ଯେତେ ବୁଦ୍ଧି, ସେତେ ବିଭ୍ରାଟ

ରଞ୍ଜନ କୁମାର ଦାସ

ମଣିଷ ଯେତେବେଳେ ଆଦିମ ଥିଲା ସେ ଖୁବ୍‌ ନିଶ୍ଚିନ୍ତରେ, ନିରାଡ଼ମ୍ବର ଭାବେ ଓ ନିରୁଦ୍‌ବିଗ୍ନ ଭାବେ ତା’ର ଜୀବନ ଜିଉଁଥିଲା। ଯେଉଁଠି ଯାହା ପାଉଥିଲା ଖାଇ ଦେଉଥିଲା। ଯେଉଁଠି ହାଲିଆ ଲାଗୁଥିଲା ନିଦରେ ଶୋଇ ପଡ଼ୁଥିଲା। ନା ଅଫିସ ଯିବାର ବ୍ୟଗ୍ରତା ଥିଲା, ନା ପାଠ ପଢ଼ି ଅଧିକ ମାର୍କ ରଖି କାହା ପାଖରେ ନିଜକୁ ପ୍ରତିଷ୍ଠିତ କରେଇବାର ପ୍ରୟାସ ଥିଲା। ନା ବେପାର ବଣିଜରେ ଲାଭ କ୍ଷତିର ହିସାବ ଥିଲା, ନା ଥିଲା ଖୁବ୍‌ ଗୁଡ଼ାଏ ଅର୍ଜନ କରିବାର ଲାଳସା। ଯେନତେନ ପ୍ରକାରେଣ ଜୀବନ ଚଳିଯାଉଥିଲା।
ଧୀରେ ଧୀରେ ଇଚ୍ଛା ଉଡ଼ାଣ ଭରିଲା। ଇଚ୍ଛାଶକ୍ତିର ବିକାଶ ହେଲା। ଭଲ ଗଣ୍ଡେ ଖାଇବାର, ଭଲରେ ଟିକେ ରହିବାର, ଲଜ୍ଜା ନିବାରଣ ପାଇଁ ପୋଷାକଟେ ଯୋଗାଡ଼ କରିବାର ଇଚ୍ଛା ସୃଷ୍ଟି ହେଲା। ଇଚ୍ଛାର ଅଭିଷେକ ପାଇଁ ଉପାୟ ଦରକାର ପଡ଼ିଲା। ଉପାୟ ପାଞ୍ଚତ୍ବାକୁ ବୁଦ୍ଧି ଦରକାର ପଡ଼ିଲା। ଚିନ୍ତା ଶକ୍ତିର ବିକାଶ ଘଟିଲା। ମଣିଷ ଚିନ୍ତା କଲା କ’ଣ କଲେ ତା’ର ଇଚ୍ଛା ପୂରଣ ହେବ, ତା’ର ସ୍ବପ୍ନ ସାକାର ହେବ। ଭଲରେ ଖାଇବାକୁ ସେ ଚାଷ କଲା, ପଶୁପାଳନ କଲା। ଶିକାର କଲା। ଭଲରେ ରହିବାକୁ ଘର ତିଆରି କରି ଶିଖିଲା, ପୋଷାକ ତିଆରି କରି ଶିିଖିଲା, ରାନ୍ଧି ଶିଖିଲା। ଦିନକୁ ଦିନ ନୂଆ ନୂଆ ପ୍ରକାର ପୋଷାକ, ନୂଆ ନୂଆ ପ୍ରକାର ଖାଦ୍ୟ ସବୁ ଆବିଷ୍କାର କରି ତା’ର ଇନ୍ଦ୍ରିୟମାନେ ତୃପ୍ତ ହେଲେ। ଖାଦ୍ୟକୁ ଅଧିକ ରସାଳ କରିବାକୁ ଭଳିକି ଭଳି ରାନ୍ଧଣା, ଭଳିକି ଭଳି ମସଲାର ବ୍ୟବହାର ଶିଖିଲା। ଧୀରେ ଧୀରେ ଯନ୍ତ୍ରପାତି, କଳ କାରଖାନା ସବୁ ସେ ବସେଇଲା ନିଜ ଆବଶ୍ୟକତା ପୂରଣ ପାଇଁ। ଆବଶ୍ୟକତା ବି ବଢ଼ି ବଢ଼ି ଚାଲିଲା। ଲୋଭ ବଢ଼ିଲା।
ଧୀରେ ଧୀରେ ଅଧିକ ବୁଦ୍ଧିର ଆବଶ୍ୟକତା ବି ପଡ଼ିଲା। ହାରିବା, ଜିତିବାର ପରିସ୍ଥିତି ଆସିଲା। ବୁଦ୍ଧି ତାକୁ ପ୍ରବର୍ତ୍ତେଇଲା ଅପ୍ରତିଦ୍ୱନ୍ଦ୍ୱୀ ହେବାକୁ। ଅପ୍ରତିଦ୍ୱନ୍ଦ୍ୱୀ ହେବାର ଲାଳସା ଯୋଗୁ ସେ ଈର୍ଷା କଲା। ଲୋଭ କଲା, କଳହ କଲା, ଯୁଦ୍ଧ କରିବା ଶିଖିଲା, ଅନ୍ୟକୁ ମାରି ନିଜକୁ ପ୍ରତିଷ୍ଠିତ କରେଇବାର ଇଚ୍ଛା ଦିନକୁ ଦିନ ବଳବତ୍ତର ହେଲା। ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ନିଶ୍ଚିହ୍ନ କରିବାକୁ ସେ ପ୍ରୟାସ କଲା। ନିଜ ମତ ଜାହିର କରିବାକୁ, ଅନ୍ୟର ମତକୁ ଦବେଇ ଦେବାକୁ ସେ ଅହରହ ଉଦ୍ୟମ କଲା। ସବୁ କିଛି ନିଜ ଅକ୍ତିଆରରେ ରଖିବାକୁ ସେ ଚେଷ୍ଟା କଲା। ପ୍ରତିଦ୍ୱନ୍ଦ୍ୱିତାରେ ଆଗରେ ରହିବାକୁ ତା’ର ଆହୁରି ବୁଦ୍ଧି ଦରକାର ପଡ଼ିଲା। ସେ ଜ୍ଞାନ ବିଜ୍ଞାନର ଅନ୍ବେଷଣ କରିବା ଆରମ୍ଭ କଲା।
ଭଳିକି ଭଳି ବିଦ୍ୟା, ଭଳିକି ଭଳି ଜ୍ଞାନ, ଭଳିକି ଭଳି ପ୍ରଯୁକ୍ତି ବିଜ୍ଞାନର ବିକାଶ ଫଳରେ ମଣିଷ ପାଲଟିଗଲା ସୃଷ୍ଟିର ସବୁଠୁ ବୁଦ୍ଧିମାନ୍‌ ଜୀବ। ନିଜ ଅହଂ ଓ ନିଜ ଆଭିଜାତ୍ୟର ପ୍ରତିଷ୍ଠା ପାଇଁ ସେ ବଢ଼େଇ ଚାଲିଲା ନିଜ ରାଜ୍ୟ, ନିଜ ସାମ୍ରାଜ୍ୟ, ନିଜ ଘର ଦ୍ୱାର, ବଣିଜ ବେପାର, ଜମିବାଡ଼ି, ସବୁ କିଛି। ସେ ବୁଦ୍ଧି ତାକୁ ଧୀରେ ଧୀରେ ସ୍ବାର୍ଥପର ବି କଲା। ନିଜର ଭଲ ହେବା ପାଇଁ ସେ ବୁଦ୍ଧିର ପ୍ରୟୋଗ କଲା, ଅନ୍ୟର କ୍ଷତି ହେବା ପାଇଁ ମଧ୍ୟ ସେ ସେଇ ବୁଦ୍ଧିକୁ ପ୍ରୟୋଗ କରିବାକୁ ଭୁଲିଲା ନାହିଁ। ସେଇ ସ୍ବାର୍ଥପର ବୁଦ୍ଧି ତାକୁ ଜଙ୍ଗଲ ଧ୍ୱଂସ କରିବାକୁ ପ୍ରବର୍ତ୍ତେଇଲା। ସମଗ୍ର ଜୀବଜଗତକୁ ନିଜ କବଳରେ ରଖିବାକୁ ପ୍ରବର୍ତ୍ତେଇଲା। କେବେ ପୋଷାକ ପାଇଁ, କେବେ ପ୍ରସାଧନ ପାଇଁ, କେବେ ଖାଦ୍ୟ ପାଇଁ ସେ ସମଗ୍ର ଜୀବଜଗତକୁ ଧ୍ୱସ୍ତବିଧ୍ୱସ୍ତ କରିଦେଲା, ବସୁଧା ବିପନ୍ନ ହୋଇପଡ଼ିଲା ଧୀରେ ଧୀରେ। ଏଇ ମଣିଷର ଦୁର୍ବୁଦ୍ଧି ହିଁ ଆଣିଦେଲା ପ୍ରାକୃତିକ ବିପର୍ଯ୍ୟୟ, ପ୍ରଦୂୂଷଣ, ସାମାଜିକ ବୈଷମ୍ୟ। ଜୀବଜଗତକୁ ଧ୍ୱଂସ କରୁ କରୁ ସେ ଜାଣିପାରିଲା ନାହିଁ କେତେବେଳେ ସେ ନିଜ ଧ୍ୱଂସର ଆବାହନୀ ବି ଗାନ କରି ସାରିଥିଲା।
ସେଇ ବୁଦ୍ଧି ହିଁ ଶେଷରେ ତା’ ପାଇଁ କାଳ ହେଲା। ଯେଉଁଠି ଯେତେ ବୁଦ୍ଧି, ସେଇଠି ସେତେ ବିଭ୍ରାଟ ଦେଖାଗଲା। ଯେଉଁଠି ଯେତେ ବୁଦ୍ଧିମାନ୍‌ ଲୋକ, ସେଇଠି ସେତେ କଳହ, ସେତେ ତର୍କ। ଆଜିକାଲି ଟି.ଭି. ଖୋଲିଲେ ଦେଖିବେ, ତର୍କ ବିତର୍କର ମହାମଞ୍ଚ ସବୁ। ବହୁତ ବୁଦ୍ଧିଜୀବୀ, ଚିନ୍ତକ ସବୁ ଆସିଥା’ନ୍ତି ସେଠିକି। ମାତ୍ର ସେଠି କି ନିର୍ଯାସ ବାହାରେ? ଖାଲି ଗୁଡ଼ାଏ କୋଳାହଳ, ଶବ୍ଦ ପ୍ରଦୂଷଣ, ବିଦ୍ୟୁତ୍‌ ଶକ୍ତିର ଅପଚୟ, ସମୟର ବରବାଦି ଛଡ଼ା ଆଉ କିଛି ମିଳେନି ସେଠୁ। ବେଳେବେଳେ ତ ସେଇ ଷ୍ଟୁଡିଓ ଭିତରେ ହାତାହାତି, ଧମକଚମକ ଦିଆଦେଇ ହେଉଥିବାର ଦୃଶ୍ୟ ବି ଦେଖିବାକୁ ମିଳିଥାଏ। ବେଳେବେଳେ ଲାଗେ ଏଇ ଅସମ୍ଭବ ଧୀଶକ୍ତି ସମ୍ପନ୍ନ ପ୍ରଚଣ୍ଡ ବୁଦ୍ଧିଜୀବୀମାନେ ସଜାଡ଼ନ୍ତି ଯେତେ, ତାଠୁ ବିଗାଡ଼ନ୍ତି ବେଶି। ଠିକ୍‌ ଯେମିତି ଗୋଦରା କୋଡ଼େ ଯେତେ, ମାଡ଼େ ସେତେ।
ଇତିହାସର ପର୍ଯ୍ୟାଲୋଚନା କଲେ ଦେଖିବେ ପୃଥିବୀର ଯେତେ ବିପି ଓ ବିଭ୍ରାଟ ତା’ ପଛରେ ନିଶ୍ଚୟ ଏକ ବା ଏକାଧିକ ବୁଦ୍ଧିଜୀବୀ ଥିବେ। ଗୋଟେ ସାଧାରଣ ମଣିଷ ପାଖରେ ଏତେ ବିଷ ନ ଥାଏ, ଯେତେ ଗୋଟେ ବୁଦ୍ଧିଜୀବୀ ପାଖରେ ଥାଏ। ସାଧାରଣ ମଣିଷ ଏତେ ବେଶି ମନ୍ଥନ ଭିତରେ ନ ଥାଏ। ବହୁତ ସମୁଦ୍ର ମନ୍ଥନ ହେଲା ପରେ ହିଁ ସମୁଦ୍ର ଭିତରୁ ଅମୃତ ଓ ବିଷ ବାହାରିଥିଲା। ସାଧାରଣ ମଣିଷ ଅଳ୍ପ ମନ୍ଥନ ଭିତରେ ସନ୍ତୁଷ୍ଟ ହେଇଯାଏ। କେବଳ ଅସାଧାରଣମାନେ ହିଁ ଅମୃତ ପ୍ରାପ୍ତିର ଲକ୍ଷ୍ୟ ରଖି ଶେଷଯାଏ ମନ୍ଥୁଥା’ନ୍ତି। ଯେତେବେଳେ ବିଷ ମିଳିଯାଏ, ସେଥିରେ ବି ସେମାନେ ଖୁସି ହେଇଯା’ନ୍ତି। ଭାବନ୍ତି ଅମୃତ ତ ନିଜ ପାଇଁ, ହଳାହଳ ବିଷତକ ଅନ୍ୟମାନଙ୍କୁ ଦେଇ ମୁଁ ନିଷ୍କଣ୍ଟକ ହେଇଯିବି। ଅମୃତ ଖୋଜିବା ନାଅଁାରେ ସେମାନେ ଜୀବନଯାକ ବିଷ ହିଁ ଖୋଜୁଥାନ୍ତି, ବିଷ ହିଁ ବାଣ୍ଟୁଥାନ୍ତି। ବୁଦ୍ଧିଜୀବୀମାନେ ସାଧାରଣ ଲୋକଙ୍କର ପଥପ୍ରଦର୍ଶକ ହେବା କଥା। ମାତ୍ର ସେମାନେ ସାଧାରଣ ଲୋକଙ୍କଠାରୁ ଅଧିକ ବିଷୟାସକ୍ତ, ଅଧିକ ଲୋଭୀ, ସ୍ବାର୍ଥପର, ପରଶ୍ରୀକାତର, ଈର୍ଷାଳୁ ଓ ଛିଦ୍ରାନ୍ବେଷୀ। ସମୟକ୍ରମେ ଅଧିକ ହିଂସ୍ର ଓ ଭୟଙ୍କର ବି ହେଇପାରନ୍ତି। ପୃଥିବୀର ଯେତେ ଧାର୍ମିକ ହିଂସା, ଯେତେ ଉଗ୍ରବାଦ, ଯେତେ ଯୁଦ୍ଧ ଅତୀତରେ ଘଟିଚି ବା ଏବେ ଘଟୁଚି ତା’ ପଛରେ ରହିଚି ବୁଦ୍ଧିଜୀବୀମାନଙ୍କ ବୁଦ୍ଧିର ପରାକାଷ୍ଠ। ନକ୍ସଲବାଦଠାରୁ ଆରମ୍ଭ କରି ଜିହାଦ ପର୍ଯ୍ୟନ୍ତ ଯେତେଯେତେ ସମସ୍ୟାର ସାମ୍ନା ଆମେ କରୁଚେ, ତା’ ପଛରେ କେତେ ହୀନ ବୁଦ୍ଧିଜୀବୀମାନେ ଅଛନ୍ତି ତାହା କ’ଣ ଅଜଣା? ରବର୍ଟ ଓପନହିମରଙ୍କ ଭଳି ବିଶ୍ୱବିଖ୍ୟାତ ପଦାର୍ଥ ବିଜ୍ଞାନୀ ହିଁ ଥିଲେ ଆଣବିକ ବୋମାର ସୃଷ୍ଟିକର୍ତ୍ତା। ମିସାଇଲ କାଲାସ୍ନିକୋଭ ଜଣେ ଋଷୀୟ ଇଞ୍ଜିନିୟର, ଯିଏ କି ଆବିଷ୍କାର କରିଥିଲେ ବିଶ୍ୱର ସବୁଠୁ ମରଣାନ୍ତକ ଅସ୍ତ୍ର ଏକେ-୪୭। ପୃଥିବୀରେ ଯେତେ ଗଣବିଧ୍ୱଂସୀ ରାସାୟନିକ ଓ ଜୀବାସ୍ତ୍ର ସବୁ ଆବିସ୍କୃତ ହେଇଛି, ତାହା ତ ଆମ ବୁଦ୍ଧିଜୀବୀମାନଙ୍କର ଦାନ। ଜଣେ ଅପରାଧୀ ଯେତେବେଳେ ଆଇନ ଆଖିରେ ଧୂଳି ପକେଇ ଖସିଯାଏ, ସେତେବେଳେ ଜଣେ ବୁଦ୍ଧିଜୀବୀ ହିଁ ତାକୁ ସାହାଯ୍ୟ କରିଥାଏ। ଅବଶ୍ୟ ଅଭିଯୁକ୍ତକୁ ସାହାଯ୍ୟ କରିବା ଆଇନଜୀବୀର ଧର୍ମ। ମାତ୍ର କେତେଗୁଡ଼ିଏ ଘୃଣ୍ୟ କେଶ୍‌ରେ ଯଥା ନିର୍ଭୟାକାଣ୍ଡର ଦୋଷୀଙ୍କୁ, ଅବା ମୁମ୍ବାଇ ଗଣହତ୍ୟାର ନାୟକ କସବକୁ ନିଜ ବୁଦ୍ଧି ବଳରେ ଖସାଇବା ପୂର୍ବରୁ ଜଣେ ଆଇନଜୀବୀ, ଯିଏ କି ନିଜକୁ ଜଣେ ବୁଦ୍ଧିଜୀବୀ ଭାବେ ଦାବି କରନ୍ତି, ଶହେ ଥର ନିଜ ବିବେକକୁ ପ୍ରଶ୍ନ କରିବା ଉଚିତ। ଆଇନଜୀବୀ କଥା ଛାଡ଼ନ୍ତୁ, କସବ ସମର୍ଥନରେ ସେତେବେଳେ ଅନେକ ତଥାକଥିତ ବୁଦ୍ଧିଜୀବୀ ବାହାରି ମହାମହିମ ରାଷ୍ଟ୍ରପତିଙ୍କ ପାଖରେ କ୍ଷମା ଯାଚିକା ଦାଏର କରିଥିଲେ। ଏପରିକି ରାତି ଅଧରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟଙ୍କୁ ଏକରକମ ବାଧ୍ୟ କରିଥିଲେ। ସେମାନଙ୍କ ବୁଦ୍ଧି ସମାଜ ପାଇଁ କେତେ ହିତକାରୀ ହେବ ସେ କଥା ବୋଧହୁଏ ସେମାନେ ଭୁଲି ଯାଇଥିଲେ।
ଶୁଣାଯାଏ ବୁଦ୍ଧି ବେଶି ବଢ଼ିଲେ ବିବେକ ବି କ୍ରମେ କ୍ରମେ ହ୍ରାସ ପାଇଯାଏ। ଘରେ ଘରେ ଦେଖିବେ, ଯେଉଁ ପୁଅଟି ପାଠଶାଠ ପଢ଼ି ବେଶି ଉପରକୁ ଚାଲିଗଲା ସେ ଆଉ ମା’ବାପାଙ୍କୁ ପଚାରେନି, ଗଁା ମାଟିରେ କେବେ ପାଦ ପକାଏନି। ମାତ୍ର ଯେଉଁ ପୁଅଟି ବେଶି ପାଠଶାଠ ପଢ଼ି ନ ପାରେ, ଛୋଟ ଚାକିରିଟେ କି ଚାଷ କରୁଥାଏ, ସେ ହିଁ ଶେଷରେ ମା’ବାପାଙ୍କ ଯତ୍ନ ନିଏ। ଏଭଳି ବୁଦ୍ଧିମାନ୍‌ ପୁଅ କୋଉ କାମର? ଘରେ ଯେଉଁ ବୋହୂଟି ପାଠୋଈ ସେ ତା’ ବେଡ୍‌ରୁମ୍‌, ଡ୍ରଇଂରୁମ୍‌ ଛାଡ଼େନି, ଦିନସାରା ମେକ୍‌ଅପ୍‌ ହେଇ ଟିଭି ସିରିଆଲ ଦେଖୁଥାଏ। ବିଚାରୀ ଅପାଠୋଈ କି ଅଳ୍ପ ପାଠୋଈ ବୋହୂଟି ଦିନସାରା ରୋଷେଇ ଘରେ ଖଟି ଖଟି ସମସ୍ତଙ୍କୁ ଖାଇବାକୁ ବାଢ଼ି ଦେଉଥାଏ। ତା’ର ତ ବେଶି ବୁଦ୍ଧି ନଥାଏ, ସେ କେବଳ ତା’ ବିବେକ କଥା ହିଁ ଶୁଣୁଥାଏ। ଯେମିତି ଘର ପାଇଁ ପାଠୁଆ ବୋହୂ ଅପେକ୍ଷା ଘରୁଆ ବୋହୂର ବେଶି ଲୋଡ଼ାପଡ଼େ, ସେମିତି ସମାଜରେ ବେଳେବେଳେ ଭୟଙ୍କର ବୁଦ୍ଧିଜୀବୀଙ୍କ ଅପେକ୍ଷା ସାଧାରଣ ମଣିଷଟିଏ ବେଶି ଗ୍ରହଣୀୟ ଲାଗେ। ଅନ୍ତତଃ ତାଙ୍କ ପାଖରେ ନଷ୍ଟ କରିବାର ବୁଦ୍ଧି ତ ନ ଥାଏ। ବୁଦ୍ଧିଜୀବୀ ହେବା ମନ୍ଦ ନୁହେଁ, ମାତ୍ର ତାଠୁ ବେଶି ଲୋଡ଼ା ସେମାନେ ବିବେକବନ୍ତ ହେବାର। ବିଶିଷ୍ଟ ଗ୍ରୀକ୍‌ ଦାର୍ଶନିକ ପ୍ଲାଟୋ ତ ଫିଲୋସଫର କିଙ୍ଗ୍‌ ବା ଜଣେ ବୁଦ୍ଧିଜୀବୀ ରାଜା ହେବା କଥା କହିଥିଲେ। ମାତ୍ର ବିଭ୍ରାନ୍ତ ବୁଦ୍ଧିଜୀବୀଟିଏ ରାଜା କ’ଣ ପ୍ରଜା ହେବାର ବି ଯୋଗ୍ୟ ନୁହେଁ। ନିଜ ବୁଦ୍ଧିକୁ ନେଇ ଅହଂକାର କରୁଥିବା ଲୋକଙ୍କ ପାଇଁ ଏହା ଏକ ଚେତାବନୀ।
ନିର୍ଦ୍ଦେଶକ, ସଂସ୍କୃତି ବିଭାଗ
ମୋ: ୯୪୩୭୨୮୬୫୧୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସିଲାଇ କାର୍ଯ୍ୟ ବା ଟେଲରିଂରେ ସୌରଶକ୍ତି ଉପଯୋଗ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଝାଡ଼ଖଣ୍ଡର କନିଜ ଫତିମା। ସେ ତାଙ୍କ ସ୍ବାମୀଙ୍କ ସହ ଏହିି...

ପରୀକ୍ଷାର ପରୀକ୍ଷଣ

ହୃଷୀକେଶ ପ୍ରଧାନ ଜାତୀୟ ପରୀକ୍ଷଣ ସଂସ୍ଥା (ଏନ୍‌ଟିଏ) ଦ୍ୱାରା ପରିଚାଳିତ ସଦ୍ୟସମାପିତ ୟୁଜିସି-ନେଟ୍‌ ଏବଂ ନିଟ୍‌ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ମାମଲା ସାରା ଦେଶରେ ଆଲୋଡ଼ନ...

ଧର୍ମଛଡ଼ା ଭୋଟରଙ୍କ କଥା

”ଓଃ! ନିର୍ବାଚନ ସରିଗଲା। ମଣିଷ ମୁକ୍ତି ପାଇଗଲା ଗଣତନ୍ତ୍ରର ଏହି ମହାପର୍ବର କୋଳାହଳରୁ।“ ଏମିତି ଏକ ଉଚ୍ଚାରଣ ଉଶ୍ୱାସ ଓ ଆଶ୍ୱସ୍ତିର। ମାସାଧିକ କାଳର ନିର୍ବାଚନ...

ଗଣତନ୍ତ୍ରରେ ଗଣମାଧ୍ୟମ

୨୦୧୪ ପରେ ଭାରତ ‘ଗୋଦି ମିଡିଆ’ ଫ୍ରେଜ୍‌ ବା ଶବ୍ଦାବଳୀ ସହ ପରିଚିତ ହେଲା, ଯାହାକୁ ମାଗାସେସେ ପୁରସ୍କାର ବିଜେତା ସାମ୍ବାଦିକ ରବିଶ କୁମାର ସୃଷ୍ଟି...

ଏଇ ଭାରତରେ

ପୋଲିସ ଅଧିକାରୀ ଶାନ୍ତିଶୃଙ୍ଖଳା ବଜାୟ ରଖିବାରେ ବ୍ୟସ୍ତ ରଖିବା ସହ ବୁଲା କୁକୁରଙ୍କ ସୁରକ୍ଷାରେ ସମୟ ଦେବା ନିଶ୍ଚିତ ଭାବେ ପ୍ରେରଣାଦାୟକ କାର୍ଯ୍ୟ। ଏଭଳି କାର୍ଯ୍ୟ...

ଜବରଦସ୍ତିଆ ଦକ୍ଷିଣା

ଶ୍ରୁତକୀର୍ତ୍ତି ତ୍ରିପାଠୀ ଠାକୁରଙ୍କ ପୂଜା ଆଳରେ ପୂଜକମାନେ ପଇସା ନେବା ବିଷୟଟି ଅନେକ ଥର ମୋତେ ବ୍ୟଥିତ କରିଛି। ସେ ଶ୍ରୀମନ୍ଦିରରେ ମୁଣ୍ଡରେ ବେତ ଛୁଅଁାଇ...

ଦଳତ୍ୟାଗୀଙ୍କୁ ଆଦର

ସହଦେବ ସାହୁ ସାଧାରଣ ଆଇନରେ କେତେକ ଧାରା ଶେଷରେ ବ୍ୟତିକ୍ରମ/ ସର୍ତ୍ତ (ଏକ୍ସସେପ୍ସନ୍‌/ ପ୍ରୋଭାଇଜୋ) ଥାଏ, ଆଇନରେ ଏହା ଗଳାବାଟ। ସେଗୁଡ଼ିକ ଲିଖିତ ହୋଇଥିବାରୁ ଦୃଶ୍ୟ;...

Dillip Cherian

ନିଯୁକ୍ତି ବୃଦ୍ଧି ଯୋଜନା

କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ଆଇଏଏସ୍‌ ଅଧିକାରୀଙ୍କ ବାର୍ଷିକ ନିଯୁକ୍ତିକୁ ୧୮୦ ରୁ ୨୧୦ କୁ ବୃଦ୍ଧି କରିବାକୁ ବିଚାର କରୁଥିବା ଜଣାଯାଇଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri