ“। ଏହାର ଅର୍ଥ ହେଲା ପ୍ରକାଶ, କ୍ରିୟା…

ସବୁଜ ସାଧକ କାଳିନ୍ଦୀ ଚରଣ

ଜନ୍ମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ୍‌ ମାନ, ଆମ ଝିଅବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ“। କବିତାରେ ସର୍ବହରା ମଣିଷର ଏହି ଇସ୍ତାହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri