ମାଛ ତ ଏତେ, ଶୁଖୁଆ କେତେ

ପୁଷ୍ପାରାଣୀ ମିଶ୍ର

ସୃଷ୍ଟିର ଅୟମାରମ୍ଭରୁ ମାନବ ସମାଜଟିଏ ଗଢ଼ି ବଞ୍ଚିବା ଶିଖିଛି, ହିଂସ୍ରଜନ୍ତୁଙ୍କ ଭୟରେ ଗିରିକନ୍ଦରରେ ମଧ୍ୟ ଦଳଗତ ଜୀବନ ବିତାଇଛି। ତେଣୁ ଭଲ ଫଳ ମୂଳଟିଏ ପାଇଲେ ତାକୁ ପରିବାର ପରିଜନଙ୍କ ସହିତ ବାଣ୍ଟିଖାଇବା ହେଲା ତା’ର ଏକ ଆଦିମ ପ୍ରବୃତ୍ତି, କିନ୍ତୁ ପରବର୍ତ୍ତୀ କାଳରେ ତା’ର ଭଗବତ୍‌ ବିଶ୍ୱାସ ଉଦ୍ରେକ ହେବା ହେତୁ, ନିଜର ଖାଦ୍ୟକୁ ସେ ପ୍ରଥମେ ତା’ର ଆରାଧ୍ୟ ଦେବଦେବୀଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିବାର ଏକ ପରମ୍ପରା ସୃଷ୍ଟିକରି ପାରିଛି। ଠିକ୍‌ ସେତିକି କଥାକୁ ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି- ପତ୍ରଂ ପୁଷ୍ପଂ ଫଳଂ ତୋୟଂ ଯୋମେ ଭକ୍ତ୍ୟା ପ୍ରଯଚ୍ଛତି। ମଧ୍ୟଯୁଗୀୟ ପ୍ରଜାମାନେ ରାଜ୍ୟର ରାଜାଙ୍କୁ ଦ୍ୱିତୀୟ ଈଶ୍ୱର ରୂପେ ମଣୁଥିଲେ। ଅତଏବ ରାଜଦରବାରକୁ ଗଲାବେଳେ ଶୂନ୍ୟହସ୍ତରେ ନ ଯାଇ, ସାମର୍ଥ୍ୟ ଅନୁ୍‌ଯାୟୀ କିଛି ଉପଢ଼ୌକନ ଧରି ଯାଉଥିଲେ; ଯାହାକୁ ଭେଟି ବୋଲି କୁହାଯାଉଥିଲା। ଗଣତନ୍ତ୍ର ଶାସନରେ ମନ୍ତ୍ରୀମାନେ ଯେତେବେଳେ ରାଜାଙ୍କ ସ୍ଥାନ ଜନମାନସରେ ଅକ୍ତିଆର କରିନେଲେ ସେମାନଙ୍କ ଉପରେ ମଧ୍ୟ ପାରମ୍ପରିକ ରୀତିରେ ଭେଟି ଉପହାର, ଉପଢ଼ୌକନର ବର୍ଷା ହୋଇଚାଲିଲା। ଗାନ୍ଧୀ, ଗୋପବନ୍ଧୁଙ୍କ ପରି ଦେଶପ୍ରେମୀ ନେତାଙ୍କୁ ମଧ୍ୟ ଲୋକେ ଉପହାର ଦେଉଥିବା ନଜିର ଅଛି। କିନ୍ତୁ ଏ ସବୁ ସ୍ବତଃସ୍ଫୂର୍ତ୍ତ ଥିଲା । ଦାତାଙ୍କ ଦାନକୁ ଗ୍ରହୀତା ଅକୁଣ୍ଠଚିତ୍ତରେ ଗ୍ରହଣ କରୁଥିଲେ। ଧୀରେ ଧୀରେ ଏହାର ପରିଭାଷା ବଦଳିଗଲା। ଉପହାର ଗ୍ରହୀତାମାନେ ଲୋଭର ବଶବର୍ତ୍ତୀ ହୋଇ ଅଧିକରୁ ଅଧିକ ଉପହାର ଦାବି କଲେ ଏବଂ ଉପହାର ସଂଗ୍ରହର ଦାୟିତ୍ୱ ନିଜର ଦରବାରୀ, ବିଶ୍ୱସ୍ତ କର୍ମଚାରୀ(ଯୁଗର ଚେଲାଚାମଣ୍ଡା)ଙ୍କ ଉପରେ ନ୍ୟସ୍ତ କଲେ। ଯେତେବେଳେ ଉପହାରର ରୂପକଳ୍ପ ନଗଦ ନାରାୟଣରେ ପରିବର୍ତ୍ତିତ ହେଲା ତାକୁ ଆମେ ଲାଞ୍ଚ ନାମରେ ଅଭିହିତ କଲେ। ଦେଣନେଣକୁ ସୁଚାରୁ ରୂପେ ଗୁପ୍ତରେ ସମ୍ପାଦନ କରାଇବାକୁ ଟଙ୍କା ହଁି ଏକ ନିରାପଦ ମାଧ୍ୟମ ସାଜିଲା। ଅନୁଗୃହୀତ ବ୍ୟକ୍ତିଟିର ସକ୍ଷମତା ପ୍ରତି ଧ୍ୟାନ ନ ଦେଇ ତା’ଠାରୁ ଉପକାରର ପ୍ରତିଦାନରେ ଜୋରଜବରଦସ୍ତ ତଥା ଆଗତୁରା ଅର୍ଥ ଆଦାୟ କରାଗଲା। ଫଳରେ ସେ କୃତଗ୍ୟଂ ହେବା ବଦଳରେ କୃତଘ୍ନ ସାଜି ଜନସାଧାରଣଙ୍କଠାରୁ ଅନୈତିକ ଉପାୟରେ ଆର୍ଥିକ ଫାଇଦା ହାସଲ କଲା। ତଦାନୀନ୍ତନ ଭେଟିର ରୂପଟି ପରିବର୍ତ୍ତିତ ହୋଇ ଦାମୀଗାଡି଼, କୋଠାଘର, ଜାଗାବାଡ଼ି ପ୍ରଭୃତି ସ୍ଥାବର ସମ୍ପତ୍ତି ସହିତ ନାରୀ ସମ୍ଭୋଗ ପରି ଉତ୍ସର୍ଗୀକୃତ ସେବାର ରୂପନେଲା। ଅତଏବ ଲାଞ୍ଚ ଦେବା-ନେବା ପରି ଏକ ସର୍ବସମ୍ମତ ପ୍ରଥା ଆମ ସମାଜର ଅସ୍ଥିମଜ୍ଜାଗତ ହୋଇଗଲା। ତେଣୁ ଏହି ସୁଯୋଗରେ ବ୍ୟକ୍ତିଗତ ସହାୟକଟିଏ ହେଉ କି ଅଙ୍ଗନଓ୍ବାଡି ଦିଦିଟିଏ, ସରକାରୀ ଅମିନଟିଏ ହେଉ କି ସ୍ବଳ୍ପବେତନ ଭୋଗୀ ଅସ୍ଥାୟୀ ଚେକ୍‌ଗେଟ ଜଗୁଆଳିଟିଏ ସମସ୍ତେ ବେଳ ଉଣ୍ଡି ଏତେ ସମ୍ପତ୍ତି ଠୁଳ କରି ପକାଇଲେ ଯେ ତାହା ତନଖି ସଂସ୍ଥାକୁ ମଧ୍ୟ ଆଶ୍ଚର୍ଯ୍ୟାନି୍ବତ କରି ପକାଇଲା। କିନ୍ତୁ ଚିନ୍ତାର ବିଷୟ ସେମାନେ କ’ଣ ଅଧସ୍ତନ କର୍ମଚାରୀ ହୋଇ ଏତେ ସାହସ କଲେ କୋଟି କୋଟି ଟଙ୍କା କମାଇଦେବା ପାଇଁ ଉପରିସ୍ଥ ଅଧିକାରୀଙ୍କ ଅଜାଣତରେ ? ନା କରିତ୍‌ କର୍ମା ସହକର୍ମୀ, ବଡ଼ ହାକିମ ତଥା ରାଜନୈତିକ ପୃଷ୍ଠପୋଷକମାନଙ୍କୁ ଆର୍ଥିକ ଫାଇଦା ଦେଉଦେଉ ନିଜ ହାତଚିକ୍କଣ କରିପକାଇଲେ। ଯଦି ଦୁର୍ନୀତି ଶୃଙ୍ଖଳରେ ଥିବା ଛୋଟମାଛଟିର ସମ୍ପତ୍ତି ଏତେ ତେବେ ବଡ଼ ମାଛମାନଙ୍କର ଯେ କେତେ ନ ହୋଇଥିବ ତାହା ଆକଳନ କରିବା ଆମର ସାଧ୍ୟ ବାହାରେ। ଧର୍ମକୁ ଆଖିଠାରେ ମ଼ାରିବା ଭଳି ଆମେ ଦୁର୍ନୀତି ଗଡ଼ିଆରେ ଜାଲପକେଇ ଯେତିକି ମାଛ ଜବତ କରୁଛେ ଶୁଖୁଆ ପରିମାଣ ଯେ ତା’ଠାରୁ କାହଁି କେତେ ଅଧିକ ତାହା କହିବା ମୁସ୍କିଲ। ସେଇଥିପାଇଁ ତ ଟ୍ରାନ୍‌ସପାରେନ୍ସି ଇଣ୍ଟର୍‌ନ୍ୟାଶନାଲ୍‌ ନାମକ ବିଶ୍ୱସ୍ତରୀୟ ସଂସ୍ଥା ଦ୍ୱାରା ପ୍ରସ୍ତୁତ ଦୁର୍ନୀତିଗ୍ରସ୍ତ ଦେଶ ତାଲିକାରେ ଭାରତର ନାମ ଅଗ୍ରଭାଗରେ ରହୁଛି। ଯଦି ପ୍ରକୃତରେ ଆମେ ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ଅବଲମ୍ବନ କରାଇବାକୁ ପ୍ରତିବର୍ଷ ଶପଥ ନେଉଛେ ତେବେ ଏ ସବୁ ଘଟୁଛି କିପରି ? ଯେତେଦିନ ଯାଏ ଶାସନ ବ୍ୟବସ୍ଥାରେ ସ୍ବଚ୍ଛତା ତଥା ଉତ୍ତର ଦାୟିତ୍ୱବୋଧ ନ ରହିବ ଏବଂ ଦୃଷ୍ଟାନ୍ତମୂଳକ ଦଣ୍ଡର ପ୍ରାବଧାନ ଥିବ ସେତେଦିନ ଯାଏ ଦୁର୍ନୀତି ପ୍ରଶାସନର ଶିରା ପ୍ରଶିରାରେ ମାଡ଼ିଚାଲିବ। କେଜାଣି ମାନସିକତାରେ ପରିବର୍ତ୍ତନରେ ଏ ଦୃଶ୍ୟପଟ ବଦଳିବ ପରା !
୨୦-ଓଁକାର ଭିଲ୍ଲା, ଗଣ୍ଡମୁଣ୍ଡା, ଭୁବନେଶ୍ୱର, ମୋ:୮୧୪୪୦୬୬୦୧୬


Enter your email to get our daily news in your inbox.

All Right Reserved By Dharitri.Com

ଜଟିଳ ପ୍ରକ୍ରିୟା

ଆଇନଶୂନ୍ୟ ଦେଶଗୁଡ଼ିକର ମନମୁଖି ଶାସନ ପ୍ରତି ଲୋକମାନଙ୍କ ମନରେ ଗଭୀର ଆତଙ୍କ ରହିଥାଏ। ଏଥିରେ ନିଷ୍ଠୁରତାକୁ ଏକ ପ୍ରକ୍ରିୟା ଭାବରେ ଦର୍ଶାଯାଇ ଲୋକଙ୍କୁ ନିର୍ଯାତନା ଦିଆଯାଇଥାଏ। ଏବେ…

ନୀରବ ଆକ୍ରମଣ

କାଳସ୍ରୋତର ଅନବରତ ପ୍ରବାହରେ ଓଡ଼ିଶାର ସାମାଜିକ-ଆର୍ଥିକ-ସାଂସ୍କୃତିକ ସଂରଚନା ଆଜି ଏକ ଭୟାବହ, ଦୁରାରୋଗ୍ୟ ଦୁର୍ବିପାକର ସମ୍ମୁଖୀନ – ତାହା ହେଉଛି ଜବରଦଖଲ । ଏହା କେବଳ ଏକ…

କ୍ଷମତା ଓ ଅହଂ

ଭାରତରେ ପାଞ୍ଚ ବର୍ଷରେ ଥରେ ନିର୍ବାଚନ ଅନୁଷ୍ଠିତ ହୁଏ। କେହି କେହି ଜିତନ୍ତି ଓ କେହି କେହି ପରାଜିତ ହୁଅନ୍ତି। ବେଳେବେଳେ ବିଭିନ୍ନ କାରଣରୁ ଅନେକ ଯୋଗ୍ୟ…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଏଇ ଭାରତରେ

ତେଲଙ୍ଗାନାରେ ‘ମିନି ବ୍ରାଜିଲ’ ନାଁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତି କା ମିନି ବ୍ରାଜିଲ ହେଉଛି ସିକନ୍ଦରାବାଦର ଭାଲ୍ଲୁର ନଗର। ଏଭଳି ନାମକରଣର କାରଣ…

ହାରିଯାଇଥିବା ଲୋକ

ବାରମ୍ବାର ବିଫଳ ହେଉଥିବା ପାଣ୍ଡବଙ୍କ ସହ କିନ୍ତୁ ଶ୍ରୀକୃଷ୍ଣ ସାଥ୍‌ ଦେଇଥିଲେ। ଯୁଦ୍ଧରେ ଭବିଷ୍ୟତର ପରାଜୟକୁ ଦେଖୁଥିବା କର୍ଣ୍ଣ ମୃତ୍ୟୁକୁ ସ୍ବାଗତ କଲେ। ହେଲେ ନିଜର ସାଥୀ…

ମମଦାନୀଙ୍କ ଦୃଷ୍ଟିକୋଣ

ଫ୍ରାନ୍ସିସ୍‌ ଫୁକୁୟାମାଙ୍କ ୧୯୯୦ ଦଶକର ‘ଇତିହାସର ସମାପ୍ତି’ ସିଦ୍ଧାନ୍ତ ଉଦାରବାଦୀ-ଗଣତାନ୍ତ୍ରିକ ପାଶ୍ଚାତ୍ୟ ଜଗତକୁ ଏକାଠି ବାନ୍ଧି ରଖିଥିଲା। ତାଙ୍କର ଯୁକ୍ତି ଥିଲା, ପାଶ୍ଚାତ୍ୟ ଉଦାରବାଦୀ-ଗଣତାନ୍ତ୍ରିକ କଲ୍ୟାଣକାରୀ ପୁଞ୍ଜିବାଦ…

ପାଠ୍ୟପୁସ୍ତକ ରାଜନୀତି

ଗୋଟିଏ ସ୍କୁଲ ବନ୍ଦ ହେଲେ ସେହି ଅଞ୍ଚଳର ପିଲାଙ୍କ ଭବିଷ୍ୟତ ନଷ୍ଟ ହୁଏ। କିନ୍ତୁ ଗୋଟିଏ ବର୍ଷର ପାଠ୍ୟପୁସ୍ତକ ନଷ୍ଟ ହେଲେ ସେହି ରାଜ୍ୟର ଲକ୍ଷାଧିକ ଛାତ୍ରୀଛାତ୍ରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri