Posted inଫୁରସତ

ଅନ୍ତର୍ଜାତୀୟ ମହିଳା ଦିବସ

ମଣିଷ ଜାତିର ଅନ୍ୟତମ ପ୍ରମୁଖ ଅଙ୍ଗ ମହିଳା। ସେମାନଙ୍କୁ ସୁରକ୍ଷା ଓ ନ୍ୟାୟ ଦେବା ଆଜି ସାମାଜିକ ବ୍ୟବସ୍ଥା ପାଇଁ ଚ୍ୟାଲେଞ୍ଜ ବା ଆହ୍ବାନ ସୃଷ୍ଟି କରିଛି। ମହିଳା ସଶକ୍ତୀକରଣ ଦିଗରେ ବିଶ୍ୱବ୍ୟାପୀ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏହାର ସୁଫଳ ଭାରତରେ ଅନୁଭୂତ ହେଲାଣି। ତଥାପି ଏକବିଂଶ ଶତାବ୍ଦୀର ଦ୍ୱିତୀୟ ଦଶନ୍ଧି ଅତିକ୍ରମ କରିଯାଇ ମଣିଷ ପ୍ରଯୁକ୍ତିବିଦ୍ୟା ଓ ଯୁକ୍ତିବାଦର ଏକ ନୂଆ ଦୁନିଆରେ ଅବତୀର୍ଣ୍ଣ ହୋଇଥିଲେ ମଧ୍ୟ ନାରୀକୁ ପ୍ରତି କ୍ଷେତ୍ରରେ ଯଥାର୍ଥ ନେତୃତ୍ୱ ମିଳିପାରି ନ ଥିବାରୁ ତା’ର ଅସହାୟତା ନେଇ ଚର୍ଚ୍ଚା ଥମୁନି। ଏଥିପାଇଁ ପୁରୁଷଙ୍କ ସମର୍ଥନ ସହ ନାରୀଙ୍କ ସୁରକ୍ଷା ପାଇଁ ମହିଳାମାନେ ଏକାଠି ହୋଇ ଚ୍ୟାଲେଞ୍ଜ ଗ୍ରହଣ କରିବା ଜରୁରୀ ହୋଇପଡ଼ିଲାଣି। ସମ୍ଭବତଃ ସେଥିପାଇଁ ୨୦୨୧ ମାର୍ଚ୍ଚ ୮ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ ପାଇଁ ବାର୍ତ୍ତା ରଖାଯାଇଛି-‘ଆହ୍ବାନକୁ ଚୟନ କର’।
ବାସ୍ତବରେ ଏକ ଆହ୍ବାନଭର୍ତ୍ତି ପୃଥିବୀରୁ ଅନେକ କିଛି ଶିଖିବାକୁ ମିଳିଥାଏ। ପ୍ରତ୍ୟେକ ଦିନ ଆମେ ସମସ୍ତେ ନିଜସ୍ବ ଭାବନା ଓ କାର୍ଯ୍ୟପ୍ରକ୍ରିୟା ଲାଗି ଦାୟୀ। ଲିଙ୍ଗ ପକ୍ଷପାତିତା ଓ ଅସମାନତା ବିରୋଧରେ ଲଢ଼େଇ କରିବା ସକାଶେ ଯେତେ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ୁଥାଉନା କାହିଁକି ଆମେ ସେସବୁକୁ ବାଛିିପାରିବା। ମହିଳାମାନଙ୍କ ସଫଳତାକୁ ପାଳନ କରି ଚାଲିବା। ସାମଗ୍ରିକ ଭାବେ ଏକ ସୁନ୍ଦର ଓ ଅନ୍ତର୍ଭୁକ୍ତି ପୃଥିବୀ ସୃଷ୍ଟି କରିବା ଦିଗରେ ସମସ୍ତଙ୍କ ଅବଦାନ ଜରୁରୀ। ଆହ୍ବାନରୁ ଆସେ ପରିବର୍ତ୍ତନ। ଆସନ୍ତୁ ମହିଳାଙ୍କ ମଙ୍ଗଳ ନିମନ୍ତେ ସମସ୍ତେ ମିଶି ଆହ୍ବାନକୁ ଚୟନ କରିବା।

ମହିଳାଙ୍କୁ ସଶକ୍ତ କରିବାକୁ ଏକାଠି ହେବା ଜରୁରୀ
ବିଜୁ ବାବୁଙ୍କ ନେତୃତ୍ୱରେ ପଞ୍ଚାୟତରେ ମହିଳାମାନଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ପ୍ରବର୍ତ୍ତନ କରିଥିବା ପ୍ରଥମ ରାଜ୍ୟ ହେଲା ଓଡ଼ିଶା। ଏହି କ୍ରମରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାରଙ୍କ ସମୟରେ ୫୦ ପ୍ରତିଶତ ସ୍ଥାନ ମହିଳାଙ୍କ ପାଇଁ ସଂରକ୍ଷିତ କରାଗଲା। ସର୍ବୋପରି ଗତ ସାଧାରଣ ନିର୍ବାଚନରେ ଲୋକ ସଭା ପାଇଁ ୩୩ ପ୍ରତିଶତ ଆସନ ମହିଳାମାନଙ୍କୁ ଦେଇ ନବୀନବାବୁ ସାରା ଭାରତରେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ଗୃହରେ ମହିଳାଙ୍କ ପାଇଁ ସମାନତାର ସୁଯୋଗ ଦେବାକୁ ପଥ ପରିଷ୍କାର କରିଥିଲେ। ମୋ ଭଳି ଜଣେ ସାଧାରଣ ଗୃହିଣୀ ଏମ୍‌ପି ଭାବେ ନିର୍ବାଚିତ ହୋଇଛି। ସର୍ବୋପରି ମିଶନ ଶକ୍ତି ନାମକ ଏକ ସ୍ବତନ୍ତ୍ର ବିଭାଗ ଗଠନ କରି ଆମ ସରକାର ମହିଳାଙ୍କ ଉନ୍ନତି ପାଇଁ ସଦା ତତ୍ପର। ବିଶେଷ କରି ସ୍ବଂୟ ସହାୟକ ଗୋଷ୍ଠୀ ଦ୍ୱାରା ମହିଳାମାନେ ବେଶ୍‌ ସ୍ବାବଲମ୍ବୀ ହୋଇପାରିଛନ୍ତି ଏବଂ ନିଜକୁ ସୁରକ୍ଷିତ ମନେ କରିପାରୁଛନ୍ତି। ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଆମେ ଏକାଠି ହେବା ଜରୁରୀ। ସେମାନଙ୍କୁ ସମାନ ଶିକ୍ଷାଗତ ସୁଯୋଗ ଦିଆଯିବା ଆବଶ୍ୟକ। କାର୍ଯ୍ୟକ୍ଷେତ୍ରରେ ମଧ୍ୟ ସେମାନଙ୍କୁ ସମାନ ଭାବରେ ପ୍ରାପ୍ୟ ଦେବାକୁ ପଡ଼ିବ। ମହିଳାଙ୍କ ପ୍ରତି ହେଉଥିବା ଅପରାଧ ପାଇଁ ଆଇନଗତ ଦିଗ କଠୋର ହେବା ଆବଶ୍ୟକ।
– ପ୍ରମିଳା ବିଶୋୟୀ, ଏମ୍‌ପି, ଆସ୍କା ଲୋକ ସଭା

ନିଜର ସୁରକ୍ଷା ଲାଗି ଯତ୍ନବାନ ହୁଅନ୍ତୁ
ସମାଜରେ ମହିଳାମାନଙ୍କ ସୁରକ୍ଷା ଏବେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଛି। ପ୍ରଥମେ ମହିଳା ଓ ପୁରୁଷ ମଧ୍ୟରେ ଭେଦଭାବ ଦୂର ହେବା ଦରକାର। ପ୍ରତ୍ୟେକ ମହିଳା ସଚେତନ ହେବା ସହ ନିଜର ସୁରକ୍ଷା ପାଇଁ ଯନତ୍ବାନ ହେବା ଜରୁରୀ। ଅଭିଭାବକମାନେ ପ୍ରଥମେ ପରିବାରରୁ ହଁି ପିଲାମାନଙ୍କୁ ସଚେତନ କରିବା ସହ କନ୍ୟା ସନ୍ତାନମାନଙ୍କୁ ସବୁ କ୍ଷେତ୍ରରେ ସୁଯୋଗ ଦେବା ଆବଶ୍ୟକ। କାରଣ ମହିଳା ହଁି ଏ ସୃଷ୍ଟିର ଆଦ୍ୟ ଝଙ୍କାର।
– ସତ୍ୟଭାମା ମୁଦୁଲି, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ, ବାଲେଶ୍ୱର

ସମାଜରେ ମହିଳା ଅସୁରକ୍ଷିତ, ସଙ୍କୁଚିତ
ସରକାର, ସମାଜ ମହିଳାଙ୍କୁ ଯେଭଳିଭାବେ ଅଗ୍ରାଧିକାର ଦେବା କଥା କହୁଛନ୍ତି ବାସ୍ତବରେ ପରିସ୍ଥିତି ଭିନ୍ନ। ଏବେ ବି ସମାଜରେ ମହିଳା ସଙ୍କୁଚିତ ଓ ଅସୁରକ୍ଷିତ। ସେମାନଙ୍କୁ ଭିନ୍ନଦୃଷ୍ଟିରେ ଦେଖାଯାଉଛି। ନିଜ ଘରେ ପ୍ରଥମେ ସଙ୍କୁଚିତ ହୋଇ ରହିଥିବା ମହିଳା ପରେ ସମାଜ, କର୍ମକ୍ଷେତ୍ର ଏପରିକି ଶାଶୁଘରେ ନିର୍ଯାତନା ସହିଥାଏ। ହାତଗଣତି କେତୋଟି ପରିବାରର ଝିଅଙ୍କୁ ଇଚ୍ଛା ମୁତାବକ ସହଯୋଗ ମିଳିବା ଫଳରେ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଥାନ୍ତି। ଏଣୁ ମହିଳା ଦିବସ ପାଳନ କରିବାରେ କିଛି ଯଥାର୍ଥତା ନାହିଁ। ଏହି ଦିବସ ପାଳନ କରି ମହିଳାଙ୍କୁ ଆଜିର ଦିନରେ ପଛରେ ଥିବା ନେଇ ସନ୍ଦେଶ ଦିଆଯାଉଛି। ଏହି ଦୃଷ୍ଟିରୁ ମହିଳାଙ୍କ ଉନ୍ନତି ପାଇଁ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆସିବା ନିହାତି ଦରକାର।
– ବିଜୟିନୀ ମିଶ୍ର, ପିଏଚଡି ଛାତ୍ରୀ, ଜେଏନ୍‌ୟୁ

ପ୍ରତି ପଞ୍ଚାୟତରେ ହିଲିଂ ସେଣ୍ଟର କରାଯାଉ
ଆମେ ମହିଳା ଓ ପୁରୁଷଙ୍କ ମଧ୍ୟରେ ସମାନତା କଥା କହୁଛେ। ବାସ୍ତବରେ କିନ୍ତୁ ଘର ଭିତରୁ ବାହାର ପର୍ଯ୍ୟନ୍ତ କୌଣସି ସ୍ଥାନରେ ଏଭଳି ରହୁନି। ଅଧିକାଂଶ କ୍ଷେତ୍ରରେ ମହିଳାମାନେ ଗୌଣ ହୋଇ ରହୁଛନ୍ତି, ଯାହାକି ଆମ ଦେଶରେ ସବୁଠାରୁ ବଡ଼ ସମସ୍ୟା। କୌଣସି ମହିଳାଙ୍କ ପ୍ରତି କିଛି ଅଘଟଣ ଘଟିବାର ଥିଲେ ଅଥବା ଘଟୁଥିଲେ ସେ ସମୟରେ ସହଯୋଗକୁ ନେଇ ଚିନ୍ତା ରହୁଛି। ବିଶେଷକରି ପୋଲିସର ଅସହଯୋଗ ନିରାଶ କରୁଛି, ଯଦ୍ଦ୍ବାରା ମହିଳାମାନେ ନ୍ୟାୟରୁ ବଞ୍ଚତ୍ତ ହେବା ସହ ଅନିଶ୍ଚିତ ଭବିଷ୍ୟତ ଆଡକୁ ଗତି କରୁଛନ୍ତି। ୨୦୦୯ରେ ମୋ ଉପରେ ଏସିଡ୍‌ ମାଡ଼ ବେଳେ ପୋଲିସ ମୋତେ ନିରାଶ କରି ଦେଇଥିଲା। ମାମଲା ବନ୍ଦ ହୋଇ ଯାଇଥିଲା। ୨୦୧୭ରେ ତତ୍କାଳୀନ ଏସ୍‌ପି ମୋତେ ନ୍ୟାୟ ଦେବାର ଭରସା ଦେଇଥିଲେ। ମାମଲା ପୁନଃ ଖୋଲିଥିଲା। କୌଣସି ମହିଳା ନିର୍ଯାତନାର ଶିକାର ହୋଇ ଚିକିତ୍ସାଳୟରେ ଭର୍ତ୍ତି ହେଲେ ସେଠାରେ କାଉନସେଲିଂ ହେଉନି। ଫଳରେ ପୀଡ଼ିତା ଓ ତାଙ୍କ ପରିବାର ଲୋକେ ମାନସିକସ୍ତରରେ ଦୁର୍ବଳ ହୋଇପଡୁଛନ୍ତି। ତେଣୁ ରାଜ୍ୟ ସରକାର ପ୍ରତି ସରକାରୀ ହସ୍ପିଟାଲରେ କାଉନସେଲର ନିଯୁକ୍ତ କଲେ ପୀଡ଼ିତା ଓ ତାଙ୍କ ପରିବାର ଲୋକଙ୍କୁ ମନୋବଳ ମିଳିବା ସହ ନ୍ୟାୟ ପାଇଁ ଲଢ଼େଇ କରିବା ସାମର୍ଥ୍ୟ ମିଳନ୍ତା। ସେହିପରି ଗ୍ରାମାଞ୍ଚଳରେ ଅର୍ଥାତ୍‌ ପଞ୍ଚାୟତସ୍ତରରେ ମହିଳାଙ୍କ ପାଇଁ ହିଲିଂ ସେଣ୍ଟର କରାଗଲେ ଅନେକ ସମସ୍ୟାର ସମାଧାନ ହୋଇପାରନ୍ତା, ଯେଉଁଠି ପୀଡ଼ିତାମାନେ ଶାରୀରିକ ଏବଂ ମାନସିକ ସ୍ତରରେ ଚିକିତ୍ସା ଓ ସହାୟତା ପାଇପାରନ୍ତେ। ଧର୍ମ, ଜାତି, ରାଜନୀତି ଭିତରେ ଆମେ ନ ରହି ଅମଣିଷମାନଙ୍କ ବିରୋଧରେ ସ୍ବର ଉଠାଇଲେ, ସମାଜରେ ନାରୀ ଶକ୍ତି ସୁରକ୍ଷିତ ରହିପାରନ୍ତା।
– ପ୍ରମୋଦିନୀ ରାଉଳ, ଜଗତ୍‌ସିଂହପୁର

ଘର ବାହାରେ ବିଲ୍‌କୁଲ ସୁରକ୍ଷିତ ନୁହେଁ
ମହିଳାମାନେ ଆଗରୁ ସୁରକ୍ଷିତ ନ ଥିଲେ, ଏବେ ବି ନାହାନ୍ତି। ସଚେତନ କରାଯାଉଛି, ମାତ୍ର ବାସ୍ତବରେ କିଛି ପରିବର୍ତ୍ତନ ହେଉନାହିଁ। ଆମର ଦୈନିକ ଜୀବନରେ ବହୁତ କିଛି ଆମ ସହିତ ଘଟିଥାଏ। ଏନେଇ କିଛି ଚୁପ୍‌ ରହୁଛନ୍ତି, ଆଉ କିଛି ମୁହଁ ଖୋଲୁଛନ୍ତି। ଯେଉଁମାନେ କୁହନ୍ତି, ସେମାନଙ୍କୁ ବି ଠିକ୍‌ ସମୟରେ ଠିକ୍‌ ନ୍ୟାୟ ମିଳିପାରୁନାହିଁ। ମହିଳାଙ୍କ ସୁରକ୍ଷା ନେଇ କଠୋର ଆଇନ୍‌ ମଧ୍ୟ କରାଯାଉନାହିଁ। ବାସ୍ତବତା ହେଲା, ଘର ବାହାରେ ଜଣେ ମହିଳା ବିଲ୍‌କୁଲ୍‌ ସୁରକ୍ଷିତ ନୁହେଁ।
– ନିକିତା ମିଶ୍ର, ଅଭିନେତ୍ରୀ, ଭୁବନେଶ୍ୱର

ନିଜ ପାଇଁ ନିଜେ ଲଢ଼ିବା ଦରକାର

ପୂର୍ବରୁ ସମାଜରେ ନାରୀଙ୍କ ସ୍ଥିତି ଆହୁରି ଖରାପ ଥିଲା। ସେମାନେ ଘରୁ ବାହାରି ପାରୁ ନ ଥିଲେ। ମାତ୍ର ଏବେକାର ପିଢୀଙ୍କୁ ସ୍ବାଧୀନତା ମିଳୁଛି। ସେମାନେ ନିଜ ପାଇଁ ବଞ୍ଚତ୍ପାରୁଛନ୍ତି। କିନ୍ତୁ ଆମ ଦେଶରେ ନାରୀଙ୍କ ସ୍ଥିତି ପୂରା ଠିକ୍‌ ଅଛି ବୋଲି କହିପାରିବା ନାହିଁ। ନାରୀମାନଙ୍କ ଅଧିକାର, ସୁରକ୍ଷା ପାଇଁ ଅନ୍ୟ କେହି କହିବେ ବୋଲି ଭାବିବା ମୂର୍ଖାମି। ନାରୀ ନିଜେ ହିଁ ଆତ୍ମନିର୍ଭରଶୀଳ ତଥା ଦୃଢ଼ ହେବା ଦରକାର। ନିଜେ ହିଁ ନିଜ ପାଇଁ ଲଢ଼ିବା ଦରକାର। କାହା ଉପରେ ନିର୍ଭର ନ କରି ନିଜ ସୁରକ୍ଷା ନିଜେ କରିବା ଆବଶ୍ୟକ।
– ଲିପ୍‌ସା ମହାପାତ୍ର, କଣ୍ଠଶିଳ୍ପୀ, ଭୁବନେଶ୍ୱର

ଅସୁରକ୍ଷିତ ବଳୟ ଭେଦିବାକୁ ପଡ଼ିବ
ନାରୀଙ୍କୁ ପୁରୁଷଙ୍କ ଭଳି ସମାନ ଅଧିକାର ମିଳୁଥିବା କଥା ମିଛ। ଉଭୟଙ୍କୁ ଏବେ ବି ଭିନ୍ନ ଭିନ୍ନ ଦୃଷ୍ଟିରେ ଦେଖାଯାଉଛି। କିନ୍ତୁ ପୂର୍ବ ସ୍ଥିତିରେ ଅନେକ ପରିବର୍ତ୍ତନ ଆସିଛି ବୋଲି କହି ପାରିବା। ବର୍ତ୍ତମାନ ନାରୀମାନେ ସମାଜର ବିଭିନ୍ନ ସମ୍ମାନସ୍ପଦ ସ୍ଥାନରେ ରହି ନିଜର ପରାକାଷ୍ଠା ଦେଖାଇ ପାରୁଛନ୍ତି। ଏହା କେବଳ ସମାଜର ମାନସିକତାର ପରିବର୍ତ୍ତନ କାରଣରୁ ହୋଇପାରିଛି। ଅନ୍ୟପକ୍ଷରେ ନାରୀମାନଙ୍କ ପ୍ରତି ଅସୁରକ୍ଷାର ବଳୟ ଅଧିକ ମାତ୍ରାରେ ରହିଛି। ଏହାକୁ ଭେଦିବାକୁ ହେଲେ ଉଭୟ ନାରୀ ଓ ପୁରୁଷଙ୍କୁ ଏ ଦିଗରେ କାମ କରିବାକୁ ହେବ। ପରିସ୍ଥିତିର ପରିବର୍ତ୍ତନ ପାଇଁ ଉଭୟଙ୍କୁ ପ୍ରଶ୍ନ କରିବାକୁ ପଡିବ।
– ଭାରତୀ ଚକ୍ର, ସାମାଜିକ କର୍ମୀ, ଭୁବନେଶ୍ୱର

ନାରୀର ଆଦର, ସମ୍ମାନ କ୍ଷୟ ହେଉଛି
ଭାରତୀୟ ସମାଜରେ ନାରୀର ସ୍ଥାନ ଯେଉଁ ଆଦର ଓ ସମ୍ମାନର ସହ ୩୦ରୁ ୪୦ ବର୍ଷ ତଳେ ନିଆଯାଉଥିଲା ତାହାର କ୍ଷୟ ମୁଁ ଅଧୁନା ଦେଖିପାରୁଛି। ସମ୍ପ୍ରତି ଭାରତୀୟ ନାରୀ ବହୁଳ ଭାବରେ ଶୋଷଣ ଓ ବଳାତ୍କାରର ଶିକାର ହେଉଛନ୍ତି। ପ୍ରତିଦିନ ମହିଳାମାନେ ବିଭିନ୍ନ ପ୍ରକାର ଶୋଷଣର ଶିକାର ହେଉଛନ୍ତି। ଏହି ମାନସିକ ଚାପ ସମାଜର ସାମଗ୍ରିକ ବିକାଶରେ ବାଧା ସୃଷ୍ଟି କରୁଛି। କଲିଜା ଥରାଇ ଦେବା ଭଳି ଘଟଣା ଖବରକାଗଜରେ ପ୍ରକାଶ ହେବା ଦ୍ୱାରା ମହିଳାଙ୍କ ମଧ୍ୟରେ ଏହାକୁ ନେଇ ଆକ୍ରୋଶ ଓ ପ୍ରତିଶୋଧପୂର୍ଣ୍ଣ ଭାବନା ସୃଷ୍ଟି ହେଉଛି। ସେହିପରି ଆଧୁନିକବାଦର ଛାପ କେତେକାଂଶରେ ଭାରତୀୟ ସଂସ୍କୃତିକୁ କଳୁଷିତ ମଧ୍ୟ କରିଛି। ନାରୀ ନିଜ ଶକ୍ତିର ଦୁରୁପଯୋଗ କରିବା ମଧ୍ୟ ସମାଜ ଉପରେ ପ୍ରଭାବ ପକାଉଛି। ନାରୀ ଓ ପୁରୁଷ ମଧ୍ୟରେ ଥିବା ସାମାଜିକ ପ୍ରଭେଦ ହଟିବା ଆବଶ୍ୟକ। ଏନେଇ ସମାଜ ଓ ସରକାର ଉଭୟ ନିଜ ଦାୟିତ୍ୱ ହୃଦୟଙ୍ଗମ କରିବା ଉଚିତ।
– ସୁଚେତା ମିଶ୍ର, ସାହିତି୍ୟକା, ପୁରୀ

ଆତ୍ମରକ୍ଷା ପାଇଁ ପ୍ରସ୍ତୁତ ହୁଅନ୍ତୁ
ବର୍ତ୍ତମାନ ସ୍ଥିତିରେ ସମାଜରେ ନାରୀଙ୍କ ସୁରକ୍ଷା ବୋଲି କିଛି ନାହିଁ। ପ୍ରତିଦିନ ନାବାଳିକା ଓ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର, ବଳାତ୍କାର, ନିର୍ଯାତନା ସଂକ୍ରାନ୍ତ ଖବର ଏହାର ପ୍ରମାଣ ପାଇଁ ଯଥେଷ୍ଟ। ନାରୀଙ୍କ ପାଇଁ ରହିଥିବା ଆଇନରେ ସଂଶୋଧନ ହେବା ଉଚିତ। ଏଥିସହ ଆତ୍ମରକ୍ଷା ପାଇଁ ମହିଳାମାନେ ନିଜେ ପ୍ରସ୍ତୁତ ହେବା ସହ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ନିତାନ୍ତ ଆବଶ୍ୟକ। ଏନେଇ ସଚେତନତା ସୃଷ୍ଟି ନିତାନ୍ତ ଜରୁରୀ।
– ଅନସୂୟା ସାହୁ, ଚିତ୍ରଶିଳ୍ପୀ, ଭୁବନେଶ୍ୱର

ମହିଳାଙ୍କ ପ୍ରତି ହିଂସା ବୃଦ୍ଧି ପାଉଛି
ସମାଜରେ ମହିଳାମାନେ କେତେ ସୁରକ୍ଷିତ ତାହା ସରକାରୀ କ୍ରାଇମ୍‌ ରେକର୍ଡରୁ ହିଁ ଜଣାପଡୁଛି। ମହିଳାଙ୍କ ପ୍ରତି ହିଂସା ବୃଦ୍ଧି ପାଉଛି। ସେମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। କନ୍ୟା ଭ୍ରୂଣ ହତ୍ୟା, ବାଲ୍ୟ ବିବାହ ଓ ବଳାତ୍କାର ବନ୍ଦ ହେଲେ ମହିଳାମାନେ ନିଜକୁ ସୁରକ୍ଷିତ ମନେକରି ପାରିବେ।
– ଡଲି ଦାସ, ସାମାଜିକ କର୍ମୀ, କଟକ

ପାରିପାର୍ଶ୍ୱିକ ସ୍ଥିତି ଦାୟୀ
ଭାରତ ଏକ ବିକଶିତ ରାଷ୍ଟ୍ର। ଦେଶରେ ମହିଳା ସଶକ୍ତୀକରଣ ଉପରେ ଗୁରୁତ୍ୱ ଦିଆଯାଉଛି, ଅଥଚ ଆଜି ମଧ୍ୟ ମହିଳାଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ରହିଛି। ମହିଳାଙ୍କ ଉପରେ ଘଟି ଚାଲିଥିବା ନିର୍ଯାତନା, ଅତ୍ୟାଚାରକୁ ଦେଖିଲେ, ଦେଶରେ ଆଜି ବି ମହିଳା ସୁରକ୍ଷିତ ନୁହନ୍ତି ବୋଲି ମନେ ହୁଏ। ଏଥିଲାଗି କେବଳ ସରକାର ନୁହନ୍ତି, ସମାଜ ଓ ପାରିପାର୍ଶ୍ୱିକ ପରିସ୍ଥିତି ମଧ୍ୟ ଉତ୍ତରଦାୟୀ। ବର୍ତ୍ତମାନର ସ୍ଥିତିକୁ ଅନୁଧ୍ୟାନ କଲେ, ବାହାରେ କାର୍ଯ୍ୟ କରୁଥିବା କର୍ମଜୀବୀ ମହିଳାମାନେ ନିଜ ସୁରକ୍ଷା ପ୍ରତି ଅଧିକ ଯତ୍ନବାନ ହେବା ଆବଶ୍ୟକ।
– ମମତାଞ୍ଜଳି ପଟ୍ଟନାୟକ, ଶିକ୍ଷାବିତ୍‌, ଖୋର୍ଦ୍ଧା

ନାରୀ ନିଜେ ଶକ୍ତିସ୍ବରୂପା
ନାରୀ ସ୍ବାଧୀନତା, ନାରୀ ସଶକ୍ତୀକରଣ ଆଜିର ସମୟରେ ସର୍ବତ୍ର ଶୁଣାଯାଉଥିବା ବେଳେ ମୋ ମତରେ ଏହା ମୂଲ୍ୟହୀନ। କାରଣ ସଶକ୍ତୀକରଣ ସେଇମାନଙ୍କ ନିମନ୍ତେ ଆବଶ୍ୟକ, ଯିଏ ଦୁର୍ବଳ। କିନ୍ତୁ ନାରୀ ନିଜେ ଶକ୍ତିସ୍ବରୂପା। ସନ୍ତାନ ନିମନ୍ତେ ମମତାମୟୀ ମାତା, ଭ୍ରାତା ନିମନ୍ତେ ସ୍ନେହର ଭଗିନୀ ଆଉ ସ୍ବାମୀ ନିମନ୍ତେ ସହଧର୍ମିଣୀ। ତେଣୁ ନାରୀ ନିମନ୍ତେ ଆବଶ୍ୟକ କେବଳ ତା’ର ଅଧିକାରର ସୁରକ୍ଷା, ଆତ୍ମସମ୍ମାନ ଓ ସ୍ବାଭିମାନର ରକ୍ଷା। ନାରୀର ଆବେଗ, ସମ୍ବେଗ, ଭାବନା ଓ ଚେତନାକୁ ଠିକ୍‌ ଭାବେ ବୁଝିପାରିଲେ ନାରୀ କୌଣସି କ୍ଷେତ୍ରରେ ନୂ୍ୟନ ହେବନାହିଁ।
– ସଂଯୁକ୍ତା ମହାପାତ୍ର, ଶିକ୍ଷୟିତ୍ରୀ, ଯାଜପୁର ରୋଡ

ମାନସିକତା ନ ବଦଳିଲେ ସ୍ଥିତି ବଦଳିବ ନାହିଁ
ମାନବ ସଭ୍ୟତାରେ ପାଷାଣ ଯୁଗରୁ ପରମାଣୁ ଯୁଗର ଗୋଟିଏ ଲମ୍ବା ଯାତ୍ରା ଚାଲି ଆସିଛି। ଏହା ଭିତରେ ମହିଳାଙ୍କ ସ୍ଥିତିରେ ବହୁ ମାତ୍ରାରେ ପରିବର୍ତ୍ତନ ହୋଇଥିଲେ ମଧ୍ୟ ଆଜି ବି ଅସୁରକ୍ଷିତ ମଣୁଛି। ଯେତେ ବଡ଼ ପଦବୀରେ ଥିଲେ ମଧ୍ୟ ଘରୁ ବାହାରିଲେ କର୍ମକ୍ଷେତ୍ରରେ ନିର୍ଯାତନାର ଶିକାର ହେବାର ଭୟ ରହୁଛି। ଅନେକ ଆଇନ ଓ କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦିଆଯାଉଛି। ଯେଉଁଠି ରକ୍ଷକ ହି ଭକ୍ଷକ ପାଲଟୁଛି, ସେଠି ନାରୀର ସୁରକ୍ଷା ରହିଲା କେଉଁଠି? ଯେପର୍ଯ୍ୟନ୍ତ ଲୋକଙ୍କ ମାନସିକତା ଓ ଦୃଷ୍ଟିକୋଣ ବଦଳି ନାହିଁ, ସେ ପର୍ଯ୍ୟନ୍ତ ମହିଳାଙ୍କ ସ୍ଥିତି ବି ବଦଳିବ ନାହିଁ।- ଧରିତ୍ରୀ ସାହୁ, କର୍ମଜୀବୀ, ଭୁବନେଶ୍ୱର

ମହିଳାଙ୍କ ସୁରକ୍ଷା ଚିନ୍ତାର ବିଷୟ
ମହିଳାମାନେ ସମାଜର ଅବିଚ୍ଛେଦ୍ୟ ଅଙ୍ଗ ଥିଲେ, ରହିଛନ୍ତି ଓ ରହିବେ। ମହିଳାମାନେ ସ୍ବାସ୍ଥ୍ୟ, ଶକ୍ତି, ସିଦ୍ଧି ଏବଂ ଜ୍ଞାନର ପ୍ରତୀକ। ମହିଳାମାନେ କଦାପି କୋଣ ଅନୁକୋଣରେ ନ ଥିଲେ, ସେମାନେ ସର୍ବଦା ମୁଖ୍ୟ ସ୍ରୋତରେ ଥିଲେ। ନାରୀଙ୍କୁ ପ୍ରଶାନ୍ତ ମହାସାଗରରେ ବୁଡ଼ାଇ ଦିଅ, ସେମାନେ ହିମାଳୟର ସର୍ବୋଚ୍ଚ ଶିଖର ଦେଇ ବାହାରି ଆସିବେ। କିନ୍ତୁ ଅଜ୍ଞତା ଯୋଗୁ ସମ୍ପ୍ରତି କିଛି ଲୋକ ମହିଳାଙ୍କୁ ଦୁର୍ବଳ ଭାବନ୍ତି। ବର୍ତ୍ତମାନ ସମସ୍ତଙ୍କ ସୁରକ୍ଷା ଏକ ଚିନ୍ତାର ବିଷୟ ହୋଇଥିବାବେଳେ ମହିଳାମାନେ ଏହାର ଏକ ଅଂଶବିଶେଷ। ସମୃଦ୍ଧ, ସାଂସ୍କୃତିକ, ଶିକ୍ଷିତ ଓ ନିରାପଦ ସମାଜ ତିଆରି କରିବାକୁ ପଡ଼ିବ। ପ୍ରତ୍ୟେକ ଶିଶୁଠାରେ ଜଣେ ମହିଳାଙ୍କୁ ସମ୍ମାନ ଦେବା ପାଇଁ ମନୋଭାବ ସୃଷ୍ଟି କରିବାକୁ ହେବ।
– ଡା. ସଙ୍ଗୀତା ସାହୁ, ଏମ୍‌ସ, ଭୁବନେଶ୍ୱର

ନିଜ ଶକ୍ତିକୁ ନିଜେ ଚିହ୍ନନ୍ତୁ
ମହିଳାଙ୍କ ସୁରକ୍ଷା ପାଇଁ ସରକାରୀ ସ୍ତରରେ ଯେତେ ବି ପଦକ୍ଷେପ ନିଆଗଲେ ମଧ୍ୟ ତାହା ଫଳପ୍ରଦ ହୋଇପାରୁନାହିଁ। ବର୍ତ୍ତମାନର ପରିସ୍ଥିତିରେ ମହିଳା ନିଜ ଭିତରର ଶକ୍ତିକୁ ଅନୁଭବ କରୁ। ଯେତେଦିନ ପର୍ଯ୍ୟନ୍ତ ସେ ନିଜ ଶକ୍ତିକୁ ନିଜେ ଚିହ୍ନି ନ ପାରିଛି, ସେତେଦିନ ପର୍ଯ୍ୟନ୍ତ ସେ ଅତ୍ୟାଚାରିତା ଓ ନିର୍ଯାତିତା ହେଉଥିବ। ତେଣୁ ଆଜିର ମହିଳା ଅତ୍ୟାଚାର ବିରୋଧରେ ମୁହଁ ଖୋଲି ନିଜକୁ ସୁରକ୍ଷା ଦେବା ସହିତ ସମାଜକୁ ମଧ୍ୟ ସୁରକ୍ଷା ଦେବା ଉଚିତ।
– ଅମିୟବାଳା ପରିଡ଼ା, ଅଧ୍ୟାପକ, ଭୁବନେଶ୍ୱର

ସକାରାତ୍ମକ ମନୋଭାବର ଅଭାବ ରହିଛି
ନାରୀର ସୁରକ୍ଷା ନାରୀ ହାତରେ। କେବଳ ସକାରାତ୍ମକ ମନୋଭାବର ଅଭାବ ରହିଛି। ଆମର ଆଚରଣ ଓ ଉଚ୍ଚାରଣରେ ବହୁତ ତଫାତ୍‌ ରହୁଛି। ବହୁ କ୍ଷେତ୍ରରେ ମହିଳାମାନେ ନିଜର ସ୍ଥିତି ଜାହିର କରିପାରୁଛନ୍ତି। କିନ୍ତୁ ତାହା ବହୁତ କମ୍‌। କିନ୍ତୁ ଅଧିକାଂଶ ମହିଳାଙ୍କ ମନରେ ଆତ୍ମବିଶ୍ୱାସ ରହୁ ନାହିଁ। ଲାଳନପାଳନ କମ୍‌ ରହିଯାଉଛି, ଯେଉଁଥିପାଇଁ ସେମାନେ ନିଜକୁ ସକ୍ଷମ ବୋଲି ଭାବୁ ନାହାନ୍ତି।
– ପ୍ରଫେସର ଅପରାଜିତା ଚୌଧୁରୀ, କୁଳପତି, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ

ମହିଳାଙ୍କ ସୁରକ୍ଷା ଆଜି ବି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ
ଭାରତରେ ମହିଳାଙ୍କ ସୁରକ୍ଷା ଆଜିମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଯେଉଁଠାରେ ମହିଳାମାନଙ୍କର ସମାନତାର ବ୍ୟବସ୍ଥା ସହ କଡ଼ା ଆଇନକାନୁନ ରହିଛି, ସେଠି ପ୍ରତିମୂହୁର୍ତ୍ତରେ ସେମାନଙ୍କ ବିରୋଧରେ ଅପରାଧ ଘଟୁଛି। ମହିଳାଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ କାର୍ଯ୍ୟ କରୁଥିବା କର୍ତ୍ତୃପକ୍ଷ ଦାୟିତ୍ୱବାନ ହୋଇ ଯଥେଷ୍ଟ ପଦକ୍ଷେପ ନେବା ଉଚିତ।
– ଦୀପ୍ତିମୟୀ ଜେନା, ଭୁବନେଶ୍ୱର

ପାଠ୍ୟକ୍ରମରେ ଆତ୍ମରକ୍ଷା ଉପରେ ବିଷୟ ରହୁ
ଆଜି ବି ଅଧିକାଂଶ ଘର ଭିତରେ ଝିଅଟିଏ ଅବହେଳିତ ହୋଇ ରହୁଛି। ଝିଅ ଓ ପୁଅ ଭିତରେ ତଫାତ ସୃଷ୍ଟି କରାଯାଉଛି। ଏଭଳି ମାନସିକତାର ପରିବର୍ତ୍ତନ ଆବଶ୍ୟକ। ସେହିପରି ବାହାରେ ଝିଅମାନେ ଆଦୌ ନିରାପଦ ନୁହନ୍ତି। ଯଦି ବିଦ୍ୟାଳୟ ପାଠ୍ୟକ୍ରମରେ ଆତ୍ମରକ୍ଷା ଉପରେ ବିଷୟ ରଖାଯିବ, ତେବେ ଝିଅମାନେ ଛୋଟବେଳୁ ନିଜର ସୁରକ୍ଷା ପାଇଁ ନିଜେ ପ୍ରସ୍ତୁତ ହୋଇପାରିବେ। ଆତ୍ମରକ୍ଷା ଯୋଗୁ ଆମର ଜଣେ ମହିଳା ସଦସ୍ୟ ନିକଟରେ ଜଣେ ମୋବାଇଲ ଲୁଟେରାଙ୍କ ସହ ଲଢ଼ି ତାଙ୍କୁ କାବୁ କରିପାରିଥିଲେ।

– ସଙ୍ଗୀତା ସାହୁ, ବାଇକର, ପ୍ରତିଷ୍ଠାତା, ଓ୍ବି ଦି ରୋଡ୍‌ କୁଇନ୍‌ସ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?